ୱାୟାନାଡ଼ରେ ପୁଣି ଭୟଙ୍କର ଭୂସ୍ଖଳନ: ବ୍ୟାପକ କ୍ଷୟକ୍ଷତି, ୩ ମୃତ, ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା
ମାଟି ତଳେ ଆହୁରି ଲୋକ ଫସି ରହିଥିବା ସନ୍ଦେହ କରାଯାଉଥିବାରୁ NDRF, ଅଗ୍ନିଶମ ଏବଂ RRT ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଅଛନ୍ତି ।

Published : July 7, 2026 at 5:49 PM IST
LANDSLIDE IN WAYANAD, ୱାୟାନାଡ଼ (କେରଳମ): ମଙ୍ଗଳବାର ଦିନ କେରଳମର ୱାୟାନାଡ ସୁଡ଼ଙ୍ଗ ପ୍ରକଳ୍ପ ସ୍ଥାନରେ ଭୂସ୍ଖଳନ ହେବା ଫଳରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାତ ଜଣ ଆହତ ହୋଇଥିବା ଏବଂ ଅନେକ ନିଖୋଜ ଥିବା ସୂଚନା ମିଳିଛି ।
କଲ୍ଲାଡିର ମୀନାକ୍ଷୀ ସେତୁ ନିକଟରେ ଭୂସ୍ଖଳନ ଘଟିଛି, ଯେଉଁଠାରେ ମାଲାପ୍ପୁରମ ଏବଂ ୱାୟାନାଡ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ସୁଡ଼ଙ୍ଗ ରାସ୍ତା ପ୍ରକଳ୍ପର କାମ ଚାଲିଥିଲା ।
ତିରୁବନନ୍ତପୁରମରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି କେରଳ ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ୍ କହିଛନ୍ତି ଯେ, "ମନ୍ତ୍ରୀ ଏପି ଅନିଲ କୁମାର ଏବଂ ଟି ସିଦ୍ଦିକଙ୍କୁ ୱାୟାନାଡ ଯାଇ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।"
"ଯାନବାହାନ ଏବଂ ନିର୍ମାଣ ସାମଗ୍ରୀ ସମ୍ପୂର୍ଣ୍ଣ ଭାବରେ ମାଟି ତଳେ ପୋତି ହୋଇଯାଇଛି । ନିଖୋଜମାନେ ନିର୍ମାଣ ଶ୍ରମିକ," ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, "ନିର୍ମାଣ କ୍ଷେତ୍ରରେ ଠିକାଦାରଙ୍କ ଘୋର ଅବହେଳା ଯୋଗୁଁ ଏହି ବିପର୍ଯ୍ୟୟ ଘଟିଛି । ସୁଡ଼ଙ୍ଗ ନିର୍ମାଣ ପାଇଁ କଢ଼ାଯାଇଥିବା ମାଟି ଅସୁରକ୍ଷିତ ଭାବେ ସେଠାରେ ଗଦା ହୋଇଥିଲା," ବୋଲି ସେ କହିଛନ୍ତି ।
ସତୀସନ୍ କହିଛନ୍ତି ଯେ, ବର୍ଷା ଯୋଗୁଁ କାଦୁଅ ମାଟି ଖସି ଆସିଥିଲା । "ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ନିକଟସ୍ଥ ମୀନାଙ୍ଗଡ଼ିରୁ ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । କୋଝିକୋଡ଼ରୁ ଏକ ସ୍ୱତନ୍ତ୍ର ଦଳ ମଧ୍ୟ ବିପର୍ଯ୍ୟୟ ସ୍ଥଳକୁ ଗସ୍ତ କରିଛି । ଏହା ସହିତ, ତ୍ରିସୁରରୁ ପ୍ରତିରକ୍ଷା ସୁରକ୍ଷା ବାହିନୀକୁ ମଧ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ କରାଯାଇଛି," ବୋଲି ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଜିଲ୍ଲାର ମନ୍ତ୍ରୀମାନଙ୍କ ସହିତ ଏକ ଜରୁରୀ ବୈଠକ ମଧ୍ୟ କରିଥିଲେ ଏବଂ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ସମନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
