ହାଇଦ୍ରାବାଦ: କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ଲିଥିୟମ ବ୍ୟାଟେରୀର ମୂଲ୍ୟ ହ୍ରାସ ହେଲେ ବୈଦ୍ୟୁତିକ ଯାନ (ଇଭି) ମୂଲ୍ୟ ହ୍ରାସ ପାଇବ ଏବଂ ଏହା ଗ୍ରାହକଙ୍କ ପାଇଁ ଅଧିକ ସୁଲଭ ହେବ । ପ୍ରଦୂଷଣ ହେଉଛି ଭାରତର ସବୁଠାରୁ ବଡ ଆହ୍ବାନ ଏବଂ ପରିବହନ କ୍ଷେତ୍ର ଏକ ପ୍ରମୁଖ ଯୋଗଦାନକାରୀ । ଏଣୁ ଜୀବାଶ୍ମ ଇନ୍ଧନରୁ ବିକଳ୍ପ ଶକ୍ତି ଉତ୍ସକୁ ଯିବା ଆବଶ୍ୟକ ବୋଲି ଗଡ଼କରୀ କହିଛନ୍ତି ।
କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ କହିଛନ୍ତି ଯେ ବ୍ୟାଟେରୀ ଟେକ୍ନୋଲୋଜିରେ ଚାଲିଥିବା ଅଗ୍ରଗତି ଭାରତର ସ୍ଥାୟୀ ପରିବହନରେ ପରିବର୍ତ୍ତନ ପାଇଁ ଚାବିକାଠି ଅଟେ । ଜୀବାଶ୍ମ ଇନ୍ଧନ ଉପରେ ଭାରତର ନିର୍ଭରଶୀଳତା ଏକ ଅର୍ଥନୈତିକ ବୋଝ ମଧ୍ୟ, କାରଣ ଇନ୍ଧନ ଆମଦାନୀ ପାଇଁ ବାର୍ଷିକ 22 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଅନ୍ୟପଟେ ପରିବେଶ ପ୍ରଦୂଷିତ ବିପଦକୁ ଏଡ଼ଇବା ଲାଗି ସ୍ବଚ୍ଛ ଶକ୍ତି ଗ୍ରହଣ ଦେଶର ଅଗ୍ରଗତି ପାଇଁ ଏବେ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି ।
2030 ସୁଦ୍ଧା EV ଉତ୍ପାଦନରେ ଭାରତ ବିଶ୍ବ ଲିଡର୍
ଭାରତର ଅଟୋମୋବାଇଲ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି ଜାପାନକୁ ଅତିକ୍ରମ କରି 2014 ମସିହାଠାରୁ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି । 2030 ସୁଦ୍ଧା ଭାରତ ଇଭି ଉତ୍ପାଦନରେ ବିଶ୍ବ ଅଗ୍ରଣୀ ହେବ, ଯାହା ବିଶ୍ବ ଅଟୋ ବଜାର ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ଗଡ଼କରୀ କହିଛନ୍ତି । ଇଭିକୁ ଅଧିକ ସୁଲଭ କରିବା ଏବଂ ପାରମ୍ପାରିକ ଇନ୍ଧନ ଚାଳିତ ଯାନଗୁଡ଼ିକ ସହିତ ମୂଲ୍ୟ ସମାନତାକୁ ନିକଟତର କରିବା ପାଇଁ ଗଡ଼କରୀ ଲିଥିୟମ୍-ଆୟନ ବ୍ୟାଟେରୀ ମୂଲ୍ୟରେ (ବର୍ତ୍ତମାନ ପ୍ରତି କିଲୋୱାଟ ପିଛା 100 ଡଲାର) ଶସ୍ତାକୁ ଶ୍ରେୟ ଦେଇଛନ୍ତି ।
