ଇନ୍ଦୋରରେ 8 ଜଣଙ୍କ ମୃତ୍ୟୁ ପାଇଁ ନର୍ଦ୍ଦମା ପାଣି ଦାୟୀ, ଲ୍ୟାବ ରିପୋର୍ଟରୁ ସ୍ପଷ୍ଟ
ପାନୀୟ ଜଳ ପାଇପ ଲାଇନରେ ଲିକେଜ ହୋଇ ନର୍ଦ୍ଦମା ପାଣି ମିଶିଥିଲା । ଫଳରେ ଏହି ଦୂଷିତ ପାଣି ପିଇବାରୁ 8 ଜଣଙ୍କ ମୃତ୍ୟୁ ହୋଇଛି । ଲ୍ୟାବ ରିପୋର୍ଟରେ ସ୍ପଷ୍ଟ ।


Published : January 2, 2026 at 1:37 PM IST
ଇନ୍ଦୋର(ମଧ୍ୟପ୍ରଦେଶ): ଇନ୍ଦୋରର ଭାଗିରଥପୂରାରେ 8 ଜଣଙ୍କ ମୃତ୍ୟୁ ପାଇଁ ନର୍ଦ୍ଦମା ଜଳ ଦାୟୀ । ଲ୍ୟାବ ରିପୋର୍ଟରୁ ସ୍ପଷ୍ଟ । ଗତ କିଛି ଦିନ ହେଲାଣି ମଧ୍ୟ ପ୍ରଦେଶ ଇନ୍ଦୋର ସହରର ଭାଗିରଥପୂରା ଅଞ୍ଚଳରେ ଘାତକ ସାଜିଛି ଦୂଷିତ ଜଳ । ଦୂଷିତ ପାଣି ପିଇବାରୁ ଡାଇରିଆରେ 8 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 1400ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି ।
ଇନ୍ଦୋର ସ୍ବାସ୍ଥ୍ୟ ବିଭାଗର ମୁଖ୍ୟ ଅଧିକାରୀ(CMHO) ଡାକ୍ତର ମାଧବ ପ୍ରସାଦ ହସାନି କହିଛନ୍ତି, ‘ଇନ୍ଦୋରର ଏକ ସରକାରୀ ମେଡିକାଲ କଲେଜରୁ ପ୍ରସ୍ତୁତ ଲ୍ୟାବ ରିପୋର୍ଟ ଅନୁଯାୟୀ, ଭାଗିରଥପୂରା ଅଞ୍ଚଳରେ ପାଇପଲାଇନ ଲିକେଜ୍ ଯୋଗୁଁ ପାନୀୟ ଜଳ ଦୂଷିତ ହୋଇଥିଲା । ଫଳରେ ଡାଇରିଆ ବ୍ୟାପିଥିଲା । ଏନେଇ ରିପୋର୍ଟରେ ସ୍ପଷ୍ଟ ହୋଇଛି ।’ ତେବେ ଲ୍ୟାବ ରିପୋର୍ଟରେ ବିସ୍ତୁତ ତଥ୍ୟ ସେ ପ୍ରଦାନ କରିନାହାନ୍ତି ।
ପାନୀୟ ଜଳରେ ମିଶିଥିଲା ନର୍ଦ୍ଦମା ପାଣି:
ଭାଗିରଥପୂରା ଅଞ୍ଚଳରେ ପାନୀୟ ଜଳ ପାଇପ ସଂଯୋଗ ଲାଇନରେ ଲିକେଜ କାରଣରୁ ନର୍ଦ୍ଦମା ଜଳ ମିଶିଥିଲା । ଏହା ନିକଟରେ ଏକ ଶୌଚାଳୟ ନିର୍ମାଣ ହୋଇଥିଲା । ତେବେ ଏହି ନର୍ଦ୍ଦମା ପାଣି ପାନୀୟ ଜଳରେ ମିଶିଥିଲା । ଯାହାକି ସମଗ୍ର ଭାଗିରଥପୂରା ଅଞ୍ଚଳକୁ ଯାଇଛି । ତେବେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଶାସନ ସଚିବ ସଞ୍ଜୟ ଦୁବେ ଗତ ଗୁରୁବାର ଭାଗିରଥପୂରା ଅଞ୍ଚଳକୁ ଗସ୍ତ କରି ସମୀକ୍ଷା କରିଥିଲେ ।
ତେବେ ସମୀକ୍ଷା ପରେ ଅତିରିକ୍ତ ଶାସନ ସଚିବ ସଞ୍ଜୟ ଦୁବେ କହିିଥିଲେ, ‘ଆମେ ସମଗ୍ର ଭାଗିରଥପୁରା ଅଞ୍ଚଳରେ ସମୀକ୍ଷା କରିଛୁ । ପାନୀୟ ଜଳ ଯୋଗାଣ ପାଇପ କେଉଁଠାରେ ଲିକେଜ ହୋଇଛି ତାହା ଖୋଜୁଛୁ । ତେବେ ସମୀକ୍ଷା ପରେ ଭାଗିରଥପୂରା ଅଞ୍ଚଳରେ ପ୍ରତିଟି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇଛୁ । ଏଥିସହ ପାନୀୟ ଜଳକୁ ଗରମ କରି ପିଇବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛୁ ।’
ସେ ଆହୁରି କହିଛନ୍ତି, ‘ଏହି ଅଞ୍ଚଳରୁ ପାନୀୟ ଜଳ ନମୂନା ସଂଗ୍ରହ କରି ଟେଷ୍ଟିଂ ପାଇଁ ପଠାଇଛୁ । ଏଥିସହ ଜାତୀୟ ମାନବାଧିକାର କମିଶନ(NHRC) ଏହି ଘଟଣାରେ କାରଣ ଦର୍ଶାଇ ନୋଟିସ୍ ଜାରି କରିଛନ୍ତି । ମୁଖ୍ୟ ଶାସନ ସଚିବ ଗତ ଗୁରୁବାର ଏକ ନୋଟିସ୍ ଜାରି କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।’
ଏହା ମଧ୍ୟ ପଢନ୍ତୁ: ସ୍ବଚ୍ଛ ସହରରେ ଦୂଷିତ ପାଣି ସାଜିଲା କାଳ: ଇନ୍ଦୋରରେ 7 ମୃତ, 120ରୁ ଊର୍ଦ୍ଧ୍ବ ହସ୍ପିଟାଲରେ ଭର୍ତ୍ତି |
କଣ କହୁଛି ସରକାରୀ ତଥ୍ୟ ?
ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଗତ ଗୁରୁବାର ସୁଦ୍ଧା ଭାଗିରଥପୂରା ଅଞ୍ଚଳର 1714 ଘରେ ସର୍ଭେ କରାଯାଇଛିି । ଯେଉଁଥିରେ 8571 ଲୋକଙ୍କୁ ପରୀକ୍ଷା ନୀରିକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ 338 ଠାରେ ଝାଡାବାନ୍ତି ଲକ୍ଷଣ ରହିଛି । ସେମାନଙ୍କୁ ଘରେ ପ୍ରାଥମିକ ଚିକିତ୍ସା ଦିଆଯାଉଛି । 272 ଜଣ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ 71 ଜଣ ଡିସଚାର୍ଜ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 201 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ 32 ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ।

