ETV Bharat Park Campaign: ଦିଲ୍ଲୀର ଶିଶୁ ପାର୍କମାନଙ୍କରୁ ଆସିଲା ଚିନ୍ତାଜନକ ସତ୍ୟ ! ମାଳ ମାଳ ଅସୁବିଧା ଓ ଅବ୍ୟବସ୍ଥା
ଦିଲ୍ଲୀର ଅନେକ ଲୋକପ୍ରିୟ ଶିଶୁ ପାର୍କରେ କଳଙ୍କି ଲଗା ଝୁଲା ସାଙ୍ଗକୁ ପାନୀୟ ଜଳ ଅସୁବିଧା ଏବଂ ସୁରକ୍ଷା ବ୍ୟବସ୍ଥା ନଥିବା ଭଳି ଅଭିଯୋଗ ସାମ୍ନାକୁ ଆସିଛି। ଚିନ୍ତା ପ୍ରକଟ କଲେ ଅଭିଭାବକ

Published : May 31, 2026 at 9:01 AM IST
ନୂଆଦିଲ୍ଲୀ: ଦିଲ୍ଲୀକୁ ‘ସ୍ମାର୍ଟ ସିଟି’ ଭାବେ ଗଢ଼ି ତୋଳିବାର ଦାବି ମଧ୍ୟରେ ଏକ ଚିନ୍ତାଜନକ ସତ୍ୟ ଆଗକୁ ଆସିଛି। ଯାହା କେବଳ ଶିଶୁମାନଙ୍କୁ ନୁହେଁ, ଅଭିଭାବକମାନଙ୍କୁ ମଧ୍ୟ ଚିନ୍ତାରେ ପକାଇଛି । ଶିଶୁ ପାର୍କ କହିଲେ ଆମେ ସାଧାରଣତଃ ଝୁଲା, ସ୍ଲାଇଡ୍ ଓ ଅନ୍ୟାନ୍ୟ ଖେଳ ସାମଗ୍ରୀକୁ ବୁଝୁଥୁବା ବେଳେ ଶିଶୁମାନଙ୍କର ହସଖୁସିର ଚିତ୍ର ବି ମନକୁ ଆସେ। କିନ୍ତୁ ଦିଲ୍ଲୀର ଅନେକ ପାର୍କରେ ଏବେ ଦେଖିବାକୁ ମିଳିଛି ଏକାଧିକ ବିକଳ ଚିତ୍ର। ଯେମିତିକି, କଳଙ୍କି ଲଗା ଲୁହା ରଡ୍, ଭଙ୍ଗା ଟାଇଲ୍ ଏବଂ ଅସୁରକ୍ଷିତ ଖେଳ ସାମଗ୍ରୀ। ମୋଟାମୋଟି କହିବାକୁ ଗଲେ ରାଜଧାନୀର ଅନେକ ପାର୍କର ଚିତ୍ର ଏକରକମ ସମାନ।
ସୂଚନା ଅନୁସାରେ ଦିଲ୍ଲୀରେ ବିଭିନ୍ନ ଆକାରର ପ୍ରାୟ ୧୮ ହଜାର ପାର୍କ ରହିଛି । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ଧୀରେ ଧୀରେ “No-Go-Zone”ରେ ପରିଣତ ହେଉଛି ।
୧. ଇଣ୍ଡିଆ ଗେଟ୍ ଚିଲ୍ଡ୍ରେନ୍ସ ପାର୍କ
ଏକଦା ଇଣ୍ଡିଆ ଗେଟ୍ ନିକଟରେ ଥିବା ଚିଲ୍ଡ୍ରେନ୍ସ ପାର୍କ ଦିଲ୍ଲୀର ଶିଶୁମାନଙ୍କ ପାଇଁ ବଡ଼ ଆକର୍ଷଣ ଥିଲା ଏବଂ ଦେଶର ପ୍ରତିଷ୍ଠିତ ଶିଶୁ ପାର୍କମାନଙ୍କ ମଧ୍ୟରୁ ଗଣାଯାଉଥିଲା। କିନ୍ତୁ ଏବେ ଏହାର ଅବସ୍ଥା ଦୟନୀୟ। ସମ୍ପ୍ରତି ପାର୍କକୁ ଆସିଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ, ରକ୍ଷଣାବେକ୍ଷଣର ଅଭାବରୁ ଝୁଲାଗୁଡ଼ିକର ଅବସ୍ଥା ଜରାଜୀର୍ଣ୍ଣ ହୋଇପଡ଼ିଛି। କେଉଁଠି ଲୁହାର ଖେଳ ସାମଗ୍ରୀରୁ ରଙ୍ଗ ଛଡ଼ିଯାଇଛି ତ କେଉଁଠି କଳଙ୍କ ଲାଗି ବିପଦଜନକ ଅବସ୍ଥାରେ ଲୈହ ଉପକରଣ ସବୁ ରହିଛି । କେବଳ ସେତିକି ନୁହେଁ ମାଟିରେ ବିଛାଯାଇଥିବା ରବର ମ୍ୟାଟ୍ ଅନେକ ସ୍ଥାନରୁ ଉଠିଯାଇଥିବାରୁ ଶିଶୁମାନେ ପଡ଼ିଗଲେ ଗୁରୁତର ଆହତ ହେବାର ଆଶଙ୍କା ବଢ଼ିଯାଇଛି ।
