ହାଇଦ୍ରାବାଦ: ସଫ୍ଟୱେୟାର କମ୍ପାନୀ ମାଇକ୍ରୋସଫ୍ଟ ନିକଟରେ 6 ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା । ଏହି ବଡ଼ ଧରଣର ଛଟେଇ ପଛର କାରଣ କହିଲେ ଏହି ଗ୍ଲୋବାଲ ଟେକ୍ ଜାଏଣ୍ଟର ମୁଖ୍ୟ ସତ୍ୟ ନାଡେଲା । ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କମ୍ପାନୀର ମୋଟ କାର୍ଯ୍ୟବଳର 3 ପ୍ରତିଶତ କର୍ମଚାରୀଙ୍କୁ ହଟାଇବା ପଛର କାରଣ ସ୍ପଷ୍ଟ କରି କହିଛନ୍ତି ଯେ ଏହା କର୍ମଚାରୀଙ୍କ ପରଫର୍ମାନ୍ସ ସମ୍ବନ୍ଧିତ ନୁହେଁ ।
ନାଡେଲା ସାମ୍ପ୍ରତିକ ଛଟେଇ ସମ୍ପର୍କରେ ସ୍ପଷ୍ଟ କରି କହିଛନ୍ତି ଯେ ଏହି ନିଷ୍ପତ୍ତି ବ୍ୟକ୍ତିଗତ କାର୍ଯ୍ୟ ପ୍ରଦର୍ଶନ ଉପରେ ଆଧାରିତ ନୁହେଁ । "ଏହା ଏକ ସାଂରଚନିକ ପରିବର୍ତ୍ତନ, ଲୋକମାନେ କିପରି ପ୍ରଦର୍ଶନ କରୁଥିଲେ ତାହାର ପ୍ରତିଫଳନ ନୁହେଁ," ବୋଲି ନାଡେଲା କହିଛନ୍ତି । ସେ ଆହୁରି କହିଛନ୍ତି ଯେ ମାଇକ୍ରୋସଫ୍ଟ ଏହାର ରଣନୈତିକ ଧ୍ୟାନକୁ ପରିବର୍ତ୍ତନ କରୁଛି, କୃତ୍ରିମ ବୁଦ୍ଧିମତ୍ତା (AI) ଉପରେ ଅଧିକ ଗୁରୁତ୍ବ ଦେଉଛି । କାରଣ କମ୍ପାନୀ ନିଜର ଦୀର୍ଘକାଳୀନ ଦୃଷ୍ଟିକୋଣ ଏବଂ ଅଭିବୃଦ୍ଧି ଲାଗି ଏଆଇକୁ ଏକ ପ୍ରମୁଖ ବାହକ ଭାବରେ ଦେଖୁଛି ।
AI ଭିତ୍ତିଭୂମି ପାଇଁ ଖର୍ଚ୍ଚ କରିବ 8000 କୋଟି
ଏହି ଟେକ୍ ପ୍ରମୁଖ କମ୍ପାନୀ ଚଳିତ ଆର୍ଥିକ ବର୍ଷରେ AI ଭିତ୍ତିଭୂମି ପାଇଁ ପ୍ରାୟ $80 ବିଲିୟନ ବା 8000 କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ଯୋଜନା କରୁଥିବା ଘୋଷଣା କରିଛି । ଏହାସହିତ ବିଭିନ୍ନ ଗ୍ରାହକ ବିଭାଗରେ ଏହାର Copilot AI ଆସିଷ୍ଟାଣ୍ଟ ନିଯୁକ୍ତିକୁ ତ୍ବରାନ୍ବିତ କରିଛି । ନିକଟରେ ହୋଇଥିବା ଛଟେଇ କମ୍ପାନୀର ବିଶ୍ବ ସ୍ତରରେ 6,000 ପଦବୀକୁ ପ୍ରଭାବିତ କରିଥିଲା, ଯେଉଁଥିରେ ଉତ୍ପାଦ ବିକାଶ ଏବଂ ଇଞ୍ଜିନିୟରିଂ ଭୂମିକା ବି ସାମିଲ । ଏହି ଛଟେଇ ଦର୍ଶାଉଛି ଯେ AI ଯୁଗରେ ମଧ୍ୟ ମୁଖ୍ୟ ବୈଷୟିକ ପଦବୀଗୁଡ଼ିକୁ କିପରି ପୁନଃଆକୃତି ଦିଆଯାଉଛି ।
'ସଫ୍ଟୱେର ଅପରେଟର ହୋଇପାରିବେ ଇଞ୍ଜିନିୟର'
ଏହି ସମାନ ଇଭେଣ୍ଟରେ ଉପସ୍ଥିତ ଥିବା ମାଇକ୍ରୋସଫ୍ଟର ଚିଫ୍ ପ୍ରଡକ୍ଟ ଅଫିସର (CPO) ଅପର୍ଣ୍ଣା ଚେନ୍ନାପ୍ରଗଦା ଏଆଇକୁ ନେଇ ବୃଦ୍ଧି ପାଉଥିବା ଏକ ଧାରଣାକୁ ଜୋରଦାର ବିରୋଧ କରିଥିଲେ । ଏଆଇ ଉଦୀୟମାନ କୋଡିଂ କୌଶଳକୁ ଅପ୍ରଚଳିତ କରିବ ବୋଲି ଚର୍ଚ୍ଚା ହେଉଥିଲା । ଏହାକୁ ଅପର୍ଣ୍ଣା ବିରୋଧ କରି କହିଥିଲେ, "ବହୁତ ଲୋକ ଭାବୁଛନ୍ତି କୋଡିଂ ଶେଷ ହୋଇଯାଉଛୁ, ମାତ୍ର ଏହି ଧାରଣା ସହିତ ମୁଁ ସହମତ ନୁହେଁ ।"
ମାଇକ୍ରୋସଫ୍ଟ କିଛି ଇଣ୍ଟରନାଲ ପ୍ରୋଜେକ୍ଟର 30 ପ୍ରତିଶତ କୋଡ୍ ଲେଖୁଛି । ଏହାକୁ ଅପର୍ଣ୍ଣା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ପ୍ରାକୃତିକ ବିକାଶ ଭାବରେ ଦେଖିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବ୍ଲୁମବର୍ଗର ଏକ ରିପୋର୍ଟ ଅନୁସାରେ ନିକଟରେ ହୋଇଥିବା ଛଟେଇ ଯୋଗୁଁ କୋଡର୍ସ ବେଶ ପ୍ରଭାବିତ ହୋଇଥିଲେ । ୱାଶିଂଟନରେ ଛଟେଇ ହୋଇଥିବା 2000ରୁ ଅଧିକ ପଦବୀ ମଧ୍ୟରୁ ପ୍ରାୟ 40% ପଦବୀରେ ସଫ୍ଟୱେର ଇଞ୍ଜିନିୟର ଥିଲେ ।
ବର୍ଷ 2023ରେ, ମାଇକ୍ରୋସଫ୍ଟ 10 ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା, ଯାହାକି କମ୍ପାନୀର ମୋଟ କାର୍ଯ୍ୟବଳ (Workforce)ର 5 ପ୍ରତିଶତ ଥିଲା ।
ଏହା ବି ପଢନ୍ତୁ: ଗୁଗଲ୍ରେ ପୁଣି ଛଟେଇ ଆରମ୍ଭ; ଚାକିରି ହରାଇଲେ ଶତାଧିକ କର୍ମଚାରୀ |