'ମାର୍ଗଦର୍ଶୀ' ଉପରେ ସୁପ୍ରିମକୋର୍ଟଙ୍କ ରାୟ; ଶ୍ରୀ ରାମୋଜି ରାଓଙ୍କ ଭିଜନ୍ ସତ୍ୟ ପ୍ରମାଣିତ
୨୦୦୬ ମସିହା ୧୦ ନଭେମ୍ବରରେ ଶ୍ରୀ ରାମୋଜୀ ରାଓ ଜମାକାରୀଙ୍କୁ ଏକ ଖୋଲା ଚିଠି ଲେଖି ଆଶ୍ୱାସନା ଦେଇଥିଲେ ଯେ; 'ମାର୍ଗଦର୍ଶୀ' ସ୍ବଚ୍ଛ ମୁକ୍ତା ପରି ନିଷ୍କଳଙ୍କ ଭାବରେ ଉଭା ହେବ।

Published : August 21, 2026 at 8:39 PM IST
ନୂଆଦିଲ୍ଲୀ: 'ମାର୍ଗଦର୍ଶୀ ଫାଇନାନ୍ସିଅର୍ସ' (Margadarsi Financiers) ବିରୋଧରେ ଚାଲିଥିବା ପ୍ରାୟ ଦୁଇ ଦଶନ୍ଧିର ଆଇନଗତ ଲଢ଼େଇର ଅବସାନ ଘଟିଛି। ପୂର୍ବତନ ସାଂସଦ ଭୁଣ୍ଡାଭଲ୍ଲୀ ଅରୁଣ କୁମାର ତେଲଙ୍ଗାନା ହାଇକୋର୍ଟଙ୍କ ଦ୍ୱାରା ମାର୍ଗଦର୍ଶୀ ଫାଇନାନ୍ସିଅର୍ସ ବିରୋଧରେ ଅପରାଧିକ ମାମଲା ଖାରଜ କରାଯାଇଥିବା ରାୟକୁ ଚ୍ୟାଲେଞ୍ଜ କରି ଦାଖଲ କରିଥିବା ଆବେଦନକୁ ଗୁରୁବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
ଏହି ରାୟ ଆସିବାର ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ, ସ୍ୱର୍ଗତ ଶ୍ରୀ ରାମୋଜୀ ରାଓ ମାର୍ଗଦର୍ଶୀର ଜମାକାରୀମାନଙ୍କୁ ଆଶ୍ୱାସନା ଦେଇଥିଲେ। ସେତେବେଳେ ବିଭିନ୍ନ ରାଜନେତା ମାର୍ଗଦର୍ଶୀ ବିରୋଧରେ ଅଭିଯୋଗ ଆଣିଥିଲେ। ୨୦୦୬ ନଭେମ୍ବର ୧୦ରେ ଶ୍ରୀ ରାମୋଜୀ ରାଓ ଜମାକାରୀଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖି କହିଥିଲେ ଯେ, ମାର୍ଗଦର୍ଶୀ ଉପରେ ଲଗାଯାଇଥିବା ଅଭିଯୋଗରୁ ସଂସ୍ଥା “ଧୋଇ ସଫା କରାଯାଇଥିବା ମୋତି ଭଳି” ନିର୍ମଳ ହୋଇ ବାହାରିବ। ଏଥିସହ ଜମାକାରୀଙ୍କ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସେ ଆଶ୍ୱାସନା ଦେଇଥିଲେ।
- ସେହି ଚିଠିର ଓଡ଼ିଆ ଅନୁବାଦ:
ପ୍ରିୟ ମୂଲ୍ୟବାନ ଗ୍ରାହକମାନଙ୍କୁ,