ପାର୍କରେ ପିଇବା ପାଣିର ସୁବିଧା ନାହିଁ । ତେଣୁ ଗ୍ରୀଷ୍ମ ଛୁଟିରେ ପାର୍କକୁ ଆସୁଥିବା ଶିଶୁ ଓ ପର୍ଯ୍ୟଟକ ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି। ମଇଳା ଶୌଚାଳୟ, ବନ୍ଦ ପଡ଼ିଥିବା ଫାଉଣ୍ଟେନ୍, ଭଙ୍ଗା ଝୁଲା ଓ ପ୍ରଚଣ୍ଡ ଖରାରେ ତାତି ଉଠୁଥିବା ଖେଳ ସାମଗ୍ରୀ ପାର୍କର ଅବ୍ୟବସ୍ଥାକୁ ଜଳ ଜଳ କରି ଦେଖାଉଛି। ଅଭିଭାବକମାନେ କହିଛନ୍ତି ଯେ, ଗୋଟିଏ ଶିଶୁ ପାର୍କରେ ଥିବା ଆବଶ୍ୟକ ମୌଳିକ ସୁବିଧା ମଧ୍ୟ ଏଠାରେ ନାହିଁ। ରାଜସ୍ଥାନର ମୋନିକା ଦିଲ୍ଲୀରେ ତାଙ୍କ ମାମୁଁଘରକୁ ଆସିଥିବା ବେଳେ ନିଜ ଶିଶୁମାନଙ୍କୁ ନେଇ ଏହି ପାର୍କକୁ ଆସିଥିଲେ। କିନ୍ତୁ ପାର୍କର ଅବସ୍ଥା ଦେଖି ସେ ନିରାଶ ହୋଇ ଯାଇଥିଲେ। ମୋନିକା ଅଭିଯୋଗ କରିଥିଲେ ଯେ ଏଠାକାର ଶୌଚାଳୟ ଅତ୍ୟନ୍ତ ଅପରିଷ୍କାର ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅନେକ ସମୟ ପାର୍କ ଭିତରେ ରହୁଥିବା ଲୋକଙ୍କ ପାଇଁ ପରିଷ୍କାର ଶୌଚାଳୟ ଓ ପିଇବା ପାଣି ନିହାତି ଆବଶ୍ୟକ। ସେ ନିଜେ ପୁରା ପାର୍କ ବୁଲିଥିଲେ ମଧ୍ୟ କେଉଁଠି ପିଇବା ପାଣି ପାଇନଥିଲେ ବୋଲି ବଡ଼ କ୍ଷୋଭର ସହ କହିଛନ୍ତି। ଏଥିସହ ସେ କହିଛନ୍ତି, ଶିଶୁମାନେ ଏଠାକୁ ଖେଳିବାକୁ ଆସନ୍ତି। ଏତେ ଗରମରେ ଖେଳିବା ପରେ ପାଣି ହିଁ ସବୁଠୁ ଆବଶ୍ୟକ। କିନ୍ତୁ ପୁରା ପାର୍କରେ ଗୋଟିଏ ବି ୱାଟର୍ କୁଲର ନାହିଁ । ସେ ଆହୁରି କହିଥିଲେ ଯେ କର୍ମଚାରୀମାନଙ୍କ ପାଇଁ ଅଫିସ ଭିତରେ କୁଲର ଲାଗିଥିଲେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ। ସେ ଖେଳ ସାମଗ୍ରୀର ଅବସ୍ଥାକୁ ନେଇ ମଧ୍ୟ ମୋନିକା ଚିନ୍ତା ପ୍ରକାଶ କରିଥିଲେ।
ଅନ୍ୟ ଜଣେ ପର୍ଯ୍ୟଟକ ଚିନ୍ତା ଦେବୀ ମଧ୍ୟ ପିଇବା ପାଣିକୁ ନେଇ ସମାନ ଅଭିଯୋଗ କରିଥିଲେ । ତାଙ୍କ କହିବା କଥା; ମୁଁ ପାଣି ଖୋଜି ଖୋଜି ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଚାଲିଗଲି, କିନ୍ତୁ କେଉଁଠି ପାଣି ପାଇଲି ନାହିଁ । ପରେ ଲୋକମାନଙ୍କୁ ବାହାରୁ ପାଣି ବୋତଲ ଆଣୁଥିବା ଦେଖି ବୁଝିଲି ଯେ ସମସ୍ତେ ବାହାରୁ କିଣୁଛନ୍ତି। ଶେଷରେ ସେ ୨୦ ଟଙ୍କା ଦେଇ ଗୋଟିଏ ବୋତଲ ପାଣି କିଣିଥିଲେ। ଏତେ ଗରମରେ ଗୋଟିଏ ଶିଶୁ ପାର୍କରେ ଅତିକମରେ ତିନିରୁ ଚାରିଟି ସ୍ଥାନରେ ପିଇବା ପାଣିର ବ୍ୟବସ୍ଥା ରହିବା ଉଚିତ ବୋଲି ସେ କହିଥିଲେ। ଝୁଲାର ଅବସ୍ଥା ବିଷୟରେ ମୋନିକା କହିଥିଲେ ଯେ ଝୁଲା ନିକଟରେ କୌଣସି ଛାୟାର ବ୍ୟବସ୍ଥା ନାହିଁ। “ପ୍ରଚଣ୍ଡ ଖରାରେ ଝୁଲାଗୁଡ଼ିକ ବହୁତ ଗରମ ହୋଇଯାଉଛି, ଫଳରେ ଶିଶୁମାନେ ଖେଳିପାରୁନାହାନ୍ତି।
ବର୍ଷା ଦିନରେ ପାର୍କକୁ ଆସିଥିବା କିଛି ଅନ୍ୟ ପର୍ଯ୍ୟଟକ କହିଥିଲେ ଯେ ଝୁଲା ତଳେ ପାଣି ଜମା ହେଉଥିବାରୁ ଅସୁବିଧା ସୃଷ୍ଟି ହେଉଛି। ଅନ୍ୟ ଜଣେ ପର୍ଯ୍ୟଟକ ଅବଧେଶ କହିଥିଲେ ଯେ ପାର୍କର ଉଭୟ ଫାଉଣ୍ଟେନ୍ ବନ୍ଦ ଅଛି। “ନା ‘ମୋଗ୍ଲି ଫାଉଣ୍ଟେନ୍’ ଚାଲୁଛି, ନା ‘ମ୍ୟୁଜିକାଲ୍ ଫାଉଣ୍ଟେନ୍’। ପାର୍କରେ ଗଛ ଥିଲେ ମଧ୍ୟ ଖରାରୁ ବଞ୍ଚିବା ପାଇଁ କୌଣସି ଆଶ୍ରୟସ୍ଥଳ ନାହିଁ। ଆମକୁ ପାଣି କିଣିବାକୁ ପଡ଼ିଲା। ଏହାଛଡ଼ା ଶୌଚାଳୟର ଅବସ୍ଥା ଅତ୍ୟନ୍ତ ଖରାପ ଥିବା ସମ୍ପର୍କରେ ସେ ଅଭିଯୋଗ କରିଥିଲେ। ଅନ୍ୟ ଜଣେ ପର୍ଯ୍ୟଟକ ଅଙ୍କୁର ମଧ୍ୟ ପାର୍କର ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ ଶୌଚାଳୟର ଠିକ୍ ଭାବେ ରକ୍ଷଣାବେକ୍ଷଣ ହେଉନାହିଁ। NDMC ପାର୍କରେ ପାଣି ମେସିନ୍ ଲଗାଇଥିଲେ ମଧ୍ୟ ସେଥିରୁ ପାଣି ବାହାରୁନାହିଁ। ଫଳରେ ଲୋକମାନେ ଇଣ୍ଡିଆ ଗେଟ୍ ବାହାରୁ କିମ୍ବା ପାର୍କ ଭିତରେ ଥିବା କ୍ୟାଣ୍ଟିନ୍ରୁ ପାଣି କିଣିବାକୁ ବାଧ୍ୟ ହେଉଛନ୍ତି ।
- ଭଙ୍ଗା ଝୁଲା ଓ କ୍ଷତିଗ୍ରସ୍ତ ସିଢ଼ିରୁ ବଢ଼ୁଛି ଦୁର୍ଘଟଣା ଆଶଙ୍କା
ପାର୍କର ଅନେକ ଝୁଲାର ଅବସ୍ଥା ମଧ୍ୟ ଖରାପ ଥିବା ଦେଖାଯାଇଛି। କିଛି ଖେଳ ସାମଗ୍ରୀକୁ ଯିବା ସିଢ଼ି ଭାଙ୍ଗିଯାଇଥିବାରୁ ଛୋଟ ଶିଶୁମାନେ ପଡ଼ିଯିବାର ଆଶଙ୍କା ବଢ଼ିଛି। କିଛି ବସିବା ସ୍ଥାନ କ୍ଷତିଗ୍ରସ୍ତ ଥିବାବେଳେ କିଛି ଖେଳ ସାମଗ୍ରୀ ଢିଲା ଥିବା ଦେଖାଯାଇଛି। ଅଭିଭାବକମାନେ କହିଛନ୍ତି ଯେ ସମୟରେ ମରାମତି ନହେଲେ ଏହି ସମସ୍ୟା ଶିଶୁମାନଙ୍କ ପାଇଁ ବଡ଼ ସୁରକ୍ଷା ବିପଦ ସୃଷ୍ଟି କରିପାରେ।
- ଶିଶୁ ପାଠାଗାର ଆଶାର ଆଲୋକ
ଏତେ ସମସ୍ୟା ମଧ୍ୟରେ ପାର୍କ ଭିତରେ ଥିବା ଶିଶୁ ପାଠାଗାର ଏକ ବଡ଼ ଆକର୍ଷଣ ପାଲଟିଛି । ଏଠାରେ ୬ରୁ ୧୨ ବର୍ଷ ବୟସର ଶିଶୁମାନଙ୍କ ପାଇଁ ହିନ୍ଦୀ ଓ ଇଂରାଜୀ କାହାଣୀ ପୁସ୍ତକ ରହିଛି । ଅଭିଭାବକମାନେ ଏହାକୁ ଏକ ସକାରାତ୍ମକ ପଦକ୍ଷେପ ବୋଲି କହିଛନ୍ତି, ଯାହା ଶିଶୁମାନଙ୍କ ମଧ୍ୟରେ ପଢ଼ିବା ଅଭ୍ୟାସ ଗଢ଼ି ତୋଳିପାରିବ। କିନ୍ତୁ ଲୋକମାନେ କହିଛନ୍ତି ଯେ ପାର୍କର ମୌଳିକ ଭିତ୍ତିଭୂମି ଓ ସୁବିଧା ସୁଧାରିଲେ ହିଁ ଏଭଳି ପଦକ୍ଷେପ ସଫଳ ହୋଇପାରିବ। ଶିଶୁମାନଙ୍କ ଆବଶ୍ୟକତାକୁ ମନେରଖି କର୍ତ୍ତୃପକ୍ଷ ସୁବିଧା ସୁଦୃଢ଼ କଲେ ଏହି ପାର୍କ କେବଳ ପର୍ଯ୍ୟଟନ ସ୍ଥଳୀ ନୁହେଁ, ଶିଶୁମାନଙ୍କ ପାଇଁ ଏକ ସୁରକ୍ଷିତ ଓ ସ୍ମରଣୀୟ ଅନୁଭୂତିର ସ୍ଥାନ ହୋଇପାରିବ ବୋଲି ସେମାନେ କହିଛନ୍ତି ।

୨. ରିଙ୍ଗ ରୋଡ୍ ନେହରୁ ଏନକ୍ଲେଭ୍ ଚିଲ୍ଡ୍ରେନ୍ସ ପାର୍କ
କେନ୍ଦ୍ରମନ୍ତ୍ରୀ ହର୍ଷ ମଲହୋତ୍ରା ଦିଲ୍ଲୀର ଲୋକପ୍ରିୟ ଶିଶୁ ପାର୍କମାନଙ୍କ ମଧ୍ୟରେ ଗଣାଯାଉଥିବା ନେହରୁ ଏନକ୍ଲେଭ୍ ପାର୍କକୁ ୫ ମଇ ୨୦୨୬ରେ ଉଦ୍ଘାଟନ କରିଥିଲେ। ନୂତନ ଭାବେ ବିକଶିତ ହୋଇଥିବା ଏହି ପାର୍କ ଉଭୟ ଶିଶୁ ଓ ବୟସ୍କଙ୍କ ପାଇଁ ଶୀଘ୍ର ଏକ ବଡ଼ ଆକର୍ଷଣ ପାଲଟିଛି। ସ୍ପାଇଡରମ୍ୟାନ୍ରୁ ଆରମ୍ଭ କରି ଆଣ୍ଟମ୍ୟାନ୍ ଥିମ୍ ପର୍ଯ୍ୟନ୍ତ ଅନେକ ଆକର୍ଷଣୀୟ ସଂରଚନା ଏଠାରେ ରହିଛି। ଏଥିସହ ଛୋଟ ଶିଶୁମାନଙ୍କ ପାଇଁ ପାହାଡ଼ ଚଢ଼ିବା ଭଳି ଖେଳ ସଂରଚନା ମଧ୍ୟ ତିଆରି ହୋଇଛି। ବଡ଼ କଥା ହେଉଛି କେବଳ ଶିଶୁମାନଙ୍କ ପାଇଁ ନୁହେଁ, ସେମାନଙ୍କ ସହ ଆସୁଥିବା ବୟସ୍କମାନଙ୍କ ପାଇଁ ମଧ୍ୟ ଖେଳ ସାମଗ୍ରୀ ରହିଛି। ଏହାଛଡ଼ା ପାର୍କରେ ପ୍ରଚୁର ସବୁଜିମା ଦେଖିବାକୁ ମିଳିବ।
ETV Bharat ଟିମ୍ ପାର୍କକୁ ଆସିଥିବା ଶିଶୁ ଓ ପର୍ଯ୍ୟଟକମାନଙ୍କ ସହ କଥା ହୋଇଥିଲା। ପାର୍କକୁ ଆସିଥିବା ରାକ୍ଷୀ କହିଥିଲେ, ଆଗରୁ ଏଠାରେ ଏତେ ବିକାଶ ନଥିଲା। କିନ୍ତୁ ଏବେ ଏହାର ନବୀକରଣ ହୋଇଛି। ଆଶ୍ରୟସ୍ଥଳ ଲାଗିଛି ଏବଂ ପ୍ରତ୍ୟେକ ବସିବା ସ୍ଥାନକୁ ଅଲଗା ଆକୃତିରେ ତିଆରି କରାଯାଇଛି, ଯାହା କେବଳ ଶିଶୁ ନୁହେଁ, ବୟସ୍କମାନଙ୍କୁ ମଧ୍ୟ ଆକର୍ଷିତ କରୁଛି। ଏଥିସହ ସେ କହିଥିଲେ ଯେ ଏଭଳି ଭଲ ଭାବେ ନବୀକରଣ ହୋଇଥିବା ଏହା ହେଉଛି ପ୍ରଥମ ପାର୍କ।
ଅନ୍ୟ ଜଣେ ପର୍ଯ୍ୟଟକ ରିଙ୍କି କହିଥିଲେ, ପାର୍କର ପରିବେଶ ବହୁତ ଭଲ। ସମସ୍ତ ବୟସର ଲୋକଙ୍କ ପାଇଁ ଏଠାରେ ଝୁଲା ରହିଛି। ଆମେ ନିୟମିତ ଭାବେ ଏଠାକୁ ଆସୁ ଏବଂ ସମୟ ବିତାଇବାକୁ ଭଲପାଉ। ରାହୁଲ ପାର୍କକୁ ଅତ୍ୟନ୍ତ ଉତ୍କୃଷ୍ଟ ବୋଲି ବର୍ଣ୍ଣନା କରିଥିଲେ। ଏହା ଏକମାତ୍ର ପାର୍କ ଯେଉଁଠାରେ ସବୁ ପ୍ରକାର ଝୁଲା ରହିଛି ଏବଂ ଶିଶୁମାନଙ୍କ ପାଇଁ ବିଭିନ୍ନ ଖେଳ ସଂରଚନା ତିଆରି ହୋଇଛି। ପ୍ରତ୍ୟେକ ଶିଶୁ ଅତିକମରେ ଥରେ ଏଠାକୁ ଆସି ଖେଳିବା ଉଚିତ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ନେହରୁ ଏନକ୍ଲେଭ୍ ରିଙ୍ଗ ରୋଡ୍ ନିକଟରେ ଥିବା ଏହି ପାର୍କକୁ ମ୍ୟୁନିସିପାଲ୍ କର୍ପୋରେସନ୍ ପ୍ରାୟ ୯୪ ଲକ୍ଷ ଟଙ୍କା ବ୍ୟୟରେ ବିକଶିତ କରିଛି।
୩. ପୂର୍ବ ଦିଲ୍ଲୀର ସୂରଜମଲ ଚିଲ୍ଡ୍ରେନ୍ସ ପାର୍କ
‘ଦ ଲାଷ୍ଟ ପ୍ଲେଗ୍ରାଉଣ୍ଡ’ ଅଭିଯାନର ଅଂଶ ଭାବେ ETV Bharat ଦିଲ୍ଲୀ ଟିମ୍ ବିଶ୍ୱାସ ନଗରରେ ଥିବା ମହାରାଜା ସୂରଜମଲ ପାର୍କ ପରିଦର୍ଶନ କରିଥିଲା, ଯାହା DDA ଦ୍ବାରା ପରିଚାଳିତ। ମୁଖ୍ୟ ଫାଟକରେ “Green Delhi by DDA” ଲେଖା ଥିଲେ ମଧ୍ୟ ଭିତରକୁ ପ୍ରବେଶ କଲେ ଅଲଗା ଚିତ୍ର ଦେଖିବାକୁ ମିଳେ। କିଛି ଅଞ୍ଚଳ ସବୁଜ ଓ ସୁନ୍ଦର ଥିବାବେଳେ ଅନ୍ୟ ଅଞ୍ଚଳ ଶୁଖିଲା ମାଟି ଓ ଉଡ଼ୁଥିବା ଧୂଳିରେ ଭରିଯାଇଛି। ପାର୍କକୁ ନେଇ ଲୋକଙ୍କ ମତ ମଧ୍ୟ ଭିନ୍ନ ରହିଛି।