ସେ କହିଛନ୍ତି, "କିଛି ବର୍ଷ ପୂର୍ବେ କିଲୋୱାଟ ପିଛା 150 ଡଲାର ଥିବା ଲିଥିୟମର ମୂଲ୍ୟ ବର୍ତ୍ତମାନ ପ୍ରାୟ 100 ଡଲାରକୁ ଖସି ଆସିଛି । ଏହା ଆହୁରି ହ୍ରାସ ପାଇବା ପରେ ବୈଦ୍ୟୁତିକ ଯାନର ମୂଲ୍ୟ ମଧ୍ୟ ହ୍ରାସ ପାଇବ ଏବଂ ଏହା ଜନସାଧାରଣଙ୍କ ପାଇଁ ଅଧିକ ସୁଲଭ ହେବ ।"
ପରିବେଶ ଅନୁକୂଳ ଇଲେକଟ୍ରିକ ଯାନ
ନୀତିନ ଆହୁରି କହିଛନ୍ତି ଯେ ପ୍ରଦୂଷଣ ଆମ ଦେଶ ପାଇଁ ବଡ଼ ଚ୍ୟାଲେଞ୍ଜ ଓ ଏଥିରେ ପରିବହନ ବିଭାଗର ବଡ଼ ଯୋଗଦାନ ରହିଛି । ଏଣୁ ଇଲେକଟ୍ରିକ୍ ଯାନର ବ୍ୟବହାର ଓ ବିକଳ୍ପ ଇନ୍ଧନ ବ୍ୟବହାର ଅଧିକ ପରିବେଶ ଅନୁକୂଳ ହୋଇପାରେ । ସେ କହିଛନ୍ତି, "ଭାରତରେ ନୂଆ ବ୍ୟାଟେରୀ ଟେକ୍ନୋଲୋଜିକୁ ନେଇ ଗବେଷଣା ଜାରି ରହିଛି ଏଥିରେ ସେମିକଣ୍ଡକ୍ଟର, ଲିଥିୟମ-ଆୟନ, ଜିଙ୍କ-ଆୟନ, ସୋଡିଅମ-ଆୟନ, ଆଲୁମିନିୟମ-ଆୟନ ଆଦି ସାମିଲ ।"
ବଢିବ ଗ୍ରାମୀଣ ରୋଜଗାର
ଏହି ପରିବର୍ତ୍ତନ କେବଳ ଗ୍ରାମାଞ୍ଚଳର ଆୟ ବୃଦ୍ଧି କରିବ ନାହିଁ, ବରଂ ପ୍ରଦୂଷଣକୁ ହ୍ରାସ କରିବ ଓ ଇନ୍ଧନ ଆମଦାନୀ ଖର୍ଚ୍ଚ ମଧ୍ୟ ହ୍ରାସ କରିବ ବୋଲି ଗଡ଼କରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ କୃଷକମାନେ କେବଳ ଖାଦ୍ୟ ଯୋଗାଣକାରୀ ନୁହେଁ, ବରଂ ଶକ୍ତି ପ୍ରଦାନକାରୀ । ସେ କହିଛନ୍ତି, "ହରିୟାଣାର କୃଷକମାନେ ନଡ଼ାକୁ ଜାଳି ଦିଅନ୍ତି ଏବଂ ଏହା ବାୟୁ ପ୍ରଦୂଷଣକୁ ଆହୁରି ବଢାଇଥାଏ । ନଡାକୁ ଜୈବ ଇନ୍ଧନରେ ପରିଣତ କରିବା ପାଇଁ 400ଟି ପ୍ରକଳ୍ପ ଆରମ୍ଭ ହୋଇଛି, ସେଥିରୁ 60ଟି କାର୍ଯ୍ୟକ୍ଷମ ହୋଇସାରିଛି ।"
ସରକାରଙ୍କ ନୀତି ଆମଦାନୀ ବିକଳ୍ପ, ବ୍ୟୟବହୁଳ, ପ୍ରଦୂଷଣମୁକ୍ତ ଏବଂ ସ୍ବଦେଶୀ ହେବା ଉପରେ ଧ୍ୟାନ ଦେଉଛି । ନଡ଼ାକୁ ଜୈବ ଇନ୍ଧନରେ ପରିଣତ କରିବା ଦ୍ବାରା ଚାଷୀଙ୍କ ପାଇଁ ଏକ ବିକଳ୍ପ ଇନ୍ଧନ ଏବଂ ଅନ୍ୟ ଏକ ଆୟ ଉତ୍ସ ଯୋଗାଇବ ।