ହାଇଦ୍ରାବାଦ: ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ସହଯୋଗୀ ବୁଚ୍ ୱିଲମୋର ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ISS)ରୁ ପୃଥିବୀ ଫେରିବାକୁ ଇତିମଧ୍ୟରେ 70ରୁ ଅଧିକ ଦିନ ବିତିଗଲାଣି । ଏବେ ଉଭୟଙ୍କ ରିହାବିଲିଟେସନ ପ୍ରକ୍ରିୟା ଶେଷ ହେବା ପରେ ସେମାନେ ପୂର୍ବ ପରି ସ୍ବାଭାବିକ ଅନୁଭବ କରୁଛନ୍ତି । ତେବେ ପୃଥିବୀ ଫେରିବା ପରେ ସେମାନେ ଅନୁଭବ କରିଥିବା ମାଧ୍ୟାକର୍ଷଣ ଶକ୍ତିର କଠୋରତା ବିଷୟରେ ଆଲୋଚନା କରି 'ଗ୍ରାଭିଟି କଷ୍ଟଦାୟକ' ବୋଲି କହିଛନ୍ତି ।
ଉଭୟ 2024 ଜୁନ 8 ତାରିଖରେ ମହାକାଶକୁ ଯାତ୍ରା ଆରମ୍ଭ କରିଥିଲେ । ମହାକାଶକୁ ଯାଇଥିବା ମହାକାଶଯାନ ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନେ ମହାକାଶରେ ଫସିଯାଇଥିଲେ । ଏହାପରେ ଉଭଯଙ୍କୁ ନେଇ ଗଣମାଧ୍ୟମରେ ସବୁବେଳେ ଚର୍ଚ୍ଚା ଲାଗି ରହିଥିଲା । ଶେଷରେ ଏଲନ ମସ୍କଙ୍କ ଏରୋସ୍ପେଶ କମ୍ପାନୀ ସ୍ପେଶଏକ୍ସର ଡ୍ରାଗନ ମହାକାଶୟାନରେ ଉଭୟ ମାର୍ଚ୍ଚ 18 ତାରିଖରେ ପୃଥିବୀ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହାପରେ ପୃଥିବୀ ପରିବେଶ ସହିତ ପୁଣିଥରେ ଖାପଖୁଆଇବା ଲାଗି ସେମାନଙ୍କ ସ୍ବତନ୍ତ୍ର ରିହାବିଲିଟେସନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ପ୍ରାୟ 2ମାସରୁ ଅଧିକ ସମୟ ପରେ ଏହି ପ୍ରକ୍ରିୟା ଶେଷ ହୋଇଛି ।

'ମୋ ବେକ ଯନ୍ତ୍ରଣା ଫେରିଛି'
ଫେରିବାର 10 ସପ୍ତାହ ପରେ ମଧ୍ୟ, ମହାକାଶଚାରୀମାନେ ସେମାନଙ୍କର ଅପ୍ରତ୍ୟାଶିତ ସୂକ୍ଷ୍ମ ମାଧ୍ୟାକର୍ଷଣ ନିର୍ବାସନର ପ୍ରଭାବକୁ ଏବେ ବି ଭୁଲିପାରୁନାହାଁନ୍ତି । ବୁଧବାର (ମେ 28) ରଏଟର୍ସ ସହିତ କଥାବାର୍ତ୍ତା ସମୟରେ ବୁଚ୍ ୱିଲମୋର୍ ପୁଣିଥରେ ମାଧ୍ୟାକର୍ଷଣ ଶକ୍ତିକୁ ଅନୁଭବ କରିବାକୁ ସଂକ୍ଷେପ କହିଥିଲେ, "ମାଧ୍ୟାକର୍ଷଣ ଶକ୍ତି କିଛି ସମୟ ପାଇଁ ବେଶ କଷ୍ଟଦାୟକ ହୋଇପଡ଼େ ।"
