ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁନିଆର ତମାମ ଦେଶରେ ଆମଦାନୀ ଶୁଳ୍କ ଲାଗୁ କରିଛନ୍ତି । ଆମେରିକାର ଏହି ବଡ଼ ପଦକ୍ଷେପର ପ୍ରଭାବ ଆଇଫୋନ ଉପରେ ମଧ୍ୟ ପଡ଼ିପାରେ । ଫଳରେ ଆମେରିକୀୟ କମ୍ପାନୀ ଆଇଫୋନର ଦାମ 30ରୁ 40 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଭାରତୀୟ ଟଙ୍କା ଅନୁସାରେ ଏହାର ଦାମ 2.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ତେବେ କିପରି ଆଇଫୋନ ମହଙ୍ଗା ହୋଇପାରେ ଜାଣିବା ।
ଏପ୍ରିଲ 2 ତାରିଖରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଐତିହାସିକ ଘୋଷଣା କରିଛନ୍ତି, ଯେଉଁଥିରେ ସେ ଆମେରିକାକୁ ଆସୁଥିବା ଅନ୍ୟ ଦେଶର ଉତ୍ପାଦ ଉପରେ ରେସିପ୍ରୋକାଲ୍ ଟାରିଫ୍ ବା ପାରସ୍ପରିକ ଶୁଳ୍କ ଲାଗୁ କରିଛନ୍ତି । ଟ୍ରମ୍ପଙ୍କ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ଆମେରିକାର ବାଣିଜ୍ୟିକ କ୍ଷତିକୁ ହ୍ରାସ କରିବା, ଘରୋଇ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା । ଟ୍ରମ୍ପ ସରକାର ଦୁଇ ପ୍ରକାର ଶୁଳ୍କ ଲାଗୁ କରିଛନ୍ତି । ଏଥିରେ ପ୍ରଥମ ଶୁଳ୍କ ହେଉଛି 10% ଯାହା ଏପ୍ରିଲ 5, 2025ରୁ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ଶୁଳ୍କ ମାଧ୍ୟମରେ କାନାଡା ଏବଂ ମେକ୍ସିକୋ ବ୍ୟତୀତ ସମସ୍ତ ଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ 10% ଶୁଳ୍କ ଲାଗୁ କରାଯିବ।
ଦ୍ବିତୀୟ ଶୁଳ୍କର ନାମ ରହିଛି ହାଇ-ଟାରିଫ, ଯାହାକୁ ଟ୍ରମ୍ପ ସରକାର ଏପ୍ରିଲ 9 ତାରିଖରୁ ଲାଗୁ କରିବେ । ଏହା ସେହି ଦେଶଗୁଡ଼ିକ ଉପରେ ଲାଗୁ କରାଯିବ ଯାହା ସହିତ ଆମେରିକା ବାଣିଜ୍ୟ କରିବାରୁ କ୍ଷତି ସହିବାକୁ ପଡୁଛି । ଏହି ଶୁଳ୍କ ଅନୁଯାୟୀ ଆମେରିକା ଭାରତ ଉପରେ 26 ପ୍ରତିଶତ ଓ ଚୀନ ଉପରେ 34 ପ୍ରତିଶତ ଶୁଳ୍କ ଲଗାଇଛି । ଚୀନ ଉପରେ ପୂର୍ବରୁ 20 ପ୍ରତିଶତ ଶୁଳ୍କ ଲଗାଯାଇଥିବାବେଳେ ଏବେ 34 ପ୍ରତିଶତ ଲଗାଇଛି । ଏହା ଦେଖିଲେ ଚୀନ ଉପରେ ମୋଟ 54 ପ୍ରତିଶତ ଶୁଳ୍କ ଲାଗିଛି ।
ଆଇଫୋନ ମୂଲ୍ୟ ଉପରେ ପ୍ରଭାବ
ଆପଲ୍ ଆମେରିକୀୟ କମ୍ପାନୀ ହୋଇଥିଲେ ସୁଦ୍ଧା ଆଇଫୋନ ନିର୍ମାଣକାରୀ ଦେଶମାନଙ୍କ ମଧ୍ୟରେ ଚୀନ ମଧ୍ୟ ସାମିଲ । ଚୀନରୁ ଆଇଫୋନ ନିର୍ମିତ ହୋଇ ଅନ୍ୟ ଦେଶଗୁଡ଼ିକ ରପ୍ତାନୀ ହୋଇଥାଏ । ତେବେ ଚୀନର ଆମଦାନୀ ଶୁଳ୍କ ବଢିବା କାରଣରୁ ଆଇଫୋନ ଉପରେ ପ୍ରଭାବ ପଡ଼ିପାରେ । ଆଇଫୋନ ନିର୍ମାଣ କରିବାରେ ହେଉଥିବା ଖର୍ଚ୍ଚ ବୃଦ୍ଧି ପାଇବ ଓ ଆପଲ୍ ଉକ୍ତ ଖର୍ଚ୍ଚ ଗ୍ରାହକଙ୍କ ଉପରେ ପକାଇପାରେ । ଫଳରେ ଆଇଫୋନର ଦାମ 40 ପ୍ରତିଶତ ବଢିପାରେ ।
ଯଦି ଆମେରିକା ଚୀନର ଆମଦାନୀ ସାମଗ୍ରୀ ଉପରେ ଶୁଳ୍କ 34% ବୃଦ୍ଧି କରୁଛି ତେବେ ଚୀନ ମଧ୍ୟ ନିଜ ଦେଶରେ ଆପଲ୍ର ଆଇଫୋନ ଉତ୍ପାଦନକାରୀ କାରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଚୀନ ନିଜ ଦେଶରେ ଉପସ୍ଥିତ ଆମେରିକୀୟ କମ୍ପାନୀଗୁଡିକ ପାଇଁ ନୂତନ ନିୟମ ପ୍ରସ୍ତୁତ କରିପାରିବ, ସେମାନଙ୍କ ବ୍ୟବସାୟକୁ ମହଙ୍ଗା କରିବାକୁ ଚେଷ୍ଟା କରିପାରିବ, ସେମାନଙ୍କ ଉପରେ ଅବାଧ ଟିକସ ଲଗାଇପାରେ । ଯଦି ଏପରି ହୁଏ ତେବେ ଏହା ନିଶ୍ଚିତ ଭାବରେ ଗ୍ରାହକଙ୍କୁ ପ୍ରଭାବିତ କରିବ ଏବଂ ପୂର୍ବାପେକ୍ଷା ଆଇଫୋନ କିଣିବା ପାଇଁ ଗ୍ରାହକଙ୍କୁ ପ୍ରାୟ ଦୁଇଗୁଣ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ । ଏଭଳି ପରିସ୍ଥିତିରେ ଆଇଫୋନର ମୁଦ୍ରାସ୍ଫୀତି ଚୀନ, ଭାରତ ଏବଂ ଅନ୍ୟାନ୍ୟ ଦେଶ ତଥା ଆମେରିକା ଉପରେ ମଧ୍ୟ ପ୍ରଭାବ ପକାଇପାରେ ।
କିପରି ବଢିପାରେ ଆଇଫୋନର ଦାମ ?
ଯଦି ଉଦାହରଣ ଭାବେ ଆମେ iPhone 16କୁ ନେବା ତେବେ ବର୍ତ୍ତମାନ ଏହାର ଦାମ $799 ବା ପାଖାପାଖି 68,000 ରହିଛି । ଯଦି ଆପଲ୍ ଏହି ଆଇଫୋନର ଦାମରେ ଅତିରିକ୍ତ ଖର୍ଚ୍ଚ ଯୋଡ଼େ ତେବେ ଏହାର ଦାମ $1142 ଅର୍ଥାତ ପାଖାପାଖି 97,000 ଟଙ୍କାରୁ ଅଧିକ ହୋଇପାରେ । ଏହାର ଅର୍ଥ ଯଦି ଆପଣ ଏବେ iPhone 16କୁ 68,000ଟଙ୍କାରେ କିଣୁଛନ୍ତି ତେବେ ପରେ ଏହାକୁ 97,000 ଟଙ୍କାରେ କିଣିବାକୁ ପଡ଼ିପାରେ । ଏହାଦ୍ବାରା ଗ୍ରାହକ ପାଖାପାଖି 30,000 ଅଧିକ ମୂଲ୍ୟରେ ଆଇଫୋନକୁ କିଣିବେ । ସେହିପରି ଅନ୍ୟ ଆଇଫୋନର ଦାମ ମଧ୍ୟ ବଢିପାରେ ।