ହାଇଦ୍ରାବାଦ: ଆମେରିକୀୟ ସ୍ପେଶ୍ ଏଜେନ୍ସି ନାସା ଓ ଆକ୍ସିଓମ ସ୍ପେଶ୍ କମ୍ପାନୀ ଏହାର ଆଗାମୀ 'ଆକ୍ସିଓମ ମିଶନ 4' (ଏହାକୁ ସଂକ୍ଷେପରେ Ax-4 ବୋଲି କୁହାଯାଏ)କୁ ମେ ମାସରେ ଲଞ୍ଚ କରିବା ନେଇ ସ୍ପଷ୍ଟ କରିଛି । ପୂ୍ର୍ବରୁ ଏହାକୁ 2025ରେ ଲଞ୍ଚ ନେଇ କୁହାଯାଉଥିଲା, ହେଲେ ଏବେ ଏହାର ପ୍ରକୃତ ଟାଇମଲାଇନ ସାମ୍ନାକୁ ଆସିଛି । ଖାସ କଥା ହେଉଛି ଏହି ଟିମ୍ରେ ଭାରତର ଗଗନଯାନ ମିଶନର ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ସାମିଲ ଅଛନ୍ତି । ସେ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ (ISS)କୁ ଯାତ୍ରା କରିବେ ।
Ax-4 ମିଶନକୁ ଫ୍ଲୋରିଡାର ନାସାର କେନେଡି ସ୍ପେଶ୍ ସେଣ୍ଟରରୁ 4 ଜଣ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍କୁ ପଠାଯିବ, ଯେଉଁଠାରେ ମହାକାଶଚାରୀମାନେ 14 ଦିନ ବିତାଇବେ । ଆଇଏସଏସ ପାଇଁ ଏହା ଆକ୍ସିଓମ ସ୍ପେଶ୍ କମ୍ପାନୀର ଚତୁର୍ଥ ବେସରକାରୀ ମହାକାଶଚାରୀ ମିଶନ ଏବଂ ସରକାରୀ ତଥା ESA ପ୍ରାୟୋଜିତ ଜାତୀୟ ମହାକାଶଚାରୀଙ୍କୁ ନେଇ ଗଠିତ ଦ୍ବିତୀୟ ବାଣିଜ୍ୟିକ ସ୍ପେଶ୍ ଫ୍ଲାଇଟ୍ ମିଶନ ହେବାକୁ ଯାଉଛି ।
ଅନ୍ୟପଟେ କ୍ରୁ ସଦସ୍ୟମାନଙ୍କ ମଧ୍ୟରେ ଭାରତ, ପୋଲାଣ୍ଡ ଏବଂ ହଙ୍ଗେରୀର ସଦସ୍ୟମାନେ ରହିଛନ୍ତି । ଏହି ଦେଶର ମହାକାଶଚାରୀମାନେ ଇତିହାସରେ ପ୍ରଥମ ଥର ଲାଗି ISSକୁ ଯାତ୍ରା କରୁଛନ୍ତି । ଏହାସହ ଏହି ମିଶନ ଗତ 40ବର୍ଷରୁ ଅଧିକ ସମୟ ମଧ୍ୟରେ ସରକାରଙ୍କ ଦ୍ବାରା ପ୍ରାୟୋଜିତ ଦ୍ବିତୀୟ ମାନବ ସ୍ପେଶ୍ ଫ୍ଲାଇଟ୍ ମିଶନ ହେବାକୁ ଯାଉଛି ।

Ax-4 ମିଶନରେ କ୍ରୁ ମେମ୍ବର କିଏ ?
