ପୁରୀରୁ ଶାବର ଶ୍ରୀକ୍ଷେତ୍ର ଆସିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥଚକ
🎬 Watch Now: Feature Video
Published : Nov 12, 2024, 9:14 PM IST
କୋରାପୁଟ: ପୁରୀ ଶ୍ରୀକ୍ଷେତ୍ରରୁ କୋରାପୁଟ ଶାବର ଶ୍ରୀକ୍ଷେତ୍ର ଆସିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଚକ । ଆଜି ରଥଚକ ଆସି ପହଞ୍ଚିବା ପରେ ଶାବର ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଷ ସୃଷ୍ଟି ହୋଇଥିଲା । ଘଣ୍ଟଘଣ୍ଟା, ହୁଳହୁଳି ଓ ହରିବୋଲ ପକାଇ ରଥଚକକୁ ସାଦରରେ ଶାବର ଶ୍ରୀକ୍ଷେତ୍ରର ପରିଚାଳନା କମିଟି ଗ୍ରହଣ କରିଛନ୍ତି । ଶ୍ରୀକ୍ଷେତ୍ରର ଐତିହ୍ୟକୁ କୋରାପୁଟ ଶାବର ଶ୍ରୀକ୍ଷେତ୍ରରେ ରଖିବା ପାଇଁ ଶାବର ଶ୍ରୀକ୍ଷେତ୍ରର ପରିଚାଳନା କମିଟି ତରଫରୁ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଅନୁରୋଧ କରାଯାଇଥିଲା । ଶାବର ଶ୍ରୀକ୍ଷେତ୍ରର ଅନୁରୋଧ କ୍ରମେ ଆଜି ନନ୍ଦିଘୋଷ ରଥର ଗୋଟିଏ ଚକ ଶାବର ଶ୍ରୀକ୍ଷେତ୍ରରେ ପହଞ୍ଚିଛି ।
ରଥଚକ ପହଞ୍ଚିବା ପରେ ଏହାକୁ ସହର ପରିକ୍ରମା କରାଯାଇଥିଲା । ରଥଚକକୁ ସ୍ନାନମଣ୍ଡପରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଶ୍ରୀକ୍ଷେତ୍ର ଓ ଶାବର ଶ୍ରୀକ୍ଷେତ୍ର ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ଯେଉଁ ଭକ୍ତମାନେ ପୁରୀ ଯାଇ ପାରୁନାହାନ୍ତି ସେମାନେ ଶାବର ଶ୍ରୀକ୍ଷେତ୍ରରେ ପୁରୀର ରଥଚକକୁ ଦର୍ଶନ କରି ପାରିବେ । ଏହାସହ ପୁରୀର ରଥଚକ ଏଠାରେ ଶୋଭାମଣ୍ଡନ କରିବା ସହ ଆଗାମୀ ପିଢ଼ି ଏହାକୁ ଦେଖିପାରିବେ । ଏହା ଫଳରେ ଏହି ସ୍ଥାନରେ ମହତ ଆହୁରି ବଢିଯିବ । ରଥଚକକୁ ଏବେ ସ୍ନାନ ମଣ୍ଡପରେ ଅସ୍ଥାୟୀ ଭାବେ ରଖା ଯାଇଛି । ଆଗକୁ ସ୍ଥାୟୀ ମଣ୍ଡପ କରାଯାଇ ରଖାଯିବ ବୋଲି ମନ୍ଦିର ପରିଚାଳନା କମିଟି ତରଫରୁ କୁହାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ...ପୁଣି ଅଦିନିଆ ରଥ ଯାତ୍ରା ଆୟୋଜନ ନେଇ ଇସ୍କନକୁ ବିରୋଧ, ‘ଶ୍ରୀଜଗନ୍ନାଥଙ୍କ ପରମ୍ପରା ଧ୍ୱଂସ ପାଇଁ ପ୍ରୟାସ’ ଏହା ମଧ୍ୟ ପଢ଼ନ୍ତୁ...ଆଜି କୁମାର ପୂର୍ଣ୍ଣିମା; କୁମାରୀ ବେଶରେ ଦର୍ଶନ ଦେଲେ ମା’ ବିରଜା |
ଇଟିଭି ଭାରତ, କୋରାପୁଟ