In the wake of the landslide near Meenakshi Bridge at Kalladi in #Wayanad, the government reviewed the situation. An emergency meeting was held with Agriculture Minister T. Siddique, who is from the district. Directions have been issued to coordinate rescue operations without…
— V D Satheesan (@vdsatheesan) July 7, 2026
କେରଳମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (KSDMA) କହିଛି ଯେ, ସୁଡଙ୍ଗ କାର୍ଯ୍ୟସ୍ଥଳରେ ଖନନରୁ ଭଗ୍ନାବଶେଷ କଲ୍ଲାଡିର ମୀନାକ୍ଷୀ ସେତୁ ନିକଟରେ ଖସିପଡ଼ିଥିଲା ଏବଂ ନିକଟବର୍ତ୍ତୀ ରାସ୍ତାଗୁଡ଼ିକୁ ଅବରୋଧ କରିଥିଲା । ପ୍ରାଧିକରଣ କହିଛି ଯେ, ଲଗାଣ ବର୍ଷା ଯୋଗୁଁ ସୁଡଙ୍ଗ ପ୍ରକଳ୍ପର କାର୍ଯ୍ୟ ସୋମବାରଠାରୁ ସ୍ଥଗିତ ରଖାଯାଇଛି ।
KSDMA ଅଧିକାରୀମାନେ କହିଛନ୍ତି ଯେ, ଏହି ଘଟଣାରେ ମୃତ୍ୟୁବରଣ କରିଥିବା କିମ୍ବା ଆହତ ହୋଇଥିବା ଲୋକମାନେ କାର୍ଯ୍ୟସ୍ଥଳରେ ବୁଲୁଥିଲେ ଯେତେବେଳେ ଭଗ୍ନାବଶେଷ ଖୁବ୍ ଜୋରରେ ମାଡ଼ି ଆସିଥଲା । KSDMA ଏହା ମଧ୍ୟ କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ ଏହି ଅଞ୍ଚଳରେ 265 ମିମି ବର୍ଷା ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଏବଂ ପୋଲିସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତରଖାନାଗୁଡ଼ିକରେ ପର୍ଯ୍ୟାପ୍ତ ସୁବିଧା ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF), ଅଗ୍ନିଶମ ଏବଂ ଉଦ୍ଧାର ସେବା, ଏବଂ ଦ୍ରୁତ ପ୍ରତିକ୍ରିୟା ଦଳ (RRT) ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଅଛନ୍ତି । ଜଣେ ବରିଷ୍ଠ ସରକାରୀ ଅଧିକାରୀ ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଘଟଣାସ୍ଥଳରେ କୌଣସି ଶ୍ରମିକ ନଥିଲେ ଏବଂ ଯେଉଁମାନେ କାଦୁଅ ତଳେ ଫସି ରହିଥିବା ଆଶଙ୍କା କରୁଛନ୍ତି ସେମାନେ ଇଞ୍ଜିନିୟର ଏବଂ ସୁରକ୍ଷା କର୍ମଚାରୀ ।

ଜିଲ୍ଲା ପ୍ରଶାସନର ଏକ ବିବୃତ୍ତିରେ କୁହାଯାଇଛି ଯେ, ମୀନାଙ୍ଗଡିରେ ନିୟୋଜିତ NDRF ଦଳକୁ ତୁରନ୍ତ ଭୂସ୍ଖଳନ ସ୍ଥାନରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେତେବେଳେ କୋଝିକୋଡରୁ ଅନ୍ୟ ଏକ ଦଳକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ୱାୟାନାଡ ଯିବାକୁ କୁହାଯାଇଛି ।