ଆକ୍ସିଓମ-4 ମିଶନରେ 4ଜଣ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନକୁ ଯାତ୍ରା କରିବେ । ଏହି ଟିମରେ କମାଣ୍ଡର ପେଗି ହ୍ବିଟସନ, ଭାରତର ପାଇଲଟ ଶୁଭାଂଶୁ ଶୁକ୍ଳା, ପୋଲାଣ୍ଡରୁ ମିଶନ ବିଶେଷଜ୍ଞ ସାୱୋଜ୍ ଉଜନାସ୍କି ଓ ହଙ୍ଗେରୀରୁ ମିଶନ ବିଶେଷଜ୍ଞ ଟିବର କାପୁ ସାମିଲ । ଏହି ଘରୋଇ ମିଶନରେ ଭାରତ, ପୋଲାଣ୍ଡ ଓ ହଙ୍ଗେରୀରୁ ପ୍ରଥମ ଭାବେ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହିବା ଲାଗି ନିଆଯିବ । ଏମାନେ ଏଲନ ମସ୍କଙ୍କ ଏରୋସ୍ପେଶ କମ୍ପାନୀ ସ୍ପେଶଏକ୍ସର ସ୍ସେଶକ୍ରାଫ୍ଟ ବା ମହାକାଶ ଯାନରେ ଯାତ୍ରା କରିବେ ।
ମହାକାଶରେ ଗଗନ ଯାତ୍ରୀ
ଭାରତୀୟ ବାୟୁ ସେନା (IAF)ର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଭାରତର ଗଗନଯାନ ମିଶନ ଚୟନ କରାଯାଇଛି । ସେ ଆକ୍ସିଓମ-4 ମିଶନର କ୍ରୁ ସଦସ୍ୟଙ୍କ ମଧ୍ୟରେ ବି ଅଛନ୍ତି । ଗଗନ ଯାନ ମିଶନ ବିଷୟରେ କହିଲେ ଶୁଭାଂଶୁ ଶୁକ୍ଲା, ପ୍ରଶାନ୍ତ ବାଲକ୍ରିଷ୍ଣନ ନାୟର, ଅଜିତ କୃଷ୍ଣନ ଏବଂ ଅଙ୍ଗଦ ପ୍ରତାପ ଏହି ମିଶନର ଏକ ଅଂଶ ହେବେ । ଶୁଭାଂଶୁ Ax-4 ମିଶନ ସହିତ ଭାରତର ପ୍ରଥମ ମହାକାଶଚାରୀ ଭାବେ ISSକୁ ଯାତ୍ରା କରିବାକୁ ଯାଉଛନ୍ତି ।
ଏହି ମିଶନରୁ ଫେରିବା ପରେ ତାଙ୍କର ଅଭିଜ୍ଞତା ଇସ୍ରୋ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ଏବଂ ଗୁରୁତ୍ବପୂର୍ଣ୍ଣ ହେବ, କାରଣ ଇସ୍ରୋ ଚଳିତ ବର୍ଷ ବିନା କ୍ରୁ ମେମ୍ବରରେ ଅତିକମରେ 3ଟି ଗଗନଯାନ ମିଶନ ଲଞ୍ଚ କରିବାକୁ ଯୋଜନା କରୁଛି । ଏହି ମିଶନ ମାଧ୍ୟମରେ ଗଗନ ଯାନର ଉପକରଣର ଯାଞ୍ଚ କରାଯିବ । ଏହାଦ୍ବାରା 2026ରେ ଭାରତର ପ୍ରଥମ ମାନବ ମିଶନରେ ମହାକାଶଚାରୀଙ୍କ ସୁରକ୍ଷା ନିଶ୍ଚିତ ହେବ ।
During the #Ax4 mission, crew will be performing a wide range of experiments and demonstrations that leverage microgravity to enhance scientific research #ForEarth. With 60 research and science-related activities, this mission sets a record for Axiom Space missions. Find out more… pic.twitter.com/u790ZMiKCB
— Axiom Space (@Axiom_Space) April 3, 2025
Ax-4ର ବ୍ୟାକ୍ଅପ କ୍ରୁ
ଆକ୍ସିଓମ ମିଶନ 4ର ଏକ ବ୍ୟାକ୍ଅପ୍ କ୍ରୁ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହି ବ୍ୟାକ୍ଅପ୍ କ୍ରୁ ମଧ୍ୟରେ ଭାରତର ପ୍ରଶାନ୍ତ ବାଲକୃଷ୍ଣ ନାୟର ସାମିଲ ଅଛନ୍ତି, ଯିଏକି ଶୁଭାଂଶୁ ଶୁକ୍ଳାଙ୍କ ପରି ଭାରତର ପ୍ରଥମ ମାନବ ମିଶନ ଗଗନ ଯାନ ଲାଗି ମନୋନୀତ ହୋଇଛନ୍ତି । ଏହି ବ୍ୟାକ୍ଅପ୍ କ୍ରୁରେ ପ୍ରଶାନ୍ତଙ୍କ ସହିତ ହଙ୍ଗେରୀର ଗୁଲା ଚେରେନି ବି ସାମିଲ ।
Axiom ମିଶନର ଲକ୍ଷ୍ୟ କଣ ?
ଆକ୍ସିଓମ ମିଶନର ଲକ୍ଷ୍ୟ ହେଉଛି ବାଣିଜ୍ୟିକ ସ୍ପେଶ୍ ଫ୍ଲାଇଟ୍ ଅଗ୍ରଗତି, ବୈଜ୍ଞାନିକ ଅନୁସନ୍ଧାନ ଏବଂ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନକୁ ଏକ ଘରୋଇ କ୍ରୁ ପଠାଇ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିବା ।