ଭାରତ ବିଶ୍ବର ସର୍ବବୃହତ୍ତ ଧାନ ଉତ୍ପାଦନକାରୀ ଦେଶ, ପଛରେ ପଡିଲା ଚୀନ
ଚୀନ 145.28 ମିଲିୟନ୍ ଟନ୍ ଉତ୍ପାଦନ କରୁଥିବା ବେଳେ ଭାରତ 150.18 ମିଲିୟନ୍ ଟନ୍ରେ ପହଞ୍ଚିଛି, ଏହି ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ।

Published : January 5, 2026 at 1:36 PM IST
ନୂଆଦିଲ୍ଲୀ: ଧାନ ଉତ୍ପାଦନରେ ବିଶ୍ବରେ ଏକ ନମ୍ବର ଭାରତ । 150.18 ମିଲିୟନ୍ ଟନ୍ ମୋଟ ଧାନ ଉତ୍ପାଦନ ସହ ଚୀନକୁ ପଛରେ ପକାଇ ବିଶ୍ବର ସର୍ବବୃହତ ଧାନ ଉତ୍ପାଦନକାରୀ ଦେଶ ହୋଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ । ସେ 25ଟି ଫସଲର 184ଟି ନୂଆ କିସମ ପ୍ରକାଶ କରିଛନ୍ତି ।
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଏହି ନୂଆ ଉଚ୍ଚ ଅମଳକାରୀ ବିହନ କିସମଗୁଡିକ ଉସଲ ଉତ୍ପାଦନ ବୃଦ୍ଧି କରିବ ଓ ଚାଷୀଙ୍କ ଆୟ ଦ୍ବିଗୁଣିତ କରିବ । ଏହି ନୂତନ କିସମ ଗୁଡିକ ଖୁବଶୀଘ୍ର ଚାଷୀଙ୍କ ନିକଟରେ ପହଞ୍ଚାଇବାକୁ ମନ୍ତ୍ରଣାଳୟର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।
ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ମନ୍ତ୍ରୀ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ବାରା ବିକଶିତ 25ଟି କ୍ଷେତ ଫସଲର 184ଟି ଉନ୍ନତ କିସମ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସମ୍ବୋଧିତ କରି ଚୌହାନ କହିଛନ୍ତି ଯେ ଦେଶ ଉଚ୍ଚ ଅମଳକାରୀ ବିହନ ବିକାଶରେ ବଡ ସଫଳତା ହାସଲ କରିଛି । ଯେବେଠାରୁ 1969 ମସିହାରେ ଗେଜେଟ ବିଜ୍ଞପ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ସେବେଠାରୁ ମୋଟ 7,205 ଫସଲ କିସମକୁ ନୋଟିଫାଏଡ କରାଯାଇଛି, ଯେଉଁଥିରେ ଚାଉଳ, ଗହମ, ଯଅ, ମକା, ଡାଲି, ତୈଳବୀଜ , ଫାଇବର କ୍ରପ ଇତ୍ୟାଦି ଅନ୍ତର୍ଭୁକ୍ତ ।
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେଇଥିଲେ "ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧିନ ସରକାର ଦ୍ବାରା 3,326ଟି ଉଚ୍ଚ ଅମଳକ୍ଷମ କିସମକୁ ଅନୁମୋଦନ କରାଯାଇଛି । 1969ରୁ 2014 ମଧ୍ୟରେ 3,969 କିସମକୁ ନୋଟିଫାଏଡ କରାଯାଇଥିଲା । ଭାରତ ଏବେ ଖାଦ୍ୟ ଅଭାବୀ ଦେଶରୁ ଖାଦ୍ୟ ଯୋଗକାରୀ ଦେଶ ପାଲଟିଛି । "
ଚୌହାନ କହିଛନ୍ତି, " ଧାନ ଉତ୍ପାଦନରେ ଚୀନକୁ ପଛରେ ପକାଇ ବିଶ୍ବର ସର୍ବବୃହତ୍ତ ଉତ୍ପାଦନକାରୀ ଦେଶ ହୋଇଛି ଭାରତ । ଚୀନ 145.28 ମିଲିୟନ୍ ଟନ୍ ଉତ୍ପାଦନ କରୁଥିବା ବେଳେ ଭାରତ 150.18 ମିଲିୟନ୍ ଟନ୍ରେ ପହଞ୍ଚିଛି, ଏହା ଏକ ଅଭୂତପୂର୍ବ ସଫଳତା । ଭାରତ ଏବେ ବିଦେଶୀ ବଜାରରେ ଧାନ ଯୋଗାଣ କରୁଛି । ଦେଶରେ ପ୍ରଚୁର ଖାଦ୍ୟ ଶସ୍ୟ ମହଜୁଦ ରହିଛି, ଯାହା ଦ୍ବାରା ଭାରତର ଖାଦ୍ୟ ସୁରକ୍ଷା ସୁନିଶ୍ଚିନ୍ତ ହେଉଛି । "
2020 ଦିଲ୍ଲୀ ଦଙ୍ଗା ମାମଲା: ଉମର ଖାଲିଦ, ଶାରଜିଲ ଇମାମଙ୍କ ଜାମିନ ନାମଞ୍ଜୁର କଲେ ସୁପ୍ରିମକୋର୍ଟ
ଦେଶରେ ଖୋଲିଲା ପ୍ରଥମ AI କ୍ଲିନିକ୍; ଲୋକଙ୍କୁ ମିଳିବ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା

