ETV Bharat / technology

ଡ୍ରାଗନ ସ୍ପେଶକ୍ରାଫ୍ଟର ସଫଳ ଅବତରଣ; ପୃଥିବୀରେ ସୁରକ୍ଷିତ ଭାବେ ପହଞ୍ଚିଲେ ଶୁଭାଂଶୁ ଶୁକ୍ଳା, ଶୁଭେଚ୍ଛା ଜଣାଇଲେ ମୋଦି

ପୃଥିବୀରେ ପହଞ୍ଚିଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ସୁରକ୍ଷିତର ସହିତ ପୃଥିବୀରେ ଅବତରଣ କଲା ଡ୍ରାଗନ ସ୍ପେଶକ୍ରାଫ୍ଟ ।

Splashdown of Dragon confirmed
ଡ୍ରାଗନ ସ୍ପେଶକ୍ରାଫ୍ଟର ସଫଳ ଅବତରଣ; ପୃଥିବୀରେ ସୁରକ୍ଷିତ ଭାବେ ପହଞ୍ଚିଲେ ଶୁଭାଂଶୁ ଶୁକ୍ଳା (Image Credits: Axiom Space)
author img

By ETV Bharat Tech Team

Published : July 15, 2025 at 3:10 PM IST

|

Updated : July 15, 2025 at 4:15 PM IST

3 Min Read
Choose ETV Bharat

ହାଇଦ୍ରାବାଦ: ଡ୍ରାଗନ୍ 'ଗ୍ରେସ୍' ମହାକାଶଯାନ କାଲିଫର୍ଣ୍ଣିଆର ସାନ ଡିଏଗୋ ଉପକୂଳରୁ ସୁରକ୍ଷିତ ଭାବରେ ଅବତରଣ କରିଛି । ଏହାରି ସହିତ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କ ସମେତ ଆକ୍ସିଓମ୍-4 ମିଶନର ସମସ୍ତ ସଦସ୍ୟ ପୃଥିବୀରେ ଅବତରଣ କରିଛନ୍ତି । ଜୁନ 25ରେ ମହାକାଶ ଯାତ୍ରା ଆରମ୍ଭ କରିଥିବା ଶୁଭାଂଶୁ ଶୁକ୍ଳା ଇତିମଧ୍ୟରେ 18 ଦିନିଆ ଯାତ୍ରା ଶେଷ କରି ପୃଥିବୀ ଫେରିଛନ୍ତି । ଏହାପରେ ଦେଶବାସୀଙ୍କ ସହିତ ଶୁକ୍ଳାଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏଠାରେ କହିରଖୁଛୁ କି, ଆକ୍ସିଓମ-4 ମିଶନର ସୁରକ୍ଷିତ ଅବତରଣ ଲାଗି ଦୁଇଟି ପର୍ଯ୍ୟାୟରେ ପାରାଚୁଟ୍‌ କାମ କରିଥିଲା । 5.7 କିଲୋମିଟର ଉଚ୍ଚତାରେ ଅବତରଣକୁ ସ୍ଥିର କରିବା ପାଇଁ ଡ୍ରଗ୍ ପାରାଚୁଟ୍ ନିୟୋଜନ ଦ୍ବାରା ଅବତରଣ ସହଜ ହୋଇପାରିଛି । ଏହାପରେ ସ୍ପେଶଏକ୍ସ ମହାକାଶଯାନ ସମୁଦ୍ର ସହିତ ସମ୍ପର୍କ ସ୍ଥାପନ କରିବାର କିଛି ମିନିଟ୍ ପୂର୍ବରୁ ପ୍ରାୟ 2 କିଲୋମିଟରରେ ମୁଖ୍ୟ ପାରାଚୁଟ୍ ନିୟୋଜିତ ହୋଇଥିଲା । ଏହାପରେ ଡ୍ରାଗନ ସ୍ପେଶକ୍ରାଫ୍ଟ ପ୍ରଶାନ୍ତ ମହାସାଗରରେ ସୁରକ୍ଷିତ ସହିତ ଜୁଲାଇ 15, ଅପରାହ୍ନ 3.02ଟାରେ ଅବତରଣ କରିଛି । ଏବେ 4ଜଣ ମହାକାଶଚାରୀଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଟିମ ।

Axiom 4 mission
ପ୍ରଶାନ୍ତ ମହାସାଗରରେ ଡ୍ରାଗନ ମହାକାଶଯାନ ଅବତରଣ ସମୟର ଦୃଶ୍ୟ (ETV Bharat Via Spacex)

ଏହି ମିଶନ ସହିତ ଭାରତୀୟ ବାୟୁସେନାରେ ଜଣେ କାର୍ଯ୍ୟରତ ଅଧିକାରୀ ତଥା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା 1984 ପରେ ମହାକାଶ ଯାତ୍ରା କରିଥିବା ଦ୍ବିତୀୟ ଭାରତୀୟ ନାଗରିକ ଏବଂ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପହଞ୍ଚିଥିବା ପ୍ରଥମ ଭାରତୀୟ ହୋଇଛନ୍ତି । ସେ ମହାକାଶଚାରୀ ରାକେଶ ଶର୍ମାଙ୍କ 7 ଦିନିଆ ମହାକାଶ ମିଶନକୁ ପଛରେ ପକାଇ ମହାକାଶରେ ସର୍ବାଧିକ ସମୟ ବିତାଇଥିବା ଭାରତୀୟ ମହାକାଶଚାରୀ ମଧ୍ୟ ହୋଇଛନ୍ତି ।

