ବେଜିଂରେ ଭାରତ-ଚୀନ ଆଲୋଚନା; ସୀମା ସୁରକ୍ଷା ନେଇ ସମୀକ୍ଷା, କୂଟନୈତିକ ଏବଂ ସାମରିକ ଯୋଗାଯୋଗ ଜାରି ନେଇ ସହମତି
ସୀମାରେ ଶାନ୍ତି ସ୍ଥାପନ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଧୀରେ ଧୀରେ ସ୍ୱାଭାବିକ କରିବା ଦିଗରେ ଦୁଇ ଦେଶର ପ୍ରୟାସକୁ ନେଇ ଭାରତ-ଚୀନ ସନ୍ତୋଷ ପ୍ରକାଶ କରିଛନ୍ତି ।


Published : May 28, 2026 at 1:48 PM IST
ନୂଆଦିଲ୍ଲୀ:ଭାରତ ଓ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବୁଧବାର ବେଜିଂରେ ଦ୍ୱିପାକ୍ଷିକ ଆଲୋଚନା ସହ ସୀମା ସ୍ଥିତି ଉପରେ ସମୀକ୍ଷା କରାଯାଇଛି । ଏହି ଦ୍ୱିପାକ୍ଷିକ ଆଲୋଚନା ଗଠନମୂଳକ ତଥା ଭବିଷ୍ୟମୁଖୀ ହୋଇଥିବା କୁହାଯାଇଛି । ସୀମାରେ ଶାନ୍ତି ସ୍ଥାପନ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଧୀରେ ଧୀରେ ସ୍ୱାଭାବିକ କରିବା ଦିଗରେ ଦୁଇ ଦେଶର ପ୍ରୟାସକୁ ନେଇ ଉଭୟ ପକ୍ଷ ସନ୍ତୋଷ ପ୍ରକାଶ କରିଥିଲେ ।
ୱାର୍କିଂ ମେକାନିଜିମ ଫର କନସୁଲେସନ ଆଣ୍ଡ କୋଅର୍ଡିନେସନ (WMCC)ର 35ତମ ବୈଠକରେ ଭାରତ-ଚାଇନା ସୀମା ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଅନୁସାରେ, ଉଭୟ ପକ୍ଷ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନା ସକାରାତ୍ମକ ତଥା ଦୂରଦୃଷ୍ଟି ସମ୍ପନ୍ନ ହୋଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ଯୁଗ୍ମ ସଚିବ ସୁଜିତ ଘୋଷ ନେଇଥିବାବେଳେ ଚୀନ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିଲେ ଚୀନ ବୈଦେଶିକ ମନ୍ତ୍ରାଳୟର ସୀମା ଓ ସମୁଦ୍ର ବ୍ୟାପାର ବିଭାଗର ଡାଇରେକ୍ଟର ଜେନେରାଲ ହୋ ୟାଙ୍କି ।
ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଭାରତ-ଚୀନ ସୀମା ସୁରକ୍ଷା ସ୍ଥିତି ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା । ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ରକ୍ଷା ଲାଗି ଉଭୟ ପକ୍ଷରୁ ନିଆ ଯାଇଥିବା ଉଦ୍ୟମର ଉଭୟ ମନ୍ତ୍ରାଳୟ ସନ୍ତୋଷ ପ୍ରକାଶ କରିଥଲେ । ଏହି ଉଦ୍ୟମ ଧୀରେ ଧୀରେ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ୱାଭାବିକ ଆଡକୁ ନେଉଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଏହି ଅବସରରେ ଉଭୟ ପକ୍ଷ ସୀମା ନିର୍ଦ୍ଧାରଶ, ସୀମା ପରିଚାଳନା, ସୀମାପାର ସହଯୋଗ ଉପରେ ଆଲୋଚନା କରିଥିଲେ । ଭାରତ ପକ୍ଷରୁ ସୀମାପାର ନଦୀ ଉପରେ ପରବର୍ତ୍ତୀ ବିଶେଷଜ୍ଞ ସ୍ତରୀୟ ଆଲୋଚନା ଉପରେ ଗୁରୁତ୍ୱ ଦେଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଏଥିସହିତ ଦୁଇ ଦେଶର ନେତା 24ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନାର ଫଳାଫଳରେ ସହମତ ପ୍ରକାଶ କରିବା ସହିତ କୂଟନୀତିକ ତଥା ସାମରିକ ସ୍ତରୀୟ ନିୟମିତ ଆଲୋଚନା ବଜାୟ ରଖିବାକୁ ସହମତି ପ୍ରକାଶ କରିଥିଲେ ।
ଏହା ମଧ୍ୟ ପଢନ୍ତୁ ବିସ୍କେକରେ ଚୀନ ଓ ଋଷ ରକ୍ଷାମନ୍ତ୍ରୀଙ୍କ ସହ ରାଜନାଥ ସିଂହଙ୍କ ଉଚ୍ଚସ୍ତରୀୟ ଆଲୋଚନା
ଏହା ମଧ୍ୟ ପଢନ୍ତୁ ଅକ୍ଟୋବରରେ G20 ବୈଦେଶିକ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆୟୋଜନ କରିବ ଆମେରିକା

