ସେପ୍ଟେମ୍ବର 11ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଚେତାବନୀ ଦେଲା ୟୁଏଫବିୟୁ
୯ଟି ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର ୟୁନିଅନର ଏକ ମିଳିତ ସଂଗଠନ ସେପ୍ଟେମ୍ବର ୨୮ ରୁ ତିନି ଦିନିଆ ଦେଶବ୍ୟାପୀ ଧର୍ମଘଟର ମଧ୍ୟ ଚେତାବନୀ ଦେଇଛି ।


Published : August 24, 2026 at 3:10 PM IST
ନୂଆଦିଲ୍ଲୀ: ସେପ୍ଟେମ୍ବର 11ରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ (ୟୁଏଫବିୟୁ) । କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ଯୋଜନାରେ ମତଭେଦ, 5 ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗ ଏବଂ ପେନସନ ସମ୍ବନ୍ଧୀୟ ସମସ୍ୟା ସହିତ ଅନେକ ଦାବି ନେଇ ସେପ୍ଟେମ୍ବର ୧୧ ରେ ଦେଶବ୍ୟାପୀ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଛି ବ୍ୟାଙ୍କ ୟୁନିଅନ । ଯଦି ଏହି ଧର୍ମଘଟ ହୁଏ ତେବେ ଦେଶର ଅନେକ ସ୍ଥାନରେ ଚାରି ଦିନ ଧରି ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହେବ।
ସେପ୍ଟେମ୍ବର 11ରେ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ
ସେପ୍ଟେମ୍ବର ୧୧ ଶୁକ୍ରବାର ପଡୁଥିବାବେଳେ ଏହାର ପରବର୍ତ୍ତୀ ଦୁଇ ଦିନ ବ୍ୟାଙ୍କ ଛୁଟି ଅଟେ। ସେପ୍ଟେମ୍ବର ୧୪ ଗଣେଶ ଚତୁର୍ଥୀ ପାଇଁ କେତେକ ରାଜ୍ୟରେ ଛୁଟି ରହିଛି। ୯ଟି ବ୍ୟାଙ୍କ କର୍ମଚାରୀ ଏବଂ ଅଫିସର ୟୁନିଅନର ଏକ ମିଳିତ ସଂଗଠନ ସେପ୍ଟେମ୍ବର ୨୮ ରୁ ତିନି ଦିନିଆ ଦେଶବ୍ୟାପୀ ଧର୍ମଘଟର ମଧ୍ୟ ଚେତାବନୀ ଦେଇଛି । ଯାହାକି ଅର୍ଦ୍ଧବାର୍ଷିକ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ସମୟରେ ପଡୁଛି। ସରକାର ଏବଂ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଯଦି ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ ନକରନ୍ତି ତେବେ ଅକ୍ଟୋବର ୨୬ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ବ୍ୟାଙ୍କ ସଂଘ ନିଷ୍ପତ୍ତି ନେଇଛନ୍ତି।
ସରକାରଙ୍କ ନକାରାତ୍ମକ ମନୋଭାବ ଯୋଗୁଁ ରବିବାର ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ୟୁଏଫବିୟୁ ଏକ ବିବୃତ୍ତିରେ କହିଛି। ୫ ଦିନିଆ ବ୍ୟାଙ୍କିଙ୍ଗ ପ୍ରସଙ୍ଗରେ ସଂଘ କହିଛି ଯେ ୮ ମାର୍ଚ୍ଚ ୨୦୨୪ ରେ ସ୍ୱାକ୍ଷରିତ ଦ୍ବାଦଶ ଦ୍ୱିପାକ୍ଷିକ ଚୁକ୍ତିନାମା/୯ମ ମିଳିତ ନୋଟର ଅଂଶ ବିଶେଷ ଭାବରେ ଇଣ୍ଡିଆନ ବ୍ୟାଙ୍କସ ଆସୋସିଏସନ ଏହି ପ୍ରସ୍ତାବରେ ସହମତି ଦେଖାଇଥିଲା । ଯେଉଁଥିରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ ଅବଧି ଅଧିକ ୪୦ ମିନିଟ୍ ବୃଦ୍ଧି କରାଯିବାର ଥିଲା। ଏହି ପ୍ରସ୍ତାବ ପରବର୍ତ୍ତୀ ସମୟରେ ସରକାରଙ୍କୁ ସୁପାରିଶ କରାଯାଇଥିଲା କିନ୍ତୁ ଏହା ଦୁଇ ବର୍ଷରୁ ଅଧିକ ସମୟ ଧରି ବିଚାରାଧୀନ ରହିଛି ବୋଲି ସଂଗଠନ କହିଛି। ସ୍କେଲ 4 ଏବଂ ତା ଠାରୁ ଉପର ବ୍ୟାଙ୍କ ଅଫିସର ମାନଙ୍କ ପାଇଁ ସରକାରଙ୍କ ପିଏଲଆଇ ଯୋଜନାକୁ ମଧ୍ୟ ସଂଘ ଗୁଡ଼ିକ ବିରୋଧ କରିଛନ୍ତି।
