ETV Bharat / bharat

ଆରପାରିରେ ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ମୁକୁଲ ରାୟ

ପଶ୍ଚିମବଙ୍ଗ ରାଜନୀତିରେ ଶୋକର ଛାୟା । ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ମୁକୁଲ ରାୟଙ୍କ ପରଲୋକ । ହୃଦଘାତରେ ଶିକାର ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି ।

MUKUL ROY PASSES AWAY
ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ମୁକୁଲ ରାୟଙ୍କ ପରଲୋକ (ETV Bharat Odisha)
author img

By ETV Bharat Odisha Team

Published : February 23, 2026 at 9:15 AM IST

2 Min Read
Choose ETV Bharat

MUKUL ROY PASSES AWAY କୋଲକାତା: ଆଖି ବୁଜିଲେ ପଶ୍ଚିମବଙ୍ଗ ରାଜନୀତିର ଚାଣକ୍ୟ ତଥା ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ମୁକୁଲ ରାୟ । ସେ ଗତ କିଛି ଦିନ ହେବ ହୃଦଘାତରେ ଶିକାର ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି (ରବିବାର) ବିଳମ୍ବିତ ରାତିରେ କୋଲକାତାର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି (ସୋମବାର) ତାଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ କାଞ୍ଚରାପଡ଼ା ସ୍ଥିତ ବାସଭବନକୁ ନିଆଯାଇଛି । ହାଲିଶହର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି ।

ମୁୁକୁଲ ରାୟଙ୍କୁ 72 ବର୍ଷ ବୟସ ହୋଇଥିଲା । ମୁକୁଲ 1954 ମସିହା ଏପ୍ରିଲ 17 ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ କ୍ରିଷ୍ଣା ରାୟ ଏବଂ ପୁଅଙ୍କ ନାମ ଶୁଭ୍ରାଂଶୁ ରାୟ।

ମୁକୁଲ ରାୟଙ୍କ ରାଜନୈତିକ ଜୀବନ:

ମୁକୁଲଙ୍କ ରାଜନୈତିକ ଜୀବନ ବାମପନ୍ଥୀ ଶିବିରରୁ ଆରମ୍ଭ ହୋଇଥିଲା । ପରେ ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇ ମମତା ବାନାର୍ଜୀଙ୍କ ନିକଟତର ହୋଇଥିଲେ । 2009 ମସିହାରେ ଦ୍ବିତୀୟ ୟୁପିଏ (UPA) ସରକାରରେ ଜାହାଜ ଚଳାଚଳ ରାଜ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ କେନ୍ଦ୍ର ରେଳମନ୍ତ୍ରୀ ହୋଇଥିଲେ । ୨୦୧୭ ମସିହାରେ ଦୁର୍ଗାପୂଜାର ପଞ୍ଚମୀ ଦିନରେ, ନେତା ନିଜାମ ପ୍ୟାଲେସରେ ଏକ ସାମ୍ବାଦିକ ସମ୍ମିଳନୀ କରି ତୃଣମୂଳରୁ ଅଲଗା ହେବାର ଘୋଷଣା କରିଥିଲେ ମୁକୁଲ । ଏପରି କି ପୂଜା ଶେଷ ହେବା ପରେ, ରାଜ୍ୟସଭା ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଥିଲେ ।

2017 ନଭେମ୍ବର 3 ବିଜେପିରେ ଯୋଗ ଦେଇଥିଲେ ମୁକୁଲ । ଦିଲ୍ଲୀରେ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟରେ ବରିଷ୍ଠ ନେତା ରବି ଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ବିଜେପି ସାମିଲ ହୋଇଥିଲେ । ପରେ କୃଷ୍ଣନଗର ଉତ୍ତର ନିର୍ବାଚନମଣ୍ଡଳୀରୁ ତୃଣମୂଳ ପ୍ରାର୍ଥୀ କୌଶାନୀ ମୁଖାର୍ଜୀଙ୍କୁ ପରାସ୍ତ କରି ମୁକୁଲ ପ୍ରଥମ ଥର ପାଇଁ ବିଧାନସଭା ସଦସ୍ୟ ହୋଇଥିଲେ ।ଏହାପରେ ଜୁନ୍ 2021 ପର୍ଯ୍ୟନ୍ତ ବିଜେପିରେ ରହିଥିବା ବେଳେ, ପୁଣି ଥରେ ତୃଣମୂଳ କଂଗ୍ରେସ କ୍ୟାମ୍ପକୁ ଫେରିଥିଲେ ।

ଯାହାକୁ ନେଇ ତାଙ୍କର ବିଧାୟକ ପଦ ରଦ୍ଦ କରିବା ପାଇଁ କଲିକତା ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା । କୋର୍ଟ ତାଙ୍କ ବିଧାୟକ ପଦବୀ ରଦ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ମୁକୁଲ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ । ପରେ, ସୁପ୍ରିମକୋର୍ଟ ମାନବିକ ଦୃଷ୍ଟିକୋଣରୁ ତାଙ୍କ ଅତ୍ୟନ୍ତ ଶାରୀରିକ ଅସୁସ୍ଥତାକୁ ବିଚାର କରି ତାଙ୍କ ବିଧାୟକ ପଦବୀ ହଟାଇବା ପାଇଁ ନିର୍ଦ୍ଦେଶ ଉପରେ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଜାରି କରିଥିଲେ ।

ମୁକୁଲ ରାୟ ତାଙ୍କ ଜୀବନର ଶେଷ କିଛି ବର୍ଷ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଲଢେଇ କରୁଥିଲେ । ସ୍ନାୟୁଗତ ସମସ୍ୟା ଯୋଗୁଁ, ସେ ଧୀରେ ଧୀରେ ସକ୍ରିୟ ରାଜନୀତିରୁ ସମ୍ପୂର୍ଣ୍ଣ ଭାବରେ ଓହରିଗଲେ ।

ଏହା ମଧ୍ୟ ପଢନ୍ତୁ... ମହାନଦୀ ପୋଲ ଉପରୁ ଡେଇଁ ଜୀବନ ହାରିଲେ ମହିଳା

ଏହା ମଧ୍ୟ ପଢନ୍ତୁ... ମଶାଣିରୁ ଗୋଟିଏ ରାତିରେ 5ଟି ଶବ ଗାଏବ; ରହସ୍ୟ ଉପରୁ କେବେ ଉଠିବ ପରଦା ?

ଏହା ମଧ୍ୟ ପଢନ୍ତୁ... Jharsuguda Accident: ବୋଲେରୋକୁ ଧକ୍କା ଦେଲା ଟ୍ରକ, ୫ ପୋଲିସ ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