ହାଇଦ୍ରାବାଦ: କୃତ୍ରିମ ବୁଦ୍ଧିମତା (AI)କୁ ନେଇ ଦକ୍ଷିଣ କୋରିଆ କମ୍ପାନୀ ସାମସଙ୍ଗର ବଡ଼ ଯୋଜନା । ଗୁଗଲ୍ Gemini ବଦଳରେ, AI ସର୍ଚ୍ଚ ଟେକ୍ନୋଲୋଜି ଷ୍ଟାର୍ଟଅପ୍ ପର୍ପ୍ଲେକ୍ସିଟି ଏଆଇ (Perplexity AI)କୁ ଆଗାମୀ ଫୋନଗୁଡ଼ିକରେ ଡିଫଲ୍ଟ ଏଆଇ ଆସିଷ୍ଟାଣ୍ଟ ଭାବେ ପ୍ରିଇନଷ୍ଟଲ୍ କରିବାକୁ ଯୋଜନା କରୁଛି । ଯଦି ଏହି ଡିଲ୍ ସଫଳ ହୁଏ ତେବେ ଗୁଗଲ୍ର ଜେମିନି ଆସିଷ୍ଟାଣ୍ଟ ଉପରେ ସାମସଙ୍ଗର ନିର୍ଭରତା ହ୍ରାସ ପାଇବ । ବ୍ଲୁମବର୍ଗ ରିପୋର୍ଟ ଅନସାରେ, ସାମସଙ୍ଗ ଏହି ଆମେରିକୀୟ ଷ୍ଟାର୍ଟଅପ୍ ପର୍ପ୍ଲେକସିଟି ସହିତ କଥାବାର୍ତ୍ତା ଜାରି ରଖିଛି । 2026ରେ ଲଞ୍ଚ ହେବାକୁ ଥିବା Galaxy S26ରେ ଏହା ଡିଫଲ୍ଟ ଏଆଇ ଆସିଷ୍ଟାଣ୍ଟ ଭାବରେ ଆସିପାରେ ।
ଏହି ଚୁକ୍ତି ସଫଳ ହେଲେ, ସାମସଙ୍ଗ Perplexityର AI ଟୁଲ୍ସକୁ ଏହାର ବ୍ରାଉଜର, Bixby ଭର୍ଚ୍ଚୁଆଲ୍ ଆସିଷ୍ଟାଣ୍ଟ ଏବଂ ସମ୍ଭବତଃ ଏହାର ଅପରେଟିଂ ସିଷ୍ଟମ ସମେତ ଅନେକ ମୁଖ୍ୟ କ୍ଷେତ୍ରରେ ଏକୀକୃତ କରିପାରେ । କମ୍ପାନୀ ଯଥାସମ୍ଭବ ଚଳିତ ବର୍ଷରୁ ହିଁ ଏହି ପରିବର୍ତ୍ତନଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଜଣାପଡ଼ିଛି, ନଚେତ୍ 2026ରେ Galaxy S26 ସିରିଜ ସହିତ ଏକ ବ୍ୟାପକ ଲଞ୍ଚ ଆଶା କରାଯାଉଛି ।
Perplexityରେ ବ୍ୟାପକ ନିବେଶ
ସାମସଙ୍ଗ, ପର୍ପ୍ଲେକ୍ସିଟିର ଆଗାମୀ ପାଣ୍ଠି ରାଉଣ୍ଡରେ ଅଂଶଗ୍ରହଣ କରିବ ବୋଲି ଆଶା କରାଯାଉଛି । ସମ୍ଭାବ୍ୟ ଭାବରେ ସାମସଙ୍ଗ ଏହାର ସବୁଠାରୁ ବଡ଼ ନିବେଶକଙ୍କ ମଧ୍ୟରୁ ଜଣେ ହୋଇପାରେ । ଏହି ସହଭାଗିତା ସାମସଙ୍ଗର ଏଆଇ ପଦ୍ଧତିରେ ଏକ ପ୍ରମୁଖ ପରିବର୍ତ୍ତନକୁ ପ୍ରତିନିଧିତ୍ବ କରିବ । ଏଯାବତ କମ୍ପାନୀ Galaxy AI Suite ମାଧ୍ୟମରେ ଏହାର ଅନେକ ଏଆଇ ଫିଚରକୁ ଶକ୍ତିଶାଳୀ କରିବା ପାଇଁ ଗୁଗଲ୍ର ଏଆଇ ଆସିଷ୍ଟାଣ୍ଟ Gemini ଉପରେ ନିର୍ଭର କରୁଛି । କିନ୍ତୁ ପର୍ପ୍ଲେକ୍ସିଟି ସହିତ ସହଭାଗିତା ସାମସଙ୍ଗକୁ ଗୁଗଲ୍ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାକୁ ଅନୁମତି ଦେବ । ଅନ୍ୟପଟେ ପର୍ପ୍ଲେକ୍ସିଟି ପାଇଁ ମଧ୍ୟ ଏହା ବୃହତ ମୋବାଇଲ ଟାଇ-ଅପ୍ ହେବ । ନିକଟରେ ମୋଟୋରୋଲା ସହିତ ପର୍ପ୍ଲେକ୍ସିଟି ସହଭାଗିତା କରି ଏହାର ଏଆଇ ଆସିଷ୍ଟାଣ୍ଟକୁ Razr 60 and Razr 60 Ultra ସ୍ମାର୍ଟଫୋନରେ ଉପଲବ୍ଧ କରାଇଛି ।
ପର୍ପ୍ଲେକ୍ସିଟି ଲାଗି ଆଗ୍ରହ ଦେଖାଇଲା Apple
ଏପଟେ ଆପଲ୍ ମଧ୍ୟ ପର୍ପ୍ଲେକ୍ସିଟି ସହିତ ସହଭାଗିତା କରିବାକୁ ଆଗ୍ରହ ଦେଖାଇଛି । ବ୍ଲୁମବର୍ଗ ନ୍ୟୁଜ୍ ଅନୁଯାୟୀ, ଆପଲ୍ ପର୍ପ୍ଲେକ୍ସିଟିକୁ ଗୁଗଲ୍ ସର୍ଚ୍ଚର ବିକଳ୍ପ ଭାବରେ ଏବଂ Siri ଭଏସ୍ ଆସିଷ୍ଟାଣ୍ଟ ମଧ୍ୟରେ ChatGPTର ବିକଳ୍ପ ଭାବରେ ବ୍ୟବହାର କରିବାକୁ ବିଚାର କରିଛି । 'ପର୍ପଲେକ୍ସସିଟି ପ୍ରତି ଆମେ ବହୁତ ପ୍ରଭାବିତ ହୋଇଛୁ, ଏହାର ସର୍ଚ୍ଚ ଟୁଲ୍କୁ ଏକ୍ସପ୍ଲୋର କରିବାକୁ ଆଲୋଚନା ହେଉଛି' ବୋଲି ନିକଟରେ ଆପଲ୍ର ସେବା ବିଭାଗର ବରିଷ୍ଠ ଉପାଧ୍ୟକ୍ଷ ଏଡି କ୍ୟୁ କହିଥିଲେ ।
ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି, ସାମସଙ୍ଗର ଆଗାମୀ ଫୋନରେ ଯଦି 'ପର୍ପ୍ଲେକ୍ସିଟି' ଡିଫଲ୍ଟ ଏଆଇ ଆସିଷ୍ଟାଣ୍ଟ ଭାବରେ ଆସେ ତେବେ ଜେମିନିର କଣ ହେବ ? ଜେମିନିକୁ ସେକେଣ୍ଡାରୀ ବିକଳ୍ପ ଭାବରେ ରଖାଯିବ ନା ସମ୍ପୂର୍ଣ୍ଣ ଭାବରେ ହଟାଇ ଦିଆଯିବ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।