Environment Protection Awareness ନିଆଳି: ସବୁଜ ଜଙ୍ଗଲ... ଯଶୁଆପୁରରେ 5 ଏକର ଜମିରେ ଲାଗିଛି ହଜାର ହଜାର ଗଛ । ଯୁଆଡେ ଚାହିଁବେ ସବୁଜିମା ପରିବେଶ । ଆଉ ପଶୁଙ୍କ ପାଇଁ ପାଣିର ବ୍ୟବସ୍ଥା । ଏସବୁ ପଛରେ ଅଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଯଶୁଆପୁର ଗାଁର କିଛି ଯୁବକ । ନିଜସ୍ବ ପ୍ରୟାସ ଗଢିଛନ୍ତି ଯଶୁଆପୁର ଜଙ୍ଗଲ ସୁରକ୍ଷା ସମିତି । ଆଉ ସୃଷ୍ଟି କରୁଛନ୍ତି ଜଙ୍ଗଲ । ପରିବେଶ ସୁରକ୍ଷା ବାର୍ତ୍ତା ବାଣ୍ଟୁଛନ୍ତି । ସେମାନଙ୍କ ପ୍ରୟାସରେ ଏବେ ଯଶୁଆପୁର ଅଞ୍ଚଳ ସବୁଜିମା ହୋଇଉଠିଛି ।
ଯଶୁଆପୁର ଜଙ୍ଗଲ ସୁରକ୍ଷା ସମିତି (Jashuapur Jungle Surakhya Samiti)ସମ୍ପର୍କରେ...
ଜଙ୍ଗଲ ସୃଷ୍ଟି କରିବାର ବ୍ରତ ନେଇ ଯଶୁଆପୁର ଗାଁର କିଛି ଯୁବକ 2015ରେ ଆରମ୍ଭ କରିଥିଲେ ଯଶୁଆପୁର ଜଙ୍ଗଲ ସୁରକ୍ଷା ସମିତି । ଏଥିରେ ଗାଁର ପ୍ରାୟ 15 ଜଣ ଯୁବକ କାମ କରୁଛନ୍ତି । ଯୁବ ସମାଜସେବୀ ରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଏହି ସମିତି ଗୋଷ୍ଠୀ ଗଢାଯାଇଥିବା ବେଳେ ଏମାନେ ପ୍ରକୃତିକୁ ସୁରକ୍ଷା ଦେବା ପାଇଁ ବୃକ୍ଷରୋପଣ କରିଛନ୍ତି । ଏହା ସହ ପକ୍ଷୀଙ୍କ ପାଇଁ ପାନୀୟ ଜଳର ମଧ୍ୟ ବ୍ୟବସ୍ଥା କରୁଛନ୍ତି ।

ଯୁବକଙ୍କ ପ୍ରୟାସ ସୃଷ୍ଟି ହେଉଛି ଜଙ୍ଗଲ (Jungle Creates By Jasuapur Youths):
ମନରେ ନାହିଁ ଅଭିଳାଷ । କିଛି ପାଇବାର ଆଶା । କିନ୍ତୁ ସମାଜ ପାଇଁ ବାଣ୍ଟି ଚାଲିଛନ୍ତି ଅନେକ ଉଦାହରଣ । ଅଞ୍ଚଳର ଯୁବ ଗୋଷ୍ଠୀ ମାନଙ୍କୁ ଏକାଠି କରି ସବୁଜିମା ଭରା ଜଙ୍ଗଲ ସୃଷ୍ଟି କରିଛନ୍ତି । ଗ୍ରୀଷ୍ମ ଦିନରେ ପଶୁପକ୍ଷୀଙ୍କ ପାଇଁ ମାଟିପାତ୍ର ମାଧ୍ୟମରେ ଜଳଭରି ଗଛରେ ଟାଙ୍ଗି ଅନେକ ଉଦାହରଣ ଛାଡିଛନ୍ତି ବାଲିଅନ୍ତା ବ୍ଲକ ଯଶୁଆପୁର ଗାଁର ରଞ୍ଜନ ମହାପାତ୍ର ଓ ତାଙ୍କ ସାଥିମାନେ । ଏବେ ସେ ଅଛନ୍ତି ଉମାଦେଇ ବ୍ରହ୍ମପୁର ପଞ୍ଚାୟତର ସମିତି ସଭ୍ୟ ।

2011ରୁ ସମାଜସେବା କରୁଛନ୍ତି ରଞ୍ଜନ:
ସମାଜସେବୀ ତଥା ସମିତି ସଭ୍ୟ ରଞ୍ଜନ ମହାପାତ୍ର କହିଛନ୍ତି, ‘ମହର୍ଷି କଲେଜରେ +୨ ବିଜ୍ଞାନ ପାଠ ପଢୁଥିବା ସମୟରେ ଏକ ଘଟଣା ଚକ୍ରରେ ପଡି ସେବେଠୁ ସମାଜସେବା ବ୍ରତ ଭାବରେ ଗ୍ରହଣ କରି ନେଇଛି । ଆମେ ମଧ୍ୟମବିତ୍ତ ପରିବାରୁ ଆସିଛୁ ୨୦୧୧ ମସିହା ଠାରୁ ନିଜକୁ ସମାଜ ସହିତ ସମର୍ପିତ ହୋଇଛି ।’

କେତେ ଗଛ ଲଗାଇଲାଣି ଏହି ସଙ୍ଗଠନ ?
ରଞ୍ଜନ ମହାପାତ୍ର କହିଛନ୍ତି, ଯଶୁଆପୁର ଠାରୁ ଏକ ପାଞ୍ଚ ଏକର ସରକାରୀ ଜମିରେ ସରକାରଙ୍କ ପକ୍ଷରୁ ବୃକ୍ଷ ରୋପଣ କରାଯାଇଥିଲା । ଗଛ ଗୁଡିକ ରୃଗ୍ଣ ଅବସ୍ଥାରେ ପହଞ୍ଚି ଯାଇଥିଲା । ଯଶୁଆପୁର ଜଙ୍ଗଲ ସୁରକ୍ଷା ସମିତି ଗଠନ କରି ଏକ ହଜାରରୁ ଊର୍ଦ୍ଧ୍ଵ ଗଛ ଲଗାଇଛୁ ଏବଂ ପରବର୍ତ୍ତୀ ସମୟରେ ପରିବେଶ ଦିବସରେ ବିଭିନ୍ନ ଫଳନ୍ତି ଗଛ ଲଗାଇବାରେ ସଫଳ ହୋଇଛି । ସାରା ବିଶ୍ବ ଏବେ କଂକ୍ରିଟ ବଳୟ ଭିତରେ ଗତି କରୁଛି । ପ୍ରତ୍ଯକ ବର୍ଷ ଉତ୍ତାପ ବୃଦ୍ଧି ହେଉଛି । ଏବଂ ଜଳବାୟୁ ଉପରେ ପ୍ରଭାବ ପଡୁଛି । ସେଥିପାଇଁ ଆମ ଗାଁ ଆମ ଅଞ୍ଚଳରେ ଗଛ ଲଗାଇ ପରିବେଶ ସୁଧାରି ପାରିଲେ ପରିବେଶ ସୁଧାର ହୋଇପାରିବ ବୋଲି କହିଛନ୍ତି ।’

ଜଙ୍ଗଲରେ ପକ୍ଷୀଙ୍କ ପାଇଁ ପାଣିର ବ୍ୟବସ୍ଥା:
ଏହି ଯୁବକମାନେ ବୃକ୍ଷରୋପଣ କରିବା ସହ ପକ୍ଷୀ ମାନେ ଖରାରେ ଜଳକଷ୍ଟ ଭୋଗିବେନି । ଏଥିପାଇଁ ମାଟି ପାତ୍ର ଗୁଡିକରେ ପାଣି ଭରି ଗଛରେ ଟାଙ୍ଗି ଦିଅନ୍ତି । ଯଶୁଆପୁର ଜଙ୍ଗଲ ସୁରକ୍ଷା ସମିତି ସଭ୍ୟ ତଥା ପ୍ରକୃତି ବନ୍ଧୁ ଦିନବନ୍ଧୁ ଭୋଇ କହିଛନ୍ତି,"ଯୁବ ସମାଜସେବୀ ରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଯଶୁଆପୁର ଠାରେ ଜଙ୍ଗଲ ସୁରକ୍ଷା ସମିତି ଗଠନ କରି ଆମ ଅଞ୍ଚଳର ଯୁବକ ମାନଙ୍କୁ ଏକତ୍ରିତ କରି ବୃକ୍ଷ ରୋପଣ କରିବା ସହିତ ପରିବେଶକୁ ସୁରକ୍ଷା ଦେବା ମୁଖ୍ଯ ଉଦ୍ଦେଶ୍ୟ । ମଣିଷ ଯେତେବେଳେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି, ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ଆମ ସଙ୍ଗଠନ ପକ୍ଷରୁ ବ୍ଯାପକ ବ୍ୟବସ୍ଥା ସ୍ବରୂପ ମାଟିପାତ୍ର ମାଧ୍ୟମରେ ଜଳଭରି ଗଛରେ ପ୍ରତ୍ଯେକ ଦିନ ସୁବ୍ୟବସ୍ଥା କରାଯାଇଛି ।’

ସମାଜକୁ ବଞ୍ଚାଇବା ପାଇଁ ଯୁବ ସମାଜ ଆଗେଇ ଆସିବାକୁ ଆହ୍ବାନ:
ଶିକ୍ଷାବିତ ବିଦୁଭୂଷଣ ପଟ୍ଟନାୟକ କହିଛନ୍ତି, ‘ମୁଁ ଯଶୁଆପୁର ଜଙ୍ଗଲରେ ଠିଆ ହୋଇଛି । ଏହି ଜଙ୍ଗଲ ପାଞ୍ଚ ଏକର ପରିମିତ । ହଜାର ହଜାର ଗଛ ସୃଷ୍ଟି ହୋଇଛି । ଏହା ପଛରେ ଉମାଦେଇ ବ୍ରହ୍ମପୁର ପଞ୍ଚାୟତ ସମିତି ସଭ୍ୟ ରଞ୍ଜନ ମହାପାତ୍ରଙ୍କ ଅବଦାନ ରହିଛି । ୧୫ ଜଣିଆ ଟିମ୍ ଧରି ବୃକ୍ଷ ରୋପଣ କରିବା ସହିତ ବୃକ୍ଷକୁ ସୁରକ୍ଷା ଦେବା ଓ ବଞ୍ଚେଇ ରଖିବା ଏବଂ ପଶୁପକ୍ଷୀଙ୍କ ପାଇଁ ପାଣି ବ୍ୟବସ୍ଥା କରିଛନ୍ତି । ଗଛ ଠାରୁ ମଣିଷ ସବୁକିଛି ପାଉଛି ହେଲେ ମଣିଷ ସବୁ ଧ୍ବଂସ କରିବ । କଂକ୍ରିଟ ଜଙ୍ଗଲ ଭିତରେ ଆମେ ଛିଡା ହୋଇଛି କିନ୍ତୁ ରଞ୍ଜନ ମହାପାତ୍ର ଭଳି ଅନେକ ଯୁବକ ସମାଜକୁ ବଞ୍ଚାଇବା ପାଇଁ ଆଗକୁ ଆସିବା ପାଇଁ ଆହ୍ବାନ ଦେଇଛନ୍ତି ।’
ନିଜସ୍ବ ଖର୍ଚ୍ଚରେ ସମାଜସେବା:
ଅବସରପ୍ରାପ୍ତ ଅଧ୍ଯକ୍ଷ ଲକ୍ଷ୍ମୀଧର ପ୍ରଧାନ କହିଛନ୍ତି, ‘ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଣିଷ, ପଶୁପକ୍ଷୀ ସମସ୍ତେ ପ୍ରଭାବିତ ହେଉଛୁ । ଗଛ ଲଗାଇବା ନିହାତି ଦରକାର । ଯଶୁଆପୁର ଅନେକ ଧର ଆସିଛି ରଞ୍ଜନ ମହାପାତ୍ରଙ୍କୁ ଯେତେ ପ୍ରଶଂସା କଲେ କମ୍ ହେବ ସେ ୧୫/୨୦ ଯୁବକ ଓ ଯୁବତୀ ମାନଙ୍କୁ ଧରି ବିରାଟ ଜଙ୍ଗଲ ସୃଷ୍ଟି କରିଛନ୍ତି । ଜଙ୍ଗଲ ସୁରକ୍ଷା ଉପରେ ଦୃଷ୍ଟି ଦେଉଛନ୍ତି । ପଶୁପକ୍ଷୀଙ୍କ ପାଇଁ ପାଣିର ବ୍ୟବସ୍ଥା କରିଛନ୍ତି । ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ତା'ର ବାଡ ଦ୍ବାରା ଗଛର ସୁରକ୍ଷା ଦେଇଛନ୍ତି । ଆମକୁ ଉତ୍ସାହିତ କରୁଛନ୍ତି ପୃଥିବି ପାଇଁ ଗଛ ନିହାତି ଲଗାଇବା ଦରକାର ।’
ଇଟିଭି ଭାରତ, ନିଆଳି