ଆଉ ରହିବନି ସପିଂ ମଲର ଟ୍ରାଏଲ ରୁମ ! AI ସ୍ମାର୍ଟ ମିରର ଦେଖାଇଦେବ କେମିତି ମାନୁଛି ନୂଆ ପୋଷାକ
ଆସିଲା AI ଆଧାରିତ ଭର୍ଚୁଆଲ ଟ୍ରାଏଲ ରୁମ । ସେ ଦିନ ବୋଧହୁଏ ଡେରି ନାହିଁ, ଯେଉଁଦିନ ବଡବଡ ମଲରୁ ଟ୍ରାଏଲ ରୁମ ହଟି ଯିବ, ତା ଜାଗାରେ କେବଳ ସ୍ମାଟସ୍କ୍ରିନ ରହିଥିବ ।


Published : February 19, 2026 at 4:22 PM IST
ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ତପରେ ଚାଲିଛି ଇଣ୍ଡିଆ AI ଇମ୍ପାକ୍ଟ ସମିଟ 2026 । ସମ୍ମିଳନୀରେ ପ୍ରଯୁକ୍ତି ବିଦ୍ୟା ଏବଂ ରିଟେଲ ବ୍ୟବସାୟର ଏକ ଅନନ୍ୟ ସମନ୍ୱୟ ଦେଖିବାକୁ ମିଳିଛି । ଭାରତର ଅଗ୍ରଣୀ ଆଇଟି କମ୍ପାନୀ ଟାଟା କନସଲ୍ଟାନ୍ସି କମ୍ପାନୀ(TCS) ଏମିତି ଏକ ପ୍ରଯୁକ୍ତି ବିଦ୍ୟା ପ୍ରଦର୍ଶନ କରିଛି ଯାହା ଆଗାମୀ ଦିନରେ ପୋଷାକ କିିଣିବାର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ।
ଟିସିଏସ ଦେଖାଇଲା ଭର୍ଚୁଆଲ ଟ୍ରାଏଲ ରୁମ
ଏହି ସମ୍ମିଳନୀରେ ଟିସିଏସ ତାର ବହୁ ପ୍ରତିକ୍ଷୀତ AI ଆଧାରିତ ଭର୍ଚୁଆଲ ଟ୍ରାଏଲ ରୁମ ଉନ୍ମୋଚନ କରିଛି । ସମ୍ମିଳନୀରେ ଏହି ଟ୍ରାଏଲ ରୁମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା । ମଲରେ ଡ୍ରେସ କିଣି ଟ୍ରାଏଲ କରିବା ପାଇଁ ଗ୍ରାହକଙ୍କୁ ଟ୍ରାଏଲ ରୁମ ପାଖରେ ଲମ୍ବା ଲାଇନ ଲଗାଇବାକୁ ପଡୁଛି । ଆଉ ଯଦି ବାରମ୍ବାର ପୋଷାକ ବଦଳାଇବାକୁ ପ଼ଡେ ତେବେ ତ ଆହୁରି ସମସ୍ୟା । କାରଣ ଟ୍ରାଏଲ ରୁମ ସାମ୍ନାର ଲମ୍ବା ଅପେକ୍ଷା ସତରେ ଖୁବ ବିରକ୍ତିକର । ତେବେ ଗ୍ରାହକଙ୍କୁ ଏହି ସମସ୍ୟାର ମୁକ୍ତି ଦେବ ଟାଟାର ଏହି ନୂଆ ପ୍ରଯୁକ୍ତି ବିଦ୍ୟା ଭର୍ଚୁଆଲ ଟ୍ରାଏଲ ରୁମ ।

ଟ୍ରାଏଲ ରୁମ ଜାଗାରେ ସ୍ମାର୍ଟ ଦର୍ପଣ
