ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘୋଷଣା: ଆସନ୍ତା ବର୍ଷଠାରୁ ଅନଲାଇନରେ ହେବ NEET ପରୀକ୍ଷା
ଦ୍ୱିତୀୟ ନିଟ୍-ୟୁଜି ପରୀକ୍ଷା ପାଇଁ ଜୁନ 21 ତାରିଖ ଘୋଷଣା କରାଯାଇଛି । ପ୍ରଥମ ପରୀକ୍ଷା ମେ 3ରେ ହୋଇଥିଲା । ମେ 7ରେ ପ୍ରଶ୍ନପତ୍ର ଲିକ ହୋଇଥିବା ଅଭିଯୋଗ ଆସିଥିଲା ।

Published : May 15, 2026 at 1:37 PM IST
ନୂଆଦିଲ୍ଲୀ: ପେପର ଲିକ୍ ହେବା ପରେ ଆସନ୍ତା ବର୍ଷଠାରୁ ନିଟ୍ ( NEET) ପରୀକ୍ଷା ଅନଲାଇନ ବା CBT (computer-based testing)ମୋଡରେ ଆୟୋଜିତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଏପରି ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହି ଘୋଷଣା କରି କହିଛନ୍ତି, 'ଏକ ଜରୁରୀ ସୂଚନା ଦେବାକୁ ଚାହୁଁଛି ଯେ, ଆସନ୍ତା ବର୍ଷରୁ ବାସ୍ତବିକ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ । ନିଟ୍ ପରୀକ୍ଷା ଓଏମଆର ବଦଳରେ କମ୍ପ୍ୟୁଟର ବେସଡ ଟେଷ୍ଚ କରାଯିବ ।'
ନିଟ୍-ୟୁଜି ପରୀକ୍ଷା 2026କୁ ନେଇ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, 'ଦ୍ୱିତୀୟ ନିଟ୍ ପରୀକ୍ଷା ପାଇଁ ଜୁନ 21 ତାରିଖ ଘୋଷଣା କରାଯାଇଛି । ପ୍ରଥମ ନିଟ୍-ୟୁଜି ପରୀକ୍ଷା ମେ' 3 ତାରିଖରେ ହୋଇଥିଲା । ମେ' 7 ତାରିଖରେ ଏନଟିଏ ବା ନାସନାଲ୍ ଟେଷ୍ଟ ଏଜେନ୍ସିକୁ ଅଭିଯୋଗ ମିଳିଥିଲା ଯେ, ପ୍ରଶ୍ନପତ୍ର ଲିକ୍ ହୋଇଛି । ତଦନ୍ତ ପରେ ମେ' 12 ତାରିଖରେ ଜଣା ପଡିଥିଲା ଯେ, ହୋଇଥିବା ଅଭିଯୋଗ ସତ୍ୟ ଏବଂ ପ୍ରକୃତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା ।'
ଶିକ୍ଷା ମନ୍ତ୍ରୀ ଆହୁରି କହିଥିଲେ, 'ଆମେ ଚାହୁଁ ନାହୁଁ ଯେ, କେହି ଯୋଗ୍ୟ ଛାତ୍ର ଠକେଇ କିମ୍ବା ଶିକ୍ଷା ମାଫିଆଙ୍କ ଚକ୍ରାନ୍ତ ଯୋଗୁ ନିଜ ଅଧିକାରରୁ ବଞ୍ଚିତ ହୁଅନ୍ତୁ । ଗତ ବର୍ଷ ସାମ୍ନାକୁ ଆସିଥିବା ତ୍ରୁଟି ପରେ ରାଧାକ୍ରିଷ୍ଣ କମିଟି ଗଠନ କରାଯାଇଥିଲା । କମିଟି କରିଥିବା ସୁପାରିଶକୁ ଆମେ 2025 ଏବଂ 2026ରେ ଲାଗୁ କରିଥିଲୁ । ଏହା ପରେ ବି ଏହି ଘଟଣା ଘଟିଥିଲା । ଏଥିପାଇଁ ଆମର ପ୍ରଥମ ନିଷ୍ପତ୍ତି ଥିଲା ପରୀକ୍ଷା ବାତିଲ କରିବା ।'
ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ' 2ୟ ନିଟ୍ ପରୀକ୍ଷା ପାଇଁ ତାରିିଖ ଘୋଷଣା କରାଯାଇଛି । ଆମର ଦୃଷ୍ଟିକୋଣ ସମାନ ରହିବ-'ତ୍ରୁଟି ପ୍ରତି ଶୂନ୍ୟ ସହନଶୀଳତା' । ଏହି ପରୀକ୍ଷା ମାଫିଆ ଏବଂ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଏକ ଲମ୍ବା ଲଢେଇ । ଏ ନେଇ ଆମ ସାମ୍ନାରେ ଅନେକ ଚାଲେଞ୍ଜ ରହିଛି । ଅନେକ ସୋସିିଆଲ ମିଡିଆ ହାଣ଼୍ତେଲ ଭ୍ରମିତ କଲା ପରି ତଥ୍ୟ ପ୍ରଚାର କରୁଛନ୍ତି । ଦ୍ୱିତୀୟ ପରୀକ୍ଷା ପ୍ରକ୍ରିୟାକୁ ଖୋଲାଖୋଲି ଚାଲେଞ୍ଜ ଦେଉଛନ୍ତି ଏବଂ ଏଥିରେ ବାଧା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି । ଏସବୁ କଥାକୁ ଦୃଷ୍ଟିରେ ରଖି ସରାକର ଏହି ମାମଲାକୁ ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ସିବିଆଇ ଏବଂ ତାଙ୍କ ସହ କାମ କରୁଥିବା ଏଜେନ୍ସି ଉପରେ ପୂରା ଭରସା ରହିଛି ।'
ଏହା ମଧ୍ୟ ପଢନ୍ତୁ ଜୁନ 21ରେ NEET-UG ପରୀକ୍ଷା, ନୂଆ ତାରିଖ ଘୋଷଣା କଲା NTA
ଏହା ମଧ୍ୟ ପଢନ୍ତୁ NEET UG 2026 ପରୀକ୍ଷା ରଦ୍ଦ : ପ୍ରଶ୍ନପତ୍ର ଲିକ୍ ର ଯାଞ୍ଚ କରିବ ସିବିଆଇ

