ଭାରତର ଏପ୍ଷ୍ଟିନ: ଡାର୍କ ୱେବରେ 47 ଦେଶକୁ ଶିଶୁଙ୍କ ଯୌନ ଶୋଷଣ ଭିଡିଓ ବିକ୍ରି, ଦମ୍ପତିଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ
ଏହି ଦମ୍ପତି 3ରୁ 18 ବର୍ଷ ବୟସର ପିଲାମାନଙ୍କୁ ନିର୍ଯାତନା ଦେଉଥିଲେ । ସେହି କାର୍ଯ୍ୟଗୁଡ଼ିକୁ ରେକର୍ଡ କରି ଡାର୍କ ୱେବ୍ ମାଧ୍ୟମରେ 47ଟି ଦେଶରେ ଥିବା ସେମାନଙ୍କ ଗ୍ରାହକଙ୍କୁ ବିକ୍ରି କରୁଥିଲେ ।

Published : February 21, 2026 at 4:18 PM IST
ବାନ୍ଦା (ଉତ୍ତରପ୍ରଦେଶ): ସାରା ଦୁନିଆରେ ଏବେ ଟ୍ରେଣ୍ଡିଂ କରୁଛି ଜେଫ୍ରି ଏପ୍ଷ୍ଟିନର କଳାକାରନାମା । ଏହି କଳାକାରନାମା ଭଳି ଏକ ସମାନ ଘଟଣା ଉତ୍ତରପ୍ରଦେଶ ଅଞ୍ଚଳରେ ଘଟି ସାରା ଦେଶରେ ଚହଳ ସୃଷ୍ଟି କରିଛି । ଦୀର୍ଘ 10 ବର୍ଷ ଧରି ଉତ୍ତରପ୍ରଦେଶର ଦମ୍ପତି 30ରୁ ଉର୍ଦ୍ଧ୍ବ ଶିଶୁଙ୍କୁ ଟାର୍ଗେଟ କରିଥିଲେ । ସେମାନଙ୍କ ସହିତ ଅଶ୍ଲୀଳ ବ୍ୟବହାର, ଭିଡିଓ ରେକର୍ଡ କରିବା ଓ ସେଗୁଡ଼ିକୁ ଡ଼ାର୍କ ୱେବରେ ବିକ୍ରି କରିବା ଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଏଭଳି ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ଦୋଷୀଙ୍କୁ ଚରମ ଦଣ୍ଡରେ ଦଣ୍ଡିତ କରିଛନ୍ତି ।
କୋର୍ଟଙ୍କ 10 ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ:
ଏହି ଅମାନୁଷିକ ଅପରାଧକୁ ସୁପ୍ରିମକୋର୍ଟ ଏକ ବିରଳ ଅପରାଧ (Rarest of Rare) ଭାବେ ଅଭିହିତ କରିଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାମ ଭବନ ଓ ତାଙ୍କ ପତ୍ନୀ ଦୁର୍ଗାବତୀଙ୍କୁ 33 ଜଣ ଶିଶୁଙ୍କୁ ଯୌନ ଉତ୍ପୀଡ଼ନ ଓ ଶୋଷଣ ମାମଲାରେ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି । ମୁଖ୍ୟ ଅଭିଯୁକ୍ତ ରାମ ଭବନ ଜଣେ ସରକାରୀ ଜୁନିୟର ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ । ଟ୍ରାଏଲ କୋର୍ଟ ଏହି ମାମଲାରେ ପୀଡିତ ସମସ୍ତ ଶିଶୁଙ୍କୁ 10 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛି । ଏହା ସହିତ ଦୋଷୀଙ୍କ ଘରୁ ଜବତ ହୋଇଥିବା ନଗଦ 8 ଲକ୍ଷ ଟଙ୍କାକୁ ମଧ୍ୟ ପୀଡିତଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିବା ପାଇଁ କହିଛନ୍ତି ।
ଅତିଘୃଣ୍ୟ ଅପରାଧ:
ଟ୍ରାଏଲ ଜଜ୍ ଏହି ମାମଲାର ଶୁଣାଣି କରୁଥିବା ବେଳେ କହିଥିଲେ ଯେ, ଦୋଷୀଙ୍କ ନୈତିକ ପତନ ଘଟିବା ସହିତ ସେମାନେ ବିଭିନ୍ନ ଜିଲ୍ଲାରେ ଏପରି ସାଂଘାତିକ ଅପରାଧ କରିଛନ୍ତି । ଏହି ଅପରାଧକୁ ଅତିଘୃଣ୍ୟ ପ୍ରକୃତି ଭାବେ ଅଭିହିତ କରି ନ୍ୟାୟିକ ପ୍ରକ୍ରିୟା ପାଇଁ ଦୋଷୀଙ୍କୁ ଚରମ ଦଣ୍ଡ ଶୁଣାଥିଲେ । ସେ କହିଛନ୍ତି, "ଏହି ଅପରାଧ ପାଇଁ ସୁଧାର ବା ବ୍ୟବହାରରେ ପରିବର୍ତ୍ତନର କୌଣସି ବିକଳ୍ପ ନାହିଁ ।"
ସିବିଆଇ ଯାଞ୍ଚ:
ରାମ ଭବନ ଓ ଦୁର୍ଗାବତୀ ଶିଶୁଙ୍କୁ ଯୌନ ଉତ୍ପୀଡ଼ନ ଓ ଶୋଷଣ ମାମଲାରେ ପ୍ରଥମେ ଅକ୍ଟୋବର 31, 2020 ମସିହାରେ ସିବିଆଇ ଦ୍ବାରା ଗିରଫ ହୋଇଥିଲେ । ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ବିରୋଧରେ ଶିଶୁଙ୍କ ପ୍ରତି ଯୌନ ନିର୍ଯାତନା, ପର୍ଣ୍ଣୋଗ୍ରାଫି ଉଦ୍ଦେଶ୍ୟରେ ପିଲାମାନଙ୍କୁ ବ୍ୟବହାର କରିବା ଏବଂ ଇଣ୍ଟରନେଟରେ ଶିଶୁ ଯୌନ ନିର୍ଯାତନା ସାମଗ୍ରୀ ସୃଷ୍ଟି ଏବଂ ପ୍ରସାରଣ ଅଭିଯୋଗ ଆଦି ଅଭିଯୋଗ ରହିଥିଲା । ଏହି ମାମଲାର ଗଭୀର ଯାଞ୍ଚ କରି ସିବିଆଇ ଫେବୃଆରୀ 10, 2021 ମସିହାରେ ଚାର୍ଜସିଟ ଦାଖଲ କରିଥିଲା । ମେ 26, 2023 ମସିହାରେ ଏହି ଅପରାଧ ଏକ ଟ୍ରାଏଲ କୋର୍ଟରେ ପ୍ରମାଣିତ ହୋଇଥିଲା ।
ଅପରାଧିଙ୍କ ଥିଲେ 47ଟି ଦେଶର ଗ୍ରାହକ:
ସରକାରୀ ଓକିଲ ସୌରଭ ସିଂ କହିଛନ୍ତି,"ରାମଭବନ ଓ ଦୁର୍ଗାବତୀଙ୍କ ନାମରେ ହୋଇଥିବା FIR ମୁତାବକ ଚିତ୍ରକୁଟ ଠାରେ ଦୁହେଁ ରହୁଥିବା ଭଡ଼ା ଘରେ 33ଜଣ ଶିଶୁଙ୍କ ସହିତ ଯୌନ ଶୋଷଣ ଭଳି ଅପରାଧ କରୁଥିଲେ । କେବଳ ଏତିକି ନୁହେଁ ଏହାର ଭିଡିଓ କରି 47ଟି ଦେଶରେ ଥିବା ଗ୍ରାହକଙ୍କୁ ପଠାଇ ବ୍ୟବସାୟ ମଧ୍ୟ କରୁଥିଲେ ।" ଏହି ମାମଲାରେ ପୀଡିତ ଶିଶୁଙ୍କ ବୟସ 3ରୁ 18 ବର୍ଷ ବୋଲି ଜଣାପଡିଛି ।
10 ବର୍ଷ ଧରି ଭିଆଉଥିଲେ ଜଘନ୍ୟ ଅପରାଧ:
ଏହି ଦମ୍ପତିଙ୍କ ନିକଟରୁ 2 ଲକ୍ଷ ଭଳି ବିପୁଳ ସଂଖ୍ୟାରେ ଶିଶୁଙ୍କ ଅଶ୍ଳୀଳ ଭିଡିଓ ଜବତ କରିଥିବା ସିବିଆଇ ଯାଞ୍ଚରୁ ସ୍ପଷ୍ଟ ହୋଇଛି । ସରକାରୀ ଓକିଲଙ୍କ ଅନୁଯାୟୀ ରାମ ଭବନ ଓ ତାଙ୍କ ପତ୍ନୀ ଏପରି ଅମାନୁଷିକ କାରନାମା ଦୀର୍ଘ 10ରୁ 12 ବର୍ଷ ଧରି କରିଆସୁଥିଲେ । ଉତ୍ତରପ୍ରଦେଶର ଚିତ୍ରକୁଟ ଅଞ୍ଚଳରେ ଅପରାଧୀ ଦମ୍ପତି ଏହି କଳାକାରନାମା 2010ରୁ ନେଇ 2020 ପର୍ଯ୍ୟନ୍ତ ଘଟାଇ ଆସୁଥିଲେ ବୋଲି CBI କହିଛି ।
ପୀଡିତଙ୍କ ମଧ୍ୟରେ ଥିଲେ ପୁଅ ଶିଶୁ:
ଦମ୍ପତିଙ୍କ 33 ଜଣ ପୁଅ ଶିଶୁଙ୍କ ସହିତ ଯୌନ ଅତ୍ୟାଚାର କରିଥିଲେ । ପୀଡ଼ିତଙ୍କ ମଧ୍ୟରେ 3 ବର୍ଷର ଶିଶୁ ମଧ୍ୟ ରହିଛି । ଏଥିପାଇଁ ସେମାନଙ୍କୁ ଅନଲାଇନ୍ ଗେମ୍, ଟଙ୍କା ଓ ଉପହାର ଦେବା ପାଇଁ କହି ପ୍ରଲୋଭନ ଦେଖାଉଥିଲେ । ଶୋଷଣର ଶିକାର ଶିଶୁମାନେ ବହୁ ଗଭୀର ଭାବେ ଶାରୀରିକ ଓ ମାନସିକ ଭାବେ ଆଘାତ ପାଇଥିବା ତଦନ୍ତକାରୀ ସଂସ୍ଥା କହିଛି । ବର୍ତ୍ତମାନ ମଧ୍ୟ କିଛି ପୀଡିତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଏବେ ମଧ୍ୟ ସେମାନେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି ।
ପୋଲିସ ଅଧିକାରୀ ବହୁ ସମ୍ବେଦନଶୀଳତାର ସହିତ ଏହି ମାମଲାର ତଦନ୍ତ କରିଥିଲେ । ନାବାଳକ ପୀଡିତଙ୍କ ସହିତ କଥୋପକଥନ ବେଳେ ସେମାନଙ୍କ ଶାରୀରିକ ଓ ମାନସିକ ସ୍ଥିତି ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇଥିଲା । ଏହି ମାମଲାର ତଦନ୍ତରେ ଫୋରେନ୍ସିକ ବିଶେଷଜ୍ଞ, ଚିକିତ୍ସାଧିକାରୀ ମାନେ ଜଡ଼ିତ ଥିଲେ । ଏହି ମାମଲାର ସମସ୍ତ ତଥ୍ୟ ଓ ପ୍ରମାଣକୁ ଡିଜିଟାଲ ସ୍ତରରେ ସଂଗ୍ରହ କରାଯାଇଛି ।

