ହାଇଦ୍ରାବାଦ: ମାଇକ୍ରୋ ଗ୍ରାଭିଟି ଗବେଷଣା ବା ସ୍ବଳ୍ପ ମାଧ୍ୟାକର୍ଷଣ ଶକ୍ତିରେ ପରୀକ୍ଷଣ ନିକଟ ଅତୀତରେ ବିଶେଷ ଭାବରେ ମହାକାଶ ମିଶନରେ ଅଗ୍ରଗତି କରୁଛି । ତେବେ ମେ' ମାସରେ ଲଞ୍ଚ ହେବାକୁ ଥିବା ଆକ୍ସିଓମ-4 (Axiom-4) ମିଶନରେ ଭାରତ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ (ISS)ରେ 7ଟି ମାଇକ୍ରୋ ଗ୍ରାଭିଟି ପରୀକ୍ଷଣ କରିବାକୁ ସ୍ଥିର କରିଛି । ଏହି ମିଶନରେ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ସାମିଲ ଥିବାବେଳେ ସେ ଏହି 7ଟି ମନୋନୀତ ମାଇକ୍ରୋଗ୍ରାଭିଟି ପରୀକ୍ଷଣ କରିବେ ।
Ax-4 ମିଶନକୁ ଫ୍ଲୋରିଡାର ନାସାର କେନେଡି ସ୍ପେଶ୍ ସେଣ୍ଟରରୁ 4ଜଣ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍କୁ ପଠାଯିବ, ଯେଉଁଠାରେ ମହାକାଶଚାରୀମାନେ 14 ଦିନ ବିତାଇବେ । ଆଇଏସଏସ ପାଇଁ ଏହା ଆକ୍ସିଓମ ସ୍ପେଶ୍ କମ୍ପାନୀର ଚତୁର୍ଥ ବେସରକାରୀ ମହାକାଶଚାରୀ ମିଶନ ଏବଂ ସରକାରୀ ତଥା ESA ପ୍ରାୟୋଜିତ ଜାତୀୟ ମହାକାଶଚାରୀଙ୍କୁ ନେଇ ଗଠିତ ଦ୍ବିତୀୟ ବାଣିଜ୍ୟିକ ସ୍ପେଶ୍ ଫ୍ଲାଇଟ୍ ମିଶନ ହେବାକୁ ଯାଉଛି । ଅନ୍ୟପଟେ ଶୁଭାଂଶୁ ଶୁକ୍ଳା ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଇତିହାସରେ ପ୍ରଥମ ଥର ଲାଗି ISSକୁ ଯାତ୍ରା କରୁଛନ୍ତି ।
ଇସ୍ରୋ ଅନୁଯାୟୀ, ISSରେ ସ୍ବଳ୍ପ ମାଧ୍ୟାକର୍ଷଣ ଶକ୍ତିରେ କିଛି ପରୀକ୍ଷଣ କରିବା ଲାଗି ବିଭିନ୍ନ ଜାତୀୟ ଗବେଷଣା ଏବଂ ବିକାଶ ଲାବ୍ରୋଟୋରୀ ଓ ଶିକ୍ଷାନୁଷ୍ଠାନର ଭାରତୀୟ ପ୍ରଧାନ ଅନୁସନ୍ଧାନକାରୀ (PIs) ଙ୍କ ଦ୍ବାରା ପ୍ରସ୍ତାବିତ ପରୀକ୍ଷଣକୁ ଚୟନ କରାୟାଇଛି । ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc), ଇନଷ୍ଟିଚ୍ୟୁଟ୍ ଅଫ୍ ଷ୍ଟେମ୍ ସେଲ୍ ସାଇନ୍ସ ଏବଂ ରିଜେନେରେଟିଭ୍ ମେଡିସିନ୍ (ଇନଷ୍ଟେମ୍) ଏବଂ କୃଷି ବିଜ୍ଞାନ ବିଶ୍ବବିଦ୍ୟାଳୟ ଧାରୱାଦ ସାମିଲ ।
ISROର ମନୋନୀତ ସାତୋଟି ପରୀକ୍ଷଣ
ଆକ୍ସିଓମ-4 ମିଶନ ପାଇଁ ISRO ସାତୋଟି ମାଇକ୍ରୋ ଗ୍ରାଭିଟି ପରୀକ୍ଷଣକୁ ମନୋନୀତ କରିଛି । ଏହି ପରୀକ୍ଷଣଗୁଡିକ ବିଭିନ୍ନ ବୈଜ୍ଞାନିକ ପ୍ରଶ୍ନଗୁଡିକ ଅନୁସନ୍ଧାନ କରିବାକୁ ଲକ୍ଷ୍ୟ ରଖିଛି:
- ଖାଇବାଯୋଗ୍ୟ ସୂକ୍ଷ୍ମ ଶୈବାଳ (Microalgae) ଉପରେ ମାଇକ୍ରୋ ଗ୍ରାଭିଟି ରେଡିଏସନର ପ୍ରଭାବ ।
- ମାଇକ୍ରୋଗ୍ରାଭିଟି ଅବସ୍ଥାରେ ସାଲାଡ ମଞ୍ଜି ବୃଦ୍ଧିର ଅନୁସନ୍ଧାନ
- ବିଭିନ୍ନ ନାଇଟ୍ରୋଜେନ ସୋର୍ସରେ ସିଆନୋବ୍ୟାକ୍ଟେରିଆର ପ୍ରତିକ୍ରିୟା
- ଜଳଚର ପ୍ରାଣୀ (ବୈଜ୍ଞାନିକ ନାମ: Eutardigrade Paramacrobiotus)ର ବଞ୍ଚିବା ଉପରେ ଗବେଷଣା
- ସ୍ବଳ୍ପ ମାଧ୍ୟାକର୍ଷଣ ଶକ୍ତି ଥିବା ପରିବେଶରେ ଇଲେକ୍ଟ୍ରୋନିକ୍ ଡିସପ୍ଲେ ସହିତ ମଣିଷ କିପରି ବ୍ୟବହାର କରେ ତାହା ବିଶ୍ଳେଷଣ କରିବା ।
- ମାଇକ୍ରୋଗ୍ରାଭିଟିରେ ମାସଂପେଶୀ ପୁନଃନିର୍ମାଣ ଉପରେ ମେଟାବୋଲିକ୍ ସପ୍ଲିମେଣ୍ଟର ପ୍ରଭାବ ଅନୁସନ୍ଧାନ .
- ମାଇକ୍ରୋଗ୍ରାଭିଟିରେ ମଞ୍ଜିର ଅଙ୍କୁରୋଦଗମର ଅନୁସନ୍ଧାନ
ମାଇକ୍ରୋଗ୍ରାଭିଟି କଣ ?
ମାଇକ୍ରୋଗ୍ରାଭିଟି ସେହି ଅବସ୍ଥାକୁ ବୁଝାଏ ଯେଉଁଥିରେ ବସ୍ତୁଗୁଡ଼ିକ ବହୁତ କମ୍ ମାଧ୍ୟାକର୍ଷଣ ଶକ୍ତି ଅନୁଭବ କରନ୍ତି । ଏହା ପ୍ରାୟତଃ ମହାକାଶରେ ଓଜନହୀନତା ସହିତ ଜଡିତ । ମାଇକ୍ରୋ ଶବ୍ଦର ଅର୍ଥ ହେଉଛି ବହୁତ ଛୋଟ ବା ସୂକ୍ଷ୍ମ । ଏହାକୁ ଜିରୋ ଗ୍ରାଭିଟି ବୋଲି ମଧ୍ୟ କୁହାୟାଏ ।
ମାଇକ୍ରୋଗ୍ରାଭିଟି ପରୀକ୍ଷଣର ଗୁରୁତ୍ବ
ISRO ଅନୁଯାୟୀ, ମାଇକ୍ରୋଗ୍ରାଭିଟି ଗବେଷଣା ବିଭିନ୍ନ କ୍ଷେତ୍ର ଯେପରିକି ମାନବ ସ୍ବାସ୍ଥ୍ୟ, ଶାରୀରିକ ଏବଂ ଜୀବ ବିଜ୍ଞାନ, ବସ୍ତୁ ଅନୁସନ୍ଧାନ, ଫାର୍ମାସ୍ୟୁଟିକାଲ୍ ବିକାଶ ଏବଂ ବାୟୋଟେକ୍ନୋଲୋଜି ଭଳି ବିଭିନ୍ନ କ୍ଷେତ୍ରରେ ସମ୍ଭାବ୍ୟ ପ୍ରୟୋଗ ସହିତ ଜାତୀୟ ବୈଜ୍ଞାନିକ ସମ୍ପ୍ରଦାୟକୁ ଗୁରୁତ୍ବପୂର୍ଣ୍ଣ ସୁଯୋଗ ପ୍ରଦାନ କରିଥାଏ । ବୈଜ୍ଞାନିକମାନେ ଆଗାମୀ ଦିନରେ ମହାକାଶରେ ବସବାସ କରିବାକୁ ସ୍ବପ୍ନ ଦେଖୁଥିବାବେଳେ ସେଥିଲାଗି ଏହି ପରୀକ୍ଷଣଗୁଡ଼ିକ ବେଶ ଗୁରୁତ୍ବପୂର୍ଣ୍ଣ । ଆକ୍ସିଓମ-4 ମିଶନ ଜରିଆରେ ଇସ୍ରୋ କରିବାକୁ ଯାଉଥିବା ଏହି ପରୀକ୍ଷଣଗୁଡ଼ିକ ଅତ୍ୟାଧୁନିକ ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଭାରତର କ୍ଷମତାକୁ ଦର୍ଶାଇବ ।