ETV Bharat / bharat

ବର୍ଷର ଶେଷ ମନ୍‌ କି ବାତ୍‌, ଓଡ଼ିଶାର ପାର୍ବତୀ ଗିରିଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ

129 ତମ ମନ୍‌ କି ବାତ୍‌ରେ 2025 ବର୍ଷର ସଫଳତା ବଖାଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ 2026ରେ ଓଡ଼ିଆ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କ ଜନ୍ମଶତବାର୍ଷିକ ପାଳନ କରାଯିବ କହିଛନ୍ତି ।

PM Modi recalled odia freedom fighter Parbati Giri in 129th mann ki baat program
ବର୍ଷର ଶେଷ ମନ୍‌ କି ବାତ୍‌, ଓଡ଼ିଶାର ପାର୍ବତୀ ଗିରିଙ୍କୁ ମନେପକାଇଲେ ପ୍ରଧାନମନ୍ତ୍ରୀ (@BJP4India)
author img

By ETV Bharat Odisha Team

Published : December 28, 2025 at 12:53 PM IST

|

Updated : December 28, 2025 at 2:57 PM IST

2 Min Read
Choose ETV Bharat

ହାଇଦ୍ରାବାଦ: ଚଳିତ ବର୍ଷର ଶେଷ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ 2025 ସଫଳତା ବଖାଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆ ସ୍ବାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ମନେପକାଇ ତାଙ୍କ କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ପାର୍ବତୀ ଗିରିଙ୍କୁ ପ୍ରତ୍ଯେକ ପିଢି ପାଇଁ ଉଦାହରଣ ବୋଲି କହିଛନ୍ତି ମୋଦି ।

ପାର୍ବତୀ ଗିରିଙ୍କୁ ନେଇ କଣ କହିଲେ ମୋଦି?

ମନ୍‌ କି ବାତ୍‌ରେ ପ୍ରଧାନମନ୍ତ୍ରୀ କହିଛନ୍ତି, " ଦେଶ ସ୍ବାଧୀନତା ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ସଂଘର୍ଷ କରିବାକୁ ପଡିଛି । ଦେଶ ଅନେକ ଲୋକ ଏଥିରେ ସାମିଲ ହୋଇଥିଲେ । କିନ୍ତୁ ଦୁର୍ଭାଗ୍ୟ ବସତଃ ଆଜାଦିର ଅନେକ ନାୟକ ଓ ନାୟିକାଙ୍କୁ ସେହି ସମ୍ମାନ ମିଳିପାରିନାହିଁ ଯାହା ତାଙ୍କୁ ମିଳିବା କଥା । ଏମିତି ଏକ ସ୍ବାଧୀନତା ସଂଗ୍ରାମୀ ହେଉଛନ୍ତି ଓଡ଼ିଶାର ପାର୍ବତୀ ଗିରି । ଜାନୁଆରୀ 2026ରେ ତାଙ୍କ ଜନ୍ମଶତବାର୍ଷିକ ପାଳନ କରାଯିବ । ସେ 16 ବର୍ଷ ବୟସରେ ଭାରତ ଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ସ୍ବାଧୀନତା ଆନ୍ଦୋଳନ ପରେ ପାର୍ବତୀ ଗିରି ନିଜ ଜୀବନକୁ ସମାଜ ସେବା ଓ ଆଦିବାସୀ କଲ୍ୟାଣ ପାଇଁ ଉତ୍ସର୍ଗ କରିଦେଇଥିଲେ । ସେ ଅନେକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । ତାଙ୍କର ପ୍ରେରଣାଦାୟକ ଜୀବନ ପିଢିଙ୍କୁ ମାର୍ଗଦର୍ଶନ କରିବ । "

ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି:

"ମୁଁ ପାର୍ବତୀ ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆମ ପୂର୍ବ ସୁରି ମାନଙ୍କୁ କିପରି ନଭୁଲିବା ତାହା ଆମର ଦାୟିତ୍ବ । ଆମେ ଦେଶକୁ ସ୍ବାଧୀନତା ଦେଇଥିବା ନାୟକ ନାୟିକାଙ୍କୁ ମହାନ ଗାଥାକୁ ଆଗାମୀ ପିଢି ପର୍ଯ୍ୟନ୍ତ ପହଞ୍ଚାଇବା । "

କିଏ ପାର୍ବତୀ ଗିରି?

