ETV Bharat / bharat

ଆସାମରେ ପୁଣି ଫୁଟିଲା 'ପଦ୍ମ': ବିଜେପିର ହ୍ୟାଟ୍ରିକ ସରକାର, କମାଲ କଲେ ବିଶ୍ୱଶର୍ମା

ଆସାମରେ ପୁଣି ବିପୁଳ ବିଜୟ ହାସଲ କରିଛି ବିଜେପି । 126 ଆସନରୁ 102 ଆସନରେ ବାଜି ମାରିଛି ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟ ।

ASSEMBLY ELECTION 2026
ହିମନ୍ତ ବିଶ୍ୱଶର୍ମା (Facebook Himanta Biswa Sarma)
author img

By ETV Bharat Odisha Team

Published : May 4, 2026 at 7:55 PM IST

3 Min Read
Choose ETV Bharat

ASSEMBLY ELECTION 2026 ଗୌହାଟୀ: ଆସାମରେ ବିଜେପିର ବିପୁଳ ବିଜୟ । ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ଏନଡିଏ ବହୁମତ ସଂଖ୍ୟା 64 ଅତିକ୍ରମ କରିଛି । 126 ଆସନ ବିଶିଷ୍ଟ ବିଧାନସଭାରେ 102 ଆସନ ଜିତି ସ୍ପଷ୍ଟ ବହୁମତ ହାତେଇଛି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ । ପୁଣି କମାଲ କରିଛନ୍ତି ହିମନ୍ତ ବିଶ୍ୱଶର୍ମା । ନିଜ ନିର୍ବାଚନମଣ୍ଡଳୀ ଜାଲୁକବାରିରେ ବଡ ବିଜୟ ହାସଲ କରିଛନ୍ତି ବିଶ୍ୱଶର୍ମା । ଏପଟେ ଆସାମରେ ଏନଡିଏ ମେଣ୍ଟ ହ୍ୟାଟ୍ରିକ ସରକାର ଗଠନ କରିବାକୁ ଯାଉଛି । ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସିବେ ହିମନ୍ତ ବିଶ୍ୱଶର୍ମା । 2016ରେ ଆସାମରେ ବିଜେପିର ବିଜୟ ବାନା ଉଡାଇଥିଲେ ସର୍ବାନନ୍ଦ ସୋନଓ୍ୱାଲ । ଏହାପରେ 2021ରୁ ଆଜିଯାଏଁ ଦେଶର ଗୁରୁତ୍ୱପୂର୍ଣ୍ଣ ଉତ୍ତର-ପୂର୍ବ ରାଜ୍ୟ ଆସାମରେ ମୁଖ୍ୟମନ୍ତ୍ରୀ ରହିବା ସହ ବିଜେପିର 'କ୍ରାଇସିସ୍ ମ୍ୟାନେଜର' ସାଜିଛନ୍ତି ହିମନ୍ତ ବିଶ୍ୱଶର୍ମା ।

ରେକର୍ଡ ମାର୍ଜିନରେ ଜିତିଲେ ବିଶ୍ୱଶର୍ମା-

ଜାଲୁକବାରି ଆସନରୁ ହିମନ୍ତ ବିଶ୍ୱଶର୍ମା 1,27,151 ଖଣ୍ଡ ଭୋଟ ପାଇ ରେକର୍ଡ ମାର୍ଜିନରେ ବିଜୟ ଲାଭ କରିଛନ୍ତି । ଏହି ଆସନରେ ବିଶ୍ୱଶର୍ମା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ 89434 ଖଣ୍ଡ ଭୋଟରେ ପରାଜିତ କରିଛନ୍ତି ।

ବିଜେପିର ରେକର୍ଡ ବିଜୟ-

ଆସାମରେ ବିଜେପିର ସୁନାମୀ । 126 ଆସନରୁ ବିଜେପି 102 ଆସନରେ ବାଜିମାତ କରିଛି । କଂଗ୍ରେସ 21 ଏବଂ ଏଆଇୟୁଡିଏଫ୍ 2 ଏବଂ ଅନ୍ୟାନ୍ୟ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି ।