ନିର୍ମାଣ କମ୍ପାନୀର କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରୁଥିବା କଣ୍ଟେନର, ଶ୍ରମିକମାନଙ୍କ ସହିତ ଆସିଥିବା ବସ୍, କାର ଏବଂ ମାଟି ଘୋଡାଇବା ମେସିନଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ମାଟି ତଳେ ପୋତି ହୋଇଯାଇଥିଲା । ଏହି ଅଞ୍ଚଳରେ ରାସ୍ତା ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ମୀନାକ୍ଷୀ ସେତୁ ନିକଟରେ ଏକ ଛୋଟ ନଦୀର ପ୍ରବାହିତ ଜଳ ମଧ୍ୟ ଚିନ୍ତା ସୃଷ୍ଟି କରୁଛି ।
ବିପଦକୁ ବିଚାରକୁ ନେଇ, ନିକଟବର୍ତ୍ତୀ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଉଛି । ଯେହେତୁ ଏହା ଏକ ମୌସୁମୀ ପର୍ଯ୍ୟଟନ କ୍ଷେତ୍ର, କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ବିପଦ ଅଛି କି ନାହିଁ ତାହା ଯାଞ୍ଚ କରୁଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, କୌଣସି ସତର୍କତା ବିନା ହଠାତ୍ ଏକ ଜୋରରେ ଶବ୍ଦ ସହିତ ଭୂସ୍ଖଳନ ହୋଇଥିଲା । ବଡ଼ ବଡ଼ ଗଛ ଉପୁଡ଼ିବା ମଧ୍ୟ ଉଦ୍ଧାର କାର୍ଯ୍ୟକୁ ପ୍ରଭାବିତ କରିଛି । ମାଲାପ୍ପୁରମ୍ ଏବଂ ୱାୟାନାଡ୍ ଜିଲ୍ଲାକୁ ସଂଯୋଗ କରୁଥିବା ଆନାକ୍କୋମ୍ପୋଇଲ୍-ମେପାଡି ସୁଡ଼ଙ୍ଗ ପ୍ରକଳ୍ପର କାର୍ଯ୍ୟ ଗତ ବର୍ଷ ଆରମ୍ଭ ହୋଇଥିଲା ।

ୱାୟାନାଡ଼ ଜିଲ୍ଲାରେ ରେଡ୍ ଆଲର୍ଟ
ମଙ୍ଗଳବାର କେରଳମର ୱାୟାନାଡ ଜିଲ୍ଲାରେ IMD ଦ୍ୱାରା ରେଡ୍ ଆଲର୍ଟ ଜାରି କରାଯାଇଥିଲା, ଯେଉଁଥରେ ଦିନବେଳା ମନନ୍ଥବାଡି ଏବଂ ଭିଥିରି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ସକାଳ ପ୍ରାୟ ୧୧ଟାରେ ୱାୟାନାଡ଼ର କଲ୍ଲାଡି ସୁଡ଼ଙ୍ଗ ପ୍ରକଳ୍ପ ସ୍ଥାନରେ ଭୂସ୍ଖଳନ ପରେ ଅପରାହ୍ନ ୧୨.୩୦ରେ ଏହି ସତର୍କତା ଜାରି କରାଯାଇଛି ।
ଭାରତ ପାଣିପାଗ ବିଭାଗ (IMD) ଦ୍ୱାରା ପଡ଼ୋଶୀ କୋଝିକୋଡ଼ ଜିଲ୍ଲାରେ ମଧ୍ୟ ରେଡ୍ ଆଲର୍ଟ ଜାରି କରାଯାଇଥିଲା, ଯେତେବେଳେ ରାଜ୍ୟର ମାଲାପ୍ପୁରମ, କନ୍ନୁର ଏବଂ କାସରଗୋଡ଼ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା । ମନନ୍ଥବାଡ଼ି ଅଞ୍ଚଳରେ ଦିନବେଳା ୬୪ ମିମି ଏବଂ ଭିଥିରିରେ ୧୨୩ ମିମି ବର୍ଷା ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ- Shocking video: ଯମ ସାଜି ପାହାଡ ଉପରୁ ଖସିଲା ପଥର, ବାଇକ ଆରୋହୀ ମୃତ
ଏହା ମଧ୍ୟ ପଢ଼ନ୍ତୁ- କେରଳ ୱାୟାନାଡ ଭୂସ୍ଖଳନ: ଗ୍ରାଉଣ୍ଡ ଜିରୋ ଗଲା ଓଡିଶା ସନ୍ଧାନୀ କୁକୁର ‘ଷ୍ଟର୍ମ’, ମାଟିତଳୁ ଖୋଜିବ ମଣିଷ - Odisha police dog Storm in kerala
ବ୍ୟୁରୋ ରିପୋର୍ଟ, ୱାୟାନାଡ଼ (କେରଳମ)