ଓଡ଼ିଆ ସ୍ବାଧୀନତା ସଂଗ୍ରାମୀ ଥିଲେ ପାର୍ବତୀ ଗିରି । ତାଙ୍କୁ ପଶ୍ଚିମ ଓଡ଼ିଶାର ମଦର ଟେରେସା ବୋଲି କୁହାଯାଏ । 1926 ମସିହା ଜାନୁଆରୀ 19 ତାରିଖରେ ସେ ବରଗଡ ଜିଲ୍ଲାର ବିଜେପୁର ନିକଟବର୍ତ୍ତୀ ସମଲାଇପଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମାତ୍ର 10 ବର୍ଷ ବୟସରେ ସେ ତାଙ୍କ ଅଞ୍ଚଳରେ ହେଉଥିବା ସ୍ବାଧୀନତା ସଂଗ୍ରାମର ସଭାକୁ ଯାଉଥିଲେ । ମହାତ୍ମା ଗାନ୍ଧୀଙ୍କ ଡାକରାରେ ପ୍ରଭାବିତ ହୋଇ ସଭାରେ ସାମିଲ ହେବାକୁ ଲୋକଙ୍କୁ ଘର ଘର ବୁଲି ଡାକୁଥିଲେ । ତାଙ୍କର ଏପରି ନିଷ୍ଠା ଦେଖି ଓଡ଼ିଶାର ବିଶିଷ୍ଟ ,ସ୍ବାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀ ଓ ପ୍ରାଣକୃଷ୍ଣ ପଢିଆରୀ ତାଙ୍କ ପିତାମାତାଙ୍କୁ ପାର୍ବତୀଙ୍କୁ ପୂର୍ଣ୍ଣକାଳୀନ ଭାବରେ କଂଗ୍ରେସ ସଂଗଠନରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ପ୍ରଥମେ ଅମଙ୍ଗ ହେଲେ ପରେ ଜାତିର ସ୍ବାର୍ଥ ପାଇଁ ଝିଅକୁ ଛାଡିବାକୁ ରାଜି ହୋଇଥିଲେ ।

ଇଂରେଜ ବିରୋଧୀ କାର୍ଯ୍ୟ ପାଇଁ କାରାବାସ ଦଣ୍ଡ ଭୋଗିଥିଲେ:

1938 ମସିହା ଜାନୁଆରୀ 14 ତାରିଖରେ ରମା ଦେବୀଙ୍କ ଦ୍ବାରା ପରିଚାଳିତ ବେରି ଆଶ୍ରମରେ ଯୋଗଦେଇଥିଲେ ପାର୍ବତୀ । ଏହା ପରଠାରୁ ସେ ଘରକୁ ନଫେରି ସ୍ବାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ଇଂରେଜ ବିରୋଧୀ କାର୍ଯ୍ୟ ପାଇଁ 2 ବର୍ଷ ସେ କାରାବାସ ଦଣ୍ଡ ଭୋଗିଥିଲେ । ମାତ୍ର 16 ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାରେ ପ୍ରଭାବିତ ହୋଇ ବିପ୍ଳବର ନେତୃତ୍ବ ନେଇଥିଲେ ।

ଜନସେବା ପାଇଁ ଜୀବନ ଉତ୍ସର୍ଗ କରିଦେଇଥିଲେ:

ଦେଶ ସ୍ବାଧୀନତା ପାଇବା ପରେ ବାକି ଜୀବନକୁ ସମାଜ ସେବା ପାଇଁ ଉତ୍ସର୍ଗୀକୃତ କରିଦେଇଥିଲେ । ସେ ପାଇକମାଳ ଗ୍ରାମରେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ ଏବଂ ନିଜର ଶେଷ ଜୀବନ ସେହିଠାରେ ହିଁ କାଟିଥିଲେ ।

  • ସମାଜସେବା ପାଇଁ ପାର୍ବତୀ ଗିରିଙ୍କୁ 1998 ମସିହାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ତରଫରୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା ।
  • ଓଡ଼ିଶା ସରକାର ମଧ୍ୟ ତାଙ୍କ ସମ୍ମାନାର୍ଥେ ଡିସେମ୍ବର 2016ରେ ଏକ ବୃହତ ଜଳସେଚନ ଯୋଜନାକୁ 'ପାର୍ବତୀ ଗିରି ଜଳସେଚନ ପ୍ରକଳ୍ପ' ଭାବରେ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-Mann Ki Baat ରେ କେନ୍ଦୁଝରର ପ୍ରମିଳାଙ୍କୁ ମୋଦିଙ୍କ ପ୍ରଶଂସା, ମୟୂରଭଞ୍ଜର ସାନ୍ତାଳୀ ଶାଢୀକୁ ନେଇ ଏମିତି କହିଲେ

ଏହା ମଧ୍ୟ ପଢନ୍ତୁ-ମହାନଦୀରୁ ଡାଲ ହ୍ରଦ, କାନୋଇଂରେ ଗୋଲ୍ଡ ଗାର୍ଲ ରଶ୍ମିତା

Last Updated : December 28, 2025 at 2:57 PM IST