ବିହାରରେ ଖାନ୍ ସାରଙ୍କ କୋଚିଂ ସେଣ୍ଟରରେ ଫୁଟିଲା ଗୁଳି, ଭଙ୍ଗାରୁଜା ସହ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ଅଭିଯୋଗ
ବିହାର ପାଟନା 'ଖାନ ସାର୍'ଙ୍କ କୋଚିଂ ସେଣ୍ଟର ବାହାରେ ଗୁଳିକାଣ୍ଡ ଘଟିଛି । କୋଚିଂ ସେଣ୍ଟର ବାହାରେ 10 ରାଉଣ୍ଡ ଗୁଳି ଚାଳନା କରାଯାଇଥିବା ଅଭିଯୋଗ ହୋଇଛି ।

Published : June 3, 2026 at 2:59 PM IST
Shooting near khan Sir Coaching, ପାଟନା (ବିହାର): ଲୋକପ୍ରିୟ ଶିକ୍ଷକ ଖାନ୍ ସାର ଓରଫ୍ ଫୈଜଲ୍ ଖାନଙ୍କ କୋଚିଂ ସେଣ୍ଟର ବାହାରେ ଗୁଳି ଫୁଟିବା ନେଇ ଅଭିଯୋଗ ହୋଇଛି । ବାହାର ରାଜଧାନୀ ପାଟନାସ୍ଥିତ ମୁସାଲ୍ଲାହ ହାଟ ନିକଟରେ ଥିବା କୋଚିଂ ସେଣ୍ଟର ବାହାରେ ଦୁର୍ବୃତ୍ତମାନେ ଗୁଳି ଫୁଟାଇଥିବା ବେଳେ, ପୋଲିସ କୌଣସି ବୟାନ ଦେଇନାହିଁ। ଗତକାଲି (ମଙ୍ଗଳବାର) ରାତି ସମୟରେ 8ରୁ 10 ରାଉଣ୍ଡ ଗୁଳିର ଶବ୍ଦ ଶୁଣିଥିବା ନେଇ ଖାନ ସାର ନିଜେ ଅଭିଯୋଗ କରିଛନ୍ତି । ଗୁଳିକାଣ୍ଡ ପଛରେ କିଛି ପ୍ରତିଦ୍ବନ୍ଦ୍ବୀ କୋଚିଂ ସେଣ୍ଟରଙ୍କ ହାତ ଥାଇପାରେ ବୋଲି ଖାନ୍ ସାର ଅନୁମାନ କରୁଛନ୍ତି ।
ସିକ୍ୟୁରିଟି ଗାର୍ଡଙ୍କ ଉପରେ ଆକ୍ରମଣ:
ଖାନ୍ ସାରଙ୍କ କୋଚିଂ ସେଣ୍ଟର ନିକଟରେ କିଛି ଦୁର୍ବୁତ୍ତ ସିକ୍ୟୁରିଟି ଗାର୍ଡଙ୍କ ଉପରେ ଆକ୍ରମଣ କରିଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ତରୁନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସହି ପାରୁନାହାନ୍ତି ପ୍ରତିଦ୍ବନ୍ଦ୍ବୀ କୋଚିଂ ସେଣ୍ଟର: ଖାନ ସାର୍
ଖାନ୍ ସାରଙ୍କ କହିବା ଅନୁଯାୟୀ ନିକଟରେ ବିହାର ପୋଲିସ ଭର୍ତ୍ତି ପରୀକ୍ଷାରେ ତାଙ୍କ କୋଚିଂ ସେଣ୍ଟରରୁ ବହୁ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାକୁ ପ୍ରତିଦ୍ବନ୍ଦ୍ବୀ କୋଚିଂ ସେଣ୍ଟରଗୁଡ଼ିକ ସହିପାରିନଥିଲେ । ତାଙ୍କୁ କିଛି ଦିନ ଧରି ଅନେକ ଧମକ ଆସୁଥିଲା । "ପାଖରେ ଏକ କୋଚିଂ ସେଣ୍ଟର ଅଛି । ବିଳମ୍ବିତ ରାତିରେ କିଛି ଲୋକ କୋଚିଂ ସେଣ୍ଟର ପରିସରରେ ପହଞ୍ଚି 2 ଦିନ ମଧ୍ୟରେ ଏହାକୁ ଉଡ଼ାଇ ଦେବାକୁ ଧମକ ଦେଇଥିଲେ । ଯେତେବେଳେ ଗାର୍ଡ ପ୍ରତିବାଦ କଲେ, ତାଙ୍କୁ ଆକ୍ରମଣ କରାଯାଇଥିଲା ଏବଂ ସେ ଗୁରୁତର ଆହତ ହୋଇଛନ୍ତି," ବୋଲି ଖାନ୍ ସାର କହିଛନ୍ତି ।
ପ୍ରଶାସନଠାରୁ ସୁରକ୍ଷା ପାଇଁ ଖାନ୍ ସାର ଦାବି କରିଛନ୍ତି । ସେ କହିଛନ୍ତି, "ସେମାନେ ଭାବୁଛନ୍ତି ଯେ, ସେମାନେ ଆମକୁ ଦମନ କରିବେ । ଆକ୍ରମଣକାରୀମାନେ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭଙ୍ଗାରୁଜା କରିଥିଲେ ଏବଂ ଗୁଳି ଚଳାଇଥିଲେ । ମୁଁ 10 ରାଉଣ୍ଡ ଗୁଳି ଚାଳନା ହୋଇଥିବା ଶବ୍ଦ ଶୁଣିଛି । ସିସିଟିଭି ଫୁଟେଜ୍ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ଆମ ସୁରକ୍ଷାକର୍ମୀ ମଧ୍ୟ ଆକ୍ରମଣକାରୀଙ୍କୁ ଚିହ୍ନଟ କରିଛନ୍ତି ।"
କମ୍ ଟଙ୍କାରେ ଶିକ୍ଷା ପ୍ରଦାନ କରାଯାଉଥିବାରୁ ଏହି କୋଚିଂ ସେଣ୍ଟରକୁ ବାରମ୍ବାର ଟାର୍ଗେଟ୍ କରାଯାଉଛି । ~ ଖାନ ସାର୍
SSP ପାଟନା କାର୍ତ୍ତିକେୟ କେ ଶର୍ମା କହିଛନ୍ତି ଯେ, ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ଏହା ସହିତ ନିକଟରେ ଥିବା ଲୋକଙ୍କୁ ପଚରାଉଚରା କରୁଛି । ଏହି ମାମଲାରେ ଜଡିତ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ସେ କହିଛନ୍ତି ।
ପାଟନା ପୋଲିସ ଦ୍ୱାରା ଜାରି ଏକ ସରକାରୀ ପ୍ରେସ୍ ବିବୃତ୍ତିରେ ଉଲ୍ଲେଖ କରାଯାଇଛି ଯେ, କିଛି ଅସାମାଜିକ ତତ୍ତ୍ୱ ପଥର ଫିଙ୍ଗିଛନ୍ତି, ଗଣ୍ଡଗୋଳ କରିଛନ୍ତି ଏବଂ ସମ୍ପତ୍ତି ଭଙ୍ଗାରୁଜା କରିଛନ୍ତି । "ବର୍ତ୍ତମାନ, ପୋଲିସ ସମ୍ପୂର୍ଣ୍ଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ଏବଂ ଘଟଣାସ୍ଥଳରୁ ମିଳିଥିବା ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାକୁ କାମ କରୁଛି," ବୋଲି ଏଥିରେ ଉଲ୍ଲେଖ କରାଯାଇଛି ।

