ETV Bharat / bharat

ଆରମ୍ଭ ହେଲା ଅମରନାଥ ଯାତ୍ରା-2026; ଧାର୍ଯ୍ୟ ତାରିଖରେ ଯାତ୍ରା କରିବା ପାଇଁ ତୀର୍ଥଯାତ୍ରୀଙ୍କୁ ଅନୁରୋଧ କଲା ପ୍ରଶାସନ

ଲଗାଣ ବର୍ଷା ଏବଂ ପ୍ରତିକୂଳ ପାଗ ସତ୍ତ୍ୱେ ତୀର୍ଥଯାତ୍ରୀମାନେ ଖୁବ ଉତ୍ସାହର ସହିତ ଯାତ୍ରାରମ୍ଭ କରିଛନ୍ତି । ପ୍ରତିକୂଳ ସ୍ଥିତି ସେମାନଙ୍କ ବିଶ୍ୱାସ ଏବଂ ଲକ୍ଷ୍ୟକୁ ଆହୁରି ଦୃଢ଼ କରିଛି ବୋଲି କହିଛନ୍ତି ।

Amarnath Yatra 2026 Begins In Jammu Kashmir
ପବିତ୍ର ପହଲଗାମ ଗୁମ୍ଫା ଅଭିମୁଖେ ତୀର୍ଥଯାତ୍ରୀ (Etv Bharat)
author img

By ETV Bharat Odisha Team

Published : July 3, 2026 at 4:52 PM IST

2 Min Read
Choose ETV Bharat

ଜମ୍ମୁ/ପହଲଗାମ : ଜମ୍ମୁକଶ୍ମୀରରେ ଆରମ୍ଭ ହୋଇ ଯାଇଛି ପବିତ୍ର ଅମରନାଥ ଯାତ୍ରା । ହଜାର ହଜାର ଭକ୍ତ ପହଲଗାମର ପବିତ୍ର ଗୁମ୍ଫା ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ନୁନୱାନ ବେସ କ୍ୟାମ୍ପରେ ହଜାର ହଜାର ପୁରୁଷ, ମହିଳା, ଶ୍ରଦ୍ଧାଳୁ ଏବଂ ସାଧୁସନ୍ଥ ପହଞ୍ଚିଛନ୍ତି । ହର ହର ମହାଦେବ ଧ୍ୱନି ସହ ଅମରନାଥ ଦର୍ଶନର ପବିତ୍ର ଯାତ୍ରା ଆରମ୍ଭ ହୋଇଛି ।

ପବିତ୍ର ଗୁମ୍ଫା ଦର୍ଶନ ପାଇଁ ପହଲଗାମ ରୁଟରୁ 2,510 ତୀର୍ଥଯାତ୍ରୀ ଆଜି ବାହାରିଥିବାବେଳେ, 2,312 ଜଣ ବାଲଟାଲ୍ ରୁଟ ଦେଇ ବାହାରିଥିଲେ। ପ୍ରଥମ ପର୍ଯାୟର ଏହି ଯାତ୍ରାକୁ ଅନନ୍ତନାଗ ଡେପୁଟି କମିଶନର ବିଲାଲ ମୋହିଉଦ୍ଦିନ୍ ଭଟ୍ଟ ଏବଂ ଅନନ୍ତନାଗ ଏସ୍ଏସ୍ପି ଅମୁଦ ଅଶୋକ ନାଗପୁରେ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ଏବଂ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତି ଥିଲେ ।

ETV ଭାରତ ସହିତ କଥାବାର୍ତ୍ତା ସମୟରେ ତୀର୍ଥଯାତ୍ରୀମାନେ କହିଛନ୍ତି, 'ଲଗାଣ ବର୍ଷା ଏବଂ ପ୍ରତିକୂଳ ପାଗ ସତ୍ତ୍ୱେ ଆମେ ଏହି ଯାତ୍ରା ପାଇଁ ଖୁବ ଉତ୍ସାହିତ ଅଛୁ । ପ୍ରତିକୂଳ ସ୍ଥିତି ଆମର ବିଶ୍ୱାସ ଏବଂ ଲକ୍ଷ୍ୟକୁ ଆହୁରି ଦୃଢ଼ କରିଛି। ଭଗବାନ ଶିବଙ୍କ ଦର୍ଶନ ଏକ ଆଶୀର୍ବାଦ । ଆମେ ଆଶା କରୁଛୁ, ଆମର ଯାତ୍ରା ସଫଳତାର ସହ ଶେଷ ହେବ ।'

