ଗଗନଯାନ ମିଶନର ପ୍ରସ୍ତୁତି ଜୋରଦାର; ପ୍ରଥମ ପାରାଚୁଟ୍ ସିଷ୍ଟମର ସଫଳ ପରୀକ୍ଷଣ କଲା ଇସ୍ରୋ
ଗଗନଯାନ ମିଶନର ପ୍ରସ୍ତୁତିକୁ ଜୋରଦାର କରି ଇସ୍ରୋ ରବିବାର ପ୍ରଥମ ଏୟାର-ଡ୍ରପ୍ର ସଫଳ ପରୀକ୍ଷଣ କରିଛି । ଅଧିକ ପଢନ୍ତୁ

Published : August 25, 2025 at 12:42 PM IST
ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦେଶର ପ୍ରଥମ ମାନବ ମିଶନ 'ଗଗନଯାନ' ପାଇଁ ଏକ ବଡ଼ ପଦକ୍ଷେପ ନେଇଛି । ଇସ୍ରୋ ସଫଳତାର ସହ ସମନ୍ବିତ ଏୟାର ଡ୍ରପ୍ ଟେଷ୍ଟ (IADT-01) ସମାପ୍ତ କରିଛି । ଏହି ପରୀକ୍ଷଣ ଗଗନଯାନ ମିଶନର ପାରାଚୁଟ୍ ସିଷ୍ଟମ ଯାଞ୍ଚ କରିବା ପାଇଁ ରହିଛି । ରବିବାର ଇସ୍ରୋ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ନିକଟରେ ଏହି ପରୀକ୍ଷଣ କରିଥିଲା । ଭାରତୀୟ ବାୟୁସେନା, DRDO, ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀ ଏହି କାର୍ଯ୍ୟରେ ଇସ୍ରୋକୁ ସାହାଯ୍ୟ କରିଥିଲେ ।
ଇସ୍ରୋ ଏହି ପରୀକ୍ଷଣ ସମ୍ପର୍କରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ 'ଇସ୍ରୋ ଗଗନଯାନ ମିଶନ ଲାଗି ପାରାସୁଟ୍ ସିଷ୍ଟମର ପ୍ରଥମ IADT-01ର ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣ ଇସ୍ରୋ, ଭାରତୀୟ ବାୟୁସେନା, ଡିଆରଡିଓ, ଭାରତୀୟ ନୌସେନା ଓ ଭାରତୀୟ ତଟରକ୍ଷବାହିନୀ ସାମିଲ ଥିଲେ ।' ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଯେ ମାନବ ମୂଲ୍ୟଯୁକ୍ତ ଲଞ୍ଚ ଯାନ (HLVM3) ମଧ୍ୟ ଗଗନୟାନ ପାଇଁ ପ୍ରସ୍ତୁତ । ଏଠାରେ କହି ରଖୁଛୁ କି, ଗଗନୟାନ ହେଉଛି ଭାରତର ପ୍ରଥମ ମାନବ ମହାକାଶ ମିଶନ । ଭାରତ 2035 ସୁଦ୍ଧା ଏହାର ମହାକାଶ ଷ୍ଟେସନ (BAS) ଏବଂ 2040 ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ।
ISRO successfully accomplishes first Integrated Air Drop Test (IADT-01) for end to end demonstration of parachute based deceleration system for Gaganyaan missions. This test is a joint effort of ISRO, Indian Air Force, DRDO,Indian Navy and Indian Coast Guard pic.twitter.com/FGaAa1Ql6o
— ISRO (@isro) August 24, 2025
ସଫଳ ହେଲା IADT-01
ଇସ୍ରୋ ଗଗନୟାନ ମିଶନ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ କରିଛି । ଏହି ପରୀକ୍ଷଣକୁ IADT-01 ନାମ ଦିଆଯାଇଥିଲା । ଗଗନୟାନ ମିଶନରେ ପାରାଚୁଟ୍ ଠିକ୍ ଭାବରେ କାମ କରେ କି ନାହିଁ ତାହା ଦେଖିବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା । ମହାକାଶରୁ ଫେରିବା ସମୟରେ ପାରାଚୁଟ୍ ମହାକାଶଯାନର ଗତି ହ୍ରାସ କରିବାରେ ସାହାଯ୍ୟ କରେ । ଏହି ପରୀକ୍ଷଣ ଇସ୍ରୋ ଏବଂ ଅନ୍ୟାନ୍ୟ ଅନେକ ସଂଗଠନ ଦ୍ବାରା ମିଳିତ ଭାବରେ କରାଯାଇଥିଲା । ଏହି ସଂଗଠନଗୁଡ଼ିକରେ ଭାରତୀୟ ବାୟୁସେନା, DRDO, ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀ ସାମିଲ ଥିଲେ ।
ପରୀକ୍ଷଣ ସମୟରେ ଏକ ହେଲିକପ୍ଟରରୁ ଏକ କ୍ରୁ କ୍ୟାପସୁଲକୁ ଆକାଶରେ ଛାଡି ଦିଆଯାଇଥିଲା ଏବଂ ଏକ ପାରାଚୁଟ୍ ସିଷ୍ଟମ ମାଧ୍ୟମରେ ଏହାର ସୁରକ୍ଷିତ ଅବତରଣକୁ ସୁନିଶ୍ଚିତ କରାଯାଇଥିଲା । ଏହି ସିଷ୍ଟମରେ ଦୁଇଟି ଡ୍ରାଗ୍ ପାରାଚୁଟ୍ ଏବଂ 3ଟି ମୁଖ୍ୟ ପାରାଚୁଟ୍ ସାମିଲ ଥିଲା, ଯାହା କ୍ରୁ ମଡ୍ୟୁଲ୍କୁ ସମୁଦ୍ରରେ ସୁରକ୍ଷିତ ଭାବରେ ଅବତରଣ କରିବାରେ ସଫଳ ହୋଇଥିଲା । ଏହି ପଦକ୍ଷେପ ଗଗନଯାନ ମିଶନ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଇସ୍ରୋ କହିଛି ଯେ ଏହି ପରୀକ୍ଷଣ ଗଗନଯାନ କ୍ୟାପସୁଲର ଡିଲେରେସନ୍ ସିଷ୍ଟମର ବିଶ୍ବସନୀୟତା ପ୍ରମାଣିତ କରେ । ଇସ୍ରୋ ପୂର୍ବରୁ ସାତଟି ଏୟାର-ଡ୍ରପ୍ ପରୀକ୍ଷଣ ଯୋଜନା କରିଥିଲା, କିନ୍ତୁ ଚୂଡ଼ାନ୍ତ ସଂଖ୍ୟା ଫଳାଫଳ ଉପରେ ନିର୍ଭର କରିବ ।
ଭାରତର ଗଗନଯାନ ମିଶନ
ଇସ୍ରୋ ଗଗନଯାନ ମିଶନ ଜରିଆରେ ମନୁଷ୍ୟକୁ ମହାକାଶକୁ ନେଇ ସୁରକ୍ଷିତ ଭାବେ ପୃଥିବୀ ଫେରାଇଆଣିବାର କ୍ଷମତା ଦର୍ଶାଇବା ଲାଗି ଯୋଜନା ରଖିଛି । ଦେଶର ପ୍ରଥମ ମାବନ ମିଶନ ଭାବେ ଯୋଜନାବଦ୍ଧ ଥିବା ଏହି ମିଶନରେ 4ଜଣ ମହାକାଶଚାରୀ ଯାତ୍ରା କରିବେ । ଏମାନଙ୍କ ମଧ୍ୟରୁ ନିକଟରେ ଆକ୍ସିଓମ-4 ମିଶନରେ ମହାକାଶ ଗସ୍ତ କରି ଫେରିଥିବା ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଲା ମଧ୍ୟ ସାମିଲ ଅଛନ୍ତି । ଡିସେମ୍ବର 2025ରେ, ଭାରତ ମହାକାଶକୁ ଏକ ମାନବହୀନ ମିଶନ ପଠାଇବାକୁ ପ୍ରସ୍ତୁତ ହେଉଛି, ଯେଉଁଥିରେ ରୋବୋଟ୍ ଭ୍ୟୋମ୍ ମଧ୍ୟ ସାମିଲ । ମିଶନର ଅଧିକାଂଶ ପରୀକ୍ଷଣ ପୂର୍ବରୁ ସମାପ୍ତ ହୋଇସାରିଛି । ଯଦି ସବୁକିଛି ଠିକ୍ ରହେ, ତେବେ ଭାରତ ମହାକାଶକୁ ମଣିଷ ପଠାଇବାରେ ଚତୁର୍ଥ ଦେଶ ହେବ ।

