ପ୍ରବଳ ବର୍ଷାରେ ଧସିଲା LPG ବଟଲିଂ ପ୍ଲାଣ୍ଟ୍, ନଦୀ ସୁଅରେ ଭାସିଗଲା 3000 ଗ୍ୟାସ୍ ସିଲିଣ୍ଡର !
ମୁମ୍ବାଇର ପନଭେଲ ତାଲୁକା ଅନ୍ତର୍ଗତ ଚଭାନେ ସ୍ଥିତ ଏକ HPCL ଏଲ୍ପିଜି ବଟଲିଂ ପ୍ଲାଣ୍ଟରୁ ଭୀଷଣ ବର୍ଷା ଯୋଗୁଁ ପ୍ରାୟ 3000 ସିଲିଣ୍ଡର ଭାସି ଯାଇଛି ।

Published : July 9, 2026 at 4:04 PM IST
ମହାରାଷ୍ଟ୍ର: ନଦୀରେ ଭାସିଗଲା 3000 ଏଲ୍ପିଜି ସିଲିଣ୍ଡର । ସାରା ଭାରତରେ ଏବେ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି । ଏପରି ସ୍ଥଳରେ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସବୁ ବର୍ଷ ପରେ ଚଳିତ ବର୍ଷ ମଧ୍ୟ ବର୍ଷା ସମସ୍ୟା ଘେରରେ ରହିଛି । ଏପରି ସମୟରେ ମୁମ୍ବାଇର ରାଇଗଡ଼ ସ୍ଥିତ HPCL ଏଲ୍ପିଜି ବଟଲିଂ ପ୍ଲାଣ୍ଟଟି ବର୍ଷାରେ ଧସିଯିବା ହେତୁ ପ୍ରାୟ 3000 ସିଲିଣ୍ଡର ନିକଟସ୍ଥ ପାତାଳଗଙଙ୍ଗା ନଦୀରେ ଭାସିଯାଇଛି ।
ଭୀଷଣ ବର୍ଷା ସାଧିଲା ଦାଉ:
ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ମୁମ୍ବାଇ- ଗୋଆ ହାଇୱେ ନିକଟବର୍ତ୍ତୀ ଖାରପଡ଼ା ଅଞ୍ଚଳରେ ପ୍ରବାହିତ ପାତାଳଗଙ୍ଗା ନଦୀରେ ହଜାର ହଜାର ସଂଖ୍ୟା ଭାସୁଥିବା ସିଲିଣ୍ଡର ଦେଖିବାକୁ ମିଳୁଛି । ଉକ୍ତ ସମୟରେ ଏତେ ସଂଖ୍ୟକ ସିଲିଣ୍ଡର କିପରି ନଦୀରେ ଭାସମାନ ଅବସ୍ଥାକୁ ଆସିଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏହା ପରେ ପ୍ରଶାସନ ସୂଚନା ଦେଇ କହିଛନ୍ତି ଯେ, ପନଭେଲ ତାଲୁକା ଅନ୍ତର୍ଗତ ଚଭାନେ ସ୍ଥିତ ଏକ HPCL ଏଲ୍ପିଜି ବଟଲିଂ ପ୍ଲାଣ୍ଟରୁ ଭୀଷଣ ବର୍ଷା ଯୋଗୁଁ ପ୍ରାୟ 3000 ସିଲିଣ୍ଡର ଭାସି ଯାଇଛି ।
ଏହି ଭାସମାନ ସିଲିମ୍ଡର ମଧ୍ୟରେ ଉଭୟ ପୂର୍ଣ୍ଣ ଓ ଖାଲି ସିଲିଣ୍ଡରମାନ ରହିଥିଲା । ପାତାଳଗଙ୍ଗା ନଦୀରେ ଭାସମାନ ସିଲିଣ୍ଡରକୁ କିଛି ସ୍ଥାନୀୟ ଲୋକ ଦୌଡ଼ି ଓ ହୁକ୍ ଦ୍ବାରା ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା ।
ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଭାସିଯାଇଥିବା ଉକ୍ତ ବ୍ୟାଚ୍ରେ ଉଭୟ ପୂର୍ଣ୍ଣ ଓ ଖାଲି ସିଲିଣ୍ଡରମାନ ରହିଛି । ବନ୍ୟା ପାଣିରେ ସ୍ରୋତ ଅଧିକ ଥିବାରୁ ଏହା ସମସ୍ତ ସିଲିଣ୍ଡରକୁ ଏକ ଝରଣା ଦିଗରେ ଭସାଇ ନେଇଛି ।
ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ କିଶାନ ଜୱାଲେ ସ୍ଥାନୀୟ ଲୋକଙ୍କୁ ଅନୁରୋଧ କରିଛନ୍ତି ଯେ, କେହି ଉକ୍ତ ସିଲିଣ୍ଡର ପାଇଲେ HPCL କମ୍ପାନୀ ନିକଟରେ ଜମା କରନ୍ତୁ । ଏପରି ସମସ୍ୟାରେ ଉକ୍ତ ସିଲିଣ୍ଡରକୁ ସାଧାରଣ ଜନତା ନିଜ ପାଖରେ ନ ରଖିବାକୁ ପରାମର୍ଶ ଦେଇଛନ୍ତି । ସେପଟେ ସିଲିଣ୍ଡର ଭାସୁ ଥିବାରୁ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

