ନୟାଗଡ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଘଟଣାରେ ନୟାଗଡ ପୋଲିସକୁ ମିଳିଛି ସଫଳତା । ନୟାଗଡ ଜିଲ୍ଲା ଆଡ଼କଟା ପଞ୍ଚାୟତ ହଦପଶି ଗ୍ରାମର ଚରଣ ବେହେରାଙ୍କୁ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ପୂର୍ବରୁ ଘଟଣାର ମୁଖ୍ୟ ଅଭିଯୁକ୍ତ ଧରାପଡିଥିବା ବେଳେ ଗତକାଲି ଧରାପଡିଛି ସହଯୋଗୀ ମାନସ ଡାଙ୍ଗୁଆ । ଏହି ହତ୍ୟା ଘଟଣାରେ ଏବେବି ଜଣେ ଅଭିଯୁକ୍ତ ଫେରାର ରହିଛି । ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେଇଛନ୍ତି ନୟାଗଡର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା ।
କଣ ଥିଲା ଘଟଣା:
ଗତ ୩୦ ତାରିଖ ସନ୍ଧ୍ୟାରେ ନୟାଗଡ ଜିଲ୍ଲା ଆଡ଼କଟା ପଞ୍ଚାୟତ ହଦପଶି ଗ୍ରାମର ଚରଣ ବେହେରାଙ୍କ ମଦ ପିଇବାକୁ ଅଭିଯୁକ୍ତ ପିଣ୍ଟୁ ବେହେରା ଓ ମାନସ ଡାଙ୍ଗୁଆ ଡାକିନେଇଥିଲେ । ପରେ ଆଉ ଘରକୁ ଫେରିନଥିଲେ ଚରଣ । ବହୁ ଖୋଜାଖୋଜି ପରେ ପରିବାରଲୋକେ ଗଣିଆ ଥାନାରେ ଅଭିଯୋଗ କରିଥିଲେ । ପରେ ୩୧ ତାରିଖ ଅପରାହ୍ନରେ ଘର ଠାର ୨ ଶହ ମିଟର ଦୂରରେ ଏକ ଜମିରେ ଚରଣଙ୍କ ଏଟିଏମ୍ କାର୍ଡ ଓ ରକ୍ତଚିହ୍ନ ପଡ଼ିବା ସହ ଘୋଷରା ଚିହ୍ନ ଦେଖିବାକୁ ମିଳିଥିଲା । ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ ପରେ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ ।
ଠେଙ୍ଗାରେ ପିଟି ପିଟି ନେଇଥିଲେ ଜୀବନ:
ମଦ ପିଇବା ବେଳେ ବର୍ଷେ ତଳର ଥିବା ଜମିଜମା ବିବାଦକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ମାନସ ଓ ପିଣ୍ଟୁ ଏକ ଠେଙ୍ଗାରେ ଚରଣଙ୍କ ମୁଣ୍ଡକୁ ପିଟିଥିଲେ । ଫଳରେ ଚରଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେମାନେ ଚତୁରତା ସହ ମୃତଦେହକୁ ଚିତ୍ତରଞ୍ଜନ ବେହେରା ନାମକ ବ୍ୟକ୍ତିଙ୍କ ଅଟୋରେ ମୃତଦେହକୁ ଅଳ୍ପବାଟ ନେବା ପରେ ପିଣ୍ଟୁର ଆଇଚର୍ ଟ୍ରକ୍ରେ ଖଜୁରୀପଡ଼ା ଆଣି ଘାଟିତଳେ ଫିଙ୍ଗିଦେଇଥିଲେ ।
ଏମିତି ଧରାପଡିଲେ ଅଭିଯୁକ୍ତ:
ଏନେଇ ନୟାଗଡର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାସ ପଣ୍ଡା କହିଛନ୍ତି, ‘ନୟାଗଡ଼ ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରି ନାନା ଦିଗକୁ ନେଇ ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତମାନଙ୍କ କଲ୍ ରେକର୍ଡ ଯାଞ୍ଚ କରି ପୋଲିସ ସୁରାକ ପାଇଥିଲା । ପ୍ରଥମେ ଅଭିଯୁକ୍ତ ପିଣ୍ଟୁ ଭଞ୍ଜନଗର ଯାଇଥିଲା । ସେଠାରେ ଟ୍ରକ୍ରୁ ମାଲ୍ ଖାଲିକରି ଭୁବନେଶ୍ଵର ଆସିଥିଲା । ସେଠାରୁ ପୁଣି ଆସି ଭଞ୍ଜନଗରରେ ଲୁଚିଥିବା ବେଳେ ପୋଲିସ ପିଣ୍ଟୁକୁ ଗିରଫ କରିଥିଲା । ତେବେ ଗତ ଶନିବାର ସନ୍ଧ୍ୟାରେ ସହଯୋଗୀ ଅଭିଯୁକ୍ତ ମାନସ ଡାଙ୍ଗୁଆକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରହିଛି ।
ଅନ୍ୟ ଜଣେ ଅଭିଯୁକ୍ତ ଫେରାର:
ପୋଲିସ ସୂଚନା ଅନୁସାରେ, ପିଣ୍ଟୁର ଠାରୁ ମିଳିଥିବା ତଥ୍ୟ ଅନୁସାରେ ସହଯୋଗୀ ମାନସ ଡାଙ୍ଗୁଆକୁ ଗିରଫ କରାଯାଇଥିଲା । ପରେ ଦୁଇ ଅଭିଯୁକ୍ତକୁ ରବିବାର ଦିନ କୋର୍ଟ ଚାଲାଣ କରାଯାଇଛି । ଦୁଇ ଅଭିଯୁକ୍ତ ତଥ୍ୟ ଆଧାରରେ ହଦପଶି ଠାରେ ଘଟଣାସ୍ଥଳରେ ବ୍ୟବହୃତ ହୋଇଥିବା ଏକ ବାଉଁଶ ଠେଙ୍ଗା ଏଟିଏମ ଜବତ କରାଯାଇଛି । ଅଧିକ ତଥ୍ୟ ସଂଗ୍ରହ କରି ଏକ ପଲସର ବାଇକ, ଅଟୋ ରିକ୍ସା ଓ ଆଇଚର୍ ଟ୍ରକକୁ ପୋଲିସ୍ ଜବତ କରିବାରେ ସକ୍ଷମ ହୋଇଥିଲା । ଅନ୍ୟ ଏକ ଅଭିଯୁକ୍ତ ଜିତେନ୍ଦ୍ର ଡାଙ୍ଗୁଆ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ସୂଚନା ମିଳିଛି ।
ଇଟିଭି ଭାରତ, ନୟାଗଡ