Subhadra scheme benefits for Tibetan refugees ପାରଳାଖେମୁଣ୍ଡି: ଦିନେ ଶରଣାର୍ଥୀ ଭାବରେ ଆସି ଓଡ଼ିଶାରେ ଆଶ୍ରୟ ନେଇଥିଲେ । ରାଜ୍ୟ ସରକାର ସବୁବେଳେ ସେମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇଛନ୍ତି । ଓଡ଼ଶା ଲୋକଙ୍କ ପାଇଁ ଥିବା ଅନେକ ଯୋଜନାରେ ସେମାନଙ୍କୁ ସାମିଲ କରିଛନ୍ତି । କଂଗ୍ରେସ ସରକାର ସମୟରେ ସେମାନଙ୍କୁ ଆଶ୍ରୟ ଦିଆଯାଇଥିଲା । ବିଜେଡି ସରକାର ବେଳେ ରାସନକାର୍ଡ ସହ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ କରାଯାଇଥିଲା । ଆଉ ଏବେ ବିଜେପି ସରକାର ସମୟରେ 'ସୁଭଦ୍ରା ଯୋଜନା' (Subhadra Yojana)ରେ ସାମିଲ କରାଯାଇଛି । ଯାହାକୁ ନେଇ ଖୁସି ପ୍ରକଟ କରିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଗଜପତି ଜିଲ୍ଲାରେ ରହୁଥିବା ତିବ୍ଦତୀୟ ଶରଣାର୍ଥୀ ।
ଶରଣାର୍ଥୀଙ୍କୁ 'ସୁଭଦ୍ରା ଯୋଜନା' ଟଙ୍କା (Odisha welfare schemes):
୧୯୫୯ ମସିହାରେ ତିବ୍ଦତରେ ଦେଖାଇଥିଲା ଅସ୍ଥିରତା । ଏହି ସମୟରେ ଅନେକ ତିବ୍ଦତୀୟ ଭାରତର ଶରଣରେ ଆଶ୍ରୟ ନେବା ପାଇଁ ଆସିଥିଲେ । ତତ୍କାଳୀନ ସରକାର ସେମାନଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଥଇଥାନ କରିଥିଲେ । ସେଥିମଧ୍ୟରୁ ଗଜପତି ଜିଲ୍ଲାର ମହେନ୍ଦ୍ରଗଡ ଓ ଚନ୍ଦ୍ରଗିରି ଅଞ୍ଚଳରେ କେତେକଙ୍କୁ ରଖାଯାଇଥିଲା । ବର୍ତ୍ତମାନ ଏହି ଅଞ୍ଚଳ ମିନି ତିବ୍ଦତ ଭାବେ ପରିଚିତ । ଏଠାରେ ସେମାନେ ନିଜର ଧର୍ମୀୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ସ୍ବଚ୍ଛନ୍ଦରେ କରିପାରୁଛନ୍ତି । ଏପରିକି ସରକାରଙ୍କ ସହାୟତାରେ ସେଠାରେ ଅନେକ ଉନ୍ନୟନମୂଳକ କାମ ମଧ୍ୟ ହୋଇଛି ।
ବର୍ତ୍ତମାନ ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତି ଲାଭ କରିଛି । ଶରଣାର୍ଥୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାରେ ସରକାର କେବେ ହେଲେ ହେଳା କରାନାହାନ୍ତି । ଯେତେବେଳେ ଯିଏ ସରକାରରେ ରହିଛନ୍ତି ସେମାନଙ୍କ କୃପା ଦୃଷ୍ଟି ଶରଣାର୍ଥୀଙ୍କ ଉପରେ ରହିଆସିଛି । ଗତ ସରକାର ସମୟରେ ଶରଣାର୍ଥୀମାନେ ରାସନ କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ସରକାରଙ୍କ ସମୟରେ ସୁଭଦ୍ରା ଯୋଜନାରେ ଏମାନଙ୍କୁ ସାମିଲ କରାଯାଇଛି । ଯାହାକୁ ନେଇ ଶରଣାର୍ଥୀ ମହିଳାମାନେ ଖୁସି ପ୍ରକାଶ କରିଛନ୍ତି ।