ଭାରତ ମଣ୍ତପମ ଷ୍ଟଲରେ ଥିବା କମ୍ପାନୀର ଅଧିକାରୀମାନେ କହିଛନ୍ତି, ଟିସିଏସ ଦ୍ୱାରା ବିକଶିତ ଏହି ପ୍ରଯୁକ୍ତି ବିଦ୍ୟା ସ୍ମାର୍ଟ ମିରର ଏବଂ ଅତ୍ୟାଧୁନିକ କମ୍ପ୍ୟୁଟର ଭିଜନ ଟେକନିକ ଉପରେ ଆଧାରିତ ଅଟେ । ଯେତେବେଳେ ଗ୍ରାହକ ଏହି ଡିଜିଟାଲ ସ୍କ୍ରିନ ସାମ୍ନାରେ ଛିଡା ହୁଏ ସିଷ୍ଚମର କ୍ୟାମେରା ଏବଂ ସେନ୍ସର୍ସ ରିଅଲ ଟାଇମରେ ସଂପୃକ୍ତ ଗ୍ରାହକଙ୍କର ଶରୀର, ଉଚ୍ଚତା ଓ ଶରୀର ଗଠନର ସଠିକ ମାପ ନେଇଥାଏ।
ଏହା ପରେ ଗ୍ରାହକ କ୍ୟାଟଲଗରୁ ତାଙ୍କର ପସନ୍ଦର ପୋଷାକ ବାଛିଥାନ୍ତି, ଯାହା ସ୍କ୍ରିନରେ ପ୍ରଦର୍ଶିତ ହେବ । କିଛି ସେକେଣ଼୍ଡ ମଧ୍ୟରେ AI ଗ୍ରାହକଙ୍କ ଡିଜିଟାଲ ଫିଗର ଉପରେ ପୋଷାକ ଫିଟ କରାଇ ସ୍କ୍ରିନରେ ଦେଖାଇ ଦେବ । ସବୁଠାରୁ ମଜା କଥା ହେଲା, ଗ୍ରାହକ ମିରରେ ଖାଲି ନିଜ ଫଟୋ ଦେଖିବେନି, ବରଂ ନୂଆ ପୋଷାକ ପିନ୍ଧି ଚାଲିଲେ, ବୁଲିଲେ, ଆଗପଟୁ, ପଛପଟୁ କେମିତି ଦିଶୁଛି, କେତେ ଫିଟ ରହୁଛି ସବୁର ଦୃଶ୍ୟ ଏଥିରେ ଦେଖିହେବ । ଏଥିପାଇଁ ବ୍ୟବହାର କରାଯାଇଥିବା 3D ରେଣ଼଼୍ଡରିଂ ସାହାଯ୍ୟରେ ଏସବୁ ଦେଖିହେବ ।
ବିକ୍ରୟ କ୍ଷେତ୍ରରେ ଏକ ବିପ୍ଳବ ଆଣିବ
ଏହି ପ୍ରଯୁକ୍ତି ବିଦ୍ୟା କେବଳ ପ୍ରଦର୍ଶନ ପାଇଁ ନୁହେଁ, ଏହା ପଛରେ ଏକ ବଡ ବ୍ୟବସାୟିକ ମଡେଲ ରହିଛି । ଯେମିତି-
ପୋଷାକ ଫେରସ୍ତର ସମାଧାନ କରିବ-ପ୍ରାୟ 30ରୁ 40 ପ୍ରତିଶତ ଅନଲାଇନ ସପିଂ ପୋଷାକ କେବଳ ଠିକ ମାପ ନ ହେବାରୁ ଫେରାଇବାକୁ ପଡିଥାଏ । ଏହି ଭର୍ଚୁଆଲ ପରୀକ୍ଷଣ ଗ୍ରାହକଙ୍କୁ ଫିଟ ବିଷୟରେ ସଠିକ ଧାରଣା ଦେବ । ଏହା ଦ୍ୱାରା ଫେରାଇବା ସମସ୍ୟା ଅନେକ କମିଯିବ ।
