ହାଇଦ୍ରାବାଦ: ସମୟ ସହିତ କୃତ୍ରିମ ବୁଦ୍ଧିମତା (AI)କୁ ନେଇ ଆଶ୍ଚର୍ଯ୍ୟଚକିତ ଖବର ସାମ୍ନାକୁ ଆସିଛି । ଏହି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଲୋକେ ନିଜର ଅନେକ ଜଟିଳ କାମକୁ ଖୁବ ସହଜରେ ଓ କମ ସମୟରେ କରିପାରୁଛନ୍ତି । ଏବେ ଏଆଇ ସାଧାରଣ ଲୋକଙ୍କ ଆସିଷ୍ଟାଣ୍ଟ ହୋଇପାରିଛି । ତେବେ ଗୁଗଲ୍ର AI ଆସିଷ୍ଟାଣ୍ଟ ଜେମିନି ଏପରି ଏକ ନୂଆ ଫିଚର ଆଣିଛି, ଯାହାକି ଆପଣଙ୍କ ଭବିଷ୍ୟତର କାମକୁ ସ୍ବୟଂଚାଳିତ ଭାବରେ କରିପାରିବ । ଏହି ଫିଚରର ନାଁ ହେଉଛି ସିଡ୍ୟୁଲଡ୍ ଆକ୍ସନ୍ସ ଫିଚର ।
ଜେମିନି ଏଆଇ ଆପ୍ ସାହାଯ୍ୟରେ, ଆପଣ ଭବିଷ୍ୟତରେ କରିବାକୁ ଚାହୁଁଥିବା ଯେକୌଣସି କାମକୁ ପୂର୍ବ-ନିର୍ଦ୍ଧାରିତ ସମୟରେ ସ୍ବୟଂଚାଳିତ ଭାବରେ ସମାପ୍ତ କରିପାରିବେ । ଯଦି ଆପଣ OpenAIର ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ChatGPT ବ୍ୟବହାର କରନ୍ତି, ତେବେ ଆପଣ ଏହାର Schedule Tasks ଫିଚର ବିଷୟରେ ଜାଣିଥିବେ, ଯାହା ବ୍ୟବହାରକାରୀଙ୍କୁ ସମାନ ସୁବିଧା ପ୍ରଦାନ କରେ । ଏବେ ଗୁଗଲ୍ Geminiରେ ChatGPTର Schedule Tasks ପରି ଫିଚର ଆଣିଛି, ଯାହାକୁ Schedule Actions କୁହାଯାଇଛି ।
Scheduled Actions: କଣ ଖାସ୍ ?
- ୟୁଜର ଜେମିନିକୁ ଏକ ନିର୍ଦ୍ଦିଷ୍ଟ ସମୟରେ ବା ତାରିଖରେ ବା ଏକ ଇଭେଣ୍ଟ ପରେ ସ୍ବୟଂଚାଳିତ ଭାବରେ କାର୍ଯ୍ୟ କରିବାକୁ କହିପାରିବେ ।
- ଉଦାହରଣ ସ୍ବରୂପ, ଆପଣ ଜେମିନିର ସିଡ୍ୟୁଲ୍ ଆକ୍ସନ୍ ଫିଚରକୁ ଆପଣଙ୍କୁ ପ୍ରତିଦିନ ସକାଳ ଖବର କହିବାକୁ, ଆପଣଙ୍କ ଦିନର ଯୋଜନା ବିଷୟରେ ପଚାରିବାକୁ କିମ୍ବା ଆପଣ ପଢ଼ିନଥିବା ଇମେଲର ସାରାଂଶ କହିବାକୁ ନିର୍ଦ୍ଦେଶ ଦେବାକୁ କହିପାରିବେ ।
- ଆପଣ ଆପଣଙ୍କ ପ୍ରିୟ ଖେଳ ବିଷୟରେ ନୂଆ ଖବର କହିବାକୁ ନିର୍ଦ୍ଦେଶ ଦେଇପାରିବେ ।
- ଏପରିକି ପ୍ରତି ଶୁକ୍ରବାର ରିଲିଜ୍ ହେଉଥିବା ସିନେମା ବିଷୟରେ ଅପଡେଟ୍ ଦେବା ପାଇଁ ନିର୍ଦ୍ଦେଶ ଦେଇପାରିବେ ।
ଏହି ଫିଚର ସାହାଯ୍ୟରେ, ୟୁଜରଙ୍କ ଦୈନନ୍ଦିନ କାମ କେବଳ ବହୁତ ସହଜ ହେବ ନାହିଁ, ବରଂ ସେମାନେ ବହୁତ ସମୟ ବଞ୍ଚାଇପାରିବେ । ଏହାସହିତ କୌଣସି ଗୁରୁତ୍ବପୂର୍ଣ୍ଣ କାମ ଭୁଲିଯିବା ଦ୍ବାରା ହେଉଥିବା କ୍ଷତିକୁ ମଧ୍ୟ ଏଡାଇପାରିବେ ।
କେମିତି ବ୍ୟବହାର କରିବେ ଏହି ଫିଚର ?
ଜେମିନିର ଏହି ନୂତନ ଫିଚର ବ୍ୟବହାର କରିବା ପାଇଁ, ଗୁଗଲ୍ ଆପ୍ ଭିତରେ ଥିବା Settingsରେ ଏକ ନୂତନ "ସିଡ୍ୟୁଲ୍ ଆକ୍ସନ୍" ପେଜ୍ ପ୍ରଦାନ କରିଛି, ଯାହା ମାଧ୍ୟମରେ ଉପଭୋକ୍ତାମାନେ ସେମାନଙ୍କର ଭବିଷ୍ୟତ କାର୍ଯ୍ୟଗୁଡ଼ିକୁ ସୂଚୀବଦ୍ଧ କରିପାରିବେ ଏବଂ ଚାପମୁକ୍ତ ରହିପାରିବେ । ୟୁଜରମାନେ କାର୍ଯ୍ୟଗୁଡ଼ିକୁ ସୂଚୀବଦ୍ଧ କରିବା ପାଇଁ ଜେମିନିରେ ପୂର୍ବରୁ ବ୍ୟବହୃତ ପ୍ରମ୍ପ୍ଟଗୁଡ଼ିକୁ ମଧ୍ୟ ବ୍ୟବହାର କରିପାରିବେ ।
କେଉଁ ୟୁଜର ବ୍ୟବହାର କରିପାରିବେ ଫିଚର ?
ଏହି ଫିଚର ଏପର୍ଯ୍ୟନ୍ତ ସମସ୍ତ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରାଯାଇ ନାହିଁ । ଏହି ଫିଚରକୁ ଗୁଗଲ୍ କେବଳ Google AI Pro & Ultra ସବସ୍କ୍ରିପସନ୍ ଥିବା ୟୁଜର ଏବଂ ସ୍ବତନ୍ତ୍ର ଗୁଗଲ୍ ୱାର୍କସ୍ପେଶ୍ ବ୍ୟବସାୟ ଏବଂ ଶିକ୍ଷା ଯୋଜନା ଥିବା ୟୁଜରଙ୍କ ପାଇଁ ଏହି ଫିଚର ଆରମ୍ଭ କରିଛି । ଜେମିନିର ସିଡ୍ୟୁଲ୍ ଆକ୍ସନ୍ ଫିଚର୍ ମାଗଣା ୟୁଜରଙ୍କ ପାଇଁ କେବେ ଉପଲବ୍ଧ ହେବ ସେ ବିଷୟରେ ଗୁଗଲ୍ ଏପର୍ଯ୍ୟନ୍ତ ସୂଚନା ଦେଇନାହିଁ ।