ସେମାନେ କହିଛନ୍ତି ଯେ ଆଇବିଏ ସହିତ ହୋଇଥିବା ବୁଝାମଣା ଠାରୁ ଏହା ଭିନ୍ନ । ଯେଉଁଥିରେ କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ବ୍ୟାଙ୍କ ଗୁଡ଼ିକର ସାମଗ୍ରିକ ପ୍ରଦର୍ଶନ ସହିତ ଜଡ଼ିତ ହେବ ଏବଂ ସ୍କେଲ 6 ପର୍ଯ୍ୟନ୍ତ କର୍ମଚାରୀ ଓ ଅଫିସରମାନଙ୍କ ପାଇଁ ସମାନ ରହିବ। ସରକାରଙ୍କ ଯୋଜନା ଅନୁଯାୟୀ ସ୍କେଲ ଚତୁର୍ଥ ଏବଂ ତା ଠାରୁ ଉପର ଅଫିସରମାନେ ବ୍ୟକ୍ତିଗତ ପ୍ରଦର୍ଶନ ଆଧାରରେ ସେମାନଙ୍କର ମୂଳ ଦରମାର ୩୬୫ ଦିନ ପର୍ଯ୍ୟନ୍ତ ପିଏଲଆଇ ପାଇପାରିବେ । ସେହିପରି ଅନ୍ୟ କର୍ମଚାରୀ ଏବଂ ସ୍କେଲ ତୃତୀୟ ପର୍ଯ୍ୟନ୍ତ ଅଫିସରମାନେ ସର୍ବାଧିକ ୧୫ ଦିନର ମୂଳ ଦରମା ସହିତ ମହଙ୍ଗା ଭତ୍ତା ପାଇବେ।
ୟୁନିଅନ ପକ୍ଷରୁ ଧର୍ମଘଟ ଡାକରା ପରେ ପିଏଲଆଇ ପ୍ରସଙ୍ଗ ବର୍ତ୍ତମାନ ମୁଖ୍ୟ ଶ୍ରମ କମିଶନରଙ୍କ ନିକଟରେ ମଧ୍ୟସ୍ଥତା ପାଇଁ ରହିଛି । ଏହି ମାମଲା ଏବେ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ବିଚାରାଧୀନ ଅଛି ବୋଲି ସଂଘ ଦାବି କରିଛି। ସଂଘ ଆହୁରି ଅଭିଯୋଗ କରିଛି ଯେ ମଧ୍ୟସ୍ଥତା ପ୍ରକ୍ରିୟା ଚାଲିଥିବା ଏବଂ ଆଇବିଏ ସହିତ ଦ୍ୱିପାକ୍ଷିକ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିବା ସତ୍ତ୍ୱେ ଆର୍ଥିକ ସେବା ବିଭାଗ ସରକାରଙ୍କ କାର୍ଯ୍ୟଦକ୍ଷତା ଭିତ୍ତିକ ପ୍ରୋତ୍ସାହନ ଯୋଜନା ଲାଗୁ କରିବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛି। ସଂଘ ଯୁକ୍ତି ଦର୍ଶାଇଛି ଯେ ଡିଏଫଏସ ଦ୍ୱାରା ପ୍ରସ୍ତାବିତ ବର୍ତ୍ତମାନର ଯୋଜନା କେବଳ ଅଫିସର ମାନଙ୍କ ଏକ ଛୋଟ ଗୋଷ୍ଠୀକୁ ଅସମାନ ଭାବେ ଲାଭାନ୍ୱିତ କରିବ । ପେନସନର ନବୀକରଣ ଓ ସୁଧାର, ସମସ୍ତ ପେନସନଭୋଗୀଙ୍କ ପାଇଁ ଏକ ସମାନ ମହଙ୍ଗା ଭତ୍ତା ଏବଂ ଜାତୀୟ ପେନସନ ବ୍ୟବସ୍ଥା ଅନ୍ତର୍ଭୁକ୍ତ କର୍ମଚାରୀମାନଙ୍କୁ ପୁରୁଣା ପେନସନ ଯୋଜନାକୁ ଫେରିବାର ସୁଯୋଗ ଦେବା ଭଳି ଅନ୍ୟାନ୍ୟ ଦାବି ଗୁଡ଼ିକ ମଧ୍ୟ ଅମୀମାଂସିତ ରହିଛି।
ଏହା ମଧ୍ୟ ପଢନ୍ତୁ BANK HOLIDAY: ଅଗଷ୍ଟ ମାସରେ 14 ଦିନ ବ୍ୟାଙ୍କ ଛୁଟି, ଓଡ଼ିଶାରେ କେତେ ଦିନ ବନ୍ଦ ରହିବ ? ଦେଖନ୍ତୁ ଲିଷ୍ଟ୍
ଏହା ମଧ୍ୟ ପଢନ୍ତୁ ଲଗାତର ତୃତୀୟ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ, ଅଭିବୃଦ୍ଧି ହାର 6.7%କୁ ବୃଦ୍ଧି ନେଇ RBIର ଆକଳନ

