ETV Bharat / bharat

ଜୁଲାଇ ୧୫ ସୁଦ୍ଧା EPFO ପାସବୁକ୍‌ରେ ଦେଖାଯିବ ୮.୨୫% ସୁଧ; ଚାକିରି ବଦଳିଲେ ଆଉ ନାହିଁ PF ଟ୍ରାନ୍ସଫର୍ ଟେନସନ୍ !

୨୦୨୫-୨୬ ପାଇଁ ୮.୨୫ ପ୍ରତିଶତ ବାର୍ଷିକ ସୁଧ ପ୍ରାୟ ୩୪ କୋଟି ସଦସ୍ୟଙ୍କ ଖାତାରେ ଜମା କରିବା ପ୍ରକ୍ରିୟା ଆରମ୍ଭ। ନୂଆ କେନ୍ଦ୍ରୀକୃତ ଡିଜିଟାଲ୍ ବ୍ୟବସ୍ଥାରେ ମିଳିବ ଅନେକ ସୁବିଧା। ସୌରଭ ଶୁକ୍ଳାଙ୍କ ରିପୋର୍ଟ

EPFO INTEREST CREDIT 2025
୨୦୨୫-୨୬ ପାଇଁ ୮.୨୫ ପ୍ରତିଶତ ବାର୍ଷିକ ସୁଧ ପ୍ରାୟ ୩୪ କୋଟି ସଦସ୍ୟଙ୍କ ଖାତାରେ ଜମା କରିବା ପ୍ରକ୍ରିୟା ଆରମ୍ଭ। ନୂଆ କେନ୍ଦ୍ରୀକୃତ ଡିଜିଟାଲ୍ ବ୍ୟବସ୍ଥାରେ ମିଳିବ ଅନେକ ସୁବିଧା। (ETV Bharat)
author img

By ETV Bharat Odisha Team

Published : July 8, 2026 at 4:10 PM IST

2 Min Read
Choose ETV Bharat

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (EPFO)୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୮.୨୫ ପ୍ରତିଶତ ବାର୍ଷିକ ସୁଧ ପ୍ରାୟ ୩୪ କୋଟି ସଦସ୍ୟଙ୍କ ଖାତାରେ ଜମା କରିବା ପ୍ରକ୍ରିୟା ଆରମ୍ଭ କରିଛି। ନୂତନ ସ୍ୱୟଂଚାଳିତ ପ୍ରୋସେସିଂ ବ୍ୟବସ୍ଥା ମାଧ୍ୟମରେ ₹୧.୪୪ ଲକ୍ଷ କୋଟିରୁ ଅଧିକ ସୁଧ ଜମା ହେବାକୁ ଯାଉଛି।

ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ଼. ମନସୁଖ ମନସୁଖ ମାଣ୍ଡଭୀୟ କହିଛନ୍ତି, ପୂର୍ବ ବର୍ଷଗୁଡ଼ିକରେ ସୁଧ ହାର ଘୋଷଣା ପରେ ସଦସ୍ୟମାନେ ଅକ୍ଟୋବର କିମ୍ବା ନଭେମ୍ବର ପର୍ଯ୍ୟନ୍ତ ପାସବୁକ୍‌ରେ ସୁଧ ଦେଖିବାକୁ ଅପେକ୍ଷା କରୁଥିଲେ। କିନ୍ତୁ ଏଥର ଜୁଲାଇ ୧୫ ସୁଦ୍ଧା ସଦସ୍ୟମାନେ ନିଜ ପାସବୁକ୍‌ରେ ସୁଧ ଜମା ହୋଇଥିବା ଦେଖିପାରିବେ। ଏଥିସହ ସେ କହିଛନ୍ତି, ସୁଧ ଜମା ପ୍ରକ୍ରିୟା ସ୍ୱୟଂଚାଳିତ ଭାବେ ପ୍ରୋସେସ୍ କରାଯାଉଛି ଏବଂ ଖାତାରେ ଜମା ପୂର୍ବରୁ କ୍ଷେତ୍ରସ୍ତରୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯାଞ୍ଚ କରାଯାଉଥିବାରୁ କିଛି ସମୟ ଲାଗୁଛି। ଆସନ୍ତାବର୍ଷଠାରୁ ଏହି ବ୍ୟବସ୍ଥା ଆହୁରି ଦୃଢ଼ ଓ ପ୍ରଭାବଶାଳୀ ହେବ।

ଶ୍ରମ ମନ୍ତ୍ରଣାଳୟ ଅନୁସାରେ, ଦ୍ରୁତ ସୁଧ ଜମା ପ୍ରକ୍ରିୟା EPFOର ଅପଗ୍ରେଡ୍ ଓ କେନ୍ଦ୍ରୀକୃତ ଡିଜିଟାଲ୍ ପ୍ଲାଟଫର୍ମର ପ୍ରଥମ ବଡ଼ ଫଳାଫଳ। ଏହି ସପ୍ତାହରେ ଏହାର ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ଆରମ୍ଭ ହେବ। ନୂଆ ସଦସ୍ୟ-କେନ୍ଦ୍ରିକ (Member-centric) ବ୍ୟବସ୍ଥା ପୂର୍ବରୁ ଥିବା ବିକେନ୍ଦ୍ରୀକରଣ (Decentralisation) ପ୍ରଣାଳୀକୁ ବଦଳାଇଛି। ଏବେ ଦେଶର ଯେକୌଣସି EPFO କାର୍ଯ୍ୟାଳୟରୁ ସେବା ପ୍ରଦାନ କରାଯାଇପାରିବ। ଏକ ୟୁନିଫାଏଡ୍ ମେମ୍ବର ପୋର୍ଟାଲ୍ ମାଧ୍ୟମରେ ସଦସ୍ୟମାନେ ନିଜ PF ବାଲାନ୍ସ, କ୍ଲେମ୍ ସ୍ଥିତି ଓ ଅନ୍ୟାନ୍ୟ ସେବା ଗୋଟିଏ ସ୍ଥାନରେ ପାଇପାରିବେ। ସେହିପରି, ସ୍ୱୟଂଚାଳିତ ଯୋଗ୍ୟତା ଯାଞ୍ଚ (Automated Eligibility Check) ଦ୍ୱାରା ନିୟମ ଅନୁଯାୟୀ କ୍ଲେମ୍ ଦାଖଲ ହେବାରୁ କ୍ଲେମ୍ ପ୍ରତ୍ୟାଖ୍ୟାନ ମଧ୍ୟ କମିବ।

  • ଡାଟାବେସ୍ ସ୍ଥାନାନ୍ତରଣ ସମ୍ପୂର୍ଣ୍ଣ

ଡ଼. ମନସୁଖ ମନସୁଖ ମାଣ୍ଡଭୀୟ କହିଛନ୍ତି, Centralised IT Enabled Services (CITES) ଆସିବା ପୂର୍ବରୁ EPFOର ପ୍ରତ୍ୟେକ କ୍ଷେତ୍ରୀୟ କାର୍ଯ୍ୟାଳୟର ଅଲଗା ଅଲଗା ଡାଟାବେସ୍ ଥିଲା। ବର୍ତ୍ତମାନ CITES ମାଧ୍ୟମରେ ଏକକ ଜାତୀୟ କେନ୍ଦ୍ରୀକୃତ ଡାଟାବେସ୍ ସୃଷ୍ଟି ହୋଇଛି। EPFO ସମସ୍ତ ସଦସ୍ୟଙ୍କ ତଥ୍ୟକୁ ଏହି ନୂଆ କେନ୍ଦ୍ରୀକୃତ ଡାଟାବେସ୍‌କୁ ସଫଳତାର ସହ ସ୍ଥାନାନ୍ତର କରିସାରିଛି। ପୂର୍ବରୁ ସେବା କେବଳ ସମ୍ବନ୍ଧିତ ରିଜିଓନାଲ୍ PF ଅଫିସ୍ ସହ ଜଡିତ ଥିଲା। ବର୍ତ୍ତମାନ ଦେଶର ଯେକୌଣସି ଅଧିକୃତ EPFO କାର୍ଯ୍ୟାଳୟରୁ ସଦସ୍ୟଙ୍କ ସେବା ଅନୁରୋଧ ପ୍ରକ୍ରିୟାକରଣ କରାଯାଇପାରିବ।

  • ଗୋଟିଏ ପୋର୍ଟାଲ୍‌ରେ ସମସ୍ତ EPFO ସେବା

ମନ୍ତ୍ରୀ ଶ୍ରୀ ମାଣ୍ଡଭିୟା କହିଛନ୍ତି, ସଦସ୍ୟମାନେ ଲଗ୍-ଇନ୍ କରିବା ପରେ ୟୁନିଫାଏଡ୍ ଡିଜିଟାଲ୍ ଇଣ୍ଟରଫେସ୍ ମାଧ୍ୟମରେ ସଦସ୍ୟତା ବିବରଣୀ, PF ବାଲାନ୍ସ, କ୍ଲେମ୍ ଷ୍ଟାଟସ୍, ପେନ୍‌ସନ୍ ଯୋଗ୍ୟ ସେବା ରେକର୍ଡ ଓ ମିଳିଥିବା ସୁବିଧା ବିଷୟରେ ଜାଣିପାରିବେ। ଏଥିସହ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦେଖିପାରିବେ। ଏହା ଦ୍ୱାରା ସ୍ୱଚ୍ଛତା ବଢ଼ିବ ଏବଂ PF ଖାତା ସମ୍ପର୍କିତ ସୂଚନା ଓ କ୍ଲେମ୍ ଦାଖଲ ପ୍ରକ୍ରିୟା ଅଧିକ ସହଜ ହେବ। କାରଣ ପୂର୍ବରୁ ସଦସ୍ୟଙ୍କ ସୂଚନା ବିଭିନ୍ନ ସିଷ୍ଟମ୍‌ରେ ଅଲଗା ଅଲଗା ହୋଇ ରହୁଥିଲା।

  • କ୍ଲେମ୍ ପ୍ରତ୍ୟାଖ୍ୟାନ ହ୍ରାସ ପାଇବ

ନୂଆ ପୋର୍ଟାଲ୍‌ରେ ସଦସ୍ୟମାନେ ବିଭିନ୍ନ ପ୍ରକାର PF ଉଠାଣ ପାଇଁ ସେମାନେ କେତେ ଟଙ୍କା ଉଠାଇବାକୁ ଯୋଗ୍ୟ, ତାହା ପୂର୍ବରୁ ଜାଣିପାରିବେ ଏବଂ ସଠିକ୍ ନିଷ୍ପତ୍ତି ନେଇପାରିବେ। ପୂର୍ବରୁ ଏହି ସ୍ପଷ୍ଟ ସୂଚନା ନଥିବାରୁ ଅନେକ ସଦସ୍ୟ ନିର୍ଦ୍ଧାରିତ ସୀମାଠାରୁ ଅଧିକ ରାଶି ପାଇଁ ଆବେଦନ କରୁଥିଲେ, ଫଳରେ ସେମାନଙ୍କ କ୍ଲେମ୍ ପ୍ରତ୍ୟାଖ୍ୟାନ ହେଉଥିଲା।

