ଯାଜପୁର: ସାତ ଜନମକୁ ସାଥି ହୋଇ ରହିବାକୁ ଦୁହେଁ ଦୁହିଁଙ୍କ ହାତ ଧରିଥିଲେ । ଜୀବନର ଉଠାଣି-ଗଡାଣିରେ ଏକାଠି ରହିବାକୁ କଥା ଦେଇଥିଲେ । ହେଲେ ଅତିଷ୍ଠ କଲା ସ୍ବାମୀଙ୍କ ଅତ୍ୟାଚାର । ପ୍ରତ୍ୟେକ ଦିନ ମାର୍ପିଟ କଳି ଝଗଡାରେ ଆଉ ସହିପାରିଲେନି ପତ୍ନୀ । ଶେଷରେ ନେଲେ କଠୋର ନିଷ୍ପତ୍ତି । ସ୍ବାମୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ପତ୍ନୀ । ଆଉ ପ୍ରମାଣ ଲୁଚାଇବାକୁ ପରିବାରଲୋକଙ୍କ ସହାୟତାରେ ମୃତଦେହକୁ ମାଟିରେ ପୋତିଦେଲା । ଏପରି ଜଘନ୍ୟ ହତ୍ୟାକାଣ୍ଡ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ଡୁବିଖାଲ ଗାଁରେ । ହତ୍ୟାକାଣ୍ଡଟି ଗତ ଗୁରୁବାର(ଫେବୃଆରୀ 27)ରେ ଘଟିଥିବା ବେଳେ 4 ଦିନ ପରେ ଅଭିଯୁକ୍ତା ପତ୍ନୀ ଆତ୍ମସମର୍ପଣ କରିବା ପରେ ମାମଲାଟି ସାମ୍ନାକୁ ଆସିଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
କଣ ଥିଲା ପୂରା ଘଟଣା ?
ପାରିବାରିକ କଳହରୁ ସ୍ବାମୀକୁ ହତ୍ୟା ଅଭିଯୋଗ । ସ୍ୱାମୀକୁ ଜୀବନରୁ ମାରିଦେଲା ସ୍ତ୍ରୀ । ଏଭଳି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାରେ l ଗତ ଗୁରୁବାର ଦିନ ଏଭଳି ଘଟଣା ଘଟିଥିବା ବେଳେ ପୋଲିସ ଆରମ୍ଭ କରିଛି ତନାଘନା l ବାରମ୍ବାର ସ୍ୱାମୀର ଅତ୍ୟାଚାର ସହିନପାରି ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା କହିଛନ୍ତି ସ୍ତ୍ରୀ । ବାପଘର ଲୋକଙ୍କ ସହଯୋଗ ନେଇ ମୃତଦେହକୁ ବାଡିପଟ ଜଙ୍ଗଲରେ ମାଟି ତଳେ ପୋତିଦେଲେ ମହିଳା । ତେବେ ସରପଞ୍ଚ ଓ ପଞ୍ଚାୟତର ହସ୍ତକ୍ଷେପ ପରେ ଘଟଣା ଘଟିବାର 4ଦିନ ପରେ ଗତକାଲି(ମାର୍ଚ୍ଚ 2) ସନ୍ଧ୍ୟାରେ ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତା ପତ୍ନୀ ।
ଘର ଜ୍ବାଇଁ ହୋଇ ରହୁଥିଲେ ମୃତ ବାବୁଲା:
ମୃତ ସ୍ବାମୀଙ୍କ ନାଁ ବାବୁଲା ମୁଣ୍ଡା । ତେବେ ମୃତ ସ୍ବାମୀ ବାବୁଲା ଘରଜ୍ବାଇଁ ଥିଲେ । ବାରମ୍ବାର ନିଶା ସେବନ କରି ଘରକୁ ଫେରୁଥିଲେ ଆଉ ସ୍ତ୍ରୀଙ୍କ ସହ କଳିଝଗଡା ଓ ମାଡ଼ପିଟ କରୁଥିଲେ । ଯାହା ସେଦିନ ଉଗ୍ରରୂପ ଧାରଣ କରିଥିଲା । ତେବେ ହତ୍ୟା ପରେ ପରିବାର ଲୋକଙ୍କ ସହଯୋଗରେ ମୃତଦେହକୁ ବାଡିପଟ ଜଙ୍ଗଲରେ ମାଟି ତଳେ ପୋଟିଦେଇଥିଲେ । ଘଟଣା ଜଣାପଡିବା ପରେ ପଞ୍ଚାୟତ ସରପଞ୍ଚଙ୍କ ଏଥିରେ ହସ୍ତକ୍ଷେପ କରିଥିଲେ । ଏହାପରେ ଗତକାଲି(ରବିବାର) ସନ୍ଧ୍ୟାରେ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ ସ୍ତ୍ରୀ ତୁମାରୀ ମୁଣ୍ଡା । ପ୍ରକାଶ ଯୋଗ୍ୟ ମୃତ ବାବୁଲାଙ୍କ ଏବେ ଗୋଟିଏ ଦୁଇ ବର୍ଷର ଝିଅ ଅଛି l

ମାମଲା ରୁଜୁ, ପୋଲିସର ତଦନ୍ତ ଆରମ୍ଭ:
ସୁକିନ୍ଦା ପୋଲିସ 48/2025ରେ ଏକ ମାମଲା ରୁଜୁ କରିବା ସହ ମାଜିଷ୍ଟ୍ରେଟ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଆଜି(ସୋମବାର) ମାଟି ତଳୁ ମୃତଦେହ ଉଦ୍ଧାର କରିଛି । ସାଇଣ୍ଟିଫିକ ଟିମ୍ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ବାବୁଲା ମୁଣ୍ଡା ଘରଜ୍ବାଇଁ ଥିଲେ । ତେବେ ତଦନ୍ତ ଚଳାଇଥିବା କହି ପୋଲିସ କ୍ୟାମେରା ଆଗରେ କିଛି କହିବାକୁ ମନା କରିଛି ।

ସେପଟେ ଏହି ହତ୍ୟାକାଣ୍ଡକୁ ନେଇ ଅଭିଯୁକ୍ତା ତୁମୁରୀ ମୁଣ୍ଡାଙ୍କ ସମ୍ପର୍କୀୟ ଭଉଣୀ କହିଛନ୍ତି, ‘ମୁଁ ବଜାରକୁ ଯାଇଥିଲି l ଶୁଣିବା ପରେ ଆସି ଦେଖିବାକୁ ପାଇଥିଲି ଘର ସାରା ରକ୍ତ ଜୁଡୁବୁଡୁ ହେଇଛି ଜ୍ବାଇଁଙ୍କର ମୃତ୍ୟୁ ହେଇଛି l ସଙ୍ଗେ ସଙ୍ଗେ ଆମେ ସବୁ ବାଡ଼ି ପଟେ ପୋତିଦେଲୁ l ମାତ୍ର କେମିତି ମୃତ୍ୟୁବରଣ ହେଲା ଜାଣିନାହିଁ l’
ଆମେ ପୋତିଦେଲୁ: ଅଭିଯୁକ୍ତ ମହିଳାଙ୍କ ବାପା
ସେହିପରି ଅଭିଯୁକ୍ତ ମହିଳାଙ୍କ ବାପା କହିଛନ୍ତି, ‘ଜ୍ବାଇଁ ପ୍ରତ୍ୟେକ ଦିନ ମଦପିଇ ଆସି ମୋ ଝିଅ ସହିତ ମାଡ଼ଗୋଳ କରନ୍ତି ମୁଁ ଛଡ଼େଇଲେ ମୋତେ ମାରିବାକୁ ଗୋଡ଼ାନ୍ତି l ସବୁବେଳେ ଦୁଇ ଜଣ ଝଗଡା ଲାଗନ୍ତି । ଘଟଣା ଦିନ ନିଶାରେ ଥିଲେ । 11ଟା 12ଟା ବେଳେ ଆମେ ହାଟକୁ ଯାଇଥିଲୁ । ଆସିକି ଦେଖିଲୁ ଏପରି ମାରପିଟ ହୋଇଥିଲେ । ଆମେ ଆସିକି ପୋତିଲୁ । ଝିଅ କଣ ଏକଟିଆ ପୋତି ପାରିବ ।’

ଉଭୟେ ପ୍ରତ୍ୟେକ ଦିନ ଝଗଡା ଲାଗନ୍ତି: ପଡୋଶୀ
ସେପଟେ ଏହି ଘଟଣାକୁ ନେଇ ମୃତ ବାବୁଲାଙ୍କ ପଡ଼ୋଶୀ ଠୁରୀ କାଇକା କହିଛନ୍ତି, ‘ମୃତ ବାବୁଲା ଓ ତାଙ୍କ ପତ୍ନୀ ପ୍ରତ୍ୟେକ ମଦ ପିଇ ଦିନ ମାଡ଼ଗୋଳ ଲାଗନ୍ତି । କାହିଁକି ମାରିଲା କହିହେବନି । ହାଣ୍ଡିଆ ପିଇକି ମାରପିଟ ଲାଗନ୍ତି । ପିଟିକି ମାରିକି ପୋତିଦେଇଛନ୍ତି ସେମାନେ ।’

ଆଜି ତଦନ୍ତ କରୁଛି ପୋଲିସ:
ସେପଟେ ସ୍ଥାନୀୟ ବାସିନ୍ଦା ଲକ୍ଷ୍ମୀଧର ମହାନ୍ତି କହିଛନ୍ତି, ‘ଘଟଣା ଘଟିଥିଲା ଗୁରୁବାର ଦିନ । ତାଙ୍କ ବାପା ଆଉ ଭାଇ ମିଶିକି ବାଡିପଟେ ପୋତି ଦେଇଥିଲେ । ସେ ଝିଅ(ପତ୍ନୀ) ଥାନାରେ ଜଣାଇଲେ ପୋଲିସ ଆସିକି ଉଦ୍ଧାର କରିଛି । ସେ ଘର ଜ୍ବାଇଁ ହୋଇକି ଏଠି ରହୁଥିଲେ ତାଙ୍କ ଘର ବାଲେଶ୍ବର । ମଦ ପିଇକି ଦୁଇ ଜଣ ସବୁବେଳେ ଝଗଡା କରନ୍ତି । ବାଡିରେ ବାଡେଇକି ମାରିଛନ୍ତି । ସେ ଝିଅ ପୋଲିସକୁ ଜଣାଇବା ପରେ ଥାନାରୁ ଆସିକି ତଦନ୍ତ କରୁଛନ୍ତି । ମୃତଦେହ ବାହାର କରିଛନ୍ତି ।’
ଇଟିଭି ଭାରତ, ଯାଜପୁର