62 ବର୍ଷୀୟ ୱିଲମୋର କହିଛନ୍ତି ଯେ ମିଶନ ପୂର୍ବରୁ ତାଙ୍କର ପିଠି ଏବଂ ବେକ ସମସ୍ୟା ଥିଲା, ଏହି ସମସ୍ୟାଗୁଡ଼ିକ ମହାକାଶରେ ଓଜନହୀନତା ଯୋଗୁଁ ସମ୍ପୂର୍ଣ୍ଣ ଉଭାନ ହୋଇଯାଇଥିଲା । କିନ୍ତୁ ଯେତେବେଳେ ସେ ପୃଥିବୀ ଫେରିଲେ, ସେହି ମୁହୂର୍ତ୍ତରେ ହିଁ ଯନ୍ତ୍ରଣା ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି ।
'ମୋତେ ସକାଳୁ ଉଠିବାରେ ଅସୁବିଧା ହେଉଥିଲା'
59 ବର୍ଷୀୟ ସୁନୀତା ୱିଲିୟମ୍ସ ମଧ୍ୟ ମାଧ୍ୟାକର୍ଷଣ ଶକ୍ତିର କଠୋରତା ସମ୍ପର୍କରେ ଆଲୋଚନା କରିଛନ୍ତି । ସେ କହିଛନ୍ତି, "ରିକଭରି ସମୟରେ ମୋତେ ସକାଳୁ ଶୀଘ୍ର ଉଠିବାରେ ଅସୁବିଧା ହେଉଥିଲା । ମାତ୍ର ଧିରେ ଧିରେ ମୋ ଶରୀର ଅଭ୍ୟସ୍ତ ହେଲା ଓ ଶେଷରେ ଏବେ ମୁଁ ଭୋର 4ଟାରେ ଉଠିବା ଦିନଚର୍ଯ୍ୟାକୁ ଫେରିପାରିଛି ।" ସୁନୀତା ନିଜ ଶରୀରକୁ ସୁସ୍ଥ କରିବା ଲାଗି ମାଂସପେଶୀକୁ ମଜଭୁତ କରିବା ଲାଗି ଏକ 45 ଦିବସୀୟ ବ୍ୟାୟାମ କରିଥିଲେ । ୱିଲମୋରଙ୍କ ପରି ସୁନୀତା ମଧ୍ୟ ମୁଣ୍ଡ ବୁଲାଇବା, ବେକ ଓ ପିଠିରେ ଯନ୍ତ୍ରଣା ଅନୁଭବ କରିଥିବା କହିଛନ୍ତି ।

ସୁନୀତା ଓ ୱିଲମୋରଙ୍କ ଶରୀର ଉପରେ ପ୍ରଭାବ
ଉଭୟ ନାସା ମହାକାଶଚାରୀ ଏକାଧିକ ପ୍ରକାର ବ୍ୟାୟାମ କରିବା ପରେ ମଧ୍ୟ ମାଂସପେଶୀ ଓ ସନ୍ତୁଳନ ବଜାୟ ରଖିବା ସମ୍ବନ୍ଧିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ମାନବ ଶରୀର ବହୁ ସମୟ ପର୍ଯ୍ୟନ୍ତ ମାଧ୍ୟାକର୍ଷଣ ଶକ୍ତି ପ୍ରଭାବରୁ ଦୂରେଇ ରହିଲେ ଏପରି ସମସ୍ୟା ଦେଖାଦିଏ । ଏହି ସମସ୍ୟାରୁ ବର୍ତ୍ତିବା ଲାଗି ଉଭୟ ସୁନୀତା ଓ ୱିଲମୋର ରିହାବିଲିଟେସନ ପ୍ରକ୍ରିୟାକୁ ଯାଇଥିଲେ । ପ୍ରତ୍ୟେକ ମହାକାଶଚାରୀ ମହାକାଶରୁ ଫେରିବା ପରେ ମାଧ୍ୟାକର୍ଷଣ ଶକ୍ତି ସହିତ ନିଜକୁ ପୁଣି ଥରେ ଆଡଜଷ୍ଟ କରିବା ଲାଗି ଏହି ରିହାବିଲିଟିସେନ ପ୍ରକ୍ରିୟାରେ ରହିଥାନ୍ତି ।