ETV Bharat / bharat

ପରୀକ୍ଷା ସଂସ୍କାର ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ନନ୍ଦନ ନିଲେକାନିଙ୍କ ନେତୃତ୍ବରେ ଗଠନ ହେବ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କ ଫୋର୍ସ

NEET ପେପର ଲିକ୍ ବିବାଦ ପରେ, ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ X ରେ ଏକ ଭିଡିଓ ପୋଷ୍ଟ କରି ଏହି ବଡ଼ ଘୋଷଣା କରିଛନ୍ତି ।

PM Modi Announces Nandan Nilekani-Led Task Force On Exam Reforms
ପରୀକ୍ଷା ସଂସ୍କାର ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ନନ୍ଦନ ନିଲେକାନିଙ୍କ ନେତୃତ୍ବରେ ଗଠନ ହେବ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କ ଫୋର୍ସ (ANI)
author img

By ETV Bharat Odisha Team

Published : July 26, 2026 at 9:00 PM IST

2 Min Read
Choose ETV Bharat

MODI ANNOUNCES EXAM REFORM TASK FORCE, ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଛାତ୍ରମାନଙ୍କ ଭବିଷ୍ୟତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସେ ବିଶ୍ୱ ପ୍ରସିଦ୍ଧ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ନନ୍ଦନ ନିଲେକାନିଙ୍କ ନେତୃତ୍ୱରେ ପରୀକ୍ଷା ସଂସ୍କାର ପାଇଁ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କ ଫୋର୍ସ ଗଠନ ଘୋଷଣା କରିଛନ୍ତି । NEET-UG ସମେତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପେପର ଲିକ୍ ଏବଂ ଅନ୍ୟାନ୍ୟ ଅନିୟମିତତାକୁ ନେଇ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଜନ୍ତରମନ୍ତରରେ ହୋଇଥିବା ପ୍ରତିବାଦ ପରିପ୍ରେକ୍ଷିରେ ଏହି ଘୋଷଣା କରାଯାଇଛି ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପୂର୍ବତନ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରି କହିଛନ୍ତି,"ସରକାର ଛାତ୍ରମାନଙ୍କ ଭବିଷ୍ୟତ ପାଇଁ ନିରନ୍ତର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଯେଉଁମାନେ ଛାତ୍ରମାନଙ୍କ ଭବିଷ୍ୟତ ସହିତ ହାତଛଡ଼ା କରିଥିଲେ ସେମାନେ ଜେଲରେ ଅଛନ୍ତି । ଆମେ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିସାରିଛୁ । ସଂସଦରେ ଏକ ନୂତନ ଆଇନ ପ୍ରଣୟନ କରିବା ପାଇଁ ମଧ୍ୟ କାମ ଚାଲିଛି । ଯେଉଁଥିରେ କଠୋର ଆଇନଗତ ବ୍ୟବସ୍ଥା ରହିବ ।"

ପ୍ରଧାନମନ୍ତ୍ରୀ ଭିଡିଓରେ ଆହୁରି କହିଛନ୍ତି,"କିନ୍ତୁ ଆମକୁ ଭବିଷ୍ୟତକୁ ମଧ୍ୟ ଦେଖିବାକୁ ପଡ଼ିବ । ଆମର ପରୀକ୍ଷା ବ୍ୟବସ୍ଥା ନିର୍ଭରଯୋଗ୍ୟ ଏବଂ ସ୍ୱଚ୍ଛ ହେବା ଆବଶ୍ୟକ ଏବଂ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରିବା ଆବଶ୍ୟକ । ଏହି ଜିନିଷଗୁଡ଼ିକୁ ମନେ ରଖି, ଆମେ ବିଶ୍ୱ ପ୍ରସିଦ୍ଧ ପ୍ରଯୁକ୍ତି ବିଶେଷଜ୍ଞ ନନ୍ଦନ ନିଲେକାନିଙ୍କ ନେତୃତ୍ୱରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କ ଫୋର୍ସ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛୁ । ଏହି ଟାସ୍କ ଫୋର୍ସ ପରୀକ୍ଷା ସଂସ୍କାର ଉପରେ ଧ୍ୟାନ ଦେବ ଏବଂ ଏହାର ରିପୋର୍ଟ ଆଧାରରେ, ଆଗାମୀ ପରୀକ୍ଷାଗୁଡ଼ିକର ବିଶ୍ୱସନୀୟତା ସୁନିଶ୍ଚିତ କରିବା ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବ ।"

ଉଚ୍ଚସ୍ତରୀୟ କମିଟିରେ କିଏ ଅଛନ୍ତି?

ଜାତୀୟ ପରୀକ୍ଷା ଏଜେନ୍ସି (NTA) ପରୀକ୍ଷାକୁ ଅଧିକ ଦକ୍ଷ, ସ୍ୱଚ୍ଛ ଏବଂ ସୁରକ୍ଷିତ କରିବା ପାଇଁ, କେନ୍ଦ୍ର ସରକାର ଡୋମେନ୍ ବିଶେଷଜ୍ଞଙ୍କ ଏକ ବହୁମୁଖୀ ଗୋଷ୍ଠୀ ଗଠନ କରିଛନ୍ତି । ଏହି ଉଚ୍ଚ କ୍ଷମତାସମ୍ପନ୍ନ ଟାସ୍କ ଫୋର୍ସ ମୁଖ୍ୟତଃ ଆଧୁନିକ ପ୍ରଯୁକ୍ତିର ଦୃଷ୍ଟିକୋଣରୁ ବ୍ୟବସ୍ଥାରେ ପ୍ରମୁଖ ସାଂରଚନିକ ସଂସ୍କାର ପାଇଁ ଏକ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବ ।

ଏହି ଗୁରୁତ୍ୱପୂର୍ଣ୍ଣ କମିଟିରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରମୁଖ ଲିଡରମାନେ ସାମିଲ ଅଛନ୍ତି । ଯେଉଁଥିରେ-

  1. ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ନନ୍ଦନ ନିଲେକାନି
  2. ପୂର୍ବତନ ISRO ଅଧ୍ୟକ୍ଷ ଏସ. ସୋମନାଥ
  3. ପୂର୍ବତନ ଇଣ୍ଟେଲିଜେନ୍ସ ବ୍ୟୁରୋ (IB) ନିର୍ଦ୍ଦେଶକ ତପନ ଡେକା
  4. IIT ଚେନ୍ନାଇ ନିର୍ଦ୍ଦେଶକ ଭି. କାମକୋଟ୍ଟି
  5. ପୂର୍ବତନ ଶିକ୍ଷା ସଚିବ ଅନିତା କରୱାଲ
  6. ଏବଂ ଲଜିଷ୍ଟିକ୍ସ ବିଶେଷଜ୍ଞ ଅମୃତ ଲାଲ ମୀନା ସାମିଲ ଅଛନ୍ତି

ନନ୍ଦନ ନିଲେକାନି କିଏ?

ନନ୍ଦନ ନିଲେକାନି ଜଣେ ପ୍ରସିଦ୍ଧ ଭାରତୀୟ ଉଦ୍ୟୋଗୀ । ସେ ଦେଶର ଅଗ୍ରଣୀ ଆଇଟି କମ୍ପାନୀ, ଇନଫୋସିସ୍ ସହ-ପ୍ରତିଷ୍ଠାତା ଥିଲେ । ସେ ୨୦୦୯ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ୱାରା ସ୍ଥାପନ କରାଯାଇଥିବା ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (UIDAI)ର ପ୍ରଥମ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଯେଉଁଥିରେ ସେ ଭାରତର ମହତ୍ୱାକାଂକ୍ଷୀ ଆଧାର ଯୋଜନାର ସଫଳ କାର୍ଯ୍ୟାନ୍ୱୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା କମିଟି, ଟେକ୍ନୋଲୋଜି ଆଡଭାଇଜରୀ ଗ୍ରୁପ୍ ଫର୍ ୟୁନିକ୍ ପ୍ରୋଜେକ୍ଟସ (TAGUP)ର ମଧ୍ୟ ନେତୃତ୍ୱ ନେଇଥିଲେ ।

World renowned technology expert Nandan Nilekani
ବିଶ୍ୱ ପ୍ରସିଦ୍ଧ ପ୍ରଯୁକ୍ତି ବିଶେଷଜ୍ଞ ନନ୍ଦନ ନିଲେକାନି (Etv Bharat Odisha)

ତାଙ୍କ ନେତୃତ୍ୱରେ ଗଠିତ ଏହି ଟାସ୍କ ଫୋର୍ସ, ପରୀକ୍ଷାରେ ବାୟୋମେଟ୍ରିକ୍ ପ୍ରମାଣୀକରଣ, ଡିଜିଟାଲ୍ ସୁରକ୍ଷା, କମ୍ପ୍ୟୁଟର-ଆଧାରିତ ପରୀକ୍ଷଣ ଏବଂ ଅନ୍ୟାନ୍ୟ ଆଧୁନିକ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି, ଯାହା ଦ୍ଵାରା ପେପର୍ ଲିକ୍ ଭଳି ଘଟଣାଗୁଡ଼ିକୁ ରୋକାଯାଇ ପାରିବ ।

ଏହା ମଧ୍ୟ ପଢ଼ନ୍ତୁ- ସରକାର- CJP ମଧ୍ୟରେ ବୈଠକ ଶେଷ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଉପରେ ହୋଇପାରିଲାନି କୌଣସି ସହମତି, ପୁଣି କାଲି ଆଉ ଏକ ବୈଠକ

ଏହା ମଧ୍ୟ ପଢ଼ନ୍ତୁ- ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