Bihar Election Results 2025

ETV Bharat / technology

AI ROBOT CHEF: ଚାଇନିଜ୍‌ଠୁ ମେକ୍ସିକାନ୍‌, ଚୁଟ୍‌କିରେ ତିଆରି କରୁଛି ବିଭିନ୍ନ ଅଞ୍ଚଳର ସ୍ବାଦିଷ୍ଟ ବ୍ୟଞ୍ଜନ

ଆନ୍ଧ୍ରପ୍ରଦେଶ ଗୋଲ୍ଲାପୁଡି ଏକ୍ସପୋରେ ପ୍ରଦର୍ଶିତ ହେଲା ଏଆଇ ଚାଳିତ ରୋବୋଟ୍‌ ସେଫ୍‌ । ଚୁଟକିରେ ସଠିକତା ଏବଂ ପରିଚ୍ଛନ୍ନତା ସହ ପ୍ରସ୍ତୁତ କରୁଛି ବିଭିନ୍ନ ଅଞ୍ଚଳର ସ୍ବାଦିଷ୍ଟ ବ୍ୟଞ୍ଜନ । ଅଧିକ ପଢନ୍ତୁ

Nala Chef
ଏଆଇ ରୋବୋଟ୍‌ ସେଫ୍‌; ଚୁଟ୍‌କିରେ ତିଆରି କରିବ ଯେକୌଣସି ସ୍ଥାନର ବ୍ୟଞ୍ଜନ (ETV Bharat)
author img

By ETV Bharat Tech Team

Published : October 11, 2025 at 1:16 PM IST

|

Updated : October 11, 2025 at 2:42 PM IST

3 Min Read
Choose ETV Bharat

ହାଇଦ୍ରାବାଦ: ରୋଷେଇକୁ ସବୁବେଳେ ହାତ ଦ୍ବାରା କରାଯାଉଥିବା ଏକ ସର୍ବୋତ୍ତମ କଳା ଭାବରେ ବିବେଚନା କରାଯାଏ । କିଛି ଲୋକଙ୍କୁ ରୋଷେଇ କରିବା ପସନ୍ଦ ଥିବାବେଳେ ଅନ୍ୟମାନେ କେବଳ ସ୍ବାଦିଷ୍ଟ ବ୍ୟଞ୍ଜନ ଖାଇବାକୁ ପସନ୍ଦ କରନ୍ତି । ଆପଣ ଭାବନ୍ତୁ ଫିଲ୍ମ ଦୁନିଆ ପରି ଯଦି ଆପଣ କେବଳ ଅର୍ଡର ଦେବା ମାତ୍ରେ ରୋବୋଟ୍‌ ଆପଣଙ୍କୁ ସ୍ବାଦିଷ୍ଟ ବ୍ୟଞ୍ଜନ ତିଆରି କରି ଆଣି ପରଷିବ, ତେବେ କେମିତି ହେବ ? ଆଜ୍ଞା ହଁ, ଅତ୍ୟାଧୁନିକ ଟେକ୍ନୋଲୋଜି ସହିତ ଏହା ମଧ୍ୟ ସମ୍ଭବ ହୋଇଛି । କାରଣ ଆନ୍ଧ୍ରପ୍ରଦେଶ ଗୋଲ୍ଲାପୁଡି ଏକ୍ସପୋରେ ଏପରି ଏକ ରୋବୋଟ୍‌ ପ୍ରଦର୍ଶିତ ହୋଇଛି, ଯାହାକି ସବୁ ଅଞ୍ଚଳର ସ୍ବାଦିଷ୍ଟ ବ୍ୟଞ୍ଜନକୁ ପ୍ରସ୍ତୁତ କରିବାରେ ପାରଙ୍ଗମ ଅର୍ଜନ କରିଛି ।

AI ROBOT CHEF: ଚାଇନିଜ୍‌ଠୁ ମେକ୍ସିକାନ୍‌, ଚୁଟ୍‌କିରେ ତିଆରି କରୁଛି ବିଭିନ୍ନ ଅଞ୍ଚଳର ସ୍ବାଦିଷ୍ଟ ବ୍ୟଞ୍ଜନ (ETV Bharat)

କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରି ଏହି ରୋବୋଟ୍ ଏବେ ତେଲୁଗୁ ଅଞ୍ଚଳର ସ୍ବାଦିଷ୍ଟ ବ୍ୟଞ୍ଜନଠାରୁ ଆରମ୍ଭ କରି ଉତ୍ତର ଭାରତୀୟ ଏବଂ ଚାଇନିଜ୍‌ ଖାଦ୍ୟ ପର୍ଯ୍ୟନ୍ତ ଯେକୌଣସି ଅଞ୍ଚଳର ବ୍ୟଞ୍ଜନକୁ ସଠିକ ଭାବରେ ରାନ୍ଧି ପାରୁଛି । ଏହି ରୋବୋଟ୍‌ର ନାମ ନାଲା ସେଫ୍‌ (Nala Chef) ରଖାଯାଇଛି । ସମ୍ପୂର୍ଣ୍ଣ ଭାବେ ଏଆଇ ଦ୍ବାରା ଚାଳିତ ଏହି ମଲ୍ଟି-କୁଇଜିନ୍ ବା ବହୁମୁଖୀ ଖାଦ୍ୟ ତିଆରି କରିପାରୁଥିବା ରୋବୋଟ୍‌କୁ ନାଲା ରୋବୋଟିକ୍ସ (Nala Robotics) ଦ୍ବାରା ଚଳିତ ବର୍ଷ ଦଶହରାରେ ବିଜୟୱାଡାରେ ଆୟୋଜିତ ଗୋଲ୍ଲାପୁଡି ଏକ୍ସପୋରେ ପ୍ରଦର୍ଶିତ କରାଯାଇଛି ।