'ସରକାରଙ୍କ ପ୍ରତି ଆମେ କୃତଜ୍ଞ':
ଏହାକୁ ନେଇ ତିବ୍ଦତୀୟ ମହିଳା ସେଲା ଡୋମା କହିଛନ୍ତି, "ଆମେ ଶରଣାର୍ଥୀ ଭାବେ ରହିଥିଲେ ମଧ୍ୟ ସରକାର କେବେ ହେଲେ ଆମକୁ ସେହି ଅନୁସାରେ ବ୍ୟବହାର କରିନାହାନ୍ତି । ପୂର୍ବରୁ ସରକାରଙ୍କ ଦ୍ଵାରା ରାସନ ସାମଗ୍ରୀ ପାଉଛୁ । ବର୍ତ୍ତମାନ ସୁଭଦ୍ରା ଯୋଜନାରେ ଆମକୁ ୫ ବର୍ଷ ପାଇଁ ୫୦୦୦୦ ହଜାର ଟଙ୍କା ଯେଉ ମିଳିବ । ବର୍ତ୍ତମାନ ଗୋଟେ କିସ୍ତିରେ ୫୦୦୦ ଟଙ୍କା ମିଳିସାରିଛି । ତାହା ମହିଳାମାନଙ୍କ ଛୁଆଙ୍କ ପାଠପଢା ପାଇଁ ବହୁତ୍ ସହାୟକ ହେବ । ଆଗକୁ ମଧ୍ୟ ମିଳିବ । ଖାସ କରି ଘରେ ରହୁଥିବା ଆମମାନଙ୍କ ଭଳି ମହିଳାଙ୍କ ପାଇଁ ବହୁତ ଏହି ଟଙ୍କା ବହୁତ କାମରେ ଆସିବ । ଓଡିଶା ସରକାର ସୁଭଦ୍ରା ଯୋଜନାରେ ଆମଙ୍କୁ ସାମିଲ କରିଛନ୍ତି । ଆମ୍ଭେମାନେ ଏହି ସରକାରୀ ଯୋଜନା ପାଇ ବହୁତ୍ ଖୁସି । ତେଣୁ ଆମେ ସରକାରଙ୍କ ପ୍ରତି ଅନେକ କୃତଜ୍ଞ ।"
'ସୁଭଦ୍ରା ଟଙ୍କା ପାଇ ଆମେ ବହୁତ ଖୁସି':
ସେହିପରି ଆଉ ଜଣେ ମହିଳା କେରସାନ ରିକି କହିଛନ୍ତି, "ପ୍ରତି ମାସରେ ସରକାରଙ୍କ ପକ୍ଷରୁ ରାସନ ସାମଗ୍ରୀ ପାଉଛୁ । ସୁଭଦ୍ରା ଯୋଜନାରେ ମଧ୍ୟ ଏଥର ୫ ହଜାର ଟଙ୍କା ମିଳିଛି । ଏହି ଟଙ୍କାରେ ଆମେ ଘର ଖର୍ଚ୍ଚରେ ଲଗାଇଲୁ । ଏଥିପାଇଁ ଆମେ ବହୁତ ଖୁସି । ଏଥିପାଇଁ ସରକାରଙ୍କୁ ବହୁତ ବହୁତ ଧନ୍ୟାବାଦ ।"
'ସରକାରଙ୍କୁ ଧନ୍ୟବାଦ':
କେଲସା ମୋମୋ କହିଛନ୍ତି, "ଆମେ ଏଇଠି ଓଡ଼ିଶାରେ ହିଁ ଜନ୍ମ ହୋଇଛୁ । ଆମେ ଓଡ଼ିଶା ସରକାରଙ୍କ ତରଫରୁ ରାସନ ସାମଗ୍ରୀ ପାଉଛୁ ।ସୁଭଦ୍ରା ଯୋଜନାରେ ଆମକୁ ସାମିଲ କରାଯାଇଛି । ଯେଉଁ ଟଙ୍କା ମିଳିବ ମୁଁ ସେହି ଟଙ୍କାକୁ ନିଜ ବ୍ୟବସାୟରେ ବିନିଯୋଗ କରିବି । ଏହି ଟଙ୍କା ଆମ ମହିଳାମାନଙ୍କ ପାଇଁ ବହୁତ୍ ଆବଶ୍ୟକରେ ଆସିଲା । ଏଥିପାଇଁ ମୁଁ ସରକାରଙ୍କୁ ଧନ୍ୟବାଦ ଜଣାଉଛି ।"
'ଅତି ଶୀଘ୍ର ଅନ୍ୟ ଶରଣାର୍ଥୀଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା':
ଏନେଇ ମୋହନା ସିଡିପିଓ ସବିତା ପଟ୍ଟନାୟକ କହିଛନ୍ତି, "ଜିଲ୍ଲାର ଚନ୍ଦ୍ରଗିରି, ମହେନ୍ଦ୍ରଗଡ, ଲବାରସିଂ, ଜିରାଙ୍ଗ ଆଦି ସ୍ଥାନରେ ରହିଛି ୫ଟି ତିବ୍ଦତୀୟ ଶରଣାର୍ଥୀ ଶିବର । ଏଠାରେ ପ୍ରାୟ ୩ ହଜାର ଶରଣାର୍ଥୀ ପରିବାର ରୁହନ୍ତି । ସେମାନଙ୍କ ମଧ୍ୟରୁ ୧୧୫ ଜଣଙ୍କୁ ସୁଭଦ୍ରା ଯୋଜନା ଟଙ୍କା ମିଳିସାରିଛି । ଆଉ କିଛି ଜଣ ରହିଯାଇଛନ୍ତି । ଯଦି ସେମାନେ NPCI KYC କରିଦେବେ ଅତି ଶୀଘ୍ର ସେମାନଙ୍କୁ ମଧ୍ୟ ଯୋଜନାର ଲାଭ ମିଳିବ ।"
କେବେ ଓ କାହିଁକି ଭାରତରେ ଶରଣ ନେଲେ ତିବ୍ଦତୀୟ:
୧୯୫୯ ମସିହାରେ ଚୀନ୍, ତିବ୍ଦତ ଉପରେ ଆକ୍ରମଣ କରିବା ପରେ ତିବ୍ଦତୀୟ ସମ୍ପ୍ରଦାୟ ୧ ମେ' ୧୯୬୩ ମସିହାରେ ଓଡ଼ିଶାର ଚନ୍ଦ୍ରଗିରିରେ ପହଞ୍ଚିଥିଲେ । ୧୪ତମ ଦଲାଇଲାମାଙ୍କ ନେତୃତ୍ୱରେ ହଜାର ହଜାର ତିବ୍ଦତୀୟ ଭାରତରେ ଆଶ୍ରୟ ନେଇଥିଲେ । ତିବ୍ଦତୀୟ ଜଳବାୟୁ ଏବଂ ପରିବେଶ ଯୋଗୁଁ ଚନ୍ଦ୍ରଗିରିକୁ ୬ଟି ବସତି ସ୍ଥାନ ମଧ୍ୟରୁ ଗୋଟିଏ ଭାବରେ ବାଛି ଦିଆଯାଇଥିଲା, ଯାହା ତିବ୍ଦତୀୟ ପରି ଥିଲା । ପ୍ରାରମ୍ଭରେ, ଉଷ୍ଣକଟିବନ୍ଧୀୟ ଜଳବାୟୁ ସହିତ ଖାପ ଖୁଆଇବା ଏକ ଚ୍ୟାଲେଞ୍ଜ ଥିଲା । କିନ୍ତୁ ତିବ୍ଦତୀୟମାନେ ଅଟଳ ରହିଥିଲେ । ସେମାନେ ଶୂନ୍ୟ ଭୂମିକୁ ଚାଷଯୋଗ୍ୟ କ୍ଷେତ୍ରରେ ପରିଣତ କରିଥିଲେ ଏବଂ କୃଷି, କାର୍ପେଟ ବୁଣା ଏବଂ ହସ୍ତଶିଳ୍ପରେ ନିୟୋଜିତ ହୋଇଥିଲେ । ସମୟ ସହିତ, ଚନ୍ଦ୍ରଗିରି "ଫୁଣ୍ଟସୋକଲିଙ୍ଗ" ଭାବରେ ପରିଚିତ ହେଲା । ଯାହାର ଅର୍ଥ "ସୁଖ ଏବଂ ପ୍ରଚୁରତାର ଭୂମି"।
ତିବ୍ଦତୀୟ ସମ୍ପ୍ରଦାୟ ଏହି ଅଞ୍ଚଳର ସାଂସ୍କୃତିକ ଏବଂ ଆର୍ଥିକ ସ୍ପନ୍ଦନରେ ଅବଦାନ ରଖି ଉଚ୍ଚମାନର କାର୍ପେଟ ଏବଂ ଉଦ୍ୟାନ ଉତ୍ପାଦ ଉତ୍ପାଦନ କରିଥିଲେ । ଆଜି, ଚନ୍ଦ୍ରଗିରିକୁ ଏହାର ତିବ୍ଦତୀୟ ଐତିହ୍ୟ ପାଇଁ ପାଳନ କରାଯାଏ । ୨୦୧୦ ମସିହାରେ ଦଲାଇଲାମାଙ୍କ ଦ୍ୱାରା ଉଦ୍ଘାଟିତ ପଦ୍ମ ସମ୍ଭବ ମହାବିହାର ମଠ ସହିତ, ଏହା ସେମାନଙ୍କର ସ୍ଥାୟୀ ଐତିହ୍ୟର ପ୍ରତୀକ ଭାବରେ କାର୍ଯ୍ୟ କରେ । ବର୍ତ୍ତମାନ୍ ଏମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଗୁଡିକରେ ଅନ୍ତର୍ଭୂକ୍ତ କରାଯାଉଛି ।ସରକାରୀ ସୁବିଧା ପାଇ ଖୁସିରେ ନିଜ ଜୀବନ କାଟି ରହୁଛନ୍ତି ।
ଦେଶର ନାଗରିକ ଭଳି ସମସ୍ତ ସୁବିଧା ପାଉଛନ୍ତି:
