NCERT ପାଠ୍ୟ ପୁସ୍ତକ ତ୍ରୁଟି ନେଇ ସୁପ୍ରିମକୋର୍ଟଙ୍କ ରାୟ: 'ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର', ସରକାର ଏବଂ ଏନସିଇଆରଟିକୁ ନୋଟିସ
ସର୍ବୋଚ୍ଚ ନ୍ୟାୟାଳୟ NCERT ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ଅନଲାଇନ୍ ମାଧ୍ୟମରୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଧାନ ବିଚାରପତି କହିଛନ୍ତି 'ପୁସ୍ତକଟି ଏବେ ବି ବଜାରରେ ବିକ୍ରି ହେଉଛି ।'

Published : February 26, 2026 at 12:43 PM IST
NCERT BOOK CONTROVERSY ନୂଆଦିଲ୍ଲୀ: ବିବାଦୀୟ NCERT ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକକୁ ବଜାରରୁ ହଟାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି (ଗୁରୁବାର) ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ମାମଲାର ଶୁଣାଣି କରି କହିଛନ୍ତି ଯେ 'ବର୍ତ୍ତମାନ ମଧ୍ୟ ବଜାରରେ ଏହି ପୁସ୍ତକ ବିକ୍ରି ହେଉଛି । ଏହାକୁ ଶୀଘ୍ର ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।'
NCERTର ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରେ ଥିବା ତ୍ରୁଟି ଏବେ ଏକ ବଡ଼ ବିବାଦରେ ପରିଣତ ହୋଇଛି । ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଏହାକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର କହିବା ସହ ଭର୍ତ୍ସନା କରିଛନ୍ତି । ଏହା ସହିତ ଶିକ୍ଷା ବିଭାଗ ଓ NCERTକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
NCERTର ନିର୍ଦ୍ଦେଶକଙ୍କୁ ଦର୍ଶାଅ ନୋଟିସ:
ସୁପ୍ରିମକୋର୍ଟ, NCERT ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ଉପରେ ଶୁଣାଣି କରିଛନ୍ତି । ବଜାରରେ ଏହି ବହିର ବିକ୍ରୟ ଉପରେ ତୁରନ୍ତ କଟକଣା ଲଗାଇବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ସହିତ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ ବା NCERTର ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକଲାନିଙ୍କୁ ଏବଂ ସ୍କୁଲ ଶିକ୍ଷା ବିଭାଗର ସଚିବଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଏହି ବହିର ବିକ୍ରୟ ଓ ଅନ୍ଲାଇନ୍ ମାଧ୍ୟମରେ ଉପଲବ୍ଧତା ଉପରେ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଇଛନ୍ତି ।

ପାଠ୍ୟପୁସ୍ତକ ହଟାଇବା ପାଇଁ ନିର୍ଦ୍ଦେଶ:
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ NCERT ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକର ବିକ୍ରୟ ଓ ଅନ୍ଲାଇନ୍ ମାଧ୍ୟମରେ ଉପଲବ୍ଧ PDF ଉପରେ ସମ୍ପୂର୍ଣ୍ଣ ଭାବେ ରୋକ ଲଗାଇଛନ୍ତି । ଏହାକୁ ତୁରନ୍ତ ହଟାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି ପୁସ୍ତକର ବିଷୟବସ୍ତୁକୁ ନେଇ ପ୍ରଧାନ ବିଚାରପତି କହିଛନ୍ତି," ଏକ ଅପରିବର୍ତ୍ତନୀୟ ଓ ଗଭୀର କ୍ଷତି ହୋଇ ସାରିଛି ।"
ନ୍ୟାୟପାଳିକାର ମର୍ଯ୍ୟାଦା ହ୍ରାସ ଯୋଜନା:
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏହି ମାମଲାକୁ ଆହୁରି ଗମ୍ଭୀରତାର ସହିତ ଯାଞ୍ଚ କରିବେ ବୋଲି ରାୟରେ ଶୁଣାଇଛନ୍ତି । ସେ କହିଛନ୍ତି 'ସେମାନେ ଗୁଳି ଚଳାଇଥିଲେ, ଆଜି ନ୍ୟାୟପାଳିକାରେ ରକ୍ତପାତ ହୋଇଛି ।' ପ୍ରଧାନବିଚାରପତି ଏହାକୁ ଏକ ସୁପରିକଳ୍ପିତ କାର୍ଯ୍ୟ ଓ ସୁବ୍ୟବସ୍ଥିତ ଷଡ଼ଯନ୍ତ୍ର ଭାବେ ବର୍ଣ୍ଣନା କରିଛନ୍ତି । ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବହି ଏବେ ମଧ୍ୟ ବଜାରରେ ଉପଲବ୍ଧ ରହିଛି ଏବଂ ତାଙ୍କୁ ଏହା ମିଳିଛି । ସେ କହିଛନ୍ତି,"ପ୍ରାଥମିକ ତଦନ୍ତରେ ଏହି ପୁସ୍ତକର ବିଷୟବସ୍ତୁ ସାମ୍ବିଧାନିକ ଅନୁଷ୍ଠାନକୁ ଦୁର୍ବଳ କରିବା ଏବଂ ନ୍ୟାୟପାଳିକାର ମର୍ଯ୍ୟାଦାକୁ ହ୍ରାସ କରିବା ପାଇଁ ଏକ ବିଧିବଦ୍ଧ ଯୋଜନା ଭଳି ଜଣାପଡୁଛି ।"
'ଶବ୍ଦ ଚୟନ ଏକ ପ୍ରକୃତ ତ୍ରୁଟି ନୁହେଁ'
"ଦୁର୍ଭାଗ୍ୟବଶତଃ ଏହି ପାଠ୍ୟପୁସ୍ତକ ସାମ୍ବିଧାନିକ ନୈତିକତା ଏବଂ ମୌଳିକ ଗଠନ ସିଦ୍ଧାନ୍ତକୁ ବଜାୟ ରଖିବାରେ ନ୍ୟାୟପାଳିକାର ଜରୁରୀ ଭୂମିକାକୁ ସ୍ୱୀକାର କରିବାରେ ବିଫଳ ହୋଇଛି । ଆମକୁ ଲାଗୁଛି ଯେ ପୁସ୍ତକରେ ଶବ୍ଦ ଚୟନ ଏକ ଅଜାଣତ ଭୂଲ କିମ୍ବା ପ୍ରକୃତ ତ୍ରୁଟି ହୋଇନପାରେ । ଏହି ସମୟରେ, ଆମେ କୌଣସି ବୈଧ ସମାଲୋଚକଙ୍କୁ ଦମନ କରିବା ପାଇଁ ସ୍ୱତଃପ୍ରବୃତ୍ତ ପଦକ୍ଷେପ ନେଉନାହୁଁ," ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ।
ସୁପ୍ରିମକୋର୍ଟଙ୍କ ଶୁଣାଣି:
ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ 3 ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ପ୍ରଥମେ ଏହି ମାମଲା ପ୍ରତି ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିରେ ଜଷ୍ଟିସ୍ ଜୟମାଲା ବାଗଚୀ ଓ ବିପୁଲ ପଞ୍ଚୋଲୀ ସାମିଲ ଥିଲେ । ଖଣ୍ଡପୀଠ, NCERT ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରେ ନ୍ୟାୟପାଳିକା ବିରୋଧରେ ଆପତ୍ତିଜନକ ତଥ୍ୟ ପ୍ରକାଶକୁ ନେଇ ନିଜ ତରଫରୁ (suo motu) ମାମଲା ଦାଏର କରିଥିଲେ ।
ଏହା ମଧ୍ୟ ପଢନ୍ତୁ:
ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ NCERTର କ୍ଷମାପ୍ରାର୍ଥନା, ସଂଶୋଧନ ହେବ ଅଷ୍ଟମ ଶ୍ରେଣୀ ପୁସ୍ତକ, ବିତରଣ ଉପରେ କଟକଣା