ଆସାମରେ ପୁଣି ଏନଡିଏ ସରକାର-

ଲଗାତାର ତୃତୀୟ ଥର ପାଇଁ ଆସାମରେ ପୁଣି ଗଠନ ହେବ ଏନଡିଏ ସରକାର । ବିଜେପି, ଆସାମ ଗଣ ପରିଷଦ ଏବଂ ୟୁପିପିଏଲ ମେଣ୍ଟ ବଡ ବିଜୟ ହାସଲ କରିଛି । ବିକାଶ, ନେତୃତ୍ବ ଏବଂ ତୃଣମୂଳ ସ୍ତରରେ ସଶକ୍ତ ସାଙ୍ଗଠନିକ ଶକ୍ତି ପାଇଁ କମାଲ କରିଛି ଏହି ମେଣ୍ଟ । 2016ରେ ସର୍ବାନନ୍ଦ ସୋନଓ୍ୱାଲ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନରେ ବଡ଼ ଭୂମିକା ନିର୍ବାହ କରିବା ସହିତ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ 2021ରୁ ଉତ୍ତର-ପୂର୍ବ ରାଜ୍ୟକୁ ବିଜେପିର ଗଡ଼ ବନେଇଛନ୍ତି ହିମନ୍ତ ବିଶ୍ୱଶର୍ମା । କଂଗ୍ରେସ ନେତୃତ୍ୱାଧିନ ମେଣ୍ଟକୁ ପୁଣି ଚକମା ଦେଇଛି ଏନଡିଏ ମେଣ୍ଟ । ହାଇପ୍ରୋଫାଇଲ୍ ଆସନରେ ଚମକିଛନ୍ତି ଏନଡିଏ ନେତା ।

ଆସାମ ବିଜେପିର ପ୍ରମୁଖ ଫୋକସ୍ କ୍ଷେତ୍ର:

ହିମନ୍ତ ବିଶ୍ବଶର୍ମାଙ୍କ ନେତୃତ୍ବାଧୀନ ବିଜେପି ସରକାର, ଆସାମରେ ଗତ ସରକାର ସମୟରେ ବିଭିନ୍ନ ଉନ୍ନୟନ ମୂଳକ କାମ କରିଛନ୍ତି । ସେଥିରେ ପ୍ରମୁଖ ହେଉଛି ନୂଆ ମେଡିକାଲ୍ ଏବଂ ପଲିଟେକନିକ୍ କଲେଜ ନିର୍ମାଣ ଏବଂ ରାଜ୍ୟରେ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ପ୍ରଦାନ ।

ଆସାମରେ NDA ସହଯୋଗୀ ଦଳ:

2026 ବିଧାନସଭା ନିର୍ବାଚନରେ ଶାସକ ବିଜେପି ସହ ମେଣ୍ଟ କରିଥିଲେ ଆସାମ ଗଣ ପରିଷଦ (AGP), ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ (UPPL), ଏବଂ ବୋଡ଼ୋ ପିପୁଲ୍ସ ଫ୍ରଣ୍ଟ (BPF) ଅନ୍ତର୍ଭୁକ୍ତ ।

କମାଲ କଲା ପ୍ରଧାନମନ୍ତ୍ରୀଙ୍କ ପ୍ରଚାର:

ଆସାମରେ ୨୦୨୬ ବିଧାନସଭା ନିର୍ବାଚନ ପ୍ରଚାରର ମଙ୍ଗ ଧରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମାରାଥାନ ପ୍ରଚାର କରିବା ସହ ବିଜେପି ପ୍ରାର୍ଥୀମାନଙ୍କୁ ବିଜୟୀ କରିବାକୁ ଆସାମ ମତଦାତାଙ୍କୁ ନିବେଦନ କରିଥିଲେ ।