ମାର୍ଗଦର୍ଶୀ ଲକ୍ଷ ଲକ୍ଷ ଗ୍ରାହକଙ୍କ ଅଟଳ ବିଶ୍ୱାସର ପର୍ଯ୍ୟାୟବାଚୀ। ଏହା ପ୍ରତ୍ୟେକ ସ୍ତରରେ ଆର୍ଥିକ ଶୃଙ୍ଖଳା ଏବଂ ନିବେଶକଙ୍କ ସ୍ୱାର୍ଥର ନିରନ୍ତର ସୁରକ୍ଷାର ମଧ୍ୟ ପ୍ରତୀକ। ୧୯୬୨ରେ ପ୍ରତିଷ୍ଠିତ ମାର୍ଗଦର୍ଶୀ ଗତ ୪୪ ବର୍ଷ ମଧ୍ୟରେ ଆପଣମାନଙ୍କ ବିଶ୍ୱାସର ଜଳ ଏବଂ ସୁଦୃଢ଼ ବ୍ୟବସାୟିକ ମୂଲ୍ୟବୋଧର ମୂଳ ଉପରେ ଭରସା କରି ବୃଦ୍ଧି ପାଇଛି ଓ ଏହାର ଶାଖା ପ୍ରଶାଖା ବିସ୍ତାର କରିଛି। ଜମାକାରୀମାନେ ଏହା ଜାଣି ନିଶ୍ଚିନ୍ତ ରହନ୍ତି ଯେ ମାର୍ଗଦର୍ଶୀ ସବୁବେଳେ ସେମାନଙ୍କ ସହ ରହିଛି। ଆମ ଗ୍ରୁପ୍ ମଧ୍ୟ ଆମ ଗ୍ରାହକମାନଙ୍କ ଅପାର ବିଶ୍ୱାସରୁ ଶକ୍ତି ପାଇ ଆଗକୁ ବଢ଼ୁଛି।
ଜମାକାରୀମାନଙ୍କ ସହ ପାରସ୍ପରିକ ଲାଭଦାୟକ ସମ୍ପର୍କର ଚାରି ଦଶନ୍ଧିରୁ ଅଧିକର ଗୌରବମୟ ଇତିହାସ ମାର୍ଗଦର୍ଶୀର ରହିଛି। ସମ୍ପୂର୍ଣ୍ଣ ସଚ୍ଚୋଟତା ଓ ନିରନ୍ତରତା ସହିତ ଏହି ସମ୍ପର୍କ ଆଗକୁ ବଢ଼ିଛି ଏବଂ କୌଣସି ପର୍ଯ୍ୟାୟରେ ଗୋଟିଏ ବି ଅନିୟମିତତା କିମ୍ବା ବିଫଳତା ହୋଇନାହିଁ। ଗ୍ରାହକଙ୍କ ସ୍ୱାର୍ଥର ସୁରକ୍ଷା ସର୍ବୋଚ୍ଚ ବୋଲି ମାର୍ଗଦର୍ଶୀ ଏକ ସଂସ୍କୃତି ଗଢ଼ିଛି। ତେଣୁ ଜମାକାରୀମାନେ ନିଜ ନିବେଶ ଏବଂ ଏଥିରୁ ମିଳିବାକୁ ଥିବା ରିଟର୍ଣ୍ଣ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ନିଶ୍ଚିନ୍ତ ରହିପାରିବେ।
କିନ୍ତୁ ଏବେ ମାର୍ଗଦର୍ଶୀ ବିରୋଧରେ ଭିତ୍ତିହୀନ ଓ ଅଯୌକ୍ତିକ ଅଭିଯୋଗ ଲଗାଇବା ପାଇଁ ମନ୍ଦ ରାଜନୀତି ଆରମ୍ଭ ହୋଇଛି। ବିଶ୍ୱାସର ଏହି ଦୃଢ଼ ବନ୍ଧନ ଉପରେ ଗଢ଼ିଉଠିଥିବା ସଂସ୍ଥା ବିରୋଧରେ ଏଭଳି ଅପବାଦମୂଳକ ଅଭିଯୋଗ ମାର୍ଗଦର୍ଶୀର ଜ୍ୱଳନ୍ତ ସଚ୍ଚୋଟତା ଆଗରେ ପାଉଁଶ ହୋଇଯିବ ଏବଂ ଆମର ସମ୍ପର୍କ ଆହୁରି ଉଜ୍ଜ୍ୱଳ ହେବ, ଧୋଇ ସଫା କରାଯାଇଥିବା ମୋତି ଭଳି।
- ମାର୍ଗଦର୍ଶୀ ବିରୋଧରେ ଏହି ହଠାତ୍ ହୋହଲ୍ଲା କାହିଁକି ?
- ଜାତୀୟ ରାଜଧାନୀଠାରୁ ଆରମ୍ଭ କରି ସ୍ଥାନୀୟ ସ୍ତର ପର୍ଯ୍ୟନ୍ତ ଶାସକ ଦଳର ନେତାମାନେ କାହିଁକି ଏହି ହୋହଲ୍ଲା ସୃଷ୍ଟି କରୁଛନ୍ତି ?
ବିବେକବାନ ଜନସାଧାରଣ, ବିଶେଷକରି ମାର୍ଗଦର୍ଶୀର ଗ୍ରାହକମାନେ ଜାଣନ୍ତି ଯେ ଈନାଡୁ ଏବଂ ଇଟିଭି ନେଟୱର୍କ ଦୀର୍ଘଦିନ ଧରି ଜନସ୍ୱାର୍ଥର ପକ୍ଷରେ ସ୍ୱର ଉଠାଇ ଆସୁଛନ୍ତି। ନିକଟ ଅତୀତରେ ଈନାଡୁ ଏବଂ ଇଟିଭି ଦୃଢ଼ ପ୍ରମାଣ ସହ ଶାସକ ଦଳର ବଡ଼ ନେତାମାନଙ୍କ ଦ୍ୱାରା ହେଉଥିବା ବ୍ୟାପକ ଅନିୟମିତତାକୁ ପଦାକୁ ଆଣିବା ପାଇଁ ଏକ ବିପଦପୂର୍ଣ୍ଣ କାର୍ଯ୍ୟ କରିଆସୁଛନ୍ତି, ଯାହା ଖଣ୍ଡାର ଧାରରେ ଚାଲିବା ସହ ସମାନ।
ଏହାର ପରିଣାମରେ ଈନାଡୁ, ଇଟିଭି ଏବଂ ମୋ ପ୍ରତି ଅସନ୍ତୋଷ ପୋଷଣ କରୁଥିବା ଶାସକ ଦଳର ନେତାମାନେ ରାମୋଜୀ ଗ୍ରୁପ୍ର କମ୍ପାନୀଗୁଡ଼ିକୁ ଏକ ବଡ଼ ଝଟକା ଦେବାର ଉପାୟ ଖୋଜିଥିଲେ। ମାର୍ଗଦର୍ଶୀର ମୂଳଦୁଆ ଯେଉଁ ଗ୍ରାହକ ବିଶ୍ୱାସ ଉପରେ ରହିଛି, ତାହାକୁ ଲକ୍ଷ୍ୟ କରି ଏକ କଳଙ୍କ ଅଭିଯାନ ଚଳାଇଲେ ନିଜ ଉଦ୍ଦେଶ୍ୟ ସହଜରେ ସାଧିତ ହେବ ବୋଲି ସେମାନେ ଭାବିଥିଲେ।
ମୋତେ କ୍ଷତି ପହଞ୍ଚାଇବା ପାଇଁ ଶୂନ୍ୟକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି କରିବାକୁ ଚାହୁଁଥିବା ଲୋକମାନେ ଆପଣମାନଙ୍କ ମନରେ ଭୟ ଓ ସନ୍ଦେହର ବୀଜ ବୁଣି ଆପଣମାନଙ୍କ ସ୍ୱାର୍ଥକୁ ମଧ୍ୟ ଲକ୍ଷ୍ୟ କରୁଛନ୍ତି। ମାର୍ଗଦର୍ଶୀ ପ୍ରତି ଦୃଢ଼ ଭାବେ ଠିଆ ହୋଇ, ଏହି ପ୍ରତାରଣାମୂଳକ ଷଡ଼ଯନ୍ତ୍ରକୁ ସଫଳ ହେବାକୁ ନଦେଇଥିବା ଆପଣମାନଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି।
ମାର୍ଗଦର୍ଶୀର ସ୍ୱଭାବ ଏବଂ ଏହାର କାର୍ଯ୍ୟପ୍ରଣାଳୀ ଆପଣମାନେ ଭଲ ଭାବରେ ଜାଣନ୍ତି। ମାର୍ଗଦର୍ଶୀର ଇତିହାସରେ କେବେ ବି କୌଣସି ଜମାକାରୀଙ୍କୁ ନିର୍ଦ୍ଧାରିତ ସମୟରେ ଅର୍ଥ ପ୍ରଦାନ କରାଯାଇନଥିବା ଘଟଣା ହୋଇନାହିଁ। ଏହା ହିଁ ମାର୍ଗଦର୍ଶୀର ଦୃଢ଼ ଆର୍ଥିକ ସ୍ଥିତିର ଅଖଣ୍ଡ ପ୍ରମାଣ।
ତେବେ ମାର୍ଗଦର୍ଶୀ ଫାଇନାନ୍ସିଅର୍ସ କ୍ଷତିରେ ଚାଲୁଛି କିମ୍ବା କମ୍ପାନୀ ଭୁଶୁଡ଼ି ପଡ଼ୁଛି ବୋଲି ଯେଉଁ ଦୁଷ୍ପ୍ରଚାର କରାଯାଉଛି, ସେଥିରେ ବାସ୍ତବରେ କେତେ ସତ୍ୟତା ରହିଛି ?
ହିନ୍ଦୁ ଅବିଭକ୍ତ ପରିବାର (HUF)ର କ୍ଷତିକୁ ବଢ଼ାଇ ଚଢ଼ାଇ ପ୍ରଚାର କରୁଥିବା ଲୋକମାନେ ଜାଣିଶୁଣି ଏହି ତଥ୍ୟକୁ ଅଣଦେଖା କରୁଛନ୍ତି ଯେ HUF କେବଳ ରାମୋଜୀ ଗ୍ରୁପ୍ର କମ୍ପାନୀଗୁଡ଼ିକର ଜଣେ ମାଲିକ।
ଆମର ଶୁଭେଚ୍ଛୁକ ଜମାକାରୀମାନଙ୍କୁ ମୁଁ ଗୋଟିଏ କଥା ସ୍ପଷ୍ଟ କରିବାକୁ ଚାହୁଁଛି HUFରେ ଦର୍ଶାଯାଇଥିବା କ୍ଷତି କେବଳ ବୈଷୟିକ ବା ପ୍ରାଯୁକ୍ତିକ ପ୍ରକୃତିର। ଆମ ଗ୍ରୁପ୍ର ସମ୍ପତ୍ତିର ମୂଲ୍ୟରେ ହୋଇଥିବା ବ୍ୟାପକ ବୃଦ୍ଧିକୁ ବିଚାରକୁ ନେଲେ, ଶାସକ ଦଳର ଅନେକ ସଦସ୍ୟ ଯେଉଁ “କ୍ଷତି”କୁ ନେଇ ଏତେ ହୋହଲ୍ଲା କରୁଛନ୍ତି, ତାହା ଅତ୍ୟନ୍ତ ନଗଣ୍ୟ।
ମୁଁ ଏହା ମଧ୍ୟ ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ HUF କୌଣସି ସମୟରେ କୌଣସି ଆଇନ ଉଲ୍ଲଂଘନ କରିନାହିଁ କିମ୍ବା କୌଣସି ବେଆଇନ କାର୍ଯ୍ୟରେ ଲିପ୍ତ ହୋଇନାହିଁ।
HUF ହେଉଛି ମାର୍ଗଦର୍ଶୀ ସମେତ ସମସ୍ତ ରାମୋଜୀ ଗ୍ରୁପ୍ କମ୍ପାନୀର ମୁଖ୍ୟ ସଂସ୍ଥା। ଏହାର ଛତା ତଳେ ଈନାଡୁ, ଇଟିଭି ନେଟୱର୍କ ଏବଂ ଫିଲ୍ମ ସିଟି ଭଳି ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ବିକଶିତ ହୋଇଛି ଏବଂ ନିରନ୍ତର ଅଭିବୃଦ୍ଧି ପାଇଛି। ଆମେ ମାର୍ଗଦର୍ଶୀର ଜମାରାଶିକୁ ଏହି କମ୍ପାନୀଗୁଡ଼ିକର ବହୁମୁଖୀ ବିସ୍ତାର ପାଇଁ ବ୍ୟବହାର କରିଥିଲୁ ଏବଂ ଦୃଢ଼ ଯୋଜନା ମାଧ୍ୟମରେ ସେଗୁଡ଼ିକୁ ଲାଭଜନକ କରିଥିଲୁ। ଏହି ପ୍ରକ୍ରିୟାରେ ଗ୍ରୁପ୍ର କମ୍ପାନୀଗୁଡ଼ିକର ସମ୍ପତ୍ତି ମୂଲ୍ୟ ବହୁଗୁଣିତ ହୋଇଛି।
ଏବେ ଆମକୁ ପୂର୍ବ ଭଳି ନିବେଶ ପାଇଁ ଅର୍ଥର ଆବଶ୍ୟକତା ନଥିବାରୁ ଆମେ ସ୍ୱେଚ୍ଛାରେ ଜମା ସଂଗ୍ରହକୁ କମାଇ ଦେଉଛୁ। ପୂର୍ବରୁ ଆମେ ସର୍ବନିମ୍ନ ୧୦,୦୦୦ ଟଙ୍କାରୁ ଜମା ଗ୍ରହଣ କରୁଥିଲୁ। କିନ୍ତୁ ଗତ ସେପ୍ଟେମ୍ବରରେ ଏହି ସୀମାକୁ ୧ ଲକ୍ଷ ଟଙ୍କାକୁ ବଢ଼ାଇବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜମା ସଂଗ୍ରହକୁ ସୀମିତ କରିବା।
ରାମୋଜୀ ଗ୍ରୁପ୍ର କମ୍ପାନୀଗୁଡ଼ିକ ବର୍ତ୍ତମାନ ଅଭିବୃଦ୍ଧିର ପଥରେ ଆଗକୁ ବଢ଼ୁଛନ୍ତି। ବିବେକବାନ ଜମାକାରୀମାନେ ବୁଝିବା ଉଚିତ ଯେ କିଛି ଲୋକ କାହିଁକି ଭିତ୍ତିହୀନ ଓ ଦାୟିତ୍ୱହୀନ ଅଭିଯୋଗ ମାଧ୍ୟମରେ ଏକ ରାଜନୈତିକ ଝଡ଼ ସୃଷ୍ଟି କରୁଛନ୍ତି।
ଈନାଡୁ ଓ ଇଟିଭି ନେଟୱର୍କ ମାଧ୍ୟମରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଏବଂ ମାର୍ଗଦର୍ଶୀ ମାଧ୍ୟମରେ ଗ୍ରାହକମାନଙ୍କୁ ଉତ୍ତମ ସେବା ଦେବା ପାଇଁ ରାମୋଜୀ ଗ୍ରୁପ୍ ସମର୍ପିତ ଭାବେ କାର୍ଯ୍ୟ କରୁଛି।
ଜନସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନିଜ କର୍ତ୍ତବ୍ୟ ସଚ୍ଚୋଟ ଭାବେ ପାଳନ କରିବା ହିଁ ସ୍ୱାର୍ଥପର ଶକ୍ତିମାନଙ୍କ ଆଖିରେ କଣ୍ଟା ହୋଇଛି। ଏଥିପାଇଁ କିଛି ଉପାଦାନ ଆପଣମାନଙ୍କ ସଂସ୍ଥାଗୁଡ଼ିକ ଉପରେ ରହିଥିବା ବିପୁଳ ବିଶ୍ୱାସକୁ ନଷ୍ଟ କରିବା ଏବଂ ମୋତେ କ୍ଷତି ପହଞ୍ଚାଇ “ଶିକ୍ଷା ଦେବା”ର ଏକ ବିକୃତ ସନ୍ତୋଷ ପାଇବା ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି।
ଦୁର୍ଭାବନାପୂର୍ଣ୍ଣ ଉଦ୍ଦେଶ୍ୟ ରଖିଥିବା ଲୋକମାନେ ଲକ୍ଷ ଲକ୍ଷ ଜମାକାରୀଙ୍କ ସ୍ୱାର୍ଥକୁ ପାଦତଳେ ଦଳି ଦେବାକୁ ଚେଷ୍ଟା କରୁଛନ୍ତି।
ସର୍ବଦା ଜନସ୍ୱାର୍ଥକୁ ସବୁଠାରୁ ଉପରେ ରଖିଆସିଥିବା ଆମ ସଂସ୍ଥାଗୁଡ଼ିକ ପକ୍ଷରୁ ମୁଁ ଆପଣମାନଙ୍କୁ କେବଳ ଗୋଟିଏ ପ୍ରତିଶ୍ରୁତି ଦେଉଛି; ଜମାକାରୀଙ୍କ ସହଯୋଗରେ ବଢ଼ିଥିବା ମାର୍ଗଦର୍ଶୀ ଯେପରି ପୂର୍ବରୁ ଆପଣମାନଙ୍କ ସ୍ୱାର୍ଥର ସୁରକ୍ଷା କରିଆସିଛି, ସେହିପରି ଆଗକୁ ମଧ୍ୟ ଆପଣମାନଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷା କରିବ।
ଜମା ଭାବେ ସଂଗ୍ରହ କରାଯାଇଥିବା ସମସ୍ତ ଅର୍ଥ ଆମ ପରିବାରର HUF ଅଧୀନରେ ଥିବା ବିଭିନ୍ନ ସଂସ୍ଥାରେ ନିବେଶ କରାଯାଇଛି। HUF ଆମ ପରିବାର ଦ୍ୱାରା ପରିଚାଳିତ ହେଉଥିବାରୁ, ଯଦି ଆବଶ୍ୟକତା ପଡ଼େ, ଯେଉଁ ସଂସ୍ଥାଗୁଡ଼ିକରେ ଏହି ଅର୍ଥ ନିବେଶ କରାଯାଇଛି, ସେଗୁଡ଼ିକରେ ଆମର ଅଂଶଧନ କମାଇ ମାର୍ଗଦର୍ଶୀ ଫାଇନାନ୍ସିଅର୍ସକୁ ଆମେ ଆର୍ଥିକ ଭାବେ ସୁଦୃଢ଼ କରିବୁ।
ଅତୀତରେ ଯେପରି କରିଆସିଛୁ, ଆଗକୁ ମଧ୍ୟ ଜମାର ଅବଧି ପୂରଣ ହେବା ପରେ ଜମାକାରୀମାନଙ୍କୁ ସମୟ ମଧ୍ୟରେ ଅର୍ଥ ପ୍ରଦାନ କରିବୁ ଏବଂ ସେମାନଙ୍କୁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ କରିବୁ। ପରିବାରର ମୁଖ୍ୟ ଭାବେ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ପକ୍ଷରୁ ମୁଁ ପ୍ରତିଶ୍ରୁତି ଦେଉଛି ଯେ, ଜମାକାରୀଙ୍କ ପ୍ରତି ଆମର ଦୀର୍ଘଦିନର ନିର୍ମଳ ପରମ୍ପରା, ନିଜ ଦାୟିତ୍ୱ ପୂରଣ କରିବା ଦାୟିତ୍ବକୁ ଆମେ ଅକ୍ଷୁଣ୍ଣ ରଖିବୁ।
ଆମ ଗ୍ରାହକମାନଙ୍କ କଲ୍ୟାଣକୁ ସର୍ବୋଚ୍ଚ ଯତ୍ନର ସହ ସୁରକ୍ଷା କରିବୁ, ଆବଶ୍ୟକ ହେଲେ ନିଜସ୍ୱ ସମ୍ପତ୍ତି ବିକ୍ରି କରିବାକୁ ପଡ଼ିଲେ ମଧ୍ୟ।
ଆମର ମାର୍ଗଦର୍ଶୀ ପରିବାର ଏକ ସଜୀବ ଓ ସମୃଦ୍ଧ ପରିବାର, ଯାହା ସହ ଲକ୍ଷ ଲକ୍ଷ ଗ୍ରାହକ ଜଡ଼ିତ। ଆମ ମଧ୍ୟରେ ରହିଥିବା ଅଟଳ ବିଶ୍ୱାସ ହିଁ ଏହାର ଦୃଢ଼ ମୂଳଦୁଆ। ଏହି ବିଶ୍ୱାସକୁ ଆମର ସର୍ବୋଚ୍ଚ ସୁରକ୍ଷାକବଚ ଭାବେ ଧରି ଆମେ ଆଗକୁ ବଢ଼ିବା ଏବଂ ଆହୁରି ବଡ଼ ସଫଳତା ହାସଲ କରିବା।