Axiom 4 mission
ଡ୍ରାଗନ ସ୍ପେଶକ୍ରାଫ୍ଟକୁ ଉଦ୍ଧାର କରୁଛନ୍ତି ଉଦ୍ଧାରକାରୀ ଟିମ (ETV Bharat Via Spacex)

22.5 ଘଣ୍ଟାର ଯାତ୍ରା ପରେ ସଫଳ ଅବତରଣ

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS)ରେ 18 ଦିନ ବିତାଇବା ପରେ, ଜୁଲାଇ 14 ଅପରାହ୍ନ 2ଟାରେ ହ୍ୟାଚ୍ ବନ୍ଦ ହୋଇଥିଲା । ଏହାପରେ ମହାକାଶ କେନ୍ଦ୍ରରୁ ଏକ ସ୍ବୟଂଚାଳିତ ଅନଡକିଂ ପରେ, 4.35ଟା ନିର୍ଦ୍ଧାରିତ ସମୟର ମାତ୍ର କିଛି ମିନିଟ୍ ପରେ ଆକ୍ସ-4 କ୍ରୁ ପୃଥିବୀ ଅଭିମୁଖେ ଯାତ୍ରା କରିଥିଲେ । ଆଜି ଜୁଲାଇ 15ରେ ପୃଥିବୀ ପ୍ରତ୍ୟାବର୍ତ୍ତନର ସବୁଠୁ ଗୁରୁତ୍ବପୂର୍ଣ୍ଣ ସମୟ ଥିଲା ପୃଥିବୀର ବାୟୁମଣ୍ଡଳରେ ପୁନଃପ୍ରବେଶ କରିବା । ତେବେ ଏହି ପ୍ରକ୍ରିୟା ସଫଳତାର ସହିତ ଶେଷ ହୋଇଥିବାବେଳେ ନିର୍ଦ୍ଧାରିତ ସମୟର କିଛି ମିନିଟ ପରେ ମହାକାଶଯାନର ସୁରକ୍ଷିତ ଅବତରଣ ହୋଇଥିଲା ।

ଏକ ସ୍ବତନ୍ତ୍ର ଜାହାଜ ଦ୍ବାରା କ୍ରୁଙ୍କୁ ପୁନରୁଦ୍ଧାର କରିବା ପରେ, ଆକ୍ସିଓମ-4 ମିଶନର ସମସ୍ତ 4 ଜଣ ମହାକାଶଚାରୀ, ମିଶନ କମାଣ୍ଡର ପେଗି ହ୍ବିଟସନ, ଭାରତର ମିଶନ ପାଇଲଟ୍ ଶୁଭାଂଶୁ ଶୁକ୍ଳା ଏବଂ ପୋଲାଣ୍ଡର ସ୍ଲାଓସ୍ ଉଜନାନ୍ସକି-ୱିସନିୱସ୍କି ଏବଂ ହଙ୍ଗେରୀର ଟିବର୍‌ କାପୁଙ୍କୁ ଏବେ ପୃଥିବୀର ମାଧ୍ୟାକର୍ଷଣ ସହିତ ଖାପ ଖୁଆଇବାରେ ସାହାଯ୍ୟ କରିବା ପାଇଁ ଏକ 7 ଦିନିଆ ପୁନର୍ବାସ କାର୍ଯ୍ୟକ୍ରମରେ ଯିବାକୁ ପଡ଼ିବ । ମହାକାଶରୁ ଫେରିବା ପରେ ସମସ୍ତ ମହାକାଶଚାରୀ ଏହି ପ୍ରକ୍ରିୟା ଦେଇ ଗତି କରନ୍ତି ।

ସୁରକ୍ଷିତ ଅବତରଣ ପରେ ପରିବାରରେ ଖୁସିର ମାହୋଲ

ଶୁଭାଂଶୁ ଶୁକ୍ଳାଙ୍କ ପରିବାରବର୍ଗ ସ୍ପ୍ଲାସଡାଉନ୍‌ ସମୟର ସିଧାପ୍ରସାରଣ ଲକ୍ଷ୍ନୌର ସିଟି ମୋଣ୍ଟେସୋରି ସ୍କୁଲରେ ଦେଖୁଥିଲେ । ସୁରକ୍ଷିତ ଅବତରଣ ପରେ ପରିବାରରେ ଖୁସିର ମାହୋଲ ଖେଳିଯାଇଥିବାବେଳେ ଶୁଭାଂଶୁଙ୍କ ପିତାମାତା ଭାବବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ଆମେ ସମସ୍ତେ ବେଶ ଉତ୍ସାହିତ ଅଛୁ ଓ ଗର୍ବିତ ମଧ୍ୟ । ପ୍ରଥମେ ତ ସାମାନ୍ୟ ଭୟଭୀତ ଥିଲୁ, ମାତ୍ର ଅବତରଣ ସଠିକ ଭାବରେ ହେଲା । ଏବେ ଶୁଭାଂଶୁ ଶୁକ୍ଳାଙ୍କଠାରୁ ଆଗାମୀ ଯୁବପିଢିମାନେ ପ୍ରେରିତ ହୋଇ ଆଗକୁ ବଢିବା ଉଚିତ ।"

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ନିଜ ନାଁରେ ଅନେକ ଇତିହାସ ରଚି ସୁରକ୍ଷିତର ସହିତ ପୃଥିବୀ ଫେରିବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରମୁଖ ଏକ୍ସରେ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି କହିଛନ୍ତି, "ମହାକାଶରେ ଐତିହାସିକ ମିଶନରୁ ପୃଥିବୀକୁ ଫେରିବା ପରେ ମୁଁ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ବାଗତ କରିବାରେ ଦେଶ ସହିତ ଯୋଗ ଦେଉଛି। ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ପରିଦର୍ଶନ କରିଥିବା ଭାରତର ପ୍ରଥମ ମହାକାଶଚାରୀ ଭାବରେ ସେ ତାଙ୍କର ସମର୍ପଣ, ସାହସ ଏବଂ ଅଗ୍ରଣୀ ମନୋଭାବ ମାଧ୍ୟମରେ କୋଟି କୋଟି ସ୍ବପ୍ନକୁ ପ୍ରେରଣା ଦେଇଛନ୍ତି। ଏହା ଆମର ନିଜସ୍ବ ମାନବ ମହାକାଶ ଉଡ଼ାଣ ମିଶନ ଗଗନଯାନ ଦିଗରେ ଆଉ ଏକ ମାଇଲଖୁଣ୍ଟ ।"

ସେହିପରି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, "ଏହା ସାରା ବିଶ୍ବରେ ଏକ ଗର୍ବର ମୁହୂର୍ତ୍ତ ପାଲଟିଛି । ଏହା ଭାରତ ପାଇଁ ମଧ୍ୟ ବେଶ ଗର୍ବ ଓ ଗୌରବର ବିଷୟ ପାଲଟିଛି, କାରଣ ଭାରତ ମାତାର ପୁଅ ମହାକାଶରେ ଇତିହାସ ରଚି ନିଜ ଘରକୁ ଫେରିଛି । ଶୁଭାଂଶୁଙ୍କୁ ଅନେକ ଗବେଷଣା ଲାଗି ଦାୟିତ୍ବ ଦିଆଯାଇଥିଲା, ଯାହାକୁ ସେ ପୂର୍ଣ୍ଣ କରି ସୁରକ୍ଷିତର ସହିତ ପୃଥିବୀ ଫେରିଛନ୍ତି । ଏହା ନିଶ୍ଚିତ ଗର୍ବର ବିଷୟ ।"

ଜୁନ 25ରେ ଲଞ୍ଚ ହୋଇଥିଲା ଆକ୍ସ-4

ଗତ ମାସ ଜୁନ 25 ତାରିଖରେ ଫାଲକନ୍-9 ରକେଟ୍‌ରେ ସ୍ପେଶଏକ୍ସ ଡ୍ରାଗନ୍ ସ୍ପେଶସ୍କ୍ରାଫ୍ଟ ଯୋଗେ କେନେଡି ସ୍ପେଶ ସେଣ୍ଟରରୁ ଆକ୍ସିଓମ୍ ମହାକାଶଚାରୀମାନେ ଯାତ୍ରା ଆରମ୍ଭ କରିଥିଲେ । ପ୍ରାୟ 28 ଘଣ୍ଟା ଯାତ୍ରା ପରେ ଜୁନ 26 ଅପରାହ୍ନ 4ଟାରେ ଏହି ମହାକାଶଯାନ କକ୍ଷପଥ ପ୍ରୟୋଗଶାଳା ସହିତ ସଂଯୋଗ କରିଥିଲା । ତା’ପରେ ଆକ୍ସ-4 କ୍ରୁ ମହାକାଶ ଷ୍ଟେସନରେ ନାସାର ଅଭିଯାନ 73 ଦଳରେ ଯୋଗ ଦେଇଥିଲେ ଏବଂ ବୈଜ୍ଞାନିକ ପରୀକ୍ଷଣ କରିବା ସହିତ ସେମାନଙ୍କର ରହଣି ଆରମ୍ଭ କରିଥିଲେ ।

ଏହା ବି ପଢନ୍ତୁ: ଏବେ ବି ଭାରତ ମହାକାଶରୁ 'ସାରେ ଜହାଁ ସେ ଅଚ୍ଛା' ଦିଶୁଛି; ବିଦାୟ ଉତ୍ସବରେ ଶୁଭାଂଶୁ ଶୁକ୍ଳା
Last Updated : July 15, 2025 at 4:15 PM IST