NEET ପରୀକ୍ଷାରେ ବଡ଼ ସଂସ୍କାର ପାଇଁ କେନ୍ଦ୍ରର ବ୍ଲୁପ୍ରିଣ୍ଟ; କଡ଼ା ଆଇନ ଓ ନନ୍ଦନ ନିଲେକାନି ଟାସ୍କଫୋର୍ସ ଉପରେ ଭରସା
ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ; ପ୍ରଶ୍ନପତ୍ର ଲିକ୍ରୁ ଫଳ ପ୍ରକାଶ ପର୍ଯ୍ୟନ୍ତ ସୁରକ୍ଷାର ଏଣ୍ଡ-ଟୁ-ଏଣ୍ଡ ବ୍ୟବସ୍ଥା, ପ୍ରତିଷ୍ଠାନଗତ ସଂସ୍କାର ମାଧ୍ୟମରେ ଦୀର୍ଘସ୍ଥାୟୀ ପରୀକ୍ଷା ପ୍ରଣାଳୀ ଗଠନ ଲକ୍ଷ୍ୟ

Published : August 5, 2026 at 3:02 PM IST
ନୂଆଦିଲ୍ଲୀ: ନିଟ୍-ୟୁଜି (NEET-UG) ପରୀକ୍ଷାର ସ୍ୱଚ୍ଛତା, ବିଶ୍ୱସନୀୟତା ଓ ସୁରକ୍ଷାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବ୍ୟାପକ ସଂସ୍କାର ଆରମ୍ଭ କରିଥିବା ସୂଚନା ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି। ସରକାର କହିଛନ୍ତି ଯେ, ଏହି ସଂସ୍କାର କେବଳ ତତ୍କାଳୀନ ପଦକ୍ଷେପ ନୁହେଁ, ବରଂ କର୍ମଚାରୀ ବଦଳିଲେ ମଧ୍ୟ ଯେପରି ସିଷ୍ଟମ୍ ପ୍ରଭାବିତ ହେବ ନାହିଁ, ସେଥିପାଇଁ ଲିଖିତ ନିୟମ, ସ୍ଥାୟୀ ସମୀକ୍ଷା ବ୍ୟବସ୍ଥା ଓ ପ୍ରତିଷ୍ଠାନଗତ ସ୍ମୃତି (Institutional Memory) ଉପରେ ଆଧାରିତ ଏକ ସ୍ଥାୟୀ ଢାଞ୍ଚା ପ୍ରସ୍ତୁତ କରାଯାଉଛି।
କେନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି ଯେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପରୀକ୍ଷା ପ୍ରଣାଳୀର ସମ୍ପୂର୍ଣ୍ଣ ପୁନର୍ଗଠନ କରାଯାଇଛି। ପ୍ରଶ୍ନପତ୍ର ପ୍ରସ୍ତୁତିଠାରୁ ଆରମ୍ଭ କରି ପରୀକ୍ଷାର୍ଥୀଙ୍କ ହାତରେ ପ୍ରଶ୍ନପତ୍ର ପହଞ୍ଚିବା ଏବଂ ଫଳ ପ୍ରକାଶ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ ଏକ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି। ସେହିପରି NEETକୁ ପେନ୍-ଆଣ୍ଡ-ପେପର ମୋଡ୍ରୁ କମ୍ପ୍ୟୁଟର-ଆଧାରିତ ପରୀକ୍ଷା (Computer-Based Test-CBT) କରିବା ନେଇ ସକ୍ରିୟ ଭାବେ ବିଚାର ଚାଲିଛି।
- ଡ. କେ. ରାଧାକୃଷ୍ଣନଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା
ସରକାର କହିଛନ୍ତି, ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଡ. କେ. ରାଧାକୃଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ପରୀକ୍ଷାର ପ୍ରତ୍ୟେକ ପର୍ଯ୍ୟାୟ ପାଇଁ ଏକ ସମ୍ପୂର୍ଣ୍ଣ ଏଣ୍ଡ-ଟୁ-ଏଣ୍ଡ ସୁରକ୍ଷା ଡିଜାଇନ୍ ପ୍ରସ୍ତୁତ କରିଛି। ପ୍ରଶ୍ନପତ୍ର ପ୍ରସ୍ତୁତି, ମୁଦ୍ରଣ, ପରିବହନ, ପରୀକ୍ଷା କେନ୍ଦ୍ରରେ ସୁରକ୍ଷିତ ସଂରକ୍ଷଣ, ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ବଣ୍ଟନ ଏବଂ ଫଳ ପ୍ରକାଶ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟକୁ ସୁରକ୍ଷା ବଳୟରେ ରଖାଯାଇଛି।
- ଦୁଇଟି ବଡ଼ ପ୍ରତିଷ୍ଠାନଗତ ପଦକ୍ଷେପ
ସତ୍ୟପାଠରେ କେନ୍ଦ୍ର କହିଛନ୍ତି ଯେ, ଜାତୀୟ ସ୍ତରର ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦୁଇଟି ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।
1. ସାର୍ବଜନୀନ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ଆଇନ, 2026
2. ନନ୍ଦନ ନିଲେକାନିଙ୍କ ଅଧ୍ୟକ୍ଷତାରେ ପରୀକ୍ଷା ସଂସ୍କାର ପାଇଁ ଉଚ୍ଚ-କ୍ଷମତାପ୍ରାପ୍ତ ଟାସ୍କ ଫୋର୍ସ (HPTF)
- କଡ଼ା ହେଲା ଆଇନ
କେନ୍ଦ୍ର କହିଛନ୍ତି ଯେ ସାର୍ବଜନୀନ ପରୀକ୍ଷା (ଅନ୍ୟାୟ ନିବାରଣ) ଆଇନ, 2024 ଅନୁଯାୟୀ ପ୍ରଶ୍ନପତ୍ର ଲିକ୍, ପରୀକ୍ଷାର୍ଥୀଙ୍କ ଛଦ୍ମବେଶ (Impersonation), କମ୍ପ୍ୟୁଟର ନେଟୱର୍କ ଓ ଡିଜିଟାଲ୍ ସଂସାଧନରେ ଛେଡ଼ଛାଡ଼ ଏବଂ ଅନ୍ୟାନ୍ୟ ପରୀକ୍ଷା ଜାଲିଆତିକୁ ଅପରାଧ ଘୋଷଣା କରାଯାଇଛି। ଏହି ଆଇନରେ ସର୍ବାଧିକ ୧୦ ବର୍ଷ କାରାଦଣ୍ଡ ଓ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ବ୍ୟବସ୍ଥା ରହିଛି।
ଉଚ୍ଚଶିକ୍ଷା ବିଭାଗର ଅଣ୍ଡର ସେକ୍ରେଟାରୀ ପଙ୍କଜ କୁମାର ସିହ୍ନାଙ୍କ ଦାଖଲ କରାଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ, ଏହି ଆଇନର କାର୍ଯ୍ୟକାରିତା ସମୀକ୍ଷା ପରେ ସଂସଦ ସାର୍ବଜନୀନ ପରୀକ୍ଷା (ଅନ୍ୟାୟ ନିବାରଣ) ସଂଶୋଧନ ଆଇନ, 2026 ପାରିତ କରିଛି। ଏହା ମାଧ୍ୟମରେ ପରୀକ୍ଷାର ସ୍ୱଚ୍ଛତାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆହୁରି କଠୋର ବ୍ୟବସ୍ଥା କରାଯିବ।
- ନନ୍ଦନ ନୀଳେକଣିଙ୍କ ଟାସ୍କଫୋର୍ସ କ'ଣ କରିବ ?
ଇନଫୋସିସ୍ର ସହ-ପ୍ରତିଷ୍ଠାତା ଓ ଆଧାର ପ୍ରକଳ୍ପର ମୁଖ୍ୟ ସ୍ଥପତି ନନ୍ଦନ ନୀଳେକଣିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ-କ୍ଷମତାସମ୍ପନ୍ନ ଟାସ୍କ ଫୋର୍ସ NTA ପରୀକ୍ଷା ପ୍ରଣାଳୀର ସମ୍ପୂର୍ଣ୍ଣ ସଂସ୍କାର ସମୀକ୍ଷା କରିବ।
- ଟାସ୍କଫୋର୍ସର ପ୍ରମୁଖ କାର୍ଯ୍ୟ
- ଏଣ୍ଡ-ଟୁ-ଏଣ୍ଡ ପରୀକ୍ଷା ସଂସ୍କାର ସୁପାରିସ କରିବା
- ଆଧୁନିକ ପ୍ରଯୁକ୍ତିର ବ୍ୟବହାର ବଢ଼ାଇବା
- ସୁରକ୍ଷା ଓ ପରୀକ୍ଷାର ସ୍ୱଚ୍ଛତାକୁ ଆହୁରି ମଜବୁତ କରିବା
- ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁଯାୟୀ ପରୀକ୍ଷା ପ୍ରଣାଳୀ ତିଆରି କରିବା
- ସମୟବଦ୍ଧ କାର୍ଯ୍ୟାନ୍ୱୟନ ରୋଡମ୍ୟାପ୍ ପ୍ରସ୍ତୁତ କରିବା
- ଟାସ୍କଫୋର୍ସ ଗଠନର ତିନି ମାସ ମଧ୍ୟରେ ନିଜର ସୁପାରିସ ଦାଖଲ କରିବ।
- NEET-UG 2026 ପୁନଃପରୀକ୍ଷାରେ ନିଆଯାଇଥିବା ସୁରକ୍ଷା ବ୍ୟବସ୍ଥା
- କେନ୍ଦ୍ର ସତ୍ୟପାଠରେ NEET (UG) 2026ର ୨୧ ଜୁନ୍ ୨୦୨୬ ପୁନଃପରୀକ୍ଷାରେ ଲାଗୁ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ବିସ୍ତୃତ ତଥ୍ୟ ମଧ୍ୟ ଦେଇଛନ୍ତି
- ଏକାନ୍ତ ପରିବେଶରେ ଏକାଧିକ ପ୍ରଶ୍ନପତ୍ର ସେଟ୍ ପ୍ରସ୍ତୁତ କରାଯାଇଥିଲା
- ପ୍ରଶ୍ନପତ୍ରକୁ ୬ ସ୍ତର ବିଶିଷ୍ଟ ଟ୍ୟାମ୍ପର-ପ୍ରୁଫ୍ ପ୍ୟାକେଜିଂରେ ସିଲ୍ କରାଯାଇଥିଲା
- ପ୍ରତ୍ୟେକ ପ୍ରଶ୍ନପତ୍ର ବକ୍ସରେ QR କୋଡ୍ ଓ ଆଧାର-ଆଧାରିତ ଟ୍ରାକିଂ ବ୍ୟବସ୍ଥା ରହିଥିଲା
- ପ୍ରଶ୍ନପତ୍ର ପରିବହନର ସମ୍ପୂର୍ଣ୍ଣ ଟ୍ରାକିଂ କରାଯାଇଥିଲା
- ୫୧,୩୧୧ଟି ଜାମର୍ ନିୟୋଜିତ କରାଯାଇଥିଲା
- ୧.୩୮ ଲକ୍ଷ CCTV କ୍ୟାମେରା ୯୫ ହଜାରରୁ ଅଧିକ ପରୀକ୍ଷା କକ୍ଷରେ ଲଗାଯାଇଥିଲା
- ୩୮,୭୯୫ ଜଣ କର୍ମଚାରୀ କେବଳ ଫ୍ରିସ୍କିଂ ପାଇଁ ନିୟୋଜିତ ଥିଲେ
- ୪୮,୪୪୮ ଜଣ କର୍ମଚାରୀ ବାୟୋମେଟ୍ରିକ୍ ସତ୍ୟାପନ ପାଇଁ ନିୟୋଜିତ ହୋଇଥିଲେ।
- କର୍ମଚାରୀ ବଦଳିଲେ ବି ବଦଳିବ ନାହିଁ ବ୍ୟବସ୍ଥା
ସରକାର କହିଛନ୍ତି, ପ୍ରତ୍ୟେକ ପରୀକ୍ଷା ଚକ୍ର ଶେଷରେ "ଶିକ୍ଷଣ ଟିପ୍ପଣୀ" ପ୍ରସ୍ତୁତ କରାଯିବ। ଏଥିରେ ପରୀକ୍ଷା ସମୟରେ ଆସିଥିବା ସମସ୍ୟା, ତାହାର ସମାଧାନ ଓ ଭବିଷ୍ୟତ ପାଇଁ ଅନୁସରଣୀୟ ପଦ୍ଧତି ଲିପିବଦ୍ଧ ରହିବ।
ସେହିପରି NTA ଟେକ୍ନିକାଲ୍ ମାନୁଆଲ୍ ପ୍ରସ୍ତୁତ କରାଯାଉଛି। ଯେଉଁଥିରେ; ସାଇକୋମେଟ୍ରିକ୍ ପଦ୍ଧତି, ନର୍ମାଲାଇଜେସନ୍ ପ୍ରକ୍ରିୟା, ଇକ୍ୱେଟିଂ ପ୍ରଣାଳୀ, ପ୍ରଶ୍ନ ବ୍ୟାଙ୍କର ମାନଦଣ୍ଡ, ଗୋପନୀୟ କାର୍ଯ୍ୟପ୍ରଣାଳୀ ସବୁକିଛି ଲିଖିତ ଭାବେ ସଂରକ୍ଷିତ ରହିବ। ଏହା ମାଧ୍ୟମରେ ସଂସ୍ଥାଗତ ସ୍ମୃତି ସୁନିଶ୍ଚିତ ହେବ।
- ସ୍ଥାୟୀ ଗୋପନୀୟ କାର୍ଯ୍ୟ ଭର୍ଟିକାଲ : NTA ମଧ୍ୟରେ ଏକ ସ୍ଥାୟୀ ଗୋପନୀୟ କାର୍ଯ୍ୟ ଭର୍ଟିକାଲ ଗଠନ କରାଯାଉଛି। ଏଠାରେ ଏମିତି ଅଧିକାରୀମାନେ ରହିବେ, ଯେଉଁମାନେ ବିଭିନ୍ନ ପରୀକ୍ଷା ଚକ୍ରରେ ନିରନ୍ତର କାମ କରିବେ। ଏହି ୟୁନିଟ୍ରେ ପ୍ରଶ୍ନପତ୍ର ପ୍ରସ୍ତୁତି, ଅନୁବାଦ, ମୁଦ୍ରଣ, ପରିବହନ, ସୁରକ୍ଷିତ ସଂରକ୍ଷଣ, SOP, ଆପତ୍କାଳୀନ ଯୋଜନା, ବିଶେଷଜ୍ଞ ଡାଟାବେସ୍ ଓ ବିକ୍ରେତାଙ୍କ ସହ ସମ୍ପର୍କିତ ସମସ୍ତ ଜ୍ଞାନ ସଂରକ୍ଷିତ ରହିବ।
- ପ୍ରତ୍ୟେକ ପଦକ୍ଷେପରେ ଅଡିଟ୍ ଟ୍ରେଲ୍ : ସରକାର କହିଛନ୍ତି, ପରୀକ୍ଷାର ପ୍ରତ୍ୟେକ ପର୍ଯ୍ୟାୟକୁ ଅଡିଟ୍ ଲଗ୍ ଅଧୀନରେ ରଖାଯାଉଛି। ପ୍ରତ୍ୟେକ କାର୍ଯ୍ୟରେ ଜଣେ କାମ କରିବେ ଓ ଅନ୍ୟଜଣେ ଯାଞ୍ଚ କରିବେ। ଏହା ଦ୍ୱାରା ପରୀକ୍ଷା ପ୍ରକ୍ରିୟାର ସମ୍ପୂର୍ଣ୍ଣ ରେକର୍ଡ ପରେ ମଧ୍ୟ ଯାଞ୍ଚ କରାଯାଇପାରିବ ଏବଂ ଦାୟିତ୍ୱ ନିର୍ଦ୍ଧାରଣ ସହଜ ହେବ।
କମ୍ପ୍ୟୁଟର-ଆଧାରିତ NEET ଉପରେ ସକ୍ରିୟ ବିଚାର : ସତ୍ୟପାଠରେ କେନ୍ଦ୍ର କହିଛନ୍ତି, NTAର ୮ଟି ପ୍ରମୁଖ ପରୀକ୍ଷା ମଧ୍ୟରୁ ୭ଟି ଏବେ କମ୍ପ୍ୟୁଟର-ଆଧାରିତ ପରୀକ୍ଷା(CBT) ପ୍ରଣାଳୀରେ ହେଉଛି। ସେଥିରେ JEE (Main), CUET-UG, CUET-PG, UGC-NET ଓ CSIR-NET ଭଳି ପରୀକ୍ଷା ରହିଛି। କେବଳ NEET-UG ଏବେ ମଧ୍ୟ ପେନ୍-ଆଣ୍ଡ-ପେପର ପଦ୍ଧତିରେ ହେଉଛି।
ସରକାର କହିଛନ୍ତି ଯେ, JEE Main ଓ JEE Advanced ଭଳି ଏକକ କିମ୍ବା ଦୁଇ ପର୍ଯ୍ୟାୟ ବିଶିଷ୍ଟ କମ୍ପ୍ୟୁଟର-ଆଧାରିତ NEET ପରୀକ୍ଷା କରାଯିବ କି ନାହିଁ, ସେନେଇ ସମସ୍ତ ପକ୍ଷ ସହ ସକ୍ରିୟ ଆଲୋଚନା ଚାଲିଛି। ନନ୍ଦନ ନୀଳେକଣିଙ୍କ ଟାସ୍କଫୋର୍ସ ସୁପାରିସ ଆସିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
- ସୁପ୍ରିମକୋର୍ଟ କ'ଣ କହିଥିଲେ ?
ଏହା ପୂର୍ବରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ପ୍ରତିବର୍ଷ NEET ପରୀକ୍ଷା କିପରି ସଫଳ ଭାବେ ଆୟୋଜନ ହେବ ଏବଂ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ କିପରି ପ୍ରତ୍ୟେକ ପରୀକ୍ଷାର ଅନୁଭବ, ତଥ୍ୟ ଓ ଶିକ୍ଷାକୁ ସଂରକ୍ଷଣ କରି ଭବିଷ୍ୟତରେ ବ୍ୟବହାର କରିବେ, ସେନେଇ ବିସ୍ତୃତ ସତ୍ୟପାଠ ଦାଖଲ କରାଯାଉ।
- କେଉଁ ମାମଲାର ଶୁଣାଣି ଚାଲିଛି ?
ସୁପ୍ରିମକୋର୍ଟରେ NEET-UG 2026 ପ୍ରଶ୍ନପତ୍ର ଲିକ୍ ଘଟଣା ପରେ NTAକୁ ଭଙ୍ଗ କରିବା ଏବଂ ଦେଶର ପ୍ରବେଶିକା ପରୀକ୍ଷା ବ୍ୟବସ୍ଥାର ବ୍ୟାପକ ସଂସ୍କାର ଦାବି କରି ଦାଖଲ ହୋଇଥିବା ଏକାଧିକ ଆବେଦନର ଶୁଣାଣି ଚାଲିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ତନ୍ୱୀ ଦୁବେ ଓ ଚାରୁ ମାଥୁର ମାମଲା ପରିଚାଳନା କରୁଛନ୍ତି।