ବହୁମୁଖୀ ଖାଦ୍ୟ ପରଷିବାରେ ପାରଙ୍ଗମ 'ନାଲା ସେଫ୍‌'

ଏହି ମେସିନ ସେଫ୍‌ ପ୍ରଦର୍ଶନୀରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲା । ଲୋକମାନେ ରୋବୋଟ୍‌ ଦ୍ବାରା ପ୍ରସ୍ତୁତ ଖାଦ୍ୟକୁ ଚାଖିବା ପାଇଁ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ । ରୋବୋଟ୍ ବିଶ୍ବର ଯେକୌଣସି ରେସିପିକୁ ପ୍ରସ୍ତୁତ କରିପାରିବ ଏବଂ ପ୍ରତ୍ୟେକ ଥର ସମାନ ସ୍ବାଦ ସହିତ ପରିବେଷଣ କରିପାରିବ । ଏହାସହିତ ଖାଦ୍ୟ ପ୍ରସ୍ତୁତ ସମୟରେ ଏହି ରୋବୋଟ୍‌ କଡ଼ାକଡ଼ି ଭାବରେ ସ୍ବଚ୍ଛତା ମାନଦଣ୍ଡକୁ ମଧ୍ୟ ବଜାୟ ରଖୁଛି ।

ସାଧାରଣତଃ, ରେସ୍ତୋରାଁଗୁଡ଼ିକ ପ୍ରାୟ 10 ମିନିଟ୍ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରିବାକୁ ସକ୍ଷମ ଥିବାବେଳେ ବେଳେବେଳେ ଅଧିକ ସମୟ ନେଇଥାନ୍ତି । କିନ୍ତୁ ଏହି ରୋବୋଟ୍‌ ସେଫ୍‌ଟି ଏକ ନିର୍ଦ୍ଦିଷ୍ଟ ଖାଦ୍ୟ ରାନ୍ଧିବାକୁ କେତେ ସମୟ ଲାଗିବ ତାହା ପୂର୍ବରୁ ସୂଚିତ କରିଥାଏ ଏବଂ ସେହି ସମୟ ମଧ୍ୟରେ ଏହାକୁ ସମାପ୍ତ କରେ । ଏହାର ପ୍ରମୁଖ ଫିଚରଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଏକକାଳୀନ 2 କିମ୍ବା 3ଟି ଖାଦ୍ୟ ରାନ୍ଧିପାରେ ।

Nala Chef
ଆନ୍ଧ୍ରପ୍ରଦେଶ ଗୋଲ୍ଲାପୁଡି ଏକ୍ସପୋରେ ପ୍ରଦର୍ଶିତ ହେଲା ଏଆଇ ଚାଳିତ ରୋବୋଟ୍‌ ସେଫ୍‌ (ETV Bharat)

ନାଲା ରୋବୋଟିକ୍ସ ଇଞ୍ଜିନିଅର କେଶବ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଜଣେ ମଣିଷଟିଏ ରୋଷେଇ କରିବା ସମୟରେ ଖାଦ୍ୟରେ ବେଳେବେଳେ ଅଧିକ ଲୁଣ, ଗୋଲମରିଚ କିମ୍ବା ତେଲ ମିଶାଇଦିଏ, ଯାହାଦ୍ବାରା ଖାଦ୍ୟର ସ୍ବାଦ ବଦଳିପାରେ । କିନ୍ତୁ ନାଲା ସେଫ୍‌ ସର୍ବଦା ଖାଦ୍ୟକୁ ସଠିକ୍‌ ସ୍ବାଦ ସହିତ ପ୍ରସ୍ତୁତ କରେ । ଏପରିକି ଏହା ପିଆଜ, ଟମାଟୋ ଏବଂ ଅନ୍ୟାନ୍ୟ ସାମଗ୍ରୀର ଅପଚୟକୁ ମଧ୍ୟ ରୋକିଥାଏ ।"

କେମିତି କାମ କରେ ଏହି ରୋବୋଟ୍‌ ?

ଏଆଇ ପ୍ରଯୁକ୍ତିବିଦ୍ୟା ସହିତ ରୋବୋଟ୍ ଜଣେ ମାଷ୍ଟର ସେଫ୍ କରୁଥିବା ସମସ୍ତ କାର୍ଯ୍ୟ କରିପାରିବ । ସାଧାରଣତଃ ଚାଇନିଜ୍‌ ଖାଦ୍ୟଠାରୁ ଆରମ୍ଭ କରି ଭାରତୀୟ, ମେକ୍ସିକାନ୍, ଆମେରିକୀୟ ପ୍ରତ୍ୟେକ ପ୍ରକାରର ଖାଦ୍ୟ ପାଇଁ ଏକ ପୃଥକ ମଡ୍ୟୁଲ୍ ଥାଏ । କିନ୍ତୁ ନାଲା ସେଫ୍‌ ଏଥିରେ ଅନ୍ୟତମ, କାରଣ ଏହା ସବୁ ପ୍ରକାରର ଖାଦ୍ୟକୁ ନିଜେ ପରିଚାଳନା କରିପାରେ ବୋଲି ଅପରେସନାଲ୍ ଇଞ୍ଜିନିୟର ରବି କୁମାର କହିଛନ୍ତି । ବର୍ତ୍ତମାନ, ଏହା 100 ପ୍ରକାରର ଖାଦ୍ୟ ତିଆରି କରିପାରିବ ଏବଂ ଯଦି ଜଣେ ଗ୍ରାହକ ତାଙ୍କର ପସନ୍ଦର ସ୍ବାଦ ନିର୍ଦ୍ଦିଷ୍ଟ କରନ୍ତି, ତେବେ ଏହା ସେହି ଅନୁସାରେ ଆଡଜଷ୍ଟ ମଧ୍ୟ କରିପାରେ ।

ରବି କୁମାର ଆହୁରି କହିଛନ୍ତି, "ଦକ୍ଷିଣାଞ୍ଚଳ ବ୍ୟଞ୍ଜନଠାରୁ ଆରମ୍ଭ କରି ଚାଇନିଜ୍‌ ପର୍ଯ୍ୟନ୍ତ ଏହା ଆଞ୍ଚଳିକ ସ୍ବାଦ ସହିତ ଖାଦ୍ୟ ପରଷି ପାରେ । ଏହା ସମସ୍ତଙ୍କୁ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ପରଷିବାକୁ ଡିଜାଇନ କରାଯାଇଛି । ଏହାକୁ ଯେପରି ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଅପରେଟ୍‌ କରିପାରିବ, ସେହି ଲକ୍ଷ୍ୟରେ ଏହାକୁ ଡିଜାଇନ କରାଯାଇଛି ।"

ନାଲା ରୋବୋଟିକ୍ସର ଅନ୍ୟ ଜଣେ ସଦସ୍ୟ ଅନିଲ ସୁନକାରା କହିଛନ୍ତି, "ଏହି ନାଲା ସେଫ୍‌ ଦ୍ବାରା ରେସ୍ତୋରାଁ ଓ ହୋଟେଲ୍‌ ମ୍ୟାନେଜରମାନେ ବହୁ ମାତ୍ରାରେ ଲାଭବାନ ହୋଇପାରିବେ । ସେମାନେ ଏକାଧିକ ରୋଷେୟାଙ୍କ ଉପରେ ନିର୍ଭର ନକରି ଗୋଟିଏ ମେସିନ୍‌ ସେଫ୍‌ ଦ୍ବାରା ଏକାଧିକ ଅଞ୍ଚଳର ସ୍ବାଦିଷ୍ଟ ଖାଦ୍ୟ ନିଜ ଗ୍ରାହକଙ୍କୁ ପରଷିପାରିବେ । ଏହାସହିତ ଭଲ ରୋଜଗାର ମଧ୍ୟ କରିପାରିବେ ।"

ନାଲା ସେଫ୍‌ର ଦକ୍ଷତା ଏବଂ କ୍ଷମତା ଉପରେ ଗୁରୁତ୍ବାରୋପ କରି ସନକାରା କୁହନ୍ତି, "ନାଲା ସେଫ୍‌ AI, ରୋବୋଟିକ୍ସ ଏବଂ ରୋଷେଇ କଳାକୁ ମିଶ୍ରଣ କରି ସ୍ମାର୍ଟ ରୋଷେଇ ଘର ଏବଂ କ୍ଲାଉଡ୍ କିଚେନ୍‌ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିଛି । "ଯଦି ସରକାର ଏହି ନବସୃଜନକୁ ପ୍ରୋତ୍ସାହିତ କରନ୍ତି, ତେବେ ଆମେ ନାଲା ସେଫ୍‌ର ଉତ୍ପାଦନକୁ ଅଧିକ କ୍ଷେତ୍ରରେ ବିସ୍ତାର କରିପାରିବୁ ।"

ଏହା ବି ପଢନ୍ତୁ: ଗଗନଯାନରେ ମହାକାଶ ଯିବ ରୋବୋଟ୍‌ 'ବ୍ୟୋମମିତ୍ର'; ଭୁବନେଶ୍ବର CTTC ତିଆରି କଲା ମୁଣ୍ଡ ହାତ
Last Updated : October 11, 2025 at 2:42 PM IST