ଏନେଇ ଗବେଷକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମହାପାତ୍ର କହିଛନ୍ତି, "ଯେତେବେଳେ ଚୀନ୍, ତିବ୍ଦତ ଉପରେ ଆକ୍ରମଣ କଲା ସେତେବେଳେ ତିବ୍ଦତୀୟମାନେ ଏକ ପ୍ରକାର ବିତାଡିତ ହେବାକୁ ଲାଗିଲେ । ସେମାନେ ଭାରତର ଶରଣ ମାଗିଲେ । ତତ୍କାଳୀନ ଭାରତ ସରକାର ସେମାନଙ୍କୁ ଶରଣ ଦେଇଥିଲେ । ଓଡ଼ିଶାରେ କିଛି ତିବ୍ଦତୀୟ ଶରଣ ନେଇଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ଗଜପତିର ଚନ୍ଦ୍ରଗିରି ଠାରେ ଥଇଥାନ କରିଥିଲେ । ପ୍ରତ୍ୟେକ ଶରଣାର୍ଥୀ ପରିବାରକୁ ସରକାର ୨ରୁ ୫ ଏକର ପର୍ଯ୍ୟନ୍ତ ଜମି ଦେଇଥିଲେ । ସେମାନେ ସେଠାରେ ପ୍ରଥମେ ପିଜୁଳି ଚାଷ କରି ବଞ୍ଚୁଥିଲେ । ପରବର୍ତ୍ତୀ ସମୟରେ ମକା ଚାଷ କରି ଲାଭବାନ ହେଲେ । ଶୀତବସ୍ତ୍ର ବ୍ୟବସାୟ କରି ବର୍ତ୍ତମାନ ସେମାନେ ଭଲରେ ଅଛନ୍ତି । ସେମାନେ କାହା ସହ ଝଗଡ଼ା ନକରି ସମସ୍ତଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରି ଚଳୁଛନ୍ତି । ସେମାନେ ଏତ ତିବ୍ଦତୀୟାନ ମନ୍ଦିର ପ୍ରତିଷ୍ଠା କରିଛନ୍ତି । ଯାହା ଏକ ପର୍ଯ୍ୟଟନସ୍ଥଳୀ ଭାବରେ ପରିଚିତ । ସରକାର ସେମାନଙ୍କୁ ରାସନ କାର୍ଡ ଓ ପେନସନ ଯୋଗାଇ ଦେଉଛନ୍ତି । ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଇଛି । ଦେଶର ନାଗରିକ ଭଳି ସମସ୍ତ ସୁବିଧା ପାଇ ସେମାନେ ଏଠାରେ ଅଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ... |
ସେପଟେ କଂଗ୍ରେସ ସରକାର ସମୟରେ ତିବ୍ଦତୀୟମାନଙ୍କୁ ରହିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଥିଲା । ବିଜେଡି ସରକାର ବେଳେ ରାସନ କାର୍ଡ ଏବଂ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ସାମିଲ କରାଯାଇଛି । ଏବେ ବିଜେପି ସରକାର ସମୟରେ ସେମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯିବା ଘଟଣା ସେମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଭଲ ପାଇବାକୁ ଦର୍ଶାଉଛି । ଏଥିପାଇଁ ତିବ୍ଦତୀୟମାନେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଇଟିଭି ଭାରତ, ଗଜପତି