ହାଇଦ୍ରାବାଦ: ଗୁଗଲ୍ ଜେମିନାଇ ଲାଇଭ (Gemini Live) ନାଁରେ ଏକ ନୂଆ ଏଆଇ ଫିଚର ଲଞ୍ଚ କରିଛି । ଏହି ଫିଚରକୁ ବ୍ୟବହାର କରି ୟୁଜର ନିଜ ସ୍ମାର୍ଟଫୋନରେ ସ୍କ୍ରିନ ବା କ୍ୟାମେରାକୁ ବ୍ୟବହାର କରିବା ସମୟରେ ଜେମିନାଇକୁ ଯେକୌଣସି ସମ୍ବନ୍ଧରେ ପ୍ରଶ୍ନ ପଚାରିପାରିବେ । ଗୁଗଲ୍ର ଏଆଇ ଚାଟବଟ୍ Gemini ଆପ୍ରେ ଏହି ଫିଚରକୁ ସାମିଲ କରାଯାଇଛି । ୟୁଜର ସ୍ମାର୍ଟଫୋନକୁ ବ୍ୟବହାର କରିବା ସମୟରେ କେବଳ ପାୱାର ବଟନ୍କୁ ଦବାଇ ଜେମିନାଇକୁ ପ୍ରଶ୍ନ ପଚାରିପାରିବେ । ଏଥିଲାଗି ଆପଣଙ୍କୁ ଜେମିନାଇ ଆପ୍କୁ ଯିବାକୁ ପଡ଼ିବ ନାହିଁ ।
ଜେମିନାଇ ଲାଇଭ ଫିଚର ସମସ୍ତ ଗୁଗଲ୍ ପିକ୍ସେଲ 9 ଏବଂ ସାମସଙ୍ଗ ଗାଲାକ୍ସି S25 ସିରିଜ୍ ଫୋନ ସହିତ ଅନ୍ୟାନ୍ୟ ଆଣ୍ଡ୍ରଏଡ୍ ଫୋନରେ ଉପଲବ୍ଧ ହୋଇଛି । ଏହା ବ୍ୟତୀତ ପୁରୁଣା ଗୁଗଲ୍ ପିକ୍ସେଲ ଫୋନରେ ଏହି ଫିଚର ବ୍ୟବହାର କରିବାକୁ ଉପଭୋକ୍ତାଙ୍କୁ ଜେମିନାଇ ଆଡଭାନ୍ସ ସବସ୍କ୍ରିପସନ୍ ଆବଶ୍ୟକ ହେବ । ଗୁଗଲ୍ କହିଛି ଯେ ଏହି ଅପଡେଟ୍ Geminiକୁ ଏକ ରିଅଲ୍-ଟାଇମ୍ ସମସ୍ୟା ସମାଧାନକାରୀରେ ପରିଣତ କରେ । ଜେମିନାଇ ଲାଇଭ ସ୍କ୍ରିନରେ କିମ୍ବା କ୍ୟାମେରା ଚିତ୍ରରେ କ’ଣ ଅଛି ତାହା ବୁଝିବା ପାଇଁ ମଲ୍ଟିମୋଡାଲ ପ୍ରକ୍ରିୟାକରଣକୁ ବ୍ୟବହାର କରିଥାଏ ।

Gemini Live କଣ ?
ଜେମିନାଇ ଲାଇଭ ଗୁଗଲ୍ର ଏଆଇ ଆସଷ୍ଟାଣ୍ଟକୁ ଉପଭୋକ୍ତା କ’ଣ ଦେଖୁଛନ୍ତି ତାହା ବୁଝିବାରେ ସାହାଯ୍ୟ କରି ୟୁଜରଙ୍କ ସ୍ମାର୍ଟଫୋନକୁ ଏକ ରିଅଲ ଟାଇମ ଗାଇଡରେ ପରିଣତ କରିଥାଏ । ଜେମିନାଇ ଲାଇଭ୍ ମଲ୍ଟିମୋଡାଲ ଏଆଇକୁ ବ୍ୟବହାର କରି ୟୁଜର ସେମାନଙ୍କର ଡିଭାଇସର ସ୍କ୍ରିନରେ କିମ୍ବା କ୍ୟାମେରାରେ କଣ ଦେଖୁଛନ୍ତି ତାହା ବୁଝାଇବାରେ ସାହାଯ୍ୟ କରେ । ଗୁଗଲ୍ ଏକ ବ୍ଲଗ୍ ପୋଷ୍ଟରେ କହିଛି, "କଳ୍ପନା କରନ୍ତୁ ଯେ ଆପଣଙ୍କୁ କୌଣସି ନୂଆ ସହରରେ ଏକ ରେସ୍ତୋରାଁରେ ଏକ ସ୍ଥାନୀୟ ଖାଦ୍ୟ ପରଷା ଯାଇଛି କିମ୍ବା ଆପଣ ଏକ ଦୋକାନରେ ଏକ ଅପରିଚିତ ବସ୍ତୁ ଦେଖୁଛନ୍ତି ? ଜେମିନାଇ ଲାଇଭ୍ ସହିତ ଆପଣ ତୁରନ୍ତ କ୍ୟାମେରାକୁ ଅନ୍ କରି ଉକ୍ତ ବସ୍ତୁ ଆଡ଼କୁ ସୂଚିତ କରି ତାହା ସମ୍ପର୍କରେ ଜାଣିପାରିବେ ।"
କେମିତି ବ୍ୟବହାର କରିବେ Gemini Live ?
- ଜେମିନାଇ ଲାଇଭ୍ର ବ୍ୟବହାର କରିବା ଲାଗି ୟୁଜରଙ୍କୁ ପ୍ରଥମେ ନିଜ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ପାୱାର ବଟନ୍କୁ କିଛି ସମୟ ଦବାଇକୁ ପଡ଼ିବ ।
- ଜେମିନାଇ ଲାଇଭ୍କୁ ଆକ୍ଟିଭ କରିବା ଲାଗି ମାଇକ୍ ଆଇକନ ପାର୍ଶ୍ବରେ ଥିବା ଥ୍ରି-ଡଟ୍ ଲାଇଭ୍ ବଟନ୍କୁ ଟାପ୍ କରିବାକୁ ପଡ଼ିବ ।
- ଯଦି ଆପଣଙ୍କୁ କୌଣସି ପ୍ରଶ୍ନ କରିବାର ଅଛି ତେବେ ପ୍ରଶ୍ନ କରନ୍ତୁ ।
- ଯଦି କୌଣସି ବସ୍ତୁ ସମ୍ପର୍କରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ମୋବାଇଲ କ୍ୟାମେରାକୁ ଅନ୍ କରି ପାୱାର ବଟନ୍ ଦବାଇ ଜେମିନାଇକୁ ପ୍ରଶ୍ନ କରନ୍ତୁ । କହି ରଖିବାକୁ ଚାହୁଁଛୁ ଏହା କେବଳ ଏବେ ଗୁଗଲ୍ ପିକ୍ସେଲ 9 ଏବଂ ସାମସଙ୍ଗ ଗାଲାକ୍ସି S25 ସିରିଜ୍ ଫୋନରେ ଉପଲବ୍ଧ ।
8ଟି ଭାରତୀୟ ଭାଷାକୁ ସମର୍ଥନ କରିବ ଏହି ଫିଚର
ଏବେ ଜେମିନାଇ ଲାଇଭ୍ କେବଳ ଦୁଇଟି ଭାଷା ଇଂରାଜୀ ଓ ହିନ୍ଦୀକୁ ସମର୍ଥନ କରୁଛି । ଆଗାମୀ ଦିନରେ ଏହା 8ଟି ଭାରତୀୟ ଭାଷାକୁ ସମର୍ଥନ କରିବ ବୋଲି ଜଣାପଡ଼ିଛି ।