Kerala Election Result: କେରଳମ୍ରେ UDFର ବୃହତ ବିଜୟ, କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ?
ବହୁମତ ସହ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF)କେରଳମ୍ରେ ସରକାର ଗଢ଼ିବାକୁ ଯାଉଛି । LDF ବଡ଼ ପରାଜୟର ସମ୍ମୁଖିନ ହୋଇଛି ।

Published : May 4, 2026 at 6:21 PM IST
ଥିରୁଅନନ୍ତପୁରମ୍ (କେରଳମ୍): କେରଳମ୍ରେ କଂଗ୍ରେସର ପ୍ରତ୍ୟାବର୍ତ୍ତନ । ବହୁମତ ସହ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (UDF) କେରଳମ୍ରେ ସରକାର ଗଢ଼ିବାକୁ ଯାଉଛି । 10 ବର୍ଷ ପରେ ପୁଣି UDF କ୍ଷମତାକୁ ଫେରିବା ସହ ପିନାରାଇ ସରକାର (LDF)ର ପତନ ହୋଇଛି । ଏହି ବିଜୟ ସହିତ, କଂଗ୍ରେସ ଏବେ ଦକ୍ଷିଣ ଭାରତର ପାଞ୍ଚଟି ରାଜ୍ୟ ମଧ୍ୟରୁ ତିନୋଟିରେ ସରକାର ଗଢ଼ିବାକୁ ଯାଉଛି । ଏକାକୀ କଂଗ୍ରେସ 63 ଆସନରେ ବିଜୟୀ ହୋଇଛି ।
କେରଳମ୍ରେ UDF ସରକାର:
2016ରୁ ଲଗାତାର 2 ଥର ଶାସନ ଗାଦିରେ ବସିଥିବା ଲେଫ୍ଟ ଡେମୋକ୍ରାଟିକ୍ ପ୍ରଣ୍ଟ (LDF)ପରାଜୟର ସମ୍ମୁଖିନ ହୋଇଛି । ଗତ 2021 ନିର୍ବାଚନରେ କେରଳମ୍ରେ 140 ବିଧାନସଭା ଆସନରୁ LDF 99 ଆସନରେ ବିଜୟୀ ହୋଇ ସରକାର ଗଢ଼ିଥିଲା । ମାତ୍ର ଚଳିତ 2026 ନିର୍ବାଚନରେ ବାଜି ପଲଟିବା ସହ LDF ବଡ଼ ପରାଜୟର ସମ୍ମୁଖିନ ହୋଇଛି । ଗତ ନିର୍ବାଚନ(2021)ରେ ମାତ୍ର 41 ଆସନରେ ଜିତିଥିବା UDF ଏଥର ଶତକ ପାର କରିଛି ।
କେଉଁ ଦଳକୁ କେତେ ଆସନ:
- କଂଗ୍ରେସ: 63
- CPI(M):26
- ଆଇୟୁଏମଏଲ (IUML):22
- ସିପିଆଇ (CPI):8
- କେରଳ କଂଗ୍ରେସ (KEC):7
- ଆରଏସପି (RSP):3
- ଭାରତୀୟ ଜନତା ପାର୍ଟି (BJP):3
- ରାଷ୍ଟ୍ରୀୟ ଜନତା ଦଳ (RJD): 1
- ଆରଏମପିଓଆଇ(RMPOI):1
- କେଇସି (ଜେ) KEC(J):1
- କମ୍ୟୁନିଷ୍ଟ ମାର୍କ୍ସବାଦୀ ପାର୍ଟି କେରଳ ଷ୍ଟେଟ୍ କମିଟି (CMPKSC):1
- ସ୍ବାଧୀନ (IND):4
ଆଜି ଭୋଟ ଗଣତି ଆରମ୍ଭରୁ LDF ଓ UDF ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ମାତ୍ର UDF ଅଧିକାଂଶ ଆସନରେ ଆଗୁଆ ରହିଥିଲା ।
ମୁଖ୍ୟମନ୍ତ୍ରୀ ରେସ୍ରେ କିଏ:
କେରଳମ୍ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ତିନି ଜଣ ନେତାଙ୍କୁ ପ୍ରାଥମିକ ଦାବିଦାର ବୋଲି ବିବେଚନା କରାଯାଉଛି । କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ କେସି ଭେନୁଗୋପାଳ, ବିଧାନସଭାରେ ବିରୋଧୀ ଦଳ ନେତା ଭିଡି ସତିସନ୍ ଏବଂ ପୂର୍ବତନ ରାଜ୍ୟ ୟୁନିଟ୍ ମୁଖ୍ୟ ରମେଶ ଚେନ୍ନିଥାଲା, ଯିଏ ରାଜନୈତିକ ଦୃଷ୍ଟିରୁ ଭେନୁଗୋପାଳ ଏବଂ ସତିସନ୍ ଉଭୟଙ୍କ ଅପେକ୍ଷା ବରିଷ୍ଠ ଏବଂ ଅଧିକ ଅଭିଜ୍ଞ ।
କଂଗ୍ରେସ ପରମ୍ପରା ଅନୁଯାୟୀ, ଦଳର ହାଇକମାଣ୍ଡଙ୍କ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ନବନିର୍ବାଚିତ ବିଧାୟକମାନଙ୍କ ସହିତ ପରାମର୍ଶ କରିବେ ଏବଂ କେନ୍ଦ୍ରୀୟ ନେତୃତ୍ୱଙ୍କୁ ସେମାନଙ୍କର ରିପୋର୍ଟ ପ୍ରଦାନ କରିବେ । ଏହି ପ୍ରକ୍ରିୟା ସମାପ୍ତ ହେବା ପରେ ହିଁ ମୁଖ୍ୟମନ୍ତ୍ରୀ ସମ୍ପର୍କରେ ନିଷ୍ପତ୍ତି ଚୂଡ଼ାନ୍ତ ହେବ । ବିଧାୟକମାନଙ୍କ ମଧ୍ୟରେ ଯେଉଁ ବ୍ୟକ୍ତି ସର୍ବାଧିକ ସମର୍ଥନ ପାଇବେ ତାଙ୍କ ପାଖରେ ଏହି ରାଜନୈତିକ ଲଟେରୀ (ମୁଖ୍ୟମନ୍ତ୍ରୀ ପଦ) ହାତେଇବା ସର୍ବୋତ୍ତମ ସମ୍ଭାବନା ରହିଛି ।