ହିମନ୍ତ ବିଶ୍ୱଶର୍ମାଙ୍କ ରାଜନୈତିକ କ୍ୟାରିଅର୍-

ହିମନ୍ତ ବିଶ୍ୱଶର୍ମାଙ୍କ ଜନ୍ମ 1969 ମସିହାରେ ହୋଇଥିଲା । ବିଶ୍ୱଶର୍ମା ବର୍ତ୍ତମାନ ସମୟରେ ଭାରତୀୟ ରାଜନୈତିକ ଆକାଶର ଅନ୍ୟତମ ପ୍ରମୁଖ ତାରା । ସେ ଆସାମର 15ତମ ମୁଖ୍ୟମନ୍ତ୍ରୀ । ସେ 2021, ମେ 10 ତାରିଖରୁ ଆଜିଯାଏଁ ଆସାମର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତି । ପୂର୍ବରୁ ଜଣେ କଂଗ୍ରେସ ନେତା ଥିବା ବିଶ୍ୱଶର୍ମା 2015ରେ ବିଜେପିରେ ମିଶିଥିଲେ । ବିଜେପିରେ ତାଙ୍କ ମିଶ୍ରଣ ପରେ ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଦଳ ଗୋଟିଏ ପରେ ଗୋଟିଏ ନିର୍ବାଚନ ବାଜି ମାରିଥିଲା । ପ୍ରଥମେ 2016 ନିର୍ବାଚନରେ ବିଜେପି ଆସାମରେ ଚମକିବା ପରେ 2021ରେ ମଧ୍ୟ କମାଲ କରିଥିଲା । ତେବେ 2001 ମସିହାରୁ ଜାଲୁକବାରି ନିର୍ବାଚନ ମଣ୍ଡିଳୀରେ ଜିତି ଆସୁଛନ୍ତି ବିଶ୍ୱଶର୍ମା ।

ପ୍ରାରମ୍ଭିକ କ୍ୟାରିୟର ଏବଂ କଂଗ୍ରେସ ଯୁଗ (୨୦୦୧-୨୦୧୪): ସେ ଭାରତୀୟ ଜାତୀୟ କଂଗ୍ରେସ ସହିତ ତାଙ୍କର ନିର୍ବାଚନୀ ଯାତ୍ରା ଆରମ୍ଭ କରିଥିଲେ, ୨୦୦୧ରେ ଜାଲୁକବାରି ନିର୍ବାଚନମଣ୍ଡଳୀ ଜିତିଥିଲେ, ଏହି ଆସନଟି ସେବେଠାରୁ ଅକ୍ତିଆର କରିଆସୁଛନ୍ତି । ସେ କଂଗ୍ରେସ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ଅଧୀନରେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ଗ୍ରହଣ କରିଥିଲେ ।

2015ରେ ବିଜେପିରେ ଏଣ୍ଟ୍ରି (୨୦୧୫): ଆଭ୍ୟନ୍ତରୀଣ ମତଭେଦ ଯୋଗୁଁ, ସେ ୨୦୧୪ରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଏବଂ ଅଗଷ୍ଟ ୨୦୧୫ରେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିଲେ । ବିଜେପିର ଉତ୍ତର-ପୂର୍ବ ଗଣତାନ୍ତ୍ରିକ ମେଣ୍ଟ (NEDA)ର ସଂଯୋଜକ ଭାବରେ, ସେ ୨୦୧୬ରେ ବିଜେପିକୁ ପ୍ରଥମ ଥର ପାଇଁ ଆସାମ ରାଜ୍ୟ ନିର୍ବାଚନରେ ​​ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ପଦ (୨୦୨୧–ବର୍ତ୍ତମାନ): ୨୦୨୧ରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, ଭିତ୍ତିଭୂମି, ସ୍ୱାସ୍ଥ୍ୟ ଏବଂ ଆଇନ ପ୍ରବର୍ତ୍ତନ କ୍ଷେତ୍ରରେ ପଦକ୍ଷେପର ନେତୃତ୍ୱ ନେଇଥିଲେ । ସେ ତାଙ୍କର ସ୍ପଷ୍ଟ ଆଭିମୁଖ୍ୟ ପାଇଁ ଲୋକପ୍ରିୟତା ହାସଲ କରିଛନ୍ତି । ୨୦୨୬ରେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇ ନିଜର ଲୋକପ୍ରିୟତା ପୁଣି ପ୍ରମାଣିତ କରିଛନ୍ତି ।

ରାଜନୈତିକ ବ୍ୟକ୍ତିତ୍ୱ: ଜଣେ ଦୃଢ଼ ପ୍ରଶାସକ ଭାବରେ ଏବଂ ତାଙ୍କର "ମାମା" (କାକା) ବ୍ୟକ୍ତିତ୍ୱ ପାଇଁ ଜଣାଶୁଣା, ବିକାଶମୂଳକ ରାଜନୀତିକୁ ଆଦର୍ଶଗତ ପଦକ୍ଷେପ ସହିତ ମିଶ୍ରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।