ETV Bharat / bharat

ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ 'ବିନ୍ତାଙ୍ଗ ଆଦିପୁର୍ଣ୍ଣ'ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଇଣ୍ଡୋନେସିଆର ଜାକାର୍ତ୍ତାରେ ପହଞ୍ଚିବା ପରେ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନା; ଭାରତ ଓ ଇଣ୍ଡୋନେସିଆ ବ୍ୟାପକ କୌଶଳଗତ ଭାଗୀଦାରିକୁ ମିଳିଲା ନୂଆ ଗତି

PM MODI INDONESIA HIGHEST HONOUR
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ 'ବିନ୍ତାଙ୍ଗ ଆଦିପୁର୍ଣ୍ଣ'ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି (NarendraModi/YouTube)
author img

By ETV Bharat Odisha Team

Published : July 7, 2026 at 1:33 PM IST

2 Min Read
Choose ETV Bharat

ନୂଆଦିଲ୍ଲୀ: ତ୍ରିରାଷ୍ଟ୍ରୀୟ ଗସ୍ତର ଅଂଶ ଭାବେ ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆ ସରକାର ପକ୍ଷରୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ 'ବିନ୍ତାଙ୍ଗ ଆଦିପୁର୍ଣ୍ଣ ଅଫ୍ ଦ ରିପବ୍ଲିକ୍ ଅଫ୍ ଇଣ୍ଡୋନେସିଆ' (Bintang Adipurna of the Republic of Indonesia) ପ୍ରଦାନ କରାଯାଇଛି।

'ବିନ୍ତାଙ୍ଗ ଆଦିପୁର୍ଣ୍ଣ' ହେଉଛି ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ। ଦେଶର ଏକତା, ନିରନ୍ତରତା ଓ ସମୃଦ୍ଧି ପାଇଁ ଅସାଧାରଣ ଅବଦାନ ରଖିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଏ। ଏହାପୂର୍ବରୁ, ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋଙ୍କ ସହ ଆଲୋଚନା ପାଇଁ ଇସ୍ତାନା ମେର୍ଦେକା (ରାଷ୍ଟ୍ରପତି ଭବନ)ରେ ପହଞ୍ଚିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭବ୍ୟ ଔପଚାରିକ ସ୍ୱାଗତ ଜଣାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦି ସୋମବାର ଦିନ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ପହଞ୍ଚିଥିଲେ। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତର ଆକ୍ଟ ଇଷ୍ଟ୍ ପଲିସି (Act East Policy), ମହାସାଗର (MAHASAGAR) ଭିଜନ୍ ଏବଂ ଏକ ମୁକ୍ତ, ଉନ୍ମୁକ୍ତ ଓ ସମାବେଶୀ ଇଣ୍ଡୋ-ପାସିଫିକ୍ ପ୍ରତି ଭାରତର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା। ଇସ୍ତାନା ମେର୍ଦେକାରେ ମିଳିଥିବା ସ୍ୱାଗତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସ (X)ରେ ପୋଷ୍ଟ କରି କହିଥିଲେ, "ଇସ୍ତାନା ମେର୍ଦେକାରେ ମୋତେ ସ୍ୱାଗତ ଜଣାଇଥିବାରୁ ଧନ୍ୟବାଦ!" ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ଜାକାର୍ତ୍ତାସ୍ଥିତ ମେର୍ଦେକା ପ୍ୟାଲେସ୍ରେ ରାଷ୍ଟ୍ରପତି ସୁବିଆଣ୍ଟୋଙ୍କ ସହ ସାକ୍ଷାତ ସମୟରେ ଅତିଥି ପୁସ୍ତିକା (Guest Book)ରେ ସ୍ୱାକ୍ଷର ମଧ୍ୟ କରିଥିଲେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି ଯେ, ଏହି ଗସ୍ତ ଭାରତ–ଇଣ୍ଡୋନେସିଆ ବ୍ୟାପକ କୌଶଳଗତ ଭାଗୀଦାରି (India–Indonesia Comprehensive Strategic Partnership)କୁ ଆହୁରି ଆଗକୁ ନେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ସେ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାକାର୍ତ୍ତାସ୍ଥିତ ଇସ୍ତାନା ମେର୍ଦେକା ରାଷ୍ଟ୍ରପତି ଭବନରେ ଭବ୍ୟ ଔପଚାରିକ ସ୍ୱାଗତ ଜଣାଯାଇଛି।" ସେ ଆହୁରି କହିଛନ୍ତି, "ଏହି ଗସ୍ତ ପ୍ରାଥମିକତାପ୍ରାପ୍ତ କ୍ଷେତ୍ରଗୁଡ଼ିକରେ ସହଯୋଗର ନୂଆ ସୁଯୋଗ ସୃଷ୍ଟି କରିବା ସହ ଉଭୟ ଦେଶ ମଧ୍ୟରେ ଥିବା ଗଭୀର ବିଶ୍ୱାସ, ସାଧାରଣ ମୂଲ୍ୟବୋଧ ଏବଂ ଦୀର୍ଘସ୍ଥାୟୀ ବନ୍ଧୁତ୍ୱକୁ ଆହୁରି ସୁଦୃଢ଼ କରିବ।"

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶର ସମ୍ପର୍କକୁ ବ୍ୟାପକ କୌଶଳଗତ ଭାଗୀଦାରି ସ୍ତରକୁ ଉନ୍ନୀତ କରାଯିବା ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଏହା ପୂର୍ବରୁ ରାଷ୍ଟ୍ରପତି ପ୍ରବୋୱୋ ସୁବିଆଣ୍ଟୋ ଜାନୁଆରୀ ୨୦୨୫ରେ ଭାରତର ଗଣତନ୍ତ୍ର ଦିବସ ଉତ୍ସବର ମୁଖ୍ୟ ଅତିଥି ଭାବେ ଭାରତ ଗସ୍ତ କରିଥିଲେ। ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଗସ୍ତ ଭାରତର ଆକ୍ଟ ଇଷ୍ଟ ପଲିସି, ମହାସାଗର (MAHASAGAR) ଭିଜନ୍ ଏବଂ ଏକ ମୁକ୍ତ ଓ ଉନ୍ମୁକ୍ତ ଇଣ୍ଡୋ-ପାସିଫିକ୍ ପ୍ରତି ଭାରତର ଦୃଷ୍ଟିକୋଣକୁ ଆହୁରି ସଶକ୍ତ କରିବ।

ସୂଚନାଯୋଗ୍ୟ, ମହାସାଗର(MAHASAGAR-Mutual and Holistic Advancement for Security Across the Regions) ହେଉଛି ବିଶ୍ୱର ସମସ୍ତ ଅଞ୍ଚଳର ସୁରକ୍ଷା ଏବଂ ସାମଗ୍ରିକ ବିକାଶ ପାଇଁ ଭାରତର ଏକ ଦୂରଦର୍ଶୀ ପଦକ୍ଷେପ।

ଏହା ମଧ୍ୟ ପଢ଼ନ୍ତୁ ... ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ; ଦ୍ୱିପାକ୍ଷିକ ସମ୍ପର୍କର ସକାରାତ୍ମକ ଗତିକୁ ଏହି ଗସ୍ତ ଆଗକୁ ନେବ : ମୋଦି