ଭୁବନେଶ୍ବର: 2025-26 ଆର୍ଥିକ ବର୍ଷ ପାଇଁ କେନ୍ଦୀୟ ବଜେଟ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତିକ୍ରିୟା । ଆଗତ ବଜେଟକୁ ଲୋକାଭିମୁଖୀ, ଲୋକକଲ୍ୟାଣକାରୀ, ରୋଜଗାର ସୃଷ୍ଟିକାରୀ ଏବଂ ବିକାଶମୁଖୀ କହିଛନ୍ତି ମୁଖ୍ୟମନ୍ତ୍ରୀ । ସାମଗ୍ରିକ ଭାବେ ଚଳିତ ବଜେଟ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଏହି ବଜେଟ ଉଦ୍ଦିଷ୍ଟ ବୋଲି ମୋହନ କହିଛନ୍ତି । ସେପଟେ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା କହିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ।
ଆଗତ ବଜେଟ ଐତିହାସିକ :
ମଧ୍ୟବିତ୍ତଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ ବଜେଟ :
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ମଧ୍ୟବିତ୍ତ ପରିବାରଙ୍କ ଆଶା ଆକାଂକ୍ଷାକୁ କେନ୍ଦ୍ର ସରକାର ପୂରଣ କରିବାରେ ସମର୍ଥ ହୋଇଛନ୍ତି । ସଂସଦ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଆଗତ ହେବାକୁ ଥିବା ବଜେଟରେ ଗରିବ ଏବଂ ମଧ୍ୟବିତ୍ତଙ୍କ ଉପରେ ମା’ ଲକ୍ଷ୍ମୀ କୃପାଦୃଷ୍ଟି ବର୍ଷିବ । ଆଜି ଠିକ ସେଇଆ ହିଁ ହେଲା । ଆୟକରଦାତାଙ୍କ ପାଇଁ ୧୨ ଲକ୍ଷ ଟଙ୍କା ଅର୍ଥାତ ମାସକୁ ଏକ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ଟିକସ ଦେବାକୁ ପଡିବ ନାହିଁ । ଏହା ଦ୍ଵାରା ସେମାନେ ଅତି କମରେ ପ୍ରାୟ ୮୦ ହଜାର ଟଙ୍କା ସଞ୍ଚୟ କରିବେ । ଯାହା ଭାରତୀୟ ଅର୍ଥନୀତିକୁ ଆହୁରି ସୁଦୃଢ କରିବ । ଏହା ହେଉଛି ପ୍ରକୃତରେ ମୋଦୀ ଗ୍ୟାରେଣ୍ଟି- ଯାହା କୁହନ୍ତି, ତାହା କରନ୍ତି ।

ଓଡିଶାକୁ ମିଳିବ ରେକର୍ଡ ସଂଖ୍ୟକ ଗୃହ :
ନୂତନ ରୋଜଗାର ସୃଷ୍ଟି କରିବା ପାଇଁ ଚଳିତ ବଜେଟରେ ରେକର୍ଡ 15 ଲକ୍ଷ 50 ହଜାର କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ପ୍ରାବଧାନ କରାଯାଇଛି । ଏଥି ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 54 ହଜାର 832 କୋଟି ଟଙ୍କା ପ୍ରାବଧାନ କରାଯାଇଛି । ଯାହା ଚଳିତ ବର୍ଷ ପାଇଁ 32 ହଜାର 426 କୋଟି ଟଙ୍କା ଥିଲା । ଏହି ବର୍ଦ୍ଧିତ ପ୍ରାବଧାନର ଲାଭ ଓଡିଶା ମଧ୍ୟ ପାଇବ । ଆସନ୍ତା ବର୍ଷ ଆମେ ରେକର୍ଡ ସଂଖ୍ୟକ ଗୃହ ରାଜ୍ୟର ଗରିବ ଲୋକଙ୍କୁ ଯୋଗାଇବୁ । ଜଳ ଜୀବନ ମିଶନ ଯୋଜନାରେ ରେକର୍ଡ 67 ହଜାର କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ଯାହା ଚଳିତ ବଜେଟରେ 22 ହଜାର 694 କୋଟି ଟଙ୍କା ଥିଲା । ଏହା ଦ୍ଵାରା ଆମ ସରକାରଙ୍କ ଆସନ୍ତା ଦୁଇବର୍ଷ ମଧ୍ୟରେ ରାଜ୍ୟର ସବୁ ଗ୍ରାମକୁ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ଲକ୍ଷ୍ୟ ନିଶ୍ଚିତ ଭାବେ ପୂରଣ ହେବ ।