ଏହା ସହିତ, କ୍ଲେମ୍ ପେମେଣ୍ଟ ମଧ୍ୟ କେନ୍ଦ୍ରୀକୃତ ପେମେଣ୍ଟ ବ୍ୟବସ୍ଥା ମାଧ୍ୟମରେ ଦ୍ରୁତ ଇଲେକ୍ଟ୍ରୋନିକ୍ ପେମେଣ୍ଟ ଚ୍ୟାନେଲ୍‌ରେ ପ୍ରକ୍ରିୟାକରଣ ହେବ। ଫଳରେ, କ୍ଲେମ୍ ମଞ୍ଜୁର ହେବା ଦିନେ ହିଁ ସଦସ୍ୟଙ୍କ ବ୍ୟାଙ୍କ ଖାତାକୁ ନିରାପଦ ଓ ସମୟୋପଯୋଗୀ ଭାବେ ଟଙ୍କା ଜମା ହେବ।

  • ଚାକିରି ବଦଳିଲେ PF ଆକାଉଣ୍ଟ ସ୍ୱୟଂଚାଳିତ ଭାବେ ଟ୍ରାନ୍ସଫର୍ ହେବ

ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ କହିଛନ୍ତି, ଚାକିରି ବଦଳାଇବା କିମ୍ବା ପୁନଃ ନିଯୁକ୍ତି ପାଇବା ପରେ ଆଧାର ସହ ଲିଙ୍କ୍ ଥିବା UAN ଆଧାରିତ PF ଖାତାର ଟ୍ରାନ୍ସଫର ପାଇଁ ସଦସ୍ୟଙ୍କୁ ଆଉ ଅଲଗା ଆବେଦନ କରିବାକୁ ପଡ଼ିବ ନାହିଁ। ଟ୍ରାନ୍ସଫର ପ୍ରକ୍ରିୟା ସ୍ୱୟଂଚାଳିତ ଭାବେ ଆରମ୍ଭ ହୋଇ ସମ୍ପୂର୍ଣ୍ଣ ହେବ। ପୂର୍ବରୁ ଚାକିରି ବଦଳିଲେ PF ଟ୍ରାନ୍ସଫର ପାଇଁ ପୂର୍ବତନ ନିଯୁକ୍ତିଦାତା, ନୂଆ ନିଯୁକ୍ତିଦାତା ଓ EPFO କାର୍ଯ୍ୟାଳୟର ଅନୁମୋଦନ ଆବଶ୍ୟକ ହେଉଥିଲା। ଏହାସହ ସଦସ୍ୟଙ୍କୁ ସେବା ଇତିହାସ (Service History) ସ୍ଥାନାନ୍ତର ପାଇଁ ଅଲଗା କ୍ଲେମ୍ ମଧ୍ୟ ଦାଖଲ କରିବାକୁ ପଡ଼ୁଥିଲା।

ପୂର୍ବରୁ ସଦସ୍ୟମାନେ କେବଳ ନିଜ PF ଖାତା ସହ ସଂଯୁକ୍ତ ଥିବା ରିଜିଓନାଲ୍ PF ଅଫିସ୍ ସହ ଯୋଗାଯୋଗ କରିପାରୁଥିଲେ। କିନ୍ତୁ କେନ୍ଦ୍ରୀକୃତ IT ସିଷ୍ଟମ୍ କାର୍ଯ୍ୟକାରୀ ହେବା ପରେ ବର୍ତ୍ତମାନ ସଦସ୍ୟମାନେ ଦେଶର ଯେକୌଣସି PF କାର୍ଯ୍ୟାଳୟରୁ ସହାୟତା ଓ ସ୍ପଷ୍ଟୀକରଣ ପାଇପାରିବେ।

ଏହା ମଧ୍ୟ ପଢ଼ନ୍ତୁ... ସାଇବର ଅପରାଧ ରୋକିବା ପାଇଁ ଓଡ଼ିଶା ପୋଲିସ ନେଲା ବଡ଼ ପଦକ୍ଷେପ; ଆରମ୍ଭ ହେଲା ଇ-ଜିରୋ ଏଫଆଇଆର