ଶୁକ୍ରବାର ଦିନ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ବେସ୍ କ୍ୟାମ୍ପରେ ପହଞ୍ଚିବା ପୂର୍ବରୁ, କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ପକ୍ଷରୁ ଏକ ନୂତନ ଆଡଭାଇଜରୀ ଜାରି କରାଯାଇଛି । ପଞ୍ଜୀକୃତ ଯାତ୍ରା ତାରିଖକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ତୀର୍ଥଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତିଦିନ ଏହି ମାର୍ଗରେ ଯାତ୍ରା କରିବାକୁ ଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ସୀମିତ କରାଯାଇଥିବା ନେଇ ଅଧିକାରୀମାନେ ନିଶ୍ଚିତ କରିଛନ୍ତି।

ଅନେକ ତୀର୍ଥଯାତ୍ରୀ ପୂର୍ବ ପଞ୍ଜୀକରଣ ବିନା ଜାମ୍ମୁ ଓ କାଶ୍ମୀରରେ ପହଞ୍ଚୁଛନ୍ତି । ଆଉ କେତେକ ଆବଣ୍ଟିତ ଯାତ୍ରା ତାରିଖ ପୂର୍ବରୁ ମଧ୍ୟ ପହଞ୍ଚି ଯାଉଛନ୍ତି । ଏହା ଯାତ୍ରା ପରିଚାଳନାଗତ ବ୍ୟବସ୍ଥା ପ୍ରତି ସମସ୍ୟା ସୃଷ୍ଟି କରିବ । ତେଣୁ ଏପରି ରିପୋର୍ଟ ପାଇବା ପରେ ଏହି ଆଡଭାଇଜରୀ ଜାରି କରାଯାଇଛି । ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶାଳୟ (DIPR) ପକ୍ଷରୁ କୁହାଯାଇଛି, ଦୈନିକ ଯେତିକି ତୀର୍ଥଯାତ୍ରୀଙ୍କ ଯାତ୍ରା ଧାର୍ଯ୍ୟ କରାଯାଇଛି ସେତିକି ହିଁ ଯିବେ । ଏଥିରେ କୌଣସି କୋହଳ ମନୋଭାବ ପୋଷଣ କରାଯାଇପାରିବ ନାହିଁ।

ଅଧିକାରୀମାନେ କହିଛନ୍ତି, ତୀର୍ଥଯାତ୍ରା ଆରମ୍ଭ ହେବାର ମାସେ ପୂର୍ବରୁ ଦେଶସାରା ଚିହ୍ନଟ ହୋଇଥିବା ବ୍ୟାଙ୍କ ଶାଖା ଏବଂ ଅନଲାଇନ୍ ପ୍ଲାଟଫର୍ମ ମାଧ୍ୟମରେ ପଞ୍ଜୀକରଣ କରାଯାଉଥିଲା । ଭକ୍ତମାନେ ବହୁ ପୂର୍ବରୁ ନିଜର ଯାତ୍ରା ସ୍ଲଟ୍ ବୁକିଂ କରି ସାରିଛନ୍ତି । ତେବେ ସୀମିତ ସଂଖ୍ୟକ ତତ୍କାଳ ପଞ୍ଜୀକରଣ ଉପଲବ୍ଧ ରହିଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ କର୍ଣ୍ଣାଟକରେ ପଥର ଖଣିରେ ଦୁର୍ଘଟଣା, ବିଶାଳ ପଥର ଧସି 7 ଶ୍ରମିକ ମୃତ

ଏହା ମଧ୍ୟ ପଢନ୍ତୁ ରାମ ମନ୍ଦିର ଦାନ ହେରଫେର ମାମଲା: ଭୂମିକାକୁ ଅସ୍ୱୀକାର କଲା ସୁରକ୍ଷା ସଂସ୍ଥା, SBIର ଅନୁରୋଧରେ କର୍ମଚାରୀ ନିଯୁକ୍ତ କରିଥିବା ଦାବି