ଜଗତସିଂହପୁର: ସଇତାନ ପୁଅର ନାରକୀୟ କାଣ୍ଡ । ବାପା, ମାଆ ଓ ଭଉଣୀଙ୍କୁ ବୀଭତ୍ସ ହତ୍ୟା । ଜଗତସିଂହପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ । ଏଭଳି ହତ୍ୟାକାଣ୍ଡକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତଦନ୍ତ ଆରମ୍ଭ କରିଛି ପୋଲିସ ।
ଗୋଟିଏ ପରିବାରର ୩ଜଣଙ୍କୁ ବୀଭତ୍ସ ହତ୍ୟା:
ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୟବଡ ଗାଁରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି । ଗୋଟିଏ ପରିବାରର ୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଅଭିଯୁକ୍ତ ସୂର୍ଯ୍ୟକାନ୍ତ ସେଠୀ ନିଜ ବାପା ପ୍ରଶାନ୍ତ ସେଠୀ, ମାଆ କନକଲତା ସେଠୀ ଓ ଭଉଣୀ ମାମାଲି ସେଠୀଙ୍କୁ ଘର ଭିତରେ ଅତି ନିର୍ମମ ଭାବେ ହତ୍ୟା କରିଛି । ତେବେ ଅଭିଯୁକ୍ତର ମାନସିକ ଅବସ୍ଥା ଠିକ ନଥିବା ସମ୍ପର୍କୀୟ ସୂଚନା ଦେଇଛନ୍ତି ।
ହତ୍ୟା ପରେ ପଡୋଶୀଙ୍କୁ ଜଣାଇଲା ଅଭିଯୁକ୍ତ:
ମୃତକଙ୍କ ପରିବାରର ଜଣେ ସମ୍ପର୍କୀୟ ସୁମନ୍ତ ସେଠୀ କହିଛନ୍ତି," ହତ୍ୟାକାଣ୍ଡ ଘଟାଇଥିବା ପିଲାଟିର ମାନସିକ ଅବସ୍ଥା ଠିକନଥିଲା । ଯେଉଁଥିପାଇଁ ସେ ଏମିତି କାଣ୍ଡ ଘଟାଇଥାଇପାରେ। ପିଲାଟି କେବେ ନିଶାଦ୍ରବ୍ୟ ଖାଏ ନାହିଁ । ବାପା, ମାଆ, ଭଉଣୀକୁ ମାରିବା ପରେ ପଡୋଶୀ ଲୋକଙ୍କ ଘରକୁ ଯାଇ ସେମାନଙ୍କୁ ଡାକି ଏକଥା କହିଥିଲା । ସେମାନେ ଆସି ଏହି ଘଟଣା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଅନ୍ୟପଟେ ପିଲାଟି ହତ୍ୟା କରିବା ପରେ ପୋଲିସ ଷ୍ଟେସନ ଯାଇ ସରେଣ୍ଡର କରିଥିଲା ।"
ମାନସିକ ଅବସ୍ଥା ଠିକ ନଥିବାରୁ ହତ୍ୟାକାଣ୍ଡ!
ଅନ୍ୟପଟେ ପୋଲିସ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାର ଯାଞ୍ଚ କରୁଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଏବେସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ମାନସିକ ଅବସ୍ଥା ଠିକ ନଥିବାରୁ ଯୁବକ ଜଣକ ଏଭଳି କାଣ୍ଡ କରିଥାଇ ପାରେ ବୋଲି ପୋଲିସ ଅନୁମାନ କରୁଛି । ଏଭଳି ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ପୋଲିସର ତଦନ୍ତ ଜାରି:
ଏହି ହତ୍ୟାକାଣ୍ଡ ସମ୍ପର୍କରେ ଜଗତସିଂହପୁର ଏସପି ଭବାନୀ ଶଙ୍କର ଉଦଗାତା କହିଛନ୍ତି, "ଜଗତସିଂହପୁର ସହର ଥାନା ଜୟବଡ ଧୋବାସାହିରେ ସୂର୍ଯ୍ୟକାନ୍ତ ସେଠୀ ନାମକ ୨୨ ବର୍ଷର ପିଲା ତାର ବାପା ପ୍ରଶାନ୍ତ ସେଠୀ (କାଳିଆ), ମାଆ କନକଲତା ସେଠୀ ଓ ଭଉଣୀ ମାମାଲି ସେଠୀଙ୍କୁ ଘର ଭିତରେ ହତ୍ୟା କରିଛି । ଆମ ଆଇଆଇସି ଏବଂ ଟିମ ସକାଳୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ବି ଧରାପଡିଛି । ତାର ମାନସିକ ଅବସ୍ଥା ଠିକ ନଥିବା ଜଣାପଡୁଛି । ସେମାନଙ୍କ ଭାଇ ଓ ସମ୍ପର୍କୀୟମାନଙ୍କୁ ଖବର ଦିଆଯାଇଛି । ସମସ୍ତେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ।"
ଇଟିଭି ଭାରତ, ଜଗତସିଂହପୁର