ସ୍ବାସ୍ଥ୍ୟ ଉପଯୋଗୀ-ଫିଜିକାଲ ଟ୍ରାଏଲ ବ୍ୟବସ୍ଥାରେ ଗୋଟିଏ ପୋଷାକକୁ ଅନେକ ଲୋକଙ୍କୁ ପିନ୍ଧିବାକୁ ପଡିଥାଏ । ଏହା ହାଇଜିନିକ ନୁହେଁ, ତା ଛଡା ଅନେକ ଏହାକୁ ପିନ୍ଧିବାକୁ ଭଲପାଆନ୍ତି ନାହିଁ । ଏ ସମସ୍ୟାର ସମାଧାନ ମଧ୍ୟ ଏହି ସ୍ମାର୍ଟ ମିରର କରିପାରିବ ।
ନିଜସ୍ୱ ଷ୍ଟାଇଲ ବିଷୟରେ କହିପାରିବ-ଏହି AI ଆଧାରିତ ସିଷ୍ଟମ କେବଳ ଗ୍ରାହକଙ୍କ ଦେହରେ ପୋଷାକ କେମିତି ମାନିବ ତାହା ଦେଖାଏନି ବରଂ ତାଙ୍କର ରଙ୍ଗ, ଶରୀର ଗଠନକୁ ଅନୁସାରେ କେଉଁ ରଙ୍ଗର ଏବଂ ପ୍ୟାଟର୍ଣ୍ଣର ପୋଷାକ ମାନିବ ତାହା ମଧ୍ୟ କହିଦିଏ ।
ଭାରତ ମଣ୍ଡପରେ ଏହି ଷ୍ଟଲକୁ ଆସୁଥିବା ଲୋକମାନେ ବିଭିନ୍ନ ପ୍ରକାର ପୋଷାକ ଏହି ମିରରରେ ପରୀକ୍ଷା କରୁଥିବା ଦେଖା ଯାଇଥିଲା । ପୋଷାକ ପରୀକ୍ଷା କରୁଥିବା ମନୋଜ ଜୈନ କହିଛନ୍ତି, ଏଥିରେ ନୂଆ ପୋଷାକ ମାପିବା ବହୁତ ସହଜ ହେଉଛି । ବାରମ୍ବାର ପୋଷାକ ବଦଳାଇବାର ସମସ୍ୟା ନାହିଁ । ପୋଷ।କ ବାଛିବାର ମାତ୍ର କେଇ ସେକେଣ୍ଡ ମଧ୍ୟରେ ମୋର ସିଲେକ୍ଟେଡ ଡ୍ରେସ ମୋ ଦେହରେ ଫିଟ ହୋଇ ସାମ୍ନାକୁ ଆସିଗଲା । ଯହି ଏହି ଟେକନିକ ମଲ ବା ଦୋକାନକୁ ଆସିଯିବ ତେବେ ଗ୍ରାହକଙ୍କୁ ବହୁତ ସାହାଯ୍ୟ କରିବ ।
ଯାହା ବି ହେଉ, ଟିସିଏସ ଏହା ପ୍ରତିପାଦିତ କରିପାରିଛି ଯେ, ଭାରତ କେବଳ ଏକ ସପ୍ଟଓୟାର ନିର୍ମାଣକାରୀ ଦେଶ ହୋଇ ରହିନାହିଁ । ବରଂ ଭବିଷ୍ୟତର ଜୀବନଶୈଳୀ ଡିଜାଇନ କରିବାରେ ଏକ ବିଶ୍ୱ ଶକ୍ତି ରୂପେ ଉଭା ହେଉଛି । ସେ ଦିନ ବୋଧହୁଏ ଡେରି ନାହିଁ, ଯେଉଁଦିନ ବଡ ବଡ ମଲରୁ ଟ୍ରାଏଲ ରୁମ ହଟି ଯିବ ଏବଂ ତା ଜାଗାରେ କେବଳ ସ୍ମାଟ ସ୍କ୍ରିନ ରହିଥିବ ।
ଏହା ମଧ୍ୟ ପଢନ୍ତୁ ବେଙ୍ଗାଲୁରୁ ହେବ ବିଶ୍ୱର ପ୍ରଥମ AI ସହର
ଏହା ମଧ୍ୟ ପଢନ୍ତୁ ଆଜିଠୁ 5 ଦିନିଆ ଏଆଇ ଇମ୍ପାକ୍ଟ ଏକ୍ସପୋ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

