ହାଇଦ୍ରାବାଦ: ଦେଶର ଅନ୍ୟତମ ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ଭୋଡାଫୋନ-ଆଇଡିଆ (Vi) ଏହାର 5ଜି ସେବାକୁ ବିସ୍ତାର କରିବାରେ ଲାଗିଛି । କମ୍ପାନୀ ନିକଟରେ ଏହାର ପ୍ରଥମ 5ଜି ସେବା ମୁମ୍ବାଇରେ ଲଞ୍ଚ କରିଥିବାବେଳେ ଏବେ କିଛି ପ୍ରମୁଖ କ୍ରିକେଟ ଷ୍ଟାଡ଼ିୟମରେ ପହଞ୍ଚାଇଛି । ଏବେ ଭାରତର ଲୋକପ୍ରିୟ ଟି-20 ଟୁର୍ଣ୍ଣାମେଣ୍ଟ ଆଇପିଏଲ ଚାଲୁଥିବାବେଳେ ନିଜ ଗ୍ରାହକଙ୍କ ଲାଗି ଏହି ସେବା ଉପଲବ୍ଧ କରାଇଛି କମ୍ପାନୀ । ଏ ସମ୍ପର୍କରେ କମ୍ପାନୀ ସୋମବାର ଘୋଷଣା କରିଛି ।
ଭୋଡାଫୋନ ଆଇଡିଆ ପକ୍ଷରୁ ଜାରି ହୋଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ କ୍ରିକେଟ ପ୍ରଶଂସକ ଏବେ ଦେଶର ପ୍ରମୁଖ ସହରରେ ଥିବା ଷ୍ଟାଡିୟମ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ହାଇଦ୍ରାବାଦ, ଜୟପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ବିଶାଖାପାଟନମରେ Viର 5ଜି ସେବାକୁ ବ୍ୟବହାର କରିପାରିବେ ।"
ପ୍ରମୁଖ ଷ୍ଟାଡିୟମରେ ପହଞ୍ଚିଲା Viର 5ଜି ସେବା
ମାର୍ଚ୍ଚ 22 ତାରିଖରୁ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ଆରମ୍ଭ ହୋଇଛି । ଏହା ପୂର୍ବରୁ ପ୍ରମୁଖ କ୍ରିକେଟ ଷ୍ଟାଡିୟମରେ କମ୍ପାନୀ 5ଜି ସେବା ଉପଲବ୍ଧ କରାଇବ ବୋଲି ଘୋଷଣା କରିଥିଲା । ଏବେ ଏହି ବାର୍ଷିକ ଗେମ୍ ଇଭେଣ୍ଟ ମାର୍ଚ୍ଚରୁ ମେ ମାସ ମଧ୍ୟ ଚାଲିବ । ଉପରୋକ୍ତ ଷ୍ଟାଡିୟମରେ ମ୍ୟାଚ୍ଗୁଡ଼ିକ ରହିଥିବାରୁ ଗ୍ରାହକଙ୍କୁ ନିରବଚ୍ଛିନ୍ନ ସେବା ପ୍ରଦାନ କରିବା ଲାଗି କମ୍ପାନୀ ଏଠାରେ 5ଜି ସେବାକୁ ନିଶ୍ଚିତ କରିଛି ।
ଭିଆଇ ଅନୁଯାୟୀ, ଏହି ନେଟୱାର୍କ ବିସ୍ତାରଗୁଡିକ ସର୍ବୋତ୍ତମ ଡିଜିଟାଲ୍ ଅଭିଜ୍ଞତା ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି । ପ୍ରଂଶକଙ୍କ ପ୍ରବଳ ଭିଡ଼ ସତ୍ତ୍ବେ ଷ୍ଟାଡିୟମରେ ଉପସ୍ଥିତ ୟୁଜରଙ୍କୁ ଦ୍ରୁତ ଏବଂ ନିର୍ଭରଯୋଗ୍ୟ ସଂଯୋଗକୁ ଉପଭୋଗ କରିବା ନିଶ୍ଚିତ କରିଛି କମ୍ପାନୀ । ଏହି ଷ୍ଟାଡିୟମ ପରିସରରେ ଭିଆଇ ସମୁଦାୟ 53ଟି 5G ସାଇଟ୍ ସ୍ଥାପନ କରିଛି । ଏହାସହ 44ଟି ସ୍ଥାନରେ ଇଣ୍ଟରନେଟ୍ ପ୍ରଦାନ କ୍ଷମତା ବୃଦ୍ଧି କରିଛି ଏବଂ ପ୍ରଶଂସକମାନଙ୍କୁ ସଂଯୋଗ ରଖିବା ପାଇଁ 9 ସେଲ୍ ଅନ୍ ହ୍ବିଲ୍ (CoW) ନିୟୋଜିତ କରିଛି ।
କେଉଁମାନେ ଷ୍ଟାଡିୟମରେ Vi 5G ସେବା ପାଇବେ ?
