ହାଇଦ୍ରାବାଦ: ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ କମ୍ପାନୀ ସ୍ପେଶଏକ୍ସର ଇଣ୍ଟରନେଟ୍ ପ୍ରଦାନକାରୀ କମ୍ପାନୀ ଷ୍ଟାରଲିଙ୍କ ଖୁବଶୀଘ୍ର ଭାରତରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ ଯାଉଛି । ଭାରତରେ ଏହାର ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବା ପାଇଁ ଷ୍ଟାରଲିଙ୍କକୁ ଭାରତର ଦୂରସଂଚାର ବିଭାଗ (DoT) ଠାରୁ ଗ୍ଲୋବାଲ୍ ମୋବାଇଲ୍ ପର୍ସନାଲ୍ କମ୍ୟୁନିକେସନ୍ ବାଏ ସାଟେଲାଇଟ୍ (GMPCS) ଲାଇସେନ୍ସ ମଧ୍ୟ ନିକଟରେ ମିଳିଛି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ଷ୍ଟାରଲିଙ୍କ ଆଗାମୀ ଦୁଇ ମାସ ମଧ୍ୟରେ ଭାରତରେ ଏହାର ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିପାରେ ।
ଷ୍ଟାରଲିଙ୍କର ଡାଟା ପ୍ଲାନ୍
ଭାରତୀୟ ବଜାରରେ ପ୍ରବେଶ କରିବା ପାଇଁ ଷ୍ଟାରଲିଙ୍କ ଏହାର ସାଟେଲାଇଟ୍ ଇଣ୍ଟରନେଟ୍ ସେବାର ମୂଲ୍ୟ ମଧ୍ୟ ସ୍ଥିର କରିଛି । ଏହି ସେବାର ଲାଭ ଉଠାଇବା ପାଇଁ, ୟୁଜରଙ୍କୁ ସେମାନଙ୍କ ଘରେ ଏକ ସାଟେଲାଇଟ୍ ଡିସ୍ ସ୍ଥାପନ କରିବାକୁ ପଡିବ, ଯାହାର ମୂଲ୍ୟ 33,000 ଟଙ୍କା ହେବ । ଏହା ପରେ, ୟୁଜରଙ୍କୁ ପ୍ରତି ମାସ ରିଚାର୍ଜ ପ୍ଲାନ୍ କିଣିବାକୁ ପଡିବ, ଯାହାର ମୂଲ୍ୟ ପ୍ରତି ମାସକୁ ପ୍ରାୟ 3000 ଟଙ୍କା ହେବ । ଏହି ପ୍ଲାନରେ ବ୍ୟବହାରକାରୀମାନେ ଗୋଟିଏ ମାସ ପାଇଁ ଅସୀମିତ ଡାଟା ପାଇବେ । ଷ୍ଟାରଲିଙ୍କ ସମ୍ଭବତଃ ଏହାର ପ୍ଲାନ୍ଗୁଡ଼ିକର ମୂଲ୍ୟ କ୍ଷେତ୍ରଭିତ୍ତିକ କରିଛି, ଏହାର ଡିଭାଇସ୍ ଅର୍ଥାତ୍ ଡିସ୍ର ମୂଲ୍ୟ ପଡ଼ୋଶୀ ଦେଶ ଭୁଟାନ ଏବଂ ବାଂଲାଦେଶ ସହିତ ପ୍ରାୟତଃ ସମାନ।

1 ମାସ ମିଳିବ ମାଗଣା ଟ୍ରାଏଲ୍ ସୁବିଧା
ଷ୍ଟାରଲିଙ୍କ ଭାରତରେ ଏହାର ଲଞ୍ଚ ରଣନୀତିର ଅଂଶ ଭାବରେ ଜିଓର ରଣନୀତିକୁ ଅନୁସରଣ କରିପାରେ । ଏହା ବିଶ୍ବାସ କରାଯାଉଛି ଯେ ଷ୍ଟାରଲିଙ୍କ ଏହାର ସେବାରେ ଲଞ୍ଚ ଅଫର ଭାବରେ ପ୍ରତ୍ୟେକ ଡିଭାଇସ୍ କ୍ରୟ ଉପରେ ଭାରତୀୟ ଗ୍ରାହକଙ୍କୁ ଗୋଟିଏ ମାସର ମାଗଣା ପରୀକ୍ଷଣ ଦେଇପାରେ । ଏହା ସହିତ, ୟୁଜରମାନେ ଷ୍ଟାରଲିଙ୍କ ସେବାର ଦେୟଯୁକ୍ତ ସବସ୍କ୍ରିପସନ୍ କିଣିବା ପୂର୍ବରୁ ମଧ୍ୟ ଏହି ସେବାର ଅନୁଭୂତି ମାଗଣାରେ ପାଇପାରିବେ ।
ଷ୍ଟାରଲିଙ୍କର ଲକ୍ଷ୍ୟ କଣ ?