ପାର୍କର ନିୟମିତ ପର୍ଯ୍ୟଟକ ତୁଷାର ଗାନ୍ଧୀ କହିଥିଲେ ଯେ, ସେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ସେ ପାର୍କକୁ ଆସନ୍ତି। ମୋଟାମୋଟି ଭାବେ ପାର୍କ ଭଲ, କିନ୍ତୁ ଶିଶୁମାନଙ୍କ ପାଇଁ ଲାଗିଥିବା ଝୁଲା ଭାଙ୍ଗିଯାଇଛି। ଶୌଚାଳୟର ଅବସ୍ଥା ମଧ୍ୟ ଅତ୍ୟନ୍ତ ଖରାପ ବୋଲି ସେ କହିଥିଲେ। ତାଙ୍କ କହିବା ଅନୁସାରେ, କିଛି ବସିବା ସ୍ଥାନ କ୍ଷତିଗ୍ରସ୍ତ ଥିବାବେଳେ ଅନେକ ସ୍ଥାନରେ ମୌଳିକ ସୁବିଧାର ଅଭାବ ରହିଛି। ସବୁଜିମା ବିଷୟରେ ପ୍ରତିକ୍ରିୟା ରଖି ସେ କହିଥିଲେ ଯେ, କେବଳ କିଛି ଅଂଶରେ ଗଛଲତା ଥିବା ବେଳେ ବାକି ଅଞ୍ଚଳ ଶୁଖିଲା ପଡ଼ିଛି। ପର୍ଯ୍ୟାପ୍ତ ମାଳି କିମ୍ବା ପାଣିର ବ୍ୟବସ୍ଥା ମଧ୍ୟ ନାହିଁ।
- ରକ୍ଷଣାବେକ୍ଷଣର ଅଭାବରୁ ସବୁଠି ଧୂଳି
ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କହିଥିଲେ ଯେ ପାର୍କ ମନୋରଞ୍ଜନ ଓ ସାର୍ବଜନୀନ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ। ଲୋକମାନେ ସକାଳ ଓ ସନ୍ଧ୍ୟାରେ ଏଠାକୁ ଜଗିଂ ଓ ବ୍ୟାୟାମ ପାଇଁ ଆସିଥାନ୍ତି। ଶ୍ୱାସକଷ୍ଟ ଓ ହାଡ଼ ସମସ୍ୟାରେ ପୀଡ଼ିତ ଲୋକମାନେ ମଧ୍ୟ ଏହି ପାର୍କ ଉପରେ ନିର୍ଭର କରନ୍ତି ବୋଲି ସେ କହିଥିଲେ। କିନ୍ତୁ ଉଡ଼ୁଥିବା ଧୂଳି ସମସ୍ୟା ଏବେ ମଧ୍ୟ ଲୋକଙ୍କୁ ଅସୁବିଧାରେ ପକାଉଛି।
ଗତ ୫ରୁ ୬ ବର୍ଷ ଧରି ପାର୍କକୁ ଆସୁଥିବା ଯୁବକ ରାହୁଲ କହିଥିଲେ ଯେ କ୍ରିକେଟ୍ ଖେଳିବା ପାଇଁ ଏହା ଭଲ ଜାଗା, କିନ୍ତୁ ବର୍ଷା ଦିନରେ ପୁରା ପଡ଼ିଆ କାଦୁଅ ହୋଇଯାଏ। ଯଦି ଏହି ମଇଦାନର ଠିକ୍ ଭାବେ ବିକାଶ କରାଯାଏ, ତେବେ ଏହା ଯୁବମାନଙ୍କ ପାଇଁ ଏକ ଭଲ କ୍ରୀଡ଼ା କେନ୍ଦ୍ର ହୋଇପାରିବ ବୋଲି ସେ କହିଥିଲେ।
- ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ
ଅନେକ ପର୍ଯ୍ୟଟକ କହିଛନ୍ତି ଯେ ପାର୍କ ଭିତରେ ସୁରକ୍ଷାକର୍ମୀ କ୍ବଚିତ୍ ଦେଖାଯାଆନ୍ତି। ରାତିରେ ଆଲୋକ ବ୍ୟବସ୍ଥା ଥିଲେ ମଧ୍ୟ ଲୋକମାନେ ସୁରକ୍ଷିତ ମନେ କରୁନାହାନ୍ତି। ୧୯୮୪ରୁ ଏହି ଅଞ୍ଚଳରେ ରହୁଥିବା ସନ୍ତୋଷ କୁମାର କହିଥିଲେ ଯେ ପରିସ୍ଥିତି କିଛି ସୁଧୁରିଛି, କିନ୍ତୁ ଆହୁରି ଅନେକ କାମ ବାକି ରହିଛି। ଯଦିଓ ପାର୍କରେ ୱାକିଂ ଟ୍ରାକ୍, ଝୁଲା ଓ ଅନ୍ୟାନ୍ୟ ସୁବିଧା ଅଛି, କିନ୍ତୁ ଏଗୁଡ଼ିକର ନିୟମିତ ମରାମତି ଆବଶ୍ୟକ ଥିବା ସେ କହିଥିଲେ। ପାର୍କ ଭିତରେ ତିଆରି ହୋଇଥିବା କାଠ ଆଶ୍ରୟସ୍ଥଳର ଛାତ ଏବେ ଯାଏ ନାହିଁ। ଫାଉଣ୍ଟେନ୍ ମଧ୍ୟ ବର୍ଷ ବର୍ଷ ଧରି ବନ୍ଦ ରହିଛି। ପର୍ଯ୍ୟଟକମାନେ କହିଛନ୍ତି ଯେ DDA ଯଦି ନିୟମିତ ପରିଷ୍କାର-ପରିଚ୍ଛନ୍ନତା, ସବୁଜିମାର ରକ୍ଷଣାବେକ୍ଷଣ, ଶିଶୁ ଝୁଲାର ମରାମତି ଓ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରେ, ତେବେ ଏହି ପାର୍କ ଲୋକମାନଙ୍କ ପାଇଁ ଏକ ଉତ୍ତମ ସାର୍ବଜନୀନ ସ୍ଥାନ ହୋଇପାରିବ।
