ETV Bharat / bharat

ସୋହର ଆଙ୍କରେଜରେ ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ: 9 ଭାରତୀୟ ନାବିକ ଉଦ୍ଧାର, 2 ନିଖୋଜ

11 ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ଟ୍ୟାଙ୍କର 'ଏମ୍‌ଟି ପେଟ୍ରୋ ଡଲଫିନ' ଉପରେ ଡ୍ରୋନ ଆକ୍ରମଣ ହୋଇଛି ।

Sohar Anchorage
ଟ୍ୟାଙ୍କର ଉପରେ ଡ୍ରୋନ୍ ଆକ୍ରମଣ (X@FSUIINDIA)
author img

By ETV Bharat Odisha Team

Published : October 12, 2026 at 9:08 AM IST

1 Min Read
Choose ETV Bharat

ନୂଆଦିଲ୍ଲୀ: 11 ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ନେଇ ଯାଉଥିବା ଟ୍ୟାଙ୍କର 'ଏମ୍‌ଟି ପେଟ୍ରୋ ଡଲଫିନ' (MT Petro Dolphin) ଉପରେ ଓମାନ ଉପକୂଳର ସୋହର ଆଙ୍କରେଜ (Sohar Anchorage)ରେ ଡ୍ରୋନ ଆକ୍ରମଣ ହୋଇଛି । ଏଥିରେ 2 ଜଣ ଭାରତୀୟ ନାବିକ ନିଖୋଜ ଅଛନ୍ତି । 9 ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି । ସେମାନେ ସୁରକ୍ଷିତ ଅଛନ୍ତି । ନିଖୋଜ କର୍ମଚାରୀମାନଙ୍କୁ ଖୋଜିବା ପାଇଁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନେଇ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆ Xରେ ଏକ ପୋଷ୍ଟରେ, ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ, 9 ଜଣ ଭାରତୀୟ କ୍ରୁ ମେମ୍ବରଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି ଏବଂ ସେମାନେ ସୁରକ୍ଷିତ ଅଛନ୍ତି । କିନ୍ତୁ 2 ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି । ସ୍ଥାନୀୟ ତଟରକ୍ଷୀ ବାହିନୀ ଦ୍ୱାରା ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ସକ୍ରିୟ ଭାବରେ ଜାରି ରହିଛି ।

ସୋନୋୱାଲ କହିଛନ୍ତି, "ଆମେ ନିଖୋଜ କର୍ମଚାରୀଙ୍କୁ ସୁରକ୍ଷିତ ଭାବରେ ଖୋଜିବା ପାଇଁ ସମସ୍ତ ଚେଷ୍ଟା ଜାରି ରଖିଛୁ ।ଚାଲୁଥିବା ଉଦ୍ଧାର କାର୍ଯ୍ୟକୁ ପୂର୍ଣ୍ଣ ସମର୍ଥନ କରିବା ପାଇଁ ସମସ୍ତ ପ୍ରାସଙ୍ଗିକ କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ସମନ୍ୱୟ ରଖିଛୁ ।"

ଓମାନରେ ଥିବା ଭାରତୀୟ ଦୂତାବାସ ମଧ୍ୟ କହିଛି ଯେ, ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି ।

Xରେ ଏକ ପୋଷ୍ଟରେ ଦୂତାବାସ କହିଛି, "ନିକାରାଗୁଆର ପତାକା ବହନ କରୁଥିବା ଟ୍ୟାଙ୍କର, MT PETRO DOLPHIN ସମ୍ପର୍କରେ ଦୂତାବାସ ନିକଟରୁ ନଜର ରଖିଛି । ଜାହାଜରେ ଥିବା 11 ଜଣ ଭାରତୀୟ ନାବିକଙ୍କ ମଧ୍ୟରୁ ଦୁଇଜଣ ନିଖୋଜ ଥିବା ଜଣାପଡ଼ିଛି । ଦୂତାବାସ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛି ।"

ପୂର୍ବରୁ, ଅକ୍ଟୋବର 9 ତାରିଖରେ, ପାନାମା ପତାକା ବହନ କରିଥିବା ଅଶୋଧିତ ତୈଳ ଟ୍ୟାଙ୍କର MT GEM NO. 2, 22 ଜଣ ଭାରତୀୟ ନାଗରିକଙ୍କୁ ନେଇ ଶାରଜାହ ଆଙ୍କରେଜରେ ଡ୍ରୋନ୍ ଆକ୍ରମଣର ଶିକାର ହୋଇଥିଲା । ସୋନୋୱାଲ କହିଥିଲେ ଯେ, ଏଥିରେ ଥିବା ସମସ୍ତ 22 ଜଣ ଭାରତୀୟ ନାବିକ ସୁରକ୍ଷିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...

ବ୍ଲାକ୍‌ ସିରେ ଋଷର ଡ୍ରୋନ ଆକ୍ରମଣରେ 2 ମୃତ, ଭାରତୀୟ ଆହତ

ଆତଙ୍କବାଦୀ ଆକ୍ରମଣ ସନ୍ଦେହରେ ବ୍ରିଟିଶରୁ ସମସ୍ତ ବୋମାବର୍ଷଣକାରୀ ବିମାନ ହଟାଇଲା ଆମେରିକା