ଭୋଡାଫୋନ ଆଇଡିଆ କହିଛି ଯେ 5G ସକ୍ଷମ ହ୍ୟାଣ୍ଡସେଟ୍ ଥିବା ଗ୍ରାହକମାନେ କେବଳ ମୋବାଇଲ୍ ସେଟିଂରେ 5G ବ୍ୟବହାରକୁ ସକ୍ଷମ କରି ଏହି ଷ୍ଟାଡିୟମରେ ଅସୀମିତ ଭିଆଇ 5G ସେବା ପାଇପାରିବେ । ଷ୍ଟାଡିୟମରେ 5G ସେବାକୁ ପ୍ରବେଶ କରିବାକୁ କମ୍ପାନୀ କୌଣସି ନିର୍ଦ୍ଦିଷ୍ଟ ଯୋଜନା ଆବଶ୍ୟକତା ନିର୍ଦ୍ଦିଷ୍ଟ କରିନାହିଁ ।
କେଉଁ କେଉଁ ଷ୍ଟାଡିୟମରେ Vi 5G ସେବା ଉପଲବ୍ଧ ?
- ୱାଙ୍ଖଡେ ଷ୍ଟାଡିୟମ, ମୁମ୍ବାଇ
- ଅରୁଣ ଜେଟଲୀ ଷ୍ଟାଡିୟମ, ଦିଲ୍ଲୀ
- ଚିନ୍ନାସ୍ବାମୀ ଷ୍ଟାଡିୟମ, ବେଙ୍ଗାଲୁରୁ
- ଡ. ୱାଇ.ଏସ ରାଜାଶେଖର ରେଡ୍ଡି ଷ୍ଟାଡିୟମ, ଭାଇଜାଗ୍
- ଇଡେନ ଗାର୍ଡେନ୍ସ, କୋଲକାତା
- ଏକାନା ଷ୍ଟାଡିୟମ, ଲକ୍ଷ୍ନୌ
- ଏମଏ ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇ
- ମହାରାଜା ୟଦବିନ୍ଦ୍ର ସିଂ ଷ୍ଟାଡିୟମ, ଚଣ୍ଡିଗଡ଼
- ନମୋ ଷ୍ଟାଡିୟମ, ଅହମ୍ମଦାବାଦ
- ରାଜୀବ ଗାନ୍ଧୀ ଷ୍ଟାଡିୟମ, ହାଇଦ୍ରାବାଦ
- ସୱାଇ ମାନସିଂ ଷ୍ଟାଡିୟମ, ଜୟପୁର
ଯେଉଁ ଭିଆଇ ୟୁଜରମାନେ ଷ୍ଟାଡିୟମରେ ମ୍ୟାଚ୍ ଲାଇଭ୍ ଦେଖିବାରେ ଅସମର୍ଥ ସେମାନେ ନିଜ ଘରେ ସହଜରେ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମ୍ୟାଚକୁ ଅନୁଭବ କରିପାରିବେ । ଏଥିଲାଗି ୟୁଜରଙ୍କୁ ସ୍ବତନ୍ତ୍ର ଭିଆଇ ରିଚାର୍ଜ ପ୍ୟାକ୍ ₹101 ନେବାକୁ ପଡ଼ିବ, ଯେଉଁଥିରେ ଜିଓ ହଟଷ୍ଟାର (Jio Hotstar) ସବସ୍କ୍ରିପସନ୍ ସହ ଅସୀମିତ ଡାଟା ମିଳିଥାଏ ।