୪. ଯମୁନା କୂଳରେ ନିର୍ମିତ ‘ବାଂସେରା ପାର୍କ’
ଦିଲ୍ଲୀର ସରାଇ କାଲେ ଖାନ୍ ଅଞ୍ଚଳରେ ଅବସ୍ଥିତ ଏହି ପାର୍କ ୨୦୨୩ ସେପ୍ଟେମ୍ବରରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା। ଏହା ଦିଲ୍ଲୀ-NCRର ପ୍ରଥମ ବାଂଶ ଥିମ୍ ପାର୍କ ଏବଂ DDA ଦ୍ୱାରା ବିକଶିତ। ପାର୍କରେ ଶିଶୁମାନଙ୍କ ପାଇଁ ଅଲଗା ଖେଳ ଅଞ୍ଚଳ ରହିଛି, ଯେଉଁଠାରେ ଖେଳ, ଆଡଭେଞ୍ଚର ଆକ୍ଟିଭିଟି ଓ ବିଭିନ୍ନ ମନୋରଞ୍ଜନ ସୁବିଧା ରହିଛି।
ଦିଲ୍ଲୀର ଦିଲଶାଦ ଗାର୍ଡେନ୍ ଅଞ୍ଚଳରୁ ନିଜ ଝିଅ ସହ ଆସିଥିବା ସିମ୍ମି ରାୱଲ କହିଥିଲେ ଯେ ପାର୍କର ସବୁକିଛି ଭଲ। ଏଠାରେ ସୁରକ୍ଷାକର୍ମୀ ନିଯୁକ୍ତ ଅଛନ୍ତି। ଶିଶୁମାନଙ୍କ ପାଇଁ ବହୁତ ଆଡଭେଞ୍ଚର ଆକ୍ଟିଭିଟି ରହିଛି। ବିଶେଷକରି ସନ୍ଧ୍ୟାବେଳେ ଏଠାକୁ ଆସିବା ବହୁତ ଭଲ ଲାଗେ ବୋଲି ସେ କହିଥିଲେ।
- ଶିଶୁ ସୁରକ୍ଷା ଦେଉଛି ଆଶ୍ୱସ୍ତି
ମଙ୍ଗୋଲପୁରୀରୁ ପରିବାର ସହ ଆସିଥିବା ପୁଷ୍ପା କହିଥିଲେ ଯେ ଏଠାରେ ଶିଶୁମାନେ ନିରାପଦରେ ଖେଳିପାରୁଥିବାରୁ ସେମାନେ ଖୁସି ଅଛନ୍ତି। ତଥାପି ଅଭିଭାବକ କିମ୍ବା ଅଭିଭାବକଙ୍କୁ ଶିଶୁମାନଙ୍କ ସହ ରହିବା ଉଚିତ, ଯାହାଦ୍ୱାରା ପ୍ରତ୍ୟେକ ପଦକ୍ଷେପରେ ସେମାନଙ୍କ ସୁରକ୍ଷା ନିଶ୍ଚିତ ହୋଇପାରିବ ବୋଲି ସେ କହିଥିଲେ।
ଶାସ୍ତ୍ରୀ ନଗରରୁ ଶିଶୁମାନଙ୍କ ସହ ଆସିଥିବା ପଙ୍କଜ କୁମାର କହିଥିଲେ ଯେ ସେ ସୋସିଆଲ୍ ମିଡିଆ ମାଧ୍ୟମରେ ଏହି ପାର୍କ ବିଷୟରେ ଜାଣିଥିଲେ। ଶିଶୁମାନଙ୍କ ପାଇଁ ଏଠାରେ ଅନେକ ନୂଆ ଆକର୍ଷଣ ଓ ଆଡଭେଞ୍ଚର କାର୍ଯ୍ୟକଳାପ ରହିଛି ସେ କହିଛନ୍ତି। ଅଭିଭାବକମାନେ କହିଛନ୍ତି ଯେ ଏହି ପାର୍କ ଉତ୍ତମ ସମନ୍ୱୟ ଭିତରେ ମନୋରଞ୍ଜନ ଓ ସୁରକ୍ଷା ପ୍ରଦାନ କରୁଛି।
୫. ସ୍ୱର୍ଣ୍ଣ ଜୟନ୍ତୀ ପାର୍କ, ରୋହିଣୀ
ରୋହିଣୀର ସ୍ୱର୍ଣ୍ଣ ଜୟନ୍ତୀ ପାର୍କ, ଯାହାକୁ “ଜାପାନିଜ୍ ପାର୍କ” ଭାବେ ମଧ୍ୟ ଜଣାଯାଏ, ଦିଲ୍ଲୀର ଏକ ପ୍ରମୁଖ ସାର୍ବଜନୀନ ସ୍ଥାନ। ୨୫୦ ଏକରରେ ବ୍ୟାପିଥିବା ଏହି ବିଶାଳ ପାର୍କକୁ ୧୯୯୫ରେ ଯୋଜନା କରାଯାଇଥିଲା ଏବଂ ଭାରତର ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ଅବସରରେ ୧୯୯୭ରେ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା।
- ଶିଶୁ ଖେଳ ଅଞ୍ଚଳର ଖରାପ ଅବସ୍ଥା
ସମ୍ପ୍ରତି ଏହି ପାର୍କର ଶିଶୁ ଖେଳ ଅଞ୍ଚଳ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକମାନଙ୍କ ଅସନ୍ତୋଷର ବଡ଼ କାରଣ ପାଲଟିଛି। ଅଭିଯୋଗ ଅନୁସାରେ, ଶିଶୁ ଅଞ୍ଚଳର ଅଧିକାଂଶ ଝୁଲା ଓ ଖେଳ ସାମଗ୍ରୀ ଭାଙ୍ଗିଯାଇଛି କିମ୍ବା ଜଙ୍କ ଧରିଯାଇଛି, ଯାହା ଶିଶୁମାନଙ୍କ ପାଇଁ ବିପଦଜନକ। ବସିବା ବ୍ୟବସ୍ଥା ମଧ୍ୟ ଖରାପ ହୋଇଯାଇଛି ଏବଂ ସୁରକ୍ଷା ମାନଦଣ୍ଡର ଅଭାବ ଦେଖାଯାଉଛି। ପାର୍କର ଅନ୍ୟ ଅଂଶ ତୁଳନାରେ ଶିଶୁ ଅଞ୍ଚଳ ରକ୍ଷଣାବେକ୍ଷଣ ଅଭାବରେ ଅଧିକ ପ୍ରଭାବିତ ହୋଇଛି, ଯାହାରୁ ଅଭିଭାବକମାନେ ଶିଶୁମାନଙ୍କୁ ଏଠାକୁ ଆଣିବାକୁ ଦ୍ୱିଧା କରୁଛନ୍ତି। ସ୍ଥାନୀୟ ବାସିନ୍ଦା ଓ ନିୟମିତ ପର୍ଯ୍ୟଟକମାନେ କହିଛନ୍ତି ଯେ ଏହି ପାର୍କ କେବେ ରୋହିଣୀର ଗର୍ବ ଥିଲା, କିନ୍ତୁ ରକ୍ଷଣାବେକ୍ଷଣର ଅଭାବରୁ ଏହାର ଚମକ ଫିକା ପଡ଼ିଯାଇଛି।
ଅଭିଭାବକ ସୁଦେଶ ଦହିଆ କହିଥିଲେ ଯେ ସୁରକ୍ଷା ବିପଦ କାରଣରୁ ସେମାନେ ଶିଶୁମାନଙ୍କୁ ଝୁଲା ବ୍ୟବହାର କରିବାକୁ ବାରଣ କରନ୍ତି। ସାମାନ୍ୟ ମରାମତି କଲେ ଅଧିକାଂଶ ସମସ୍ୟା ସମାଧାନ ହୋଇପାରିବ, କିନ୍ତୁ ପ୍ରଶାସନର ଏଥିପ୍ରତି ଧ୍ୟାନ ନାହିଁ ବୋଲି ସେ କହିଥିଲେ।
ନିୟମିତ ପର୍ଯ୍ୟଟକ ଐଶ୍ୱର୍ଯ୍ୟା କହିଥିଲେ ଯେ ପରିଷ୍କାର-ପରିଚ୍ଛନ୍ନତା ଓ ପିଇବା ପାଣି, ଶୌଚାଳୟ ଭଳି ମୌଳିକ ସୁବିଧାର ଅବସ୍ଥା ମଧ୍ୟ ଚିନ୍ତାଜନକ। ଲୋକମାନେ ସୋସିଆଲ୍ ମିଡିଆ ଓ ସ୍ଥାନୀୟ ମଞ୍ଚରେ ପାର୍କର ଅବନତିକୁ ନେଇ ସ୍ୱର ଉଠାଉଥିଲେ ମଧ୍ୟ ସୁଧାରର ଗତି ଅତ୍ୟନ୍ତ ଧୀର ରହିଛି। ସ୍ଥାନୀୟ ବାସିନ୍ଦାମାନେ ଦୀର୍ଘଦିନ ଧରି DDAକୁ ପାର୍କର ପୁନରୁଦ୍ଧାର କାମ କରିବାକୁ ଦାବି କରୁଛନ୍ତି, ଯାହାଦ୍ୱାରା ଏହା ପୁଣିଥରେ ଶିଶୁମାନଙ୍କ ପାଇଁ ସୁରକ୍ଷିତ ଓ ଆନନ୍ଦଦାୟକ ସ୍ଥାନ ହୋଇପାରିବ।
- କର୍ତ୍ତୃପକ୍ଷ କଣ କହୁଛନ୍ତି ?
ଯଦି ଆମେ ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ ବିଷୟରେ କହିବା, ଆମ ପାଖରେ ପ୍ରାୟ ୧୫,୨୦୦ ପାର୍କ ରହିଛି। ଏହି ପାର୍କଗୁଡ଼ିକର ରକ୍ଷଣାବେକ୍ଷଣ ବଡ଼ ଦାୟିତ୍ୱ, ତେବେ ଉଦ୍ୟାନ କୃଷି ବିଭାଗ ପାଖରେ ବର୍ତ୍ତମାନ ପର୍ଯ୍ୟାପ୍ତ ଜନଶକ୍ତି ନଥିବା କହିଛନ୍ତି ଦିଲ୍ଲୀର ଡେପୁଟି ମେୟର ଡା.ମୋନିକା ପନ୍ତ। ସେ କହିଛନ୍ତି ଯେ, PPP ମଡେଲ୍ ଅଧୀନରେ ଲୋକମାନଙ୍କୁ ଆଗକୁ ଆସିବାକୁ ଉତ୍ସାହିତ କରାଯାଉଛି, ଯାହାଦ୍ୱାରା ସେମାନେ ଦିଲ୍ଲୀ ସରକାର ଓ ମ୍ୟୁନିସିପାଲ୍ କର୍ପୋରେସନ୍ ସହ ମିଶି କାମ କରିପାରିବେ। ଏହା ମାଧ୍ୟମରେ ପାର୍କ ରକ୍ଷଣାବେକ୍ଷଣ ପାଇଁ ଆର୍ଥିକ ସହାୟତା ମିଳିପାରିବ। ଏବେ ପାର୍କର ରକ୍ଷଣାବେକ୍ଷଣ ଏବଂ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଦିଲ୍ଲୀରେ ରେଖା ଗୁପ୍ତାଙ୍କ ସରକାର ଗଠନ ପରେ CMDF ଫଣ୍ଡ ମାଧ୍ୟମରେ ମଧ୍ୟ ଅନେକ କାମ ହୋଇଛି ବୋଲି ମୋନିକା କହିଛନ୍ତି।
ସେ ଆହୁରି କହିଛନ୍ତି ଯେ ଦୀର୍ଘଦିନ ଧରି ଭାଙ୍ଗିଥିବା ଫୁଟପାଥର ମରାମତି ବି କରାଯାଉଛି। ଜନସାଧାରଣଙ୍କ ଆବଶ୍ୟକତା ଅନୁସାରେ ନିରନ୍ତର କାମ ଚାଲିଛି। କିଛି ପାର୍କରେ ଖରାପ ହୋଇଯାଇଥିବା ପାଣି ମୋଟର ଆଦିର ମଧ୍ୟ ମରାମତି କରାଯାଇଛି। ଶିଶୁମାନଙ୍କ ଖେଳ ଅଞ୍ଚଳ ଓ ଛୋଟ ଝୁଲା ଆଦି ସମୟ ସହିତ ଖରାପ ହୋଇଯାଏ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପୂର୍ବତନ MCD ଗାର୍ଡେନ୍ କମିଟି ଅଧ୍ୟକ୍ଷ ଧର୍ମବୀର କହିଛନ୍ତି, ଦିଲ୍ଲୀରେ ପାର୍କ ପାଇଁ କୌଣସି ବାଧ୍ୟତାମୂଳକ ସୁରକ୍ଷା ଅଡିଟ୍ ବ୍ୟବସ୍ଥା ନାହିଁ। ଅଧିକାଂଶ ପାର୍କରେ କେବଳ ସୌନ୍ଦର୍ଯ୍ୟକରଣ ଉପରେ ଗୁରୁତ୍ୱ ଦିଆଯାଉଛି, ସୁରକ୍ଷା ଓ ବ୍ୟବହାରଯୋଗ୍ୟତା ଉପରେ ନୁହେଁ।
ସର୍ଭେ ଅନୁସାରେ, ୬୦ ପ୍ରତିଶତରୁ ଅଧିକ ଝୁଲା ପାଞ୍ଚ ବର୍ଷରୁ ପୁରୁଣା ଏବଂ ସେଗୁଡ଼ିକର ଫିଟନେସ୍ ଯାଞ୍ଚର କୌଣସି ରେକର୍ଡ ନାହିଁ। NDMC(New Delhi Municipal Council) ଓ DDA ପାର୍କ ମଧ୍ୟରେ ବଡ଼ ତଫାତ୍ ରହିଛି। ବଡ଼ ପାର୍କ ଭିତରେ ଥିବା ‘ଚିଲ୍ଡ୍ରେନ୍ସ କର୍ଣ୍ଣର’ମାନେ ଅବହେଳିତ ହୋଇପଡ଼ୁଛନ୍ତି, କାରଣ ବଜେଟର ଅଧିକାଂଶ ଅଂଶ ସବୁଜିମା ଓ ଲ୍ୟାଣ୍ଡସ୍କେପିଂରେ ଖର୍ଚ୍ଚ ହୋଇଯାଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ASTM ଭଳି କଡ଼ା ଆନ୍ତର୍ଜାତିକ ମାନକର ସୁରକ୍ଷା ଅଡିଟ୍ ବାଧ୍ୟତାମୂଳକ ନଥିବାରୁ ନିମ୍ନମାନର ସାମଗ୍ରୀ ବ୍ୟବହାର ସାଧାରଣ ଘଟଣା ହୋଇଯାଇଛି।

- ସମାଧାନ କଣ ?
ଧର୍ମବୀରଙ୍କ ପରାମର୍ଶ ଅନୁସାରେ, ସୁରକ୍ଷା ଅଡିଟ୍ ଅଧୀନରେ ପ୍ରତି ତିନି ମାସରେ ଝୁଲାର ଗଠନ ଓ ସୁରକ୍ଷା ଯାଞ୍ଚ ବାଧ୍ୟତାମୂଳକ କରାଯିବା ଉଚିତ। କଂକ୍ରିଟ୍ ପରିବର୍ତ୍ତେ ଝୁଲା ତଳେ ରବର ସେଫ୍ଟି ମ୍ୟାଟ୍ ଲାଗିବା ଉଚିତ। ପ୍ରତ୍ୟେକ ବଡ଼ ପାର୍କର ଶିଶୁ ଅଞ୍ଚଳରେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ ଓ CCTV କ୍ୟାମେରା ରହିବା ଦରକାର ବୋଲି ସେ କହିଛନ୍ତି। RWA(Resident Welfare Associations) ମାନେ ବୁଝିବା ଦରକାର ଯେ ପାର୍କ କେବଳ ପ୍ରାତଃ ଭ୍ରମଣ ବା ଚାଲିବା ପାଇଁ ନୁହେଁ, ଶିଶୁମାନଙ୍କ ସର୍ବାଙ୍ଗୀଣ ବିକାଶ ପାଇଁ ଏକ ଅତ୍ୟାବଶ୍ୟକ ସ୍ଥାନ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଦିଲ୍ଲୀର ପାର୍କଗୁଡ଼ିକରେ ଶିଶୁମାନଙ୍କ ହସ ଧୀରେ ଧୀରେ ହଜି ଯାଉଥିବା ବେଳେ, ଏହି ସ୍ଥାନଗୁଡ଼ିକୁ ପୁଣିଥରେ ସୁରକ୍ଷିତ ଓ ଚଳଚଞ୍ଚଳ କରିବାର ସମୟ ଆସିଯାଇଛି। ତୁରନ୍ତ ଏଦିଗରେ ପଦକ୍ଷେପ ନ ନିଆଗଲେ ଆଗାମୀ ପିଢ଼ି କଂକ୍ରିଟ୍ ଜଙ୍ଗଲ ଓ ମୋବାଇଲ୍ ସ୍କ୍ରିନ୍ ଭିତରେ କେବଳ ସୀମିତ ହୋଇ ରହିଯିବ। ମୋଟାମୋଟି କହିବାକୁ ଗଲେ ଏବେ ନୁହେଁ ତେବେ କେବେ ନୁହେଁ।

