ETV Bharat / bharat

ସିଜେପି ଆନ୍ଦୋଳନ: ଆଜି ଆନ୍ଦୋଳନକୁ ଓହ୍ଲାଇବ ଇଣ୍ଡି ମେଣ୍ଟ, ରାହୁଲ ଗାନ୍ଧୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ ସିଜେଆଇ

ଆଜି ସମଗ୍ର ଇଣ୍ଡି ମେଣ୍ଟ ଓ ଦେଶର ଯୁବପିଢିଙ୍କୁ ପୁଣି ଥରେ ବହୁ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇବା ପାଇଁ ଆହ୍ବାନ ଦେଇଛନ୍ତି ରାହୁଲ ଗାନ୍ଧୀ ।

Security personnel detain a protester during demonstration in New Delhi on Sunday
ସିଜେପି ଆନ୍ଦୋଳନ ((AP))
author img

By ETV Bharat Odisha Team

Published : October 12, 2026 at 8:13 AM IST

3 Min Read
Choose ETV Bharat

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ଇଣ୍ଡି ମେଣ୍ଟ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅକ୍ଟୋବର 12 ତାରିଖରେ (ଆଜି) ସମଗ୍ର ଇଣ୍ଡି ମେଣ୍ଟ ଓ ଦେଶର ଯୁବପିଢିଙ୍କୁ ପୁଣି ଥରେ ବହୁ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇବା ପାଇଁ ଆହ୍ବାନ ଦେଇଛନ୍ତି । ସେପଟେ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପିର ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି । ଜନ୍ତର ମନ୍ତର ଆଡ଼କୁ ବିକ୍ଷୋଭ ପ୍ରଦର୍ଶନ କରି ଯାଉଥିବାବେଳେ ଦିଲ୍ଲୀ ପୋଲିସ ୧୦୦ ରୁ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି ।

ରାହୁଲ ଗାନ୍ଧୀଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କଲେ ମୁଖ୍ୟ ବିଚାରପତି

ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଇଣ୍ଡିଆ ମେଣ୍ଟର ନେତାମାନଙ୍କ ଏକ ପ୍ରତିନିଧି ଦଳ ସହ ସାକ୍ଷାତ କରି ସ୍ମାରକପତ୍ର ଗ୍ରହଣ କରିବା ପାଇଁ କରିଥିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଇମେଲ ମାଧ୍ୟମରେ ସେମାନଙ୍କୁ ପଠାଯାଇଥିବା ଏକ ଜବାବରେ ଏହି ନିଷ୍ପତ୍ତିର କାରଣ ସ୍ପଷ୍ଟ କରିଛନ୍ତି।

ଦିଲ୍ଲୀ ଅଭିମୁଖେ ଓଡିଶା ନେତା

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡି ମେଣ୍ଟର ପ୍ରତିବାଦ ଏବଂ ଜନ୍ତରମନ୍ତରରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଜାତୀୟ ରାଜନୀତି ତେଜିଥିବାବେଳେ ଏହି ଲଢ଼େଇରେ ସାମିଲ ହେବେ ଓଡ଼ିଶାର କଂଗ୍ରେସ ନେତା । ପିସିସି ସଭାପତି ଭକ୍ତ ଚରଣ ଦାସଙ୍ କଠାରୁ ଆରମ୍ଭ କରି ପୂର୍ବତନ ପିସିସି ସଭାପତି, ବିଧାୟକ ଓ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକରା ଦେଇଛନ୍ତି ହାଇକମାଣ୍ଡ ।

ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗଣତନ୍ତ୍ର ଓ ଭୋଟରଙ୍କ ଅଧିକାର ପାଇଁ ଲଢ଼େଇରେ ସାଥ୍ ଦେବାକୁ ଆହ୍ୱାନ ଦେଇଛନ୍ତି ଭକ୍ତ ଦାସ । ଅସୁସ୍ଥତା ସତ୍ତ୍ୱେ ଆନ୍ଦୋଳନରୁ ପଛକୁ ହଟିବେ ନାହିଁ ବୋଲି କହିବା ସହ ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ବିରୋଧରେ ବଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ସେହିପରି ଜୟଦେବ ଜେନା ଓ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଦିଲ୍ଲୀ ଆନ୍ଦୋଳନରେ ସାମିଲ ହେବାକୁ ଦିଲ୍ଲୀ ଗସ୍ତ କରୁଛନ୍ତି ।

