ETV Bharat / bharat

ଜମ୍ମୁ-କଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରତିବାଦରେ ମେହବୁବା ମୁଫତିଙ୍କ ଧାରଣା, ଓଲଟା ଧରିଲେ ଜାତୀୟ ପତାକା, ସୁରକ୍ଷା କାରଣରୁ ସ୍ଥଗିତ ରହିଲା ଅମରନାଥ ଯାତ୍ରା

ମେହବୁବା ମୁଫତି କହିଛନ୍ତି, ଭାରତ ସରକାର ଜମ୍ମୁ କଶ୍ମୀର ଲୋକଙ୍କ ସହ ଆଲୋଚନା କରିବା ଦରକାର ଏବଂ ସେମାନଙ୍କ ଅଧିକାର ଏବଂ ସାମ୍ବିଧାନିକ ମାନ୍ୟତା ଫେରାଇ ଦେବା ଦରକାର ।

An aerial view of the Amarnath Yatra base camp at Baltal on Monday
ଜମ୍ମୁ କାଶ୍ମୀର ବାଲତାଲରେ ଥିବା ଅମରନାଥ ଯାତ୍ରା ବେସ୍ କ୍ୟାମ୍ପର ଆକାଶ ମାର୍ଗରୁ ନିଆାଯାଇଥିବା ଦୃଶ୍ୟ (ANI)
author img

By ETV Bharat Odisha Team

Published : August 5, 2026 at 1:23 PM IST

1 Min Read
Choose ETV Bharat

ARTICLE 370 ABROGATION ANNIVERSARY, ଜମ୍ମୁ : ଜମ୍ମୁ ବେସ କ୍ୟାମ୍ପରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଧାରା 370 ହଟାଯିବାର 7 ବର୍ଷ ପୂର୍ତ୍ତି ଅବସରରେ ଜମ୍ମୁ ଓ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା କାରଣରୁ ବୁଧବାର ଏହି ଯାତ୍ରାକୁ ସ୍ଥଗିତ ରଖାଯାଇଛି ।

ଗୋଟିଏ ଦିନ ପାଇଁ ଭଗବତୀ ବେସ କ୍ୟାମ୍ପରୁ ଏହି ଯାତ୍ରା ସ୍ଥଗିତ ରଖା ଯାଇଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଯାଇ ନାହିଁ । ତେବେ ବର୍ତ୍ତମାନର ସ୍ଥିତିକୁ ନେଇ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାରୀ ସୂତ୍ରରୁ କୁହାଯାଇଛି । ଜମ୍ମୁ ବେସ କ୍ୟାମ୍ପରୁ ଅନନ୍ତନାଗର ପହଲାଗାମ ଏବଂ ଗାନ୍ଦରବଲ ଜିଲ୍ଲାର ବାଲତାଲସ୍ଥିତ ଯାଆଁଳା ବେସ କ୍ୟାମ୍ପ ଅଭିମୁଖେ କୌଣସି ନୂଆ ଶ୍ରଦ୍ଧାଳୁ ଦଳକୁ ଯିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିନାହିଁ ।

କେନ୍ଦ୍ର ସରକାର 2019 ଅଗଷ୍ଟ 5 ତାରିଖରେ ଜମ୍ମୁ-କାଶ୍ମୀରରୁ ଧାରା 370 ଅଧୀନରେ ଥିବା ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିନେବା ସହ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପୁନର୍ଗଠନ କରିଥିଲେ । ତେବେ ବିଜେପି ସରକାରଙ୍କର ଏହି ନିଷ୍ପତ୍ତିକୁ ଶାସକ ନେସନାଲ୍ କନଫରେନ୍ସ, କଂଗ୍ରେସ ଏବଂ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସମେତ ବିଭିନ୍ନ ରାଜନୈତିକ ଦଳ ବିରୋଧ କରିବା ସହ ଅଗଷ୍ଟ ୫ କୁ "କଳା ଦିବସ" ଭାବେ ପାଳନ କରୁଛନ୍ତି ।

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫତି ଧାରା 370 ହଟାଇବାର ସପ୍ତମ ବାର୍ଷିକୀ ପାଳନର ଦିନକ ପୂର୍ବରୁ ଅର୍ଥାତ ମଙ୍ଗଳବାର ରାତିରେ ଶ୍ରୀନଗରରେ ବିରୋଧ ପ୍ରଦର୍ଶନ କରିଥିଲେ ।

ବିରୋଧ ପ୍ରଦର୍ଶନ ସମୟରେ ମେହବୁବା ମୁଫତି ଜାତୀୟ ପତାକାକୁ ଓଲଟା ଧରିିଥିଲେ । ଏହାକୁ ନେଇ ବିବାଦ ଦେଖା ଦେଇଥିଲା । କୁହାଯାଉଛି ଯେ, ବିବାଦ ଦେଖା ଦେବା ପରେ ମେହବୁବା ଜାତୀୟ ପତାକକୁ ଠିକ ଭାବେ ଧରିିଥିଲେ । ମେହବୁବା ମୁଫତିଙ୍କ ନେତୃତ୍ୱରେ ପିଡିପି କର୍ମୀ ଶ୍ରୀନଗର ପାର୍ଟି ମୁଖ୍ୟ କର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ । ମେହବୁବା ଦଳୀୟ କର୍ମୀଙ୍କ ଗହଣରେ ନିଜ ଅଫିସ ବାହାରେ ମହମବତୀ ଜଳାଇ ଧାରଣା ଦେଇଥିଲେ । ମେହବୁବା କହିଛନ୍ତି, 'ଭାରତ ସରକାର ଜମ୍ମୁ କାଶ୍ମୀର ଲୋକଙ୍କ ସହ ଆଲୋଚନା କରିବା ଦରକାର ଏବଂ ସେମାନଙ୍କ ଅଧିକାର ଏବଂ ସାମ୍ବିଧାନିକ ମାନ୍ୟତା ଫେରାଇ ଦେବା ଦରକାର ଯାହା 2019 ଅଗଷ୍ଟ 5 ତାରିଖରେ ସେମାନଙ୍କଠାରୁ ଛଡେଇ ନେଇଥିଲେ ।'

ଏହା ମଧ୍ୟ ପଢନ୍ତୁ କାଶ୍ମୀରରେ ଦୁଇ OGW ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ

ଏହା ମଧ୍ୟ ପଢନ୍ତୁ ଅନନ୍ତନାଗ ଜିଲ୍ଲାରେ ପୁଣି ଆତଙ୍କୀ ଆକ୍ରମଣ, ଗୁଳି ମାଡ଼ରେ ପୋଲିସ କର୍ମୀ ସହୀଦ