ଏହି ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଭାରତର ଦୁର୍ଗମ ଏବଂ ଅନୁନ୍ନତ ଅଞ୍ଚଳରେ ସଂଯୋଗକୁ ଉନ୍ନତ କରିବ ବୋଲି ଆଶା କରାଯାଉଛି, ଯେଉଁଠାରେ ପାରମ୍ପରିକ ବ୍ରଡବ୍ୟାଣ୍ଡ ସ୍ଥାପନ କରିବା ଏବେ ବି କଷ୍ଟକର ହୋଇପଡ଼ିଛି । କମ୍ପାନୀ ପୃଥିବୀର ନିମ୍ନ କକ୍ଷପଥ (LEO) ଉପଗ୍ରହ ସ୍ଥାପନ କରିଥାଏ, ଫଳରେ ଏହି ନେଟୱର୍କ ସେହି ସ୍ଥାନଗୁଡ଼ିକୁ ଉଚ୍ଚ-ସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ଯେଉଁଠାରେ ପାରମ୍ପରିକ ନେଟୱାର୍କଗୁଡ଼ିକ ପୂର୍ବରୁ ପହଞ୍ଚି ପାରୁନଥିଲେ । ଶିଳ୍ପ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଭାରତରେ ଷ୍ଟାରଲିଙ୍କ ପ୍ରବେଶ ଗ୍ରାମୀଣ ଅଞ୍ଚଳ, ସ୍କୁଲ ଏବଂ ଦୂରବର୍ତ୍ତୀ ବ୍ୟବସାୟଗୁଡ଼ିକୁ ଅତ୍ୟାବଶ୍ୟକ ସଂଯୋଗ ପ୍ରଦାନ କରିବା ସହିତ ଟେଲିକମ୍ କ୍ଷେତ୍ରରେ ପ୍ରତିଯୋଗିତା ବୃଦ୍ଧି କରିପାରିବ ।
ଭାରତୀୟ ବଜାର ଉପରେ ଷ୍ଟାରଲିଙ୍କର ନଜର
ସ୍ପେଶଏକ୍ସ ଦ୍ବାରା ପରିଚାଳିତ ଷ୍ଟାରଲିଙ୍କ୍ ଗତ 3ରୁ 4ବର୍ଷ ଧରି ଭାରତୀୟ ବଜାରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥଥିଲା । କିନ୍ତୁ ନିୟାମକ ଚ୍ୟାଲେଞ୍ଜ ଯୋଗୁଁ ଏହାର ପ୍ରାରମ୍ଭିକ ପ୍ରୟାସକୁ ସ୍ଥଗିତ ରଖିବାକୁ ପଡିଥିଲା । GMPCS ଲାଇସେନ୍ସ ମଞ୍ଜୁର ହେବା ପରେ ଏହା ଜିଓ ସାଟେଲାଇଟ୍ କମ୍ୟୁନିକେସନ୍ସ ଏବଂ ଭାରତୀ ଏୟାରଟେଲ୍-ସମର୍ଥିତ ୟୁଟେଲସାଟ୍ ୱାନୱେବ୍ ପରେ ସାଟକମ୍ ଲାଇସେନ୍ସ ପାଇବାରେ ଭାରତର ତୃତୀୟ କମ୍ପାନୀ ହୋଇପାରିଛି । ଏବେ ଷ୍ଟାରଲିଙ୍କ୍ ଭାରତୀୟ ଆକାଶ ସୀମାରେ କାର୍ଯ୍ୟ କରିବା ପାଇଁ IN-SPACE ଅନୁମୋଦନ ଆବଶ୍ୟକ କରୁଛି, ଯାହା ଏହାର ଅନ୍ତିମ ପର୍ଯ୍ୟାୟରେ ଅଛି ।