ରାଜ୍ୟ ବିକାଶର ନୂତନ ଶିଖର ଛୁଇଁବ :
କେନ୍ଦ୍ର ଟିକସରୁ ରାଜ୍ୟ ଅଂଶ ବାବଦକୁ 2024-25 ବର୍ଷ ପାଇଁ 55,232 କୋଟି ଟଙ୍କା ଆକଳନ କରାଯାଇଛି । 2025-26 ଆର୍ଥିକ ବର୍ଷରେ ଓଡ଼ିଶାକୁ 64,408 କୋଟି ଟଙ୍କା ମିଳିବ । ଏହି ବର୍ଦ୍ଧିତ ପାଣ୍ଠିକୁ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟରେ ବ୍ୟବହାର କରିପାରିବେ । ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଓଡିଶା ରହିଛି । ଏହା ରାଜ୍ୟ ପାଇଁ ବିକାଶର ନୂତନ ଶିଖର ଛୁଇଁବ ।
ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ବଜେଟ :
ପ୍ରଧାନମନ୍ତ୍ରୀ ସଦା ସର୍ବଦା କହି ଆସୁଛନ୍ତି ଦେଶରେ ଚାରି ଗୋଟି ଜାତି ଅଛନ୍ତି । ସେମାନେ ହେଲେ ଗରିବ, ଯୁବ ବର୍ଗ, ମହିଳା ଏବଂ କୃଷକ । ଚଳିତ ବର୍ଷର ବଜେଟ ମଧ୍ୟ ଏମାନଙ୍କ ପାଇଁ ଉଦ୍ଦିଷ୍ଟ । ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ବଜେଟରେ କୃଷି, MSME, ନିବେଶ ଏବଂ ରପ୍ତାନି ବିକାଶର ଚାରିଟି ଗ୍ରୋଥ୍ ଇଞ୍ଜିନ ଭାବେ କାର୍ଯ୍ୟ କରିବ । 2025-26 ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ ହେଉଛି ଲୋକାଭିମୁଖୀ, ଲୋକକଲ୍ୟାଣକାରୀ, ରୋଜଗାର ସୃଷ୍ଟିକାରୀ ଏବଂ ବିକାଶମୁଖୀ ।
Today, the youth of the country are in the dire need of jobs and common people are bearing the brunt of unchecked #PriceRise of essential commodities. It is unfortunate that two of the most pressing challenges the country is facing, have not been addressed in the #Budget2025.…
— Naveen Patnaik (@Naveen_Odisha) February 1, 2025
କେନ୍ଦ୍ର ଅବହେଳା ଅଭିଯୋଗ ଆଣିଲେ ନବୀନ :
ସେପଟେ ବଜେଟକୁ ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି । ନବୀନ କହିଛନ୍ତି ," ଆଜି ଦେଶର ଯୁବକମାନେ ଚାକିରି ଆବଶ୍ୟକତା କରୁଛନ୍ତି ଏବଂ ସାଧାରଣ ଲୋକମାନେ ଅତ୍ୟାବଶ୍ୟକ ଜିନିଷ ଦରଦାମ ବୃଦ୍ଧିର ଭାର ବହନ କରୁଛନ୍ତି । ଦୁର୍ଭାଗ୍ୟଜନକ ଯେ ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଷୟ ବଜେଟ୍ ୨୦୨୫ରେ ସମାଧନ ହୋଇପାରିଲା ନାହିଁ । ଓଡ଼ିଶା ପ୍ରତିବର୍ଷ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସୁଛୁ । କିନ୍ତୁ ଯେତେବେଳେ ଅନ୍ୟ ରାଜ୍ୟ କେନ୍ଦ୍ରୀୟ ବଜେଟରେ ସ୍ବତନ୍ତ୍ର ପ୍ୟାକେଜ ପାଉଛି ସେତେବେଳେ ଓଡ଼ିଶାକୁ ପୁଣି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଅଣଦେଖା କରିଛନ୍ତି । "
ଇଟିଭି ଭରତ, ଭୁବନେଶ୍ବର