ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ NCERTର କ୍ଷମାପ୍ରାର୍ଥନା, ସଂଶୋଧନ ହେବ ଅଷ୍ଟମ ଶ୍ରେଣୀ ପୁସ୍ତକ, ବିତରଣ ଉପରେ କଟକଣା
ଅଷ୍ଟମ ଶ୍ରେଣୀ ସୋସିଆଲ ସାଇନ୍ସ ପୁସ୍ତକରେ 'ନ୍ୟାୟିକ ଦୁର୍ନୀତି' ଉପରେ ଆଧାରିତ ଏକ ଅଧ୍ୟାୟକୁ ନେଇ ସୁପ୍ରିମକୋର୍ଟଙ୍କ କ୍ଷୋଭ ପ୍ରକାଶ । NCERT କ୍ଷମାପ୍ରାର୍ଥନା କରି ସମ୍ପୃକ୍ତ ପୁସ୍ତକକୁ ପୁନର୍ବାର ଲେଖାଯିବ ବୋଲି କହିଛି।

Published : February 26, 2026 at 10:09 AM IST
Corruption In Judiciary Row ନୂଆଦିଲ୍ଲୀ: ଏନସିଇଆରଟି (NCERT) ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (CJI) ଜଷ୍ଟିସ ସୂର୍ଯ୍ୟକାନ୍ତ କ୍ଷୁବ୍ଧ ହୋଇଛନ୍ତି । ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ 'ନ୍ୟାୟପାଳିକାରେ ଦୁର୍ନୀତି' ସଂପର୍କିତ ଏକ ଅଧ୍ୟାୟକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଭର୍ତ୍ସନା କରିଛନ୍ତି । ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ବୁଧବାର ରାତିରେ କ୍ଷମାପ୍ରାର୍ଥନା କରିଛି । ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସହ ବିଚାର ବିମର୍ଶ କରି ସମ୍ପୃକ୍ତ ପୁସ୍ତକକୁ ପୁନର୍ବାର ଲେଖାଯିବ ବୋଲି NCERT ପକ୍ଷରୁ ପ୍ରକାଶ କରାଯାଇଛି । ଏହା ସହିତ ୮ମ ଶ୍ରେଣୀର ସାମାଜିକ ବିଜ୍ଞାନ (Social Science) ପାଠ୍ୟପୁସ୍ତକ ବିକ୍ରି ଏବଂ ବିତରଣ ଉପରେ ରୋକ ଲଗାଯାଇଛି ।
ଅଷ୍ଟମ ଶ୍ରେଣୀ ପୁସ୍ତକରେ ତ୍ରୁଟି:
NCERTର ନୂତନ ସାମାଜିକ ବିଜ୍ଞାନ (Social Science)ର 8ମ ଶ୍ରେଣୀ ପୁସ୍ତକବହିରେ 'ନ୍ୟାୟପାଳିକାରେ ଦୁର୍ନୀତି' ଅଧ୍ୟାୟରେ ନ୍ୟାୟପାଳିକାରେ ଦୁର୍ନୀତି ସମ୍ପର୍କରେ ଉଲ୍ଲେଖ ରହିଥିଲା । ଏହା ସହିତ ବହୁ ପରିମାଣରେ ବିଚାରାଧୀନ ଥିବା ମାମଲା ଓ ନ୍ୟାୟାଳୟରେ ବିଚାରପତିଙ୍କ ଅଭାବ ସହିତ ନ୍ୟାୟପାଳିକା ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ପୁସ୍ତକରେ ଉଲ୍ଲେଖ ଥିଲା ।
ପ୍ରଧାନ ବିଚାରପତି କ୍ଷୁବ୍ଧ:
ଗତକାଲି (ବୁଧବାର) ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ NCERT ବହିରେ ଲିଖିତ ନ୍ୟାୟପାଳିକାରେ ଦୁର୍ନୀତି ଅଧ୍ୟାୟକୁ ନେଇ ତୀବ୍ର ବିରୋଧ କରିଥିଲେ । ଏହା ସହିତ ସେ କହିଥିଲେ ଯେ, 'ପୃଥିବୀରେ କୌଣସି ବ୍ୟକ୍ତି ନ୍ୟାୟପାଳିକା ଏବଂ ଏହାର ଅଖଣ୍ଡତାକୁ ଅସମ୍ମାନ କରିପାରିବେ ନାହିଁ ।'
ନ୍ୟାୟପାଳିକା ବିରୋଧରେ ଆପତ୍ତିଜନକ ତଥ୍ୟକୁ ସୁପ୍ରିମକୋର୍ଟରେ ଶୁଣାଣି:
ସୁପ୍ରିମକୋର୍ଟଙ୍କ 3 ଜଣିଆ ବିଚାରପତିଙ୍କ ଖଣ୍ଡପୀଠ NCERT ପାଠ୍ୟ ପୁସ୍ତକରେ ଥିବା ଏହି ଅଧ୍ୟାୟ ବିରୋଧରେ ଆପତ୍ତି ଉଠାଇଥିଲେ । ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲା ବାଗ୍ଚୀ ଏବଂ ଜଷ୍ଟିସ ବିପୁଲ ଏମ୍ ପଞ୍ଚୋଲୀଙ୍କ ଖଣ୍ଡପୀଠରେ ଏହି ଶୁଣାଣି ହୋଇଥିଲା । ଖଣ୍ଡପୀଠ, NCERT ପୁସ୍ତକରେ ନ୍ୟାୟପାଳିକା ବିରୋଧରେ ଆପତ୍ତିଜନକ ତଥ୍ୟ ପ୍ରକାଶକୁ ନେଇ ନିଜ ତରଫରୁ (suo motu) ମାମଲା ଦାଏର କରିଥିଲେ । ମାମଲାକୁ ଜରୁରୀ କାଳୀନ ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ମନୁ ସିଂହଭି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଆଜି ଏହାର ଶୁଣାଣି କରିବେ ।
NCERTର କ୍ଷମାପ୍ରାର୍ଥନା:
ଏହି ମାମଲାରେ NCERT ପକ୍ଷରୁ କ୍ଷମାପ୍ରାର୍ଥନା ସହିତ ଏକ ପ୍ରେସ ରିଲିଜ ଜାରି କରାଯାଇଛି । "24 ଫେବୃଆରୀରେ ପ୍ରକାଶିତ NCERTର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ (Social Science textbook)ର ଦ୍ବିତୀୟ ଭଲ୍ୟୁମ୍ ରେ ତ୍ରୁଟି ପରିଲକ୍ଷିତ ହୋଇଛି । ପୁସ୍ତକର ଚତୁର୍ଥ ଅଧ୍ୟାୟରେ କିଛି ଅନୁପଯୁକ୍ତ ପାଠ୍ୟ ସାମଗ୍ରୀ ଏବଂ ତ୍ରୁଟି ଅଜାଣତରେ ରହିଛି ।" ଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ଏହି ତ୍ରୁଟି ଯାଞ୍ଚ କରାଯାଉଛି।

NCERT ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ନ୍ୟାୟପାଳିକାଙ୍କୁ ସର୍ବୋଚ୍ଚ ସମ୍ମାନ ଦେବା ସହିତ ଭାରତୀୟ ସମ୍ବିଧାନର ବାହକ ଓ ମୌଳିକ ଅଧିକାରର ରକ୍ଷାକର୍ତ୍ତା ଭାବେ ସମ୍ମାନ କରେ । ମାତ୍ର ବହିରେ ଲିଖିତ ତ୍ରୁଟି ସମ୍ପୂର୍ଣ୍ଣ ଅନିଚ୍ଛାକୃତ ବୋଲି NCERT ସ୍ବୀକାର କରିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମ୍ବିଧାନିକ ଜ୍ଞାନ ଓ ସମ୍ମାନ ସହିତ ଗଣତନ୍ତ୍ରର ପ୍ରକ୍ରିୟାରେ ଅଂଶଗ୍ରହଣ ବିଷୟରେ ଜ୍ଞାନ ବିତରଣ କରିବା ଏହି ବହିର ମୂଳ ଉଦ୍ଦେଶ୍ୟ ରହିଥିଲା । କୌଣସି ସାମ୍ବିଧାନିକ ସଂସ୍ଥାର ମାନହାନୀ କିମ୍ବା ଏହା ଉପରେ ପ୍ରଶ୍ନ ଉଠାଇବାର କୌଣସି ପ୍ରୟୋଜନ ନାହିଁ ବୋଲି NCERT ସ୍ପଷ୍ଟୀକରଣ ଦେଇଛି ।
ପୁସ୍ତକ ଆବଣ୍ଟନ ଉପରେ କଟକଣା :
ବର୍ତ୍ତମାନ NCERT ଏହି ବିବାଦୀୟ ପୁସ୍ତକର ବିକ୍ରି ଓ ଆବଣ୍ଟନ ଉପରେ କଟକଣା ଲଗାଇଛି । ଉଚ୍ଚ ପଦସ୍ତ ଓ ଉପଯୁକ୍ତ ପଦାଧିକାରୀଙ୍କ ପରାମର୍ଶ କ୍ରମେ ଏହି ତ୍ରୁଟିକୁ ସଂଶୋଧନ କରାଯିବ ବୋଲି ଏନସିଇଆରଟି ପକ୍ଷରୁ କୁହାଯାଇଛି । ଏହାପରେ 2026-27 ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହା ପାଠ୍ୟପୁସ୍ତକ ଉପଲବ୍ଧ ହେବ ।

