ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରୁ ବିଦା ହେବେ ଅଣଛାତ୍ର। ବର୍ଷବର୍ଷ ଧରି କ୍ୟାମ୍ପସରେ ବେଆଇନ ଭାବେ ରହିଆସୁଥିବା ଅଣଛାତ୍ରଙ୍କୁ ତଡ଼ିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କ୍ୟାମ୍ପସରୁ ସେମାନଙ୍କୁ ବିଦା କରିବା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୋଲିସ ସହାୟତା ଲୋଡ଼ିଛନ୍ତି। ଏନେଇ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ପତ୍ର ଲେଖିଛନ୍ତି। ତେବେ କ୍ୟାମ୍ପସକୁ କିଭଳି ଭାବରେ ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଉଛି।
ଉତ୍କଳ ବିଶ୍ବବିଦ୍ୟାଳୟରୁ ବିଦା ହେଲେ ଅଣଛାତ୍ର:
ଏନେଇ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି , "ଆମେ ଚିହ୍ନଟ କରିବୁ ଛାତ୍ର ଓ ଅଣଛାତ୍ର, ବସ୍ତି ଓ ସରକାରୀ ଘରେ କିଏ ସବୁ ବେଆଇନ ଭାବେ ରହୁଛନ୍ତି। କାରଣ ବିଶ୍ୱବିଦ୍ୟାଳୟର ପାଣି ଓ ବିଜୁଳି ବହୁତ ଖର୍ଚ୍ଚ ହେଉଛି। ଏନେଇ ପୋଲିସ ସହାୟତା ନିଆଯିବ। ନୋଟିସ ଦେଇ ବାହାର କରାଯିବ। ପୋଲିସ ସହାୟତା ପାଇଁ ଡିଜିପିଙ୍କୁ ଚିଠି କରାଯାଇଛି। କାରଣ ସେମାନଙ୍କ ସହଯୋଗରେ ବସ୍ତି ଉଚ୍ଛେଦ ହେବ। ନିଶା କାରବାର ରୋକିବା ପୋଲିସର କାମ। ଯେଉଁ ପୁରାତନ ଛାତ୍ର ଚାକିରି ପାଇଁ ପ୍ରସ୍ତୁତ ହେବାକୁ ଚାହୁଁଛନ୍ତି, ସେମାନଙ୍କୁ ସ୍ୱତନ୍ତ୍ର ହଷ୍ଟେଲ ଦିଆଯିବା ସହ ଲାଇବ୍ରେରୀ ସୁବିଧା ଦିଆଯିବ। ହେଲେ ଦୁଷ୍ଟାମୀ କରିବା ପାଇଁ ଯିଏ ରହିବେ, ସେମାନଙ୍କୁ ବାହାର କରାଯିବ ବୋଲି କହିଛନ୍ତି ଉକତଲ ବିଶ୍ୱବିଦ୍ୟାଳୟ କୁଳପତି।
ପୋଲିସ ମହାନିର୍ଦ୍ଦେଶକଙ୍କୁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସରଙ୍କ ପତ୍ର :
ପ୍ରଫେସର ଆଚାର୍ଯ୍ୟ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବିଗତ କିଛି ବର୍ଷ ହେଲା ବିଶ୍ବବିଦ୍ୟାଳୟ ପରିସରରେ ବାହାର ଲୋକ ଅନଧିକୃତ ଭାବେ ଜବରଦଖଲ କରିଛନ୍ତି । ଯାହା ବିଶ୍ବବିଦ୍ୟାଳୟ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ଜବରଦଖଲକାରୀମାନେ ବିଭିନ୍ନ ସମୟରେ ଗୁରୁତ୍ବହୀନ ପ୍ରସଙ୍ଗରେ କ୍ୟାମ୍ପସରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଛାତ୍ରମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ସେମାନଙ୍କ ଉପସ୍ଥିତି ଯୋଗୁ କ୍ୟାମ୍ପସ ଭିତରେ ଏବଂ ଆଖପାଖ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ସେମାନଙ୍କୁ ହଟାଇବା ଅନିବାର୍ଯ୍ୟ ହୋଇପଡ଼ିଛି। ତେବେ ଅସାମାଜିକ ବ୍ୟକ୍ତିମାନେ ବିଶୃଙ୍ଖଳା ସୃଷ୍ଟି କରିପାରନ୍ତି। ଯାହା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ। ତେଣୁ କ୍ୟାମ୍ପସରୁ ଜବରଦଖଲକାରୀଙ୍କୁ ହଟାଇବାରେ କମିଶନରେଟ ପୁଲିସ ଆବଶ୍ୟକ ସହାୟତା କରିବା ନେଇ ନିର୍ଦ୍ଦେଶ ଦେବାକୁ ଡିଜିପିଙ୍କୁ ଅନୁରୋଧ କରିଛନ୍ତି କୁଳପତି।
ସୂଚନାଯୋଗ୍ୟ ଯେ, ବର୍ଷବର୍ଷ ଧରି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଣଛାତ୍ର ବେଆଇନ ଭାବେ ରହୁଛନ୍ତି। ଅଣଛାତ୍ରଙ୍କ ଯୋଗୁ ଏହି ବିଶ୍ବବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି। ନିଶାମୁକ୍ତ କ୍ୟାମ୍ପସ ହୋଇପାରୁନି। ଅଣଛାତ୍ରଙ୍କ ଜରିଆରେ କ୍ୟାମ୍ପସ ଭିତରକୁ କୋଟିକୋଟି ଟଙ୍କାର ନିଶାଦ୍ରବ୍ୟ ଆସୁଛି। ବିଭିନ୍ନ ରାଜନୈତିକ ସଭା କ୍ୟାମ୍ପସ ଭିତରେ ଆୟୋଜନ କରାଯାଉଛି। ଛାତ୍ରାବାସଗୁଡ଼ିକରେ ମଧ୍ୟ ଅଣଛାତ୍ରମାନେ ରହୁଛନ୍ତି। ଏ ସମ୍ପର୍କରେ ଏବିଭିପି ଅଭିଯୋଗ କରିବା ସହ କ୍ୟାମ୍ପସକୁ ଅଣଛାତ୍ରମୁକ୍ତ ନକଲେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲା।
ଇଟିଭି ଭାରତ, ଭୁବନେଶ୍ବର