ବ୍ରହ୍ମପୁର: ଆୟବର୍ହିଭୂତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ରାସ୍ତା ଓ କୋଠାବାଡ଼ି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନରେ ଚଢାଉ । ଏକକାଳୀନ ଚାରି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । ରାସ୍ତା ଓ କୋଠାବାଡ଼ି ବିଭାଗ -୧ ର ସହକାରୀ ନିର୍ବାହୀଯନ୍ତ୍ରୀ ଏନ୍.ଦିଲ୍ଲୀପ କୁମାର ଚୌଧୁରୀଙ୍କ ଘରେ ଚଢାଉ ଜାରି ରହିଛି । ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ଜାରି କରାଯାଇଥିବା ୱାରେଣ୍ଟ ଅନୁଯାୟୀ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନେଇ ଗଠିତ ଟିମ୍ ଏକ ସଙ୍ଗେ ଏହି ଚଢାଉ ଜାରି ରହିଛି।
- ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନରେ ଚଢାଉ
ଭିଜିଲାନ୍ସ ଟିମ୍ ପକ୍ଷରୁ ବ୍ରହ୍ମପୁର ସହରର ଧର୍ମନଗର ଠାରେ ରହିଥିବା ସ୍ପେଟମ୍ ରୟାଲର ଆପାର୍ଟମେଣ୍ଟ ସମେତ ବ୍ରହ୍ମପୁର ସହରର ମୟୁର ବିହାର ସ୍ଥିତ ଦୁଇ ମହଲା କୋଠା ବିଶିଷ୍ଟ ଘରେ ଚଢାଉ ହୋଇଛି । ସେହିପରି ବ୍ରହ୍ମପୁର ରାସ୍ତା ଓ କୋଠାବାଡ଼ି ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ରାଜଧାନୀ ଭୁବନେଶ୍ବରର ଶହୀଦ ନଗର ଠାରେ ରହିଥିବା ତ୍ରି- ବିଏଚକେ ଆପାର୍ଟମେଣ୍ଟରେ ଏହି ଚଢାଉ କରାଯାଇଛି।
ଆଜି ସକାଳୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ସହକାରୀ ନିର୍ବାହୀଯନ୍ତ୍ରୀ ଏନ୍.ଦିଲ୍ଲୀପ କୁମାର ଚୌଧୁରୀଙ୍କ ଆୟବର୍ହିଭୂତ ସମ୍ପର୍ତ୍ତି କେତେ ପରିମାଣରେ ଠୁଳ କରିଛନ୍ତି ତାହାକୁ ନେଇ ଖୋଳତାଡ଼ ଜାରି ରଖିଛି। ଚଢ଼ାଉ ଶେଷ ପରେ ହିଁ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନେଇ ଅଧିକ ସୂଚନା ମିଳିପାରିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ସହକାରୀ ନିର୍ବାହୀ ଯନ୍ତ୍ରୀ ଜଣଙ୍କ ଆଜି ଅବସର ଗ୍ରହଣର ଶେଷ ଦିନ ରହିଥିବା ବେଳେ ଏଭଳି ଭିଜିଲାନ୍ସ ଟିମ୍ ଚତାଉ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସେପଟେ ଏ ନେଇ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଛନ୍ତି ସଂପୃକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ।
- ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ ଯନ୍ତ୍ରୀଙ୍କ ଘରୁ ଅଢେଇ କୋଟି ଜବତ
ଦିନକ ପୂର୍ବରୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଖୋଳତାଡ ବେଳେ ଇଞ୍ଜିନିଅର ବାବୁଙ୍କ ଘରୁ 2.51 କୋଟି ଟଙ୍କା ଜବତ ହୋଇଛି । ଏପରିକି କିଛି ସୁନା ହାତ ଘଣ୍ଟା ମଧ୍ୟ ଜବତ ହୋଇଥିଲା । ଚାକିରୀରୁ ଅବସର ନେବାର ଦିନକ ପୂର୍ବରୁ ସରକାରୀ ବାବୁଙ୍କ ଘରେ ଏତେ ଟଙ୍କା ଦେଖି ଛାନିଆଁ ହୋଇଯାଇଥିଲା ଭିଜିଲାନ୍ସ । ସରକାରୀ ବାବୁ ସେୟାର ମାର୍କେଟରେ ପାଖାପାଖି 2.70 କୋଟି ଟଙ୍କା ନିବେଶ କରିଥିଲେ । ସେହିପରି ବ୍ୟାଙ୍କ ଓ ଇନସ୍ୟୁରାନ୍ସରେ ଦେଢ କୋଟି ଟଙ୍କା ଜମା ରହିଛି ।
ଏହା ମଧ୍ୟ ପଢନ୍ତୁ ଅବସରର ଦିନକ ପୂର୍ବରୁ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍, ଝରକା ପଟେ ଫିଙ୍ଗିଦେଲେ ପୁଳାପୁଳା ଟଙ୍କା
ଏହା ମଧ୍ୟ ପଢନ୍ତୁ 'ମାର୍ଚ୍ଚ ୨୦୨୭ ସୁଦ୍ଧା ସରିବ ନିର୍ମାଣଧୀନ ସମସ୍ତ ବୃହତ ପାନୀୟ ଜଳ ପ୍ରକଳ୍ପ'
ଇଟିଭି ଭାରତ, ବ୍ରହ୍ମପୁର