ଖାମେନିଙ୍କ ମୃତ୍ୟୁ ପରେ ନ୍ୟାସନାଲ କନଫରେନ୍ସର ଶୋକ ପ୍ରସ୍ତାବ
ଇରାନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ସୟଦ ଅଲି ଖାମେନିଙ୍କ ମୃତ୍ୟୁ ପରେ ଜାମ୍ମୁ କାଶ୍ମୀରରେ ଶୋକ । ନ୍ୟାସନାଲ କନଫରେନ୍ସର ଶୋକ ପ୍ରସ୍ତାବକୁ ସମର୍ଥନ କଲେ ଦଳର ବିଧାୟକ ଏବଂ ସାଂସଦ ।

Published : March 3, 2026 at 10:13 AM IST
ଶ୍ରୀନଗର: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ସୟଦ ଅଲି ଖାମେନିଙ୍କ ମୃତ୍ୟୁ ପରେ ଏକ ଶୋକ ଏବଂ ଏକତା ପ୍ରସ୍ତାବ ପାରିତ କରିଛନ୍ତି ଜାମ୍ମୁକାଶ୍ମୀର ସରକାର । ଗତ ଫେବୃଆରୀ 28 ତାରିଖରେ ତେହେରାନରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଖାମେନିଙ୍କ ସମେତ ଏକାଧିକ ନେତାଙ୍କ ମୃତ୍ୟୁ ଘଟିଥିଲା। ପ୍ରତିଶୋଧ ପରାୟଣ ହୋଇ ଇରାନ ପକ୍ଷରୁ ଇସ୍ରାଏଲ ଏବଂ ଉପସାଗରୀୟ କ୍ଷେତ୍ର, ୟୁଏଇ, କତାର, କୁଏତ, ସାଉଦି ଆରବ, ବାହାରିନ ଏବଂ ଜୋର୍ଡାନ ସମେତ ଉପସାଗରୀୟ ଅଞ୍ଚଳରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରାଯାଇଛି ।
ଜାମ୍ମୁ ଏବଂ କାଶ୍ମୀର ନ୍ୟାସନାଲ କନଫରେନ୍ସର ଜଣେ ସରକାରୀ ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, "ଦଳର ରାଜ୍ୟ ସଭାପତି ଶୋକତ ଅହମ୍ମଦ ମିରଙ୍କ ଦ୍ୱାରା ଉପସ୍ଥାପିତ ପ୍ରସ୍ତାବକୁ ଶ୍ରୀନଗର ସ୍ଥିତ ପାର୍ଟି ମୁଖ୍ୟାଳୟରେ ଅନୁଷ୍ଠିତ ଶୋକ ସଭାରେ ଉପସ୍ଥିତ ସଦସ୍ୟମାନେ ସର୍ବସମ୍ମତିକ୍ରମେ ସମର୍ଥନ କରିଥିଲେ । ଏଥିରେ କୁହାଯାଇଛି ଯେ ଦଳର ସାଂସଦ ଏବଂ ବିଧାନସଭା ସଦସ୍ୟମାନେ ମଧ୍ୟ ଇରାନ ଲୋକଙ୍କ ଦୁଃଖ ସମୟରେ ସେମାନଙ୍କ ସହିତ ଏକତା ପ୍ରକାଶ କରିଛନ୍ତି । ବୈଠକର ଅଧ୍ୟକ୍ଷତା କରି ଏନସି ମହାସଚିବ ଅଲି ମହମ୍ମଦ ସାଗର ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣର ଶୀକାର ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ପ୍ରାର୍ଥନା କରିଥିଲେ । ଦଳର କର୍ମକର୍ତ୍ତାମାନେ ଜୀବନ ହାନୀ ପାଇଁ ଇରାନର ଜନସାଧାରଣଙ୍କ ପ୍ରତି ସେମାନଙ୍କର ସମବେଦନା ଜଣାଇଥିଲେ ଏବଂ ଏହି କଷ୍ଟକର ସମୟରେ ସେମାନଙ୍କ ସୁରକ୍ଷା ଏବଂ ଶକ୍ତି ପାଇଁ ପ୍ରାର୍ଥନା କରିଥିଲେ। "
ଇସ୍ରାଏଲ ଏବଂ ଆମେରିକା ଆକ୍ରମଣ ପରେ କାଶ୍ମୀର ବନ୍ଦ ପାଳନ କରାଯାଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ଅଧ୍ୟକ୍ଷ ମେହବୁବା ମୁଫତି ଏହି ଡାକରାକୁ ସମର୍ଥନ କରିଥିଲେ। କଟକଣା ମଧ୍ୟରେ, ଗତକାଲି (ସୋମବାର) ଦ୍ଵିତୀୟ ଦିନ ପାଇଁ ଉପତ୍ୟକାର ବିଭିନ୍ନ ସ୍ଥାନରେ ଖାମେନିଙ୍କ ହତ୍ୟା ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା । ଫଳରେ ଉତ୍ତେଜନା ବୃଦ୍ଧି ପାଇବାରୁ ଶ୍ରୀନଗରର ବାଣିଜ୍ୟିକ କେନ୍ଦ୍ର ଲାଲ ଚୌକରେ ବିକ୍ଷୋଭକାରୀମାନଙ୍କୁ ପହଞ୍ଚିବାକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ କଡ଼ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