ସୁପ୍ରିମକୋର୍ଟଙ୍କ କଡା ନିର୍ଦ୍ଦେଶ

ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିବା ବେଳେ ସୁପ୍ରିମକୋର୍ଟ ଏକ ସ୍ୱତନ୍ତ୍ର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ଯେ, ଯେଉଁମାନେ ଶାନ୍ତିପୂର୍ଣ୍ଣ ଭାବେ ଏକତ୍ରିତ ହେଉଛନ୍ତି ସେମାନଙ୍କୁ ଅଟକ ରଖାଯିବା ଉଚିତ ନୁହେଁ । ଏଥିସହ ନିଷେଧାଦେଶ ଜାରି ହୋଇନଥିବା ଅଞ୍ଚଳ ବାହାରେ କରାଯାଉଥିବା ଶାନ୍ତିପୂର୍ଣ୍ଣ ଓ ନିରସ୍ତ୍ର ସମାବେଶକୁ ମନମୁଖୀ ଭାବେ ଅଟକ ରଖାଯାଇପାରିବ ନାହିଁ ବୋଲି କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ସେହିପରି ଟ୍ରାଫିକ ନିୟମ ଅଧୀନରେ କର୍ତ୍ତୃପକ୍ଷ ଲୋକଙ୍କ ମୁକ୍ତ ଚଳପ୍ରଚଳ ନିଶ୍ଚିତ କରିବା ଆବଶ୍ୟକ।

ରବିବାର ଦିନ ୧୦୦ ରୁ ଅଧିକ ବିକ୍ଷୋଭକାରୀ ସ୍ଲୋଗାନ ଦେଇ ଜନ୍ତର ମନ୍ତର ଆଡ଼କୁ ଅଗ୍ରସର ହେଉଥିବା ବେଳେ ସେମାନଙ୍କୁ ଅଟକ ରଖାଯାଇଥିଲା । କେତେକଙ୍କୁ ଜୋର ଜବରଦସ୍ତ ପୋଲିସ ବସ ମଧ୍ୟକୁ ଟାଣି ନେଉଥିବା ଦେଖିବାକୁ ମିଳିଥିଲା। ଷ୍ଟୁଡେଣ୍ଟସ ଫେଡେରେସନ ଅଫ ଇଣ୍ଡିଆ (SFI), ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ ଆସୋସିଏସନ (AISA) , କ୍ରାନ୍ତିକାରୀ ଯୁବ ସଂଗଠନ (KYS) ସମେତ ଅନେକ ଛାତ୍ର ସଂଗଠନର ସଦସ୍ୟ ଓ CJP ସମର୍ଥକମାନେ ରାଜଧାନୀର ବିଭିନ୍ନ ପ୍ରାନ୍ତରୁ ଜନ୍ତର ମନ୍ତର ଆଡ଼କୁ ଯିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଅଟକ ରଖାଯାଇଥିଲା। ସିପିଆଇ(ଏମ)ର ରାଜ୍ୟସଭା ସାଂସଦ ଜନ ବ୍ରିଟାସ ମଧ୍ୟ ଅଟକ ଥିଲେ ।

ସମ୍ବିଧାନର ଧାରା ୧୯(୨) ଅଧୀନରେ ଜନଶୃଙ୍ଖଳା ବିପର୍ଯ୍ୟୟ କାରଣରୁ କଟକଣା ଆବଶ୍ୟକ ନହେଲେ ମେଟ୍ରୋ ଏବଂ ରେଳ ସେବା ସ୍ୱାଭାବିକ ଭାବେ କାର୍ଯ୍ୟ କରିବା ଉଚିତ ବୋଲି ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ଲୋକଙ୍କ ଚଳପ୍ରଚଳ ସମ୍ପର୍କରେ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ଯେ ଟ୍ରାଫିକ ନିୟମ ଅଧୀନରେ ସହରରେ ମୁକ୍ତ ଚଳପ୍ରଚଳ ପାଇଁ ଅନୁମତି ଦିଆଯାଉ। ବିବାଦୀୟ ଭୋଟର ତାଲିକା ସଂଶୋଧନକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଥିବା କକ୍ରୋଚ ଜନତା ପାର୍ଟି ଏବଂ ଅନ୍ୟାନ୍ୟ ରାଜନୈତିକ ଗୋଷ୍ଠୀ ଉପରେ ଶନିବାର ହୋଇଥିବା ବ୍ୟାପକ ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ସର୍ବୋଚ୍ଚ ଅଦାଲତଙ୍କ ଏହି ପର୍ଯ୍ୟବେକ୍ଷଣ ଆସିଛି।

ଜଷ୍ଟିସ ଜୟମାଲ୍ୟ ବାଗଚି ଏବଂ ଜଷ୍ଟିସ ଭି. ମୋହନାଙ୍କ ଦୁଇ ଜଣିଆ ବିଚାରପତିଙ୍କ ବେଞ୍ଚ ବରିଷ୍ଠ ଆଇନଜୀବୀ ମେନକା ଗୁରୁସ୍ୱାମୀଙ୍କ ଦ୍ୱାରା ଦାଖଲ ହାବିୟସ କର୍ପସ ଆବେଦନ ସମେତ ଏକାଧିକ ଆବେଦନର ଶୁଣାଣି କରୁଛନ୍ତି । ଏହା ସହିତ କେନ୍ଦ୍ର ଗୃହ ସଚିବ, ଦିଲ୍ଲୀ ପୋଲିସ କମିଶନର ଏବଂ ଡିଏମଆରସି ଅଧ୍ୟକ୍ଷଙ୍କ ବିରୋଧରେ ଏକ ଅଦାଲତ ଅବମାନନା ଆବେଦନର ମଧ୍ୟ ଶୁଣାଣି କରାଯାଇଛି।

ଘରକୁ ଫେରିଲେ ଅଭିଜିତ ଦୀପକେ

CJP ପ୍ରତିଷ୍ଠାତା ଅଭିଜିତ ଦୀପକେ, ସିଜେପି ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ରବିବାର ସକାଳେ ମୁକ୍ତ କରାଯାଇଥିବା ବେଳେ ଶନିବାର ଗୁରୁଗ୍ରାମ ସ୍ଥିତ ବାସଭବନରୁ ଅଟକ ଥିବା ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ମଧ୍ୟ ବିଳମ୍ବିତ ରାତିରେ ଛାଡ଼ି ଦିଆଯାଇଛି । ଦୀପକେ ଏବଂ ତାଙ୍କର ଦୁଇ ସହଯୋଗୀଙ୍କୁ ଆଜି ଦିଲ୍ଲୀ କ୍ୟାଣ୍ଟ ପୋଲିସ ଷ୍ଟେସନରେ ଜଣେ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ହାଜର କରାଯାଇଥିଲା । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନଟି ଅବତରଣ କରିବାର କିଛି ସମୟ ପରେ ଏହି ତିନିଜଣଙ୍କୁ ବିମାନ ଭିତରେ ଅଟକ ରଖାଯାଇଥିଲା। ଧ୍ରୁବ ରାଠୀଙ୍କୁ ଗୁରୁଗ୍ରାମ ସ୍ଥିତ ତାଙ୍କ ବାସଭବନରୁ ଅଟକ ରଖାଯାଇଥିଲା।

CJP ଏକ୍ସରେ ଏକ ପୋଷ୍ଟ କରି କହିଛି ଯେ, ବର୍ଷେ ପର୍ଯ୍ୟନ୍ତ କୌଣସି ଶାନ୍ତି ଭଙ୍ଗ କରିବେ ନାହିଁ ସର୍ତ୍ତରେ ଏହି ତିନି ନେତାଙ୍କୁ ମୁକ୍ତ କରାଯାଇଛି। ଦୀପକେ ତାଙ୍କ ଜେଜେମା’ଙ୍କ ଶେଷକୃତ୍ୟ ପାଇଁ ଘରକୁ ଯାଇଥିବା ବେଳେ ଅନ୍ୟ CJP ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ।

ଏହା ମଧ୍ୟ ପଢନ୍ତୁ ‘ଅଟକ ନୁହେଁ ଅପହରଣ’: ଦିଲ୍ଲୀ ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ୟୁଟ୍ୟୁବର ଧ୍ରୁବ ରାଠୀ

ଏହା ମଧ୍ୟ ପଢନ୍ତୁ ଜେଜେମା'ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇ ପାରିଲେନି ଦୀପକେ; ଦିଲ୍ଲୀ ପୋଲିସ ଉପରେ ବର୍ଷିଲେ ପରିବାର